
ଗୋପାଳପୁର (ସମୃଦ୍ଧ ଓଡିଶା) ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ ନିମନ୍ତେ ଲାଞ୍ଜିପଲ୍ଲୀ ଗାଇଗୋଠ ପଡିଆରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଅନୁକୁଲ୍ୟରେ ଆୟୋଜିତ ହୋଇଥିଲା । ଏହି କାର୍ଯକ୍ରମରେ ଗୋପାଳପୁର ବିଧାୟକ ଡ଼. ପ୍ରଦୀପ ପାଣିଗ୍ରାହୀ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ନିମନ୍ତେ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ସମ୍ପର୍କରେ ସୂଚନା ଦେବା ସହ ଏଥିରେ ସାମିଲ ହୋଇ ଯୋଜନାର ଲାଭ ପାଇବାକୁ ନିର୍ମାଣ ଶ୍ରମିକଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ବ୍ଲକ ଅଧ୍ୟକ୍ଷା ସି.ଏଚ.ଉଷାରାଣି, ଉପାଧ୍ୟକ୍ଷା ଅଜିତ ଦାଶ, ଜିଲ୍ଲା ପରିଷଦ ସଭ୍ୟ ଶଶୀଭୂଷଣ ମହାନ୍ତି ଓ ମଞ୍ଜୁଶ୍ରୀ ଦଳାଇ, ବିଡ଼ିଓ କୁମାର ନାଗଭୁଷଣ, ବ୍ରହ୍ମପୁର ଜିଲ୍ଲା ଶ୍ରମ ଅଧିକାରୀ ବାବୁଲାଲ ପାତ୍ର, ସରକାରୀ ଶ୍ରମ କମିଶନର ଦୀପ୍ତି ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ୨୮୪୩ ଜଣ ଶ୍ରମିକଙ୍କୁ ନୂତନ ସାଇକେଲ ବାଣ୍ଟିବା ସହ ୫ ଜଣ ନିର୍ମାଣ ଶ୍ରମିକକୁ ଗୃହ ନିର୍ମାଣ ନିମନ୍ତେ ୬୫ ଲକ୍ଷ ତାଙ୍କର ଆର୍ଥିକ ସହାୟତା ଚେକ, ୪ ଜଣଙ୍କୁ ୪ ଲକ୍ଷ ୨୦ ହଜାର ଟଙ୍କାର ମୃତ୍ୟୁକାଳୀନ ସହାୟତା ରାଶି, ୯୫ ଜଣ ଛାତ୍ରଛାତ୍ରୀଙ୍କୁ ୫ଲକ୍ଷ ୬୫ ହଜାର ଟଙ୍କାର ପାଠ ପଢିବା ନିମନ୍ତେ ଆର୍ଥିକ ସହାୟତା ରାଶି ବଣ୍ଟନ, ୮ଟି ପରିବାରର କନ୍ୟା ସନ୍ତାନର ବାହାଘର ନିମନ୍ତେ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ବଣ୍ଟନ କରିଥିଲେ । ପୂର୍ବତନ ଡେପୁଟି ମେୟର ଜ୍ୟୋତ୍ସା ନାୟକ, ଭଗବାନ ଗନ୍ତାୟତ, ଉମା ନାୟକ, ଦମୟନ୍ତୀ ରେଡ୍ଡୀ, ରାଜେଶ୍ୱରୀ ଦୋରା, ଦଣ୍ଡ ପାଣିଗ୍ରାହୀ, ଶ୍ରୀନୁ ରେଡ୍ଡୀ, ହିମାଂଶୁ ରେଡ୍ଡୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






