

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଯାଇଛି । ମାତ୍ର କେତୋଟି ସ୍ଥାନରେ ଇଭିଏମ ଓ ଭିଭିପାଟ ମେସିନ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିଲା ଏବଂ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା । କେତୋଟି ଜାଗାରେ ହୁଇଲ ଚେର ନଥିବା ନଜରକୁ ଆସିଥିଲା । ଛାମୁଣ୍ଡିଆ ନଥିବା ଯୋଗୁଁ ଖରାରେ ଭୋଟ ଦେବା ପାଇଁ ଅପେକ୍ଷା କରିବା ଦେଖିବାକୁ ମିଳିଥିଲା । ଛତ୍ରପୁର ବ୍ଲକ ସୁନ୍ଦରପୁର ପଞ୍ଚାୟତ ଶିଖରପଲ୍ଲୀ ବୁଥ ନଂ ୨୨ରେ ୭ଟାରୁ ୯.୩୦ ପର୍ଯ୍ୟନ୍ତ ଭିଭିପାଟ ମେସିନ ଖରାପ ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିଲା । ସେହିପରି ଧୁଆନପଲ୍ଲୀ ବୁଥ ନଂ ୨୬ରେ ମଧ୍ୟ ଭିଭିପାଟ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଆର୍ଯ୍ୟପାଲ୍ଲୀ ପଞ୍ଚାୟତ ବୁଥ ନଂ ୧୦୩ ଓ ମାଧପୁର ବୁଥ ନଂ ୫୬ ଓ ୫୪ରେ ମଧ୍ୟ ଭିଭିପାଟରେ ତ୍ରୁଟି ଦେଖାଯାଇଥିଲା । ସେହିପରି ଵିପୁଲିଂଗି ପଞ୍ଚାୟତ କରତାଳି ବୁଥରେ କିଛି ସମୟ ପାଇଁ ଲୋକଙ୍କ ମଧ୍ୟରେ ବଚାସ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଂଚି ଏହାକୁ ସମାଧାନ କରିଥିଲା . ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୫ ହଜାର ୪୨ ଭୋଟର ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ୧ଲକ୍ଷ ୩୯ ହଜାର ୧୩୧ ଭୋଟର ମତଦାନ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଇଭିଏମ ଓ ଭିଭିପାଟ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ମତଦାନ ଜାରି ରହିଥିଲା । ମତଦାନ ପରେ ସମସ୍ତ ମେସିନ କଡା ସୁରକ୍ଷା ବଳୟରେ ଅନସ୍ଲୋ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା















