ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ଗାଁର ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଓ ଜଗନ୍ନାଥ ସଂସ୍କୃତିର ପୃଷ୍ଠପୋଷକ ତଥା ବିଶିଷ୍ଟ କଳାକାର, ହାସ୍ୟରସର, ଯାଦୁକର, ସଂଗୀତ ନିର୍ଦ୍ଦେଶକ, ଓଡିଶୀ ନୃତ୍ୟୁ ଶିଳ୍ପୀ ଓ ତବଲା ବାଦକ ତଥା ଚିତ୍ରକର ଟେରୁ ପଣ୍ଡା (ଧନେଶ୍ୱର ପଣ୍ଡା) ଗତ ଶୁକ୍ରବାର ମଧ୍ୟାହ୍ନରେ ପରଲୋକ ଗମନ କରିଛନ୍ତି । ଅନ୍ନପୂର୍ଣ୍ଣ ଥିଏଟରର ସୁପରିଚିତ କଳାକାର ମିଷ୍ଟ ଭାଷି ସ୍ୱର୍ଗତ ପଣ୍ଡାଙ୍କ ଜନ୍ମସ୍ଥାନ ବାଲେଶ୍ୱର ବାରବାଟି ଗ୍ରାମ ହୋଇଥିଲେ ମଧ୍ୟ ସେ ନାମ୍ପୋ ଠାରେ ବହୁ ବର୍ଷ ଧରି ଘରତୋଳି ବସବାସ କରି ଆସୁଥିଲେ । ଯାତ୍ରା ଓ ଥିଏଟର ଜଗତକୁ ତାଙ୍କର ଅବଦାନ ଅବର୍ଣ୍ଣନୀୟ । ସେ ଜଣେ ଚଳଚିତ୍ର ବଂଶୀବାଦକଭାବେ ପରିଚିତ ଥିଲେ । ଅନ୍ନପୂର୍ଣ୍ଣ ଥିଏଟର ପରେ କଂସା ବାସନ, ହାଟ ବାହୁଡା ଓ ଅମଡା ବାଟରେ ହାସ୍ୟ ଅଭିନୟ ସୃଷ୍ଟି କରି ସେ ଜନମନ କଣିପାରିଥିଲେ । ୮୪ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ ମଧ୍ୟ ପୂର୍ବରୁ ତାଙ୍କର ପତ୍ନୀଙ୍କର ବିୟୋଗ ଓ ବଡ ଝିଅ ଓ ପୁଅଙ୍କର ବିୟୋଗ ଘଟିସାରିଥିଲା । ଝିଅ ସୁଚିସ୍ମିତା ପଣ୍ଡା ବାଲେଶ୍ୱରସ୍ଥିତ ବାଲିଘାଟ ମୋକ୍ଷଠାରେ ମୁଖାଗ୍ନି ଦେଇଥିଲେ । ମୁୃତ୍ୟୁ ବେଳେ ଦୁଇ ଝିଅ, ନାତି ନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ଜଣାଯିବାପରେ ଉତ୍ତର ବାଲେଶ୍ୱରର କଳାକାର ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁରେ ବିଧାୟକ ଅଶ୍ୱିନୀ ପାତ୍ର, ମାନସ ଜେନା, ଜାମିନୀ ଦତ୍ତ, ବାଣିଦାସ ମହାପାତ୍ର, ପ୍ରଣବେଶ ମହାନ୍ତି, ବିଦୁ ଭୂଷଣ ଦାସ, ରାମ ଶଂକର ଜେନା, ମୁନା ଜେନା, ସୁଶିଲ ପରିଡା ପ୍ରମୁଖ ବହୁ ବ୍ୟକ୍ତି ଶୋକ ସନ୍ତପ୍ତ ପରିବାରକୁ ଶାନ୍ତ୍ୱନା ପ୍ରଦାନ କରିଛନ୍ତି ।