ବିଶିଷ୍ଟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ପୁରୀ ସ୍ୱର୍ଗଦ୍ୱାରରେ ହେଲା ଅନ୍ତିମ ସଂସ୍କାର…

ପୁରୀ (ସମୃଦ୍ଧ ଓଡିଶା) ଓଡ଼ିଆ ଦର୍ଶକଙ୍କୁ ବହୁୁ ଉଚ୍ଚମାନର ଚଳଚ୍ଚିତ୍ର ଉପହାର ଦେଇଥିବା ବିଶିଷ୍ଟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାକଙ୍କର ଶନିବାର ଅପରାହ୍ଣରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷ କୃତ୍ୟ ସଂପନ୍ନ ହୋଇଛି । ପଞ୍ଚଭୂତରେ ଲୀନ ହୋଇଛି ତାଙ୍କର ପାର୍ଥିବ ଶରୀର। ଆଜି ଭୁବନେଶ୍ୱରରୁ ଏକ ସୁସଜ୍ଜିତ ଯାନରେ ଅମୀୟ ପଟ୍ଟନାୟକଙ୍କ ମରଶରୀର ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ଦାହ ସଂସ୍କାର ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସ୍ୱର୍ଗତଃ ପଟ୍ଟନାୟକଙ୍କ ପୁଅ ତଥା ଚଳଚ୍ଚିତ୍ର ପ୍ରଯୋଜକ ଅନୁପମ ପଟ୍ଟନାୟକ ମୁଖାଗ୍ନି ଦେଇଥିଲୋ । ଶେଷକୃତ୍ୟ ସମୟରେ ପଟ୍ଟନାୟକ ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ଏଥିସହ ପୁରୀ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ଚଳଚ୍ଚିତ୍ର ଶିଳ୍ପର ସଦସ୍ୟ ଏବଂ କଳାକାର ଏବଂ  ସ୍ୱର୍ଗତ ଅମୀୟ ପଟ୍ଟନାୟକଙ୍କ ବଡ଼ ଭାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଶ୍ବରଂଜନ ପଟ୍ଟନାୟକ,ଦୀପ୍ତିରଂଜନ ପଟ୍ଟନାୟକ ଓ ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ପ୍ରମୁଖ  ସ୍ୱର୍ଗଦ୍ୱାରରେ  ଉପସ୍ଥିତ  ଥିଲେ । ଗତକାଲି ନୂଆଦିଲ୍ଲୀର ମେଦନ୍ତ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ପ୍ରଯୋଜକ-ନିର୍ଦ୍ଦେଶକ ଅମିୟ ପଟ୍ଟନାୟକଙ୍କର ପରଲୋକ ଘଟିଥିଲା । ଗତକାଲି ତାଙ୍କର ମରଶରୀରକୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଥିଲା । ତାଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ଅମୀୟ ପଟ୍ଟନାୟକ ଅଶୀ ଦଶକରେ ସିନେଶିଳ୍ପରେ ପାଦ ଦେଇ ପ୍ରଥମ ପ୍ରୟାସରେ ଲୋକପ୍ରିୟତା ହାସଲ କରିଥିଲେ । ସେ ୧୯୮୫ ମସିହାରେ ପ୍ରଥମେ ନିର୍ମାଣ କରିଥିଲେ ‘ହାକିମ ବାବୁ’। ଏହାର ନିର୍ଦ୍ଦେଶନା ଦେଇଥିଲେ ଜଣାଶୁଣା ନିର୍ଦ୍ଦେଶକ ପ୍ରଣବ ଦାସ । ଏହାକୁ ରାଜ୍ୟ ଏବଂ ରାଷ୍ଟ୍ରୀୟ ପୁରସ୍କାର ବି ମିଳିଥିଲା । ଏହାପରେ ସେ ପ୍ରଯୋଜନା ସହ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇ ‘ମମତା ମାଗେ ମୂଲ’ସିନେମା ନିର୍ମାଣ କରିଥିଲେ । ୧୯୮୫ରେ ରିଲିଜ୍‌ ହୋଇଥିବା ଏହି ସିନେମା ସୁପରହିଟ୍‌ ହୋଇଥିଲା । ତା’ପରେ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶନାରେ ଅମୀୟ ପଟ୍ଟନାୟକ ‘ପୁଅ ମୋର କଳାଠାକୁର’, ‘ଚକା ଆଖି ସବୁ ଦେଖୁଛି’ ଏବଂ ‘ଆସୁଚି ମୋ କାଳିଆ ସୁନା’ ଭଳି ସିନେମାର ପ୍ରଯୋଜନା କରିଥିଲେ । ଏହା ପରେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ‘ଚକାଡୋଳା କରୁଚି ଲୀଳା’ ଏବଂ ‘ପରଦେଶୀ ବାବୁ’ ସିନେମା ନିର୍ମାଣ କରିଥିଲେ ।