ଭୁବନେଶ୍ବର(ସମୃଦ୍ଧଓଡିଶା) ଭାରତୀୟମାନେ ଅନ୍ୟ ଦେଶରେ ବାସ କରି ସେଠାରେ ଶୀର୍ଷ ନେତୃତ୍ବ ନେବା ସହ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଅଂଶଗ୍ରହଣ କରୁଛନ୍ତି l ଭୌଗୋଳିକ ସୀମାରେଖା ସେମାନଙ୍କ ପାଇଁ ପ୍ରତିବନ୍ଧକ ହୋଇନାହିଁ l ଆଜିର ଡିଜିଟାଲ ଯୁଗରେ ଦେଶ ଦେଶ ମଧ୍ୟରେ ଥିବା ବ୍ୟବଧାନ ବା ଦୂରତ୍ଵ କମିଯାଇଛି ଏବଂ ଦୂରଦୂରାନ୍ତରୁ ମଧ୍ୟ ନିଜ ମାତୃଭୂମି ସହ ଯୋଡି ହେବା ସହଜ ହୋଇପାରିଛି । ପ୍ରବାସୀ ଭାରତୀୟ ୱାଇ.ବି. ପ୍ରଭାକରନ (ମାଲେସିଆ),ଈଶାନୀ ଶାଣ୍ଡିଲ୍ୟ(ହଂକଂ), ଡନ୍ ମ୍ୟାକଲେନ ଗିଲ (ଫିଲିଫାଇନସ୍), ମୌଇଉଦିନ ମହମ୍ମଦ ଅଲ୍ଲି(ମସ୍କଟ), ମିସ ରେବତୀ ପିଲାଇ(ଦକ୍ଷିଣ ଆଫ୍ରିକା) ଏବଂ ମିସ ମିକେଲା ପାଣ୍ଡେ(ତ୍ରିନିଦାଦ ଓ ଟୋବାଗୋ) ପ୍ରମୁଖ ପ୍ରବାସୀ ଭାରତୀୟ ନେତୃତ୍ବର ଉଲ୍ଲେଖନୀୟ ଦୃଷ୍ଟାନ୍ତ ବୋଲି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ଏଲ. ମାଣ୍ଡଭିୟ ପ୍ରକାଶ କରିଛନ୍ତି । ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ଆୟୋଜିତ ଏକ ଅଧିବେଶନରେ “ବିଶ୍ବ ପ୍ରେକ୍ଷାପଟ୍ଟରେ ଯୁବ ପ୍ରବାସୀ ଭାରତୀୟଙ୍କ ନେତୃତ୍ବ” ପ୍ରସଙ୍ଗରେ ବକ୍ତବ୍ୟ ରଖି ମନ୍ତ୍ରୀ ମାଣ୍ଡଭିୟ ଯୁବ ପ୍ରବାସୀମାନେ ଆମର ଶକ୍ତି ଓ ପ୍ରେରଣାର ମୂଳ ଉତ୍ସ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଭାରତରେ ଆଇଟି, ଷ୍ଟାର୍ଟ ଅପ , ଅଗ୍ରି ବିଜିନେସ୍ ଓ ଶିକ୍ଷା କ୍ଷେତ୍ରରେ ଯୁବଗୋଷ୍ଠୀଙ୍କର ବଳିଷ୍ଠ ଅବଦାନ ରହିଛି ଏବଂ ଭାରତୀୟ ଅର୍ଥନୀତିରେ ଆଠ ପ୍ରତିଶତ ଅଭିବୃଦ୍ଧି ଆଣିବାରେ ଯୁବଗୋଷ୍ଠୀ ସଫଳ ହୋଇଥିବା ବେଳେ ବିକଶିତ ଭାରତ ନିର୍ମାଣରେ ଯୁବ ନେତୃତ୍ବର ପ୍ରମୁଖ ଭୂମିକା ରହିଛି । ତ୍ରିନିଦାଦ ଓ ଟବାଗୋର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ବାସଦେଓ ପାଣ୍ଡେଙ୍କ ସୁପୁତ୍ରୀ ମିକେଲା ପାଣ୍ଡେ ନିଜ ଅନୁଭୂତି ବର୍ଣ୍ଣନା କରି କହିଲେ ଯେ ଭାରତ ଏବଂ ତ୍ରିନିଦାଦ ଓ ଟୋବାଗୋ ମଧ୍ୟରେ କୌଣସି ପ୍ରଭେଦ ଜଣା ଯାଏ ନାହିଁ । ଆଗାମୀ ଦିନରେ ଭାରତ ସହ ସମ୍ପୃକ୍ତ ରହି ତ୍ରିନିଦାଦ ଓ ଟୋବାଗୋରେ ବିକାଶମୂଳକ କାର୍ଯ୍ୟ କରିବାକୁ ସେ ଇଚ୍ଛୁକ ବୋଲି ସେ ପ୍ରକାଶ କରିଥିଲେ । ଦକ୍ଷିଣ ଆଫ୍ରିକାରେ ରହୁଥିବା ତାମିଲନାଡୁ କାଞ୍ଚିପୁରମର ରେବତୀ ପିଲାଇ ସେଠାରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବାକୁ ଇଚ୍ଛୁକ । ସେହି କେନ୍ଦ୍ରରେ ରୋବୋଟିକସ୍, କୃତ୍ରିମ ବୁଦ୍ଧିମତ୍ତା ଇତ୍ୟାଦିର ସୁବିଧା ଉପଲବ୍ଧ ହେବ । ଏଥିସହ ସେ ଏକ ଅନଲାଇନ ରେଡିଓ ଚ୍ୟାନେଲ ମଧ୍ୟ ଖୋଲିବାକୁ ଆଗ୍ରହୀ । ଏହା ମାଧ୍ୟମରେ ଉଭୟ ଦେଶର ନାଗରିକମାନଙ୍କ ମଧ୍ୟରେ ଭାବ-ବିନିମୟ ସୁଦୃଢ ହେବ ବୋଲି ଆଶା କରି ସେଥିପାଇଁ ସେ ଭାରତର ସହଯୋଗ କାମନା କରିଥିଲେ । ଭାରତର କଳା, ସଂସ୍କୃତି ଓ ପରମ୍ପରାକୁ ଲୋକପ୍ରିୟ କରାଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରକାଶ କରିଥିଲେ ହଂକଂର ପ୍ରବାସୀ ଭାରତୀୟ ଈଶାନୀ ଶାଣ୍ଡିଲ୍ୟ । ଅନ୍ୟପକ୍ଷରେ ଫିଲିଫାଇନସରୁ ଆସିଥିବା ଡନ୍ ମ୍ୟାକଲେନ ଗିଲ ତାଙ୍କ ବକ୍ତବ୍ୟରେ ଇ-ଭିସା ଓ ଭିସା-ଅନ-ଆରାଇଭାଲ ପ୍ରଦାନ ପାଇଁ ଭାରତ ସରକାରଙ୍କୁ ଅନୁରୋଧ ଜଣାଇଥିଲେ । ଫଳରେ ଭାରତ ଓ ଫିଲିଫାଇନସ୍ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇପାରିବ ବୋଲି ସେ ମତ ଦେଇଥିଲେ ।
ରିପୋର୍ଟ : ସୁଶ୍ରୀ ସଙ୍ଗୀତା ମହାରଣା