

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଖେଇ ଆସିଲାଣି । ବ୍ରହ୍ମପୁରର ଆରଧ୍ୟା ଦେବୀ ମାଆ ବୁଢ଼ୀ ଠାକୁରାଣୀ ଶାଶୁ ଘର ଛାଡ଼ି ନିଜ ମା ଘରକୁ ଆସିବେ । ସାହି ସାହି ବୁଲି ଭକ୍ତଙ୍କୁ ଦେବେ ଦର୍ଶନ । ପୁଣି ଚଳଚଞ୍ଚଳ ହୋଇ ଉଠିବ ରେଶମ ନଗରୀ । ଆଧ୍ୟାତ୍ମିକ ଓ ଉତ୍ସଵ ମୁଖରର ଏକ ପ୍ରକାର ପରିବେଶ ଦେଖିବାକୁ ପୁଣି ମିଳିବ । ବନ୍ଧୁ ବାନ୍ଧବଙ୍କ ପୁଣି ସମସ୍ତ ଘରକୁ ସମାଗମର ସୁଅ ଛୁଟିବ । ପିଠା ପଣା ସାଙ୍ଗକୁ ପୁଣି ବିଭିନ୍ନ କିସମର ବ୍ୟଞ୍ଜନରେ ମହକିବ ସହରର ପ୍ରତ୍ୟେକଟି ଗଳିକନ୍ଦି । ତେଣୁ ଏବେଠୁ ହେଲାଣି ସାଜସଜ୍ଜା । ଦୀର୍ଘ ଦୁଇ ବର୍ଷକୁ ଥରେ ହେଉଥିବା ଏହି ବିଶ୍ୱ ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଗତକାଲି ଶୁଭଖୁଣ୍ଟି ସ୍ଥାପନ କରଯାଇଛି । ରୀତିନୀତି ଅନୁଯାୟୀ ଯାତ୍ରାର ଆୟୋଜକ ତଥା ମା ସଆନ୍ତାଣୀଙ୍କ ପିତା ଶ୍ରୀ ପାତାଲୁ ଦୁର୍ଗା ପ୍ରସାଦ ଦେଶୀ ବେହେରାଙ୍କ ତତ୍ୱବାଧାନରେ ଏକ ସଭା କରାଯିବା ସହ ଯାତ୍ରା ତାରିଖ ଘୋଷଣା କରାଯାଇଥିଲା । ପରେ ଦେଶୀ ବେହେରାଙ୍କ ନିର୍ଦ୍ଧେଶ କ୍ରମେ ପୃଷ୍ଟି ବଂଶର ଦାୟାଦ ଶ୍ରୀ ନୀଳମଣି ପୃଷ୍ଟି ଶୁଭଖୁଣ୍ଟି ନେଇ ମାଆଙ୍କ ମନ୍ଦିରକୁ ପଟୁଆର ସହ ଯାଇ ରୀତିନୀତି ଅନୁଯାୟୀ ପୂଜାର୍ଚନା କରିଲା ପରେ ମାଆଙ୍କ ଆଜ୍ଞା ହୋଇ ପୁଣି ଶଭୁଖୁଣ୍ଟିକୁ ଆଣି ଦେଶୀ ବେହେରାଙ୍କ ଗୃହ ସମ୍ମୁଖ ତଥା ମାଆଙ୍କ ଅସ୍ଥାୟୀ ପୀଠ ଦେଶି ବେହେରା ସାହିରେ ସ୍ଥାପନ କରାଯାଇଛି । ଚୈତ୍ର ମାସରେ ଏହି ଯାତ୍ରା ଆରମ୍ଭ ହେଉଥିବାବେଳେ ଚଳିତବର୍ଷ ମଧ୍ୟ ଏହି ଯାତ୍ରା ବେଶ ଧୁମଧାମରେ ହେବାର ଦେଖିବାକୁ ମିଳିବ । କାରଣ ଗୋଟିଏ ପଟେ ଗଞ୍ଜାମର ବିଶ୍ୱ ପ୍ରସିଦ୍ଧ ଦଣ୍ଡ ନାଚ ହେବାକୁ ଥିବାବେଳେ ଆଉ ଗୋଟିଏ ପଟେ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ହୋଇ ସହରରେ ଏକ ପ୍ରକାର ଆଧ୍ୟାତ୍ମିକର ମାହୋଲ ସୃଷ୍ଟି ହେବ । ତେବେ ଏହି ଯାତ୍ରା ଚଳିତ ମାର୍ଚ୍ଚ ୨୯.୦୩.୨୦୧୯ରୁ ଆରମ୍ଭ ହୋଇ ଏପ୍ରିଲ ୨୯.୦୪.୨୦୧୯ ପର୍ଯ୍ୟନ୍ତ ହେବ ବୋଲି ଦେଶି ବେହେରାଙ୍କ ସମେତ ତାଙ୍କ ପୁରୋହିତ V. ବାସୁଦେବ (ସିଦ୍ଧାନ୍ତି) ଶାସ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଏକ ୩୨ ଦିନ ଧରି ଏହି ଯାତ୍ରା ଚାଲିବା ସହ ଦଣ୍ଡ ନାଚ ମଧ୍ୟ ଏହି ସମୟରେ ହେବକୁ ଥିବାବେଳେ ଏକ ପ୍ରକାର ଭକ୍ତିମୟ ପରିବେଶ ଦେଖିବାକୁ ମିଳିବ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



