ଛତ୍ରପୁର (ସମୃଦ୍ଧ ଓଡିଶା) ଚାଷୀର ଜୀବିକାକୁ ଆଦର୍ଶ କୃଷି ଉଦ୍ୟୋଗୀରେ ପରିଗଣିତ କରିବା ଲକ୍ଷ୍ୟ ନେଇ ଗ୍ରାମାଞ୍ଚଳରେ କୃଷିର ରୂପାନ୍ତରିତ (ତାରା Transformation of agriculture in Rural Area) କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରେରଣାରେ କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, ବ୍ୟାଙ୍କ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବିଭାଗର ବୈଷୟିକ ଓ ସରକାରୀ କାର୍ଯ୍ୟକ୍ରମର ସମନ୍ଵୟରେ ଜିଲ୍ଲା ପରିଷଦ ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ କହିଥିଲେ ଯେ, ଗଞ୍ଜାମ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା । ଏଠାକାର ଚାଷୀ ଖୁବ ପରିଶ୍ରମୀ କୃଷି ଓ କୃଷି ଆନୁସଙ୍ଗିକ ବିଭାଗର ଉନ୍ନତି ହେଲେ ଓଡ଼ିଶାର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ । ଅତୀତରେ ଖାଦ୍ୟ ପାଇଁ ଆମ ରାଜ୍ୟ ଅନ୍ୟରାଜ୍ୟ ମାନଙ୍କ ଉପରେ ନିର୍ଭର କରୁଥିଲା । କିନ୍ତୁ ବର୍ତ୍ତମାନ ଆମ ରାଜ୍ୟ ଖାଦ୍ୟ ବଳକା ରାଜ୍ୟ ଭାବେ ପରିଗଣିତ । ଏଥିପାଇଁ ଆମ ରାଜ୍ୟ ସରକାର ପୁରସ୍କୃତ ହୋଇଛନ୍ତି । ଆଜି ଭଳି ଏହି ପବିତ୍ର ଦିବସରେ କୃଷି ତଥା କୃଷକର ଉନ୍ନତି ପାଇଁ ତାରା କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରାଯାଇଛି । ଆଗାମୀ ଦିନରେ ସମସ୍ତ ବିଭାଗର ସମନ୍ୱୟ ରକ୍ଷା କରି ଏହାକୁ କୋଣ ଅନୁକୋଣରେ ପହଞ୍ଚା ଯାଇପାରିବ । ଅନ୍ୟତମ ଅତିଥି ଭାବେ ଛତ୍ରପୁରର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ କହିଥିଲେ ଯେ, ମୃତ୍ତିକା କ୍ଷୟକୁ ରୋକି ମୃତ୍ତିକାର ସନ୍ତୁଳନ ରକ୍ଷା କରିବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଥିଲେ । ପାରମ୍ପରିକ ଚାଷରୁ ଚାଷୀ କିପରି ଉଦ୍ୟୋଗୀ ହୋଇପାରିବ ସେଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇଛନ୍ତି ବୋଲି କହିଥିଲେ । କୃଷକ ସଶକ୍ତିକରଣ ଯୋଜନାରେ କୃଷିର ଉନ୍ନତି ହେଲେ ଦେଶର ଆର୍ଥିକ ମାନଦଣ୍ଡ ଉନ୍ନତ ହୋଇପାରିବ । ଗ୍ରାମାଞ୍ଚଳରେ କୃଷିର ରୂପାନ୍ତରିତ କାର୍ଯ୍ୟକ୍ରମ ଉପସ୍ଥାପନ ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଥିଲେ ଯେ, ଚାଷୀର ଆୟକୁ ତିନି ବର୍ଷରେ କିପରି ଦ୍ଵିଗୁଣିତରୁ ଅଧିକ କରାଯାଇପାରିବ ତାହା ହେଉଛି ଏହି କାର୍ଯ୍ୟକ୍ରମରେ ମୂଳଲକ୍ଷ୍ୟ । ଜୀବିକା ନିର୍ବାହୀ କୃଷିକୁ ବ୍ୟବସାୟିକ କୃଷିରେ ପରିଣତ କରିବା, ସମନ୍ୱିତ କୃଷି ଓ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର କରିବା, ଜମି ଓ ଜଳର ସୁବିନିଯୋଗ ନିମନ୍ତେ ଜୈବିକ କୃଷି ଓ ଆଧୁନିକ ଜଳସେଚନ ଉପକରଣର ବ୍ୟବହାର, ଚାଷୀକୁ କୃଷି ଉଦ୍ୟୋଗୀ କରିବା ଓ ଉତ୍ପାଦନକୁ ବଜାର ସଂଯୋଗୀକରଣ କରିବା, ଚାଷୀଙ୍କୁ ଗୋଟିଏ ସ୍ଥାନରୁ ଆବଶ୍ୟକ ସମସ୍ତ ସାମଗ୍ରୀ ଉପଲବ୍ଧ କରାଇବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ । ଜିଲ୍ଲାର ୫୦୩ ଗ୍ରାମ ପଞ୍ଚାୟତରୁ ଦଶ ଜଣ ଲେଖାଏଁ ମୋଟ ୫୦୩୦ ଜଣ ଚାଷୀକୁ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାର ରମା ସେଠି, ହରି ପଲେଇ, ହରିବନ୍ଧୁ ପ୍ରଧାନ, ସରସ୍ୱତୀ ପ୍ରଧାନ ଆଦିଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠି, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାଶୀନାଥ ଖୁଣ୍ଟିଆ, ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଦିଗାମ୍ବର ପଣ୍ଡା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା