
ଜଗତସିଂହପୁର : ଜଗତ୍ସିଂହପୁରରେ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଓ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁଚରଣ ଦାସଙ୍କ ମଧ୍ୟରେ ବିବାଦ ନୂଆ ନୁହେଁ। ତେବେ, ନିକଟରେ ମହିଳା ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା, ସେଥିରେ ଶ୍ରୀ ଦାସଙ୍କର ଜିତାପଟ ହୋଇଛି। ରାଜଶ୍ରୀ ଜିଲ୍ଲା ମହିଳା ସଭାପତି ହୋଇଥିଲେ ମଧ୍ୟ ତାଙ୍କ ଜିଦ୍ରେ ମହିଳା ସଂଗଠନ କର୍ମକର୍ତ୍ତା ବଦଳିଥିବା ଜଣାପଡ଼ିଛି। ଯାହାକୁ ନେଇ ଜଗତ୍ସିଂହପୁର ଜିଲ୍ଲା ରାଜନୀତି ସରଗରମ ହୋଇଛି।
ପୂର୍ବରୁ ଜିଲ୍ଲା ମହିଳା ସଭାପତି ତଥା ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ପସନ୍ଦ ମୁତାବକ ନାଉଗାଁ, ଜଗତସିଂହପୁର ବ୍ଲକ୍ ଓ ପୌରପାଳିକାର ମହିଳା ସଭାପତିଙ୍କ ନାଁ ଘୋଷଣା ହୋଇଥିଲା। ଏଥିରେ ବିଷ୍ଣୁଙ୍କ ମତକୁ ଅଣଦେଖା କରାଯାଇଥିଲା। ଏହାକୁ ନେଇ ବିଷ୍ଣୁ ଦାସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗତ ୧୨ ତାରିଖରେ ବିଷ୍ଣୁଙ୍କ ନେତୃତ୍ଵରେ ସର୍କିଟ୍ ହାଉସରେ ଏକ ବୈଠକ ବସିଥିଲା। ଏଥିରେ ବିଷ୍ଣୁଙ୍କ ସମର୍ଥକମାନେ ଦଳ ବିରୋଧରେ ଏକ ପ୍ରକାର ବିଦ୍ରୋହ ଘୋଷଣା କରିଥିଲେ। ତୁରନ୍ତ ହାଇକମାଣ୍ଡ ଏ ଦିଗରେ ପଦକ୍ଷେପ ନ ନେଲେ ଜଗତସିଂହପୁର ଜିଲ୍ଲାର ଏକାଧିକ ସରପଞ୍ଚ, ସଭ୍ୟ ଓ ଜିଲ୍ଲା ପରିଷଦ ସମୂହ ଭାବେ ଦଳରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଥିଲେ। ଫଳରେ ରାଜ୍ୟ ମହିଳା ସଭାପତି କର୍ମକର୍ତ୍ତାଙ୍କୁ ତୁରନ୍ତ ପରିବର୍ତ୍ତନ କରିବାକୁ ଏକପ୍ରକାର ବାଧ୍ୟ ହେଲେ ବୋଲି କୁହାଯାଉଛି।