ବୁଗୁଡ଼ାରେ ଓକିଲଙ୍କୁ ପୋଲିସର ମାଡ଼ ମାରିବା ଘଟଣାକୁ ନେଇ ଗଞ୍ଜାମଜିଲ୍ଲାରେ ହଇଚଇ …

ଛତ୍ରପୁର(ସମୃଦ୍ଧ ଓଡିଶା)ବୁଗୁଡାରେ ଜଣେ ଆଇନଜୀବିଙ୍କୁ ମାଡ ମାରିଲା ପୋଲିସ । ଏକ ବିବାଦୀୟ ରାସ୍ତାକୁ ନେଇ ବୁଗୁଡା ଥାନାରେ ଆଲୋଚନା ଚାଲିଥିଲା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା  । ଏହି ସମୟରେ ଥାନା ଅଧିକାରୀ କୌଣସି କାରଣରୁ ଉତକ୍ଷିପ୍ତ ହୋଇ ଆଇନଜୀବି ହରପ୍ରସାଦ ଦାସଙ୍କୁ ମାଡ଼ ମାରିଥିଲେ। ଏପରି ମାଡ ଦେଲେ ଯେ,ସେ  ଆହତ ହୋଇ  ପୁରା  ମେଡିକାଲରେ ଭର୍ତି । ଏହି ଘଟଣାକୁ ନେଇ ଗଞ୍ଜାମ ଜିଲ୍ଲା ସରଗରମ ହୋଇ ଉଠିଛି। ଗଞ୍ଜାମ ଜିଲ୍ଳା  ଓକିଲ ସଂଘ ସମେତ ଜିଲ୍ଲାର ସମସ୍ତ ଓକିଲ ସଂଘ ଘଟଣାକୁ ନେଇ ଘୋର ଉଦବେଗ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ଉଚ୍ଚ ନ୍ୟାୟାଳୟର  ଆଇନଜୀବି ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ କଟକରେ ମାଡ଼ ମାରିବା ଘଟଣାକୁ ନେଇ ଓକିଲଙ୍କ ଆନ୍ଦୋଳନ ଦୁଇ ମାସ ହେଲା ଚାଲିଥିବା ବେଳେ ପୁଣି ବୁଗୁଡ଼ାରେ ଓକିଲ ହରପ୍ରସାଦ ଦାସଙ୍କୁ ପୋଲିସର ମାଡ଼ ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି  ବୁଦ୍ଧିଜୀବୀ । କାହିଁକି ପୋଲିସର ଏଭଳି ମାତ୍ରାଧିକ ସାହସ ବଢୁଛି ? କିଏ ଏଥିପାଇଁ  ଦାୟୀ ? କାହା ସାହସରେ ଏଭଳି ଘଟୁଛି ? ଏଭଳି ବାରମ୍ବାର ହେଲେ ଏହାର ପରିଣତି କଣ ହେବ ? ଆଦି ଅନେକ ପ୍ରଶ୍ନ ବୁଦ୍ଧିଜୀବୀ ମହଲରେ ଉଙ୍କି ମାରୁଥିବା ବେଳେ ସିଧା ସଳଖ ରାଜ୍ୟ ନେତୃତ୍ୱ ଆଡକୁ ଅପାରଗତାର ଆଙ୍ଗୁଳି ନିର୍ଦେଶ କରୁଛି । ଉଲ୍ଲେଖ ଯୋଗ୍ୟ ଯେ ଘଟଣା ପରେ ବୁଗୁଡ଼ା ଓକିଲ ସଂଘର ବୈଠକ ବସିଥିଲା।ବୈଠକରେ ଆଲୋଚନା ପରେ ପରିବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସଂଘର ସଭାପତି ବନବାସୀ ନାୟକ କହିଥିଲେ।ଅଭିଯୋଗକୁ ନେଇ ପୋଲିସର ପ୍ରତିକ୍ରିୟା ଏଯାଏଁ ମିଳି ପାରି ନାହିଁ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା