
ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡ଼ାରେ ବିରାଟ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଧାନ ମଣ୍ଡି ଖୋଲା ଯାଉନଥିବାରୁ ତହସିଲ ଆଗରେ ଚାଷୀମାନଙ୍କର ବିକ୍ଷୋଭ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବୁଗୁଡ଼ାର ଏହି ବିକ୍ଷୋଭ ସରକାରଙ୍କୁ ବିଶେଷ ପ୍ରଭାବିତ କରିଛି । ନବନିର୍ମାଣ କୃଷକ ସଂଗଠନ ସହ ଆଞ୍ଚଳିକ କୃଷକ ସଂଗଠନ ଗୁଡିକ ହାତ ମେଳାଇ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଡ଼ିଓ ବ୍ଲକ ଅଫିସ ଓ ତହସିଲ ଅଫିସ ଆଗରେ ସରକାରଙ୍କ ବିରୋଧରେ ନାରାବାଜି କରି ବିକ୍ଷୋଭ ଓ ଧାରଣା ଦେଇଥିଲେ । ଧାନ ମଣ୍ଡି ଖୋଲା ଯାଉନଥିବା, ଧାନ ମଣ୍ଡିରେ ଅନିୟମିତତା ଦେଖାଦେଉଥିବା, ଦଲାଲମାନଙ୍କୁ ଗୁରୁତ୍ୱ ଦିଆଯାଉଥିବା ଫଳରେ ଚାଷୀମାନେ ଲୁଣ୍ଠିତ ହେଉଛନ୍ତି ବୋଲି ଅଭିଯୋଗ କରି ଏହି ଚାଷୀ ସମାବେଶ ବିକ୍ଷୋଭ କରିଥିଲେ । ବ୍ଲକ ଅଫିସ ଓ ତହସିଲ ଅଫିସ ଆଗରେ ଚାଷୀମାନେ ଅମଳ ହୋଇଥିବା ଧାନକୁ ଜମା ରଖି ପ୍ରତିବାଦ ସ୍ୱରୂପ ଆନ୍ଦୋଳନ ତୀବ୍ର କରିବାକୁ ସରକାରଙ୍କୁ ଚେତାବନୀ ଦେଇଥିଲେ । ଫଳରେ ସ୍ଥାନୀୟ ବିଡିଓ ବିକ୍ଷୋଭ ସ୍ଥଳରେ ପହଁଞ୍ଚି ଚାଷୀମାନଙ୍କର ଦାବି ପତ୍ର ଗ୍ରହଣ କରିବା ସହ ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


