ଜଳେଶ୍ୱର (ସମୃଦ୍ଧ ଓଡିଶା) ସମ୍ପ୍ରତି ବାତ୍ୟା ବୁଲବୁଲ ଫଳରେ ଉପକୂଳ ଏବଂ ବିଶେଷ କରି ଉତ୍ତର ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାଷୀର ଧାନକ୍ଷେତ ସମ୍ପୂର୍ଣ୍ଣଭାବେ ନଷ୍ଟ ହୋଇଯାଇଛି କହିଲେ ଚଳେ । ନିଜର ଲହୁ ଲୁହ ନିଗାଡି ଚାଷୀ ଯେଉଁ ଧାନ, ପରିବା ଫଳାଇଥିଲା ତାହା ଉଜୁଡି ଯାଇଛି । ତୁରନ୍ତ ଚାଷୀମାନଙ୍କୁ କ୍ଷତି ପୂରଣ ନ ଦେଲେ ସେମାନେ ଚରମ ଦୁର୍ଦ୍ଦିନର ଶୀକାର ହେବେ । ତେଣୁ ସରକାର ଓ ଜିଲାପ୍ରସାସନ ଏହାର ତ୍ୱରିତ୍ ପ୍ରତିକାର କରିବା ପାଇଁ କଂଗ୍ରେସ ଦଳପକ୍ଷରୁ କଂଗ୍ରେସ ନେତାତଥା ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଦାବୀ କରିଛନ୍ତି । ଏକ ପ୍ରେସ ବିବୃତିରେ ଶ୍ରୀ ଦାସ କହିଛନ୍ତି ଯେ ଜଳେଶ୍ୱର, ବସ୍ତା, ରାଇବଣିଆ ଇତ୍ୟାଦି ଅଂଚଳରେ ଏହି ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଚାଷର କ୍ଷୟକ୍ଷତିକୁ ଆକଳନ କରନ୍ତୁ । ଅନେକ ସ୍ଥାନରେ ଆରଆଇ ନାହାନ୍ତି । ତା ଛଡା ଆରଆଇ ମାନଙ୍କ ଦ୍ୱାରା ଚାଷର ତ୍ୱରିତ୍ କ୍ଷୟକ୍ଷତି ଆକଳନ କରିବା ସମ୍ଭବ ନୁହେଁ । ତେଣୁ ଜିଲ୍ଲା ପ୍ରଶାସନ ଅନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ତୁରନ୍ତ ନିୟୋଜିତ କରି ଏହାର ଆକଳନ କରିବା ସଂଗେ ସଂଗେ ଚାଷୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କ୍ଷତି ପୂରଣ ଦିଅନ୍ତୁ । ଧାନ ବିଲ ବର୍ତ୍ତମାନ ଓଦା ରହିଥିବାରୁ ଚାଷୀ ଯେଉଁ ଧାନ ଅମଳ କରିବ ତାକୁ ବେଶୀଦିନ ସାଇତି ରଖି ପାରିବ ନାହିଁ । ତେଣୁ ତୁରନ୍ତ ଧାନମଣ୍ଡି ଖୋଲି ଚାଷୀ ଯେଉଁ ଅମଳ କରିଛି ତାହାକୁ କିଣିବା ପାଇଁ ଶ୍ରୀ ଦାସ ଦାବି କରିଛନ୍ତି । ସେହିପରି ପରିବା ଚାଷୀମାନଙ୍କର କ୍ଷୟକ୍ଷତିକୁ ଆକଳନ କରି ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି । ଏ ଦିଗରେ ସନ୍ତୋଷ ଜନକ ପଦକ୍ଷେପ ନିଆନଗଲେ କଂଗ୍ରେସ ଚାଷୀମାନଙ୍କୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡ଼ା