ପୃଥିବୀ ପୃଷ୍ଠରେ ଜୀବନ ଯେପରି ସନ୍ତୁଳିତ ରହିବ, ସମ୍ପନ୍ନ ରହିବ, ସେଥିପାଇଁ ପ୍ରକୃତି ଜୀବକୋଷର ପ୍ରାଦୁର୍ଭାବ ସହିତ ଉଦ୍ଭିଦ କୋଷର ବି ରଚନା କରିଛି । ପ୍ରକୃତିକୁ ଭଲ ଭାବରେ ଜଣାଥିଲା ଯେ ନିଜର ଅସ୍ତିତ୍ବ ସକାଶେ ଉଭୟ ପରସ୍ପର ଉପରେ ଆଶ୍ରିତ ରହିବେ ଏହି ସହଜୀବନ ଯେତେ ସହଜ ହେବ, ଦୁନିଆରେ ସେତେ ସମ୍ପନ୍ନତା, ସବୁଜିମା ରହିବ । କେତେ ହଜାର ବର୍ଷ ପର୍ଯ୍ୟନ୍ତ ଉଭିଦ ଜଗତ ଓ ଜୀବ ଜଗତ ମଧ୍ୟରେ ଏହି ସନ୍ତୁଳନ ବଜାୟ ରହିଲା, କିନ୍ତୁ ଧୀରେ ଧୀରେ ଯେବେ ଜନବସତିର ବିସ୍ତାର ହେଲା ଓ ମନୁଷ୍ୟର ଅସ୍ତିତ୍ଵ ନିମନ୍ତେ ପ୍ରାକୃତିକ ସମ୍ବଳ କମ୍ ପଡିଲା, ତ ଏଥିପାଇଁ ବୃକ୍ଷଲତା କଟାଯିବାରେ ଲାଗିଲା । ବୃକ୍ଷଲତା କାଟିବା ଦ୍ଵାରା ପୃଥିବୀର ପ୍ରାକୃତିକ ସନ୍ତୁଳନ ସବୁଠାରୁ ଅଧିକ ପ୍ରଭାବିତ ହେଲା, ଏହି କାରଣରୁ ପୃଥିବୀର ଜଳବାୟୁ ପ୍ରଭାବିତ ହେଲା, ପ୍ରଦୂଷିତ ହେଲା । ଅସନ୍ତୁଳିତ ହେଲା ଏବଂ ଏହାର ଭୟଙ୍କର ପ୍ରଭାବ ଆଜି ଋତୁଗୁଡିକ ଉପରେ ଓ ଜଳବାୟୁ ଉପରେ ପଡ଼ୁଥିବାର ଦେଖାଯାଉଛି, ଯାହା ଫଳରେ କେଉଁଠି ଅତିବୃଷ୍ଟି, କେଉଁଠି ଅନାବୃଷ୍ଟି, କେଉଁଠି କରକାପାତ, କେଉଁଠି ଅତ୍ୟଧିକ ଥଣ୍ଡା, ତ କେଉଁଠି ଅତ୍ୟଧିକ ଗରମ, କେଉଁଠି ଭୂମିକମ୍ପ, ତ କେଉଁଠି ସାମୁଦ୍ରିକ ଝଡ, ଆଉ କେଉଁଠି ଭୟଙ୍କର ଝଡ ତୋଫାନ ନିଜର କରାଳ ରୂପ ଦେଖାଉଛି । ପୃଥିବୀର ଏହି ଜଳବାୟୁ ଅସନ୍ତୁଳନକୁ ସନ୍ତୁଳନ କରିବାର କାର୍ଯ୍ୟ ଏକମାତ୍ର ବୃକ୍ଷଲତା ହିଁ କରିପାରନ୍ତି । ଏମାନେ ଆମର ବାତାବରଣକୁ କେବଳ ଶୁଦ୍ଧ କରନ୍ତି ନାହିଁ, ବରଂ ଜଳବାୟୁରେ ଆବଶ୍ୟକ ସନ୍ତୁଳନ ମଧ୍ୟ ରକ୍ଷା କରନ୍ତି । ଏହି ସବୁ ବକ୍ଷଲତା ନିଜ ମୂଳରୁ ଆରମ୍ଭ କରି ପତ୍ରଗୁଡିକ ମାଧ୍ୟମରେ ଆମକୁ ଲାଭାନ୍ବିତ କରନ୍ତି । ତେଣୁକରି ପ୍ରତ୍ୟେକ ସ୍ତରରେ ଆମେ ଏଗୁଡିକୁ ବଞ୍ଚାଇବା, ଲଗାଇବା ଓ ଦେଖାରଖା କରିବାର ଚେଷ୍ଟା ନିରନ୍ତର ଜାରି ରଖୁବା ଉଚିତ । ବୃକ୍ଷଲତାର ଶାଖା ଓ ପତ୍ରଗୁଡିକ ଆମକୁ ତ ଛାୟା ପ୍ରଦାନ କରନ୍ତି, ତା ସହିତ ଏଗୁଡିକ ବାୟୁର ବେଗକୁ ତୀବ୍ର କରିବାରେ ସହାୟକ ହୋଇଥାନ୍ତି । ବୃକ୍ଷଲତାର ପତ୍ର ବାୟୁରେ ଥିବା କ୍ଷତିକାରକ ତତ୍ତ୍ବଗୁଡିକୁ ଛାଣିବାରେ ସକ୍ଷମ ହୋଇଥାଏ ଏବଂ ବାଷ୍ପ ଉତ୍ସର୍ଜନ ପ୍ରକ୍ରିୟା ଦ୍ବାରା ବାତାବରଣକୁ ଆର୍ଦ୍ର ରଖିବାରେ ମଧ୍ୟ ସହାୟକ ହୋଇଥାଏ । ବୃକ୍ଷଲତାଗୁଡିକର ଚେର ମୃତ୍ତିକାର ସ୍ଥିରୀକରଣଦ୍ଵାରା କ୍ଷରଣକୁ ରୋକିଥାଏ । ଏମାନଙ୍କ ପତ୍ର, ଡାଳ ଓ ଶାଖାଗୁଡିକ କୋଳାହଳ ବା ଧ୍ୱନି ପ୍ରଦୂଷଣକୁ ଶୋଷିନିଅନ୍ତି ଏବଂ ତୀବ୍ର ବର୍ଷାର ବେଗକୁ ଧିମା କରି ମୂର୍ତ୍ତିକା କ୍ଷରଣକୁ ରୋକିଥାନ୍ତି । ବୃକ୍ଷଲତାର ମୂଳ, ପତ୍ର ଓ ଡାଳ- ପକ୍ଷୀ, ପଶୁ ଓ କୀଟପତଙ୍ଗମାନଙ୍କ ପାଇଁ ଆବାସର ଏକ ମାଧ୍ୟମ ହୋଇଥାଏ । ବୃକ୍ଷଲତାଙ୍କ ମଧ୍ୟରୁ କେତେକ ବୃକ୍ଷ ବିଶେଷ ହୋଇଥାନ୍ତି, ଏମାନେ ବାତାବରଣକୁ ଅତ୍ୟଧୃକ ଅମ୍ଳଜାନ ଛାଡିଥାନ୍ତି, ଯେପରି ନିମ, ଅଶ୍ୱତ୍ଥ, ବର, ତୁଳସୀ ଆଦି । ଉଦ୍ଭିଦ ବୈଜ୍ଞାନିକମାନେ ମାନିଥାନ୍ତି ଯେ ପ୍ରତ୍ୟେକ ବୃକ୍ଷଲତା ମଧ୍ୟରେ ଏକ ବିଶେଷ ପ୍ରକାର ସୁଗନ୍ଧ ଥାଏ । ଯାହାକୁ ଅରୋମା କହନ୍ତି । ବୃକ୍ଷଲତା ମଧ୍ୟରେ ମହଜୁଦ ଥିବା ତୈଳ ଜାତୀୟ ପଦାର୍ଥ ଯୋଗୁଁ ଏପରି ସୁଗନ୍ଧ ବାହାରି ଥାଏ । ତୁଳସୀ, ଅଶ୍ଵତ୍ଥ ବା ଏପରି ଅନ୍ୟ ବୃକ୍ଷଲତା ଯେତେବେଳେ ବାତାବରଣକୁ ଅମ୍ଳଜାନ ଛାଡନ୍ତି, ସେତେବେଳେ ତା ସହିତ ବାତାବରଣରେ ଏହି ତୈଳୀୟ ପଦାର୍ଥ ବି ବ୍ୟାପିଥାଏ । ସେହି ସମୟରେ ଏପରି ବୃକ୍ଷଗୁଡିକର ଆଖପାଖରେ ରହୁଥିବା ଲୋକେ ଅମ୍ଳଜାନ ସହିତ ଏହି ତୈଳୀୟ ପଦାର୍ଥକୁ ବି ଗ୍ରହଣ କରନ୍ତି । ଏହି ପ୍ରକ୍ରିୟା ଦ୍ବାରା ମନୁଷ୍ୟ ଶରୀର ଓ ତା’ର ସ୍ଵାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପଡିଥାଏ । ଆମ ଦେଶରେ କେତେ ପ୍ରକାର ବୃକ୍ଷରୋପଣ ଅଭିଯାନ ଚାଲିଛି, ଯଦ୍ବାରା ଭାରତଭୂମିର ସବୁଜିମା ଫେରି ଆସି ପାରିବ, କିନ୍ତୁ ଦେଖିବାକୁ ଗଲେ ଏହି ବୃକ୍ଷରୋପଣ ଅଭିଯାନ ଏକ ପ୍ରଥା ଭଳି ନିଜର ଭୂମିକା ନିର୍ବାହ କରୁଛି, କାରଣ ବୃକ୍ଷରୋପଣ ତ ହୋଇଯାଏ, ବୃକ୍ଷ ବି ବହୁତ ସଂଖ୍ୟାରେ ଲାଗିଯାଏ, କିନ୍ତୁ ସେଗୁଡିକର ଉତ୍ତମ ପ୍ରକାର ରକ୍ଷଣାବେକ୍ଷଣ ହୋଇପାରେ ନାହିଁ, ଯାହା ଫଳରେ ଅଧିକାଂଶ ବୃକ୍ଷ ଜୀବିତ ରହିପାରନ୍ତି ନାହିଁ ଏବଂ ଏହି କାରଣରୁ ବକ୍ଷରୋପଣ ଅଭିଯାନ ସଫଳ ହୋଇପାରେ ନାହିଁ । କିନ୍ତୁ ଗାୟତ୍ରୀ ପରିବାର ଦ୍ଵାରା ଆରମ୍ଭ କରାଯାଇଥିବା ବୃକ୍ଷଗଙ୍ଗା ଅଭିଯାନକୁ ଏହି ଦୃଷ୍ଟିରୁ ସଫଳ କୁହାଯାଇପାରେ ।ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାକୁ ଲାଗିଥିବା ଘଞ୍ଚ ଜଙ୍ଗଲ ମଧ୍ୟରେ ଆଦିବାସୀଙ୍କ ବ୍ୟତୀତ ଅନ୍ୟ କେହି ରହନ୍ତି ନାହିଁ । ଏହିପରି ଏକ ଆଦିବାସୀ ବହୁଳ ଗାଁ କୋଚାମାଉରେ ପ୍ରଫେସର ଆଲୋକ ଦୀର୍ଘ ବର୍ଷ ହେଲା ରହୁଛନ୍ତି । ସମସ୍ତ ଆଦିବାସୀ ତାଙ୍କୁ ନିଜର ମୁଖ୍ୟ ମାନନ୍ତି ଏବଂ ସେ ମଧ୍ୟ ଜଙ୍ଗଲ ଓ ବନବାସୀଙ୍କ ସେବା ପାଇଁ ନିଜ ଜୀବନକୁ ସମର୍ପିତ କରିଦେଇଛନ୍ତି । ସେ କଲ୍ଲା ନାମକ ଜଣେ ଆଦିବାସୀର କ୍ଷେତରେ ନିର୍ମିତ କୁଡିଆ ଭିତରେ ଗତ ୩୬ ବର୍ଷ ଧରି ରହିଆସୁଛନ୍ତି । ଆଦିବାସୀଙ୍କ ପରି ଚାଲିଚଳନ, ବଢିଥୁବା ଦାଢି, ପିନ୍ଧିବା ପାଇଁ ମାତ୍ର ଗୋଟିଏ ଗାମୁଛା ଓ ଯାତାୟାତ ପାଇଁ ସାଇକେଲ, ଏହା ହେଉଛି ତାଙ୍କର ମୁଖ୍ୟ ପରିଚୟ । ସେଠାରେ ସେ ଆଦିବାସୀ ପିଲାଙ୍କୁ ଶିକ୍ଷାଦାନ କରନ୍ତି, କିନ୍ତୁ ସେମାନଙ୍କୁ ଆଇନଷ୍ଟାଇନ ହେବା ଓ କୁଡିଆରୁ ବାହାରିଯାଇ ମହଲରେ ରହିବାର ସ୍ଵପ୍ନ ଦେଖାନ୍ତି ନାହିଁ, ବରଂ ଜଣେ ଭଲ ଆଦିବାସୀ ହେବା ପାଇଁ ଏବଂ ଜଙ୍ଗଲ, ଜଙ୍ଗଲର ମହତ୍ତ୍ଵ ଓ ସଂରକ୍ଷଣ ପାଇଁ ଜାଗରୁକ କରାନ୍ତି । ତାଙ୍କ ପାଇଁ ଜଙ୍ଗଲର ଅର୍ଥ କେବଳ ପରିବେଶ ସଂରକ୍ଷଣ ପର୍ଯ୍ୟନ୍ତ ସୀମିତ ନୁହେଁ, ତେଣୁକରି ସେ ଜଙ୍ଗଲକୁ ବନବାସୀଙ୍କ ଜୀବନ କହନ୍ତି । ସେ କହନ୍ତି ଯେ ବନ ବିନା ବନବାସୀ ବଞ୍ଚିବେ ନାହିଁ ଏବଂ ବନବାସୀ ନ ବଞ୍ଚିଲେ ବନ ବି ବଞ୍ଚିବ ନାହିଁ, ସେଥିପାଇଁ ଉଭୟ ରହିବା ଜରୁରୀ । ବର୍ତ୍ତମାନ ସୁଦ୍ଧା ପ୍ରଫେସର ଆଲୋକ ସାଗର ବିଗତ ୧୧ ବର୍ଷ ମଧ୍ୟରେ ପ୍ରାୟ ୫୦ ହଜାର ଫଳଗଛ ଲଗାଇଛନ୍ତି । ସେ ଆଦିବାସୀଙ୍କ ମଧ୍ୟରେ କ୍ଷୁଧାମୃତ୍ୟୁ, କୁପୋଷଣ, ଅଶିକ୍ଷା ଓ ବେରୋଜଗାରି ଦୂର କରିବାର ପ୍ରଯତ୍ନ ବି କରି ଆସୁଛନ୍ତି । ସେ ଆଦିବାସୀଙ୍କ ଦ୍ଵାରା ଫଳଗଛ ଲଗାଇ ତାହା ମାଧ୍ୟମରେ ଆର୍ଥିକ ସ୍ଵାବଲମ୍ବନର ଶିକ୍ଷା ଦେଉଛନ୍ତି । ଏ ପ୍ରକାର ପ୍ରେରକ ଉଦାହରଣ ଆମକୁ କ୍ଵଚିତ୍ ଦେଖିବାକୁ ମିଳେ, କିନ୍ତୁ ଏହା ଅନେକଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟି ଯାଏ ଏବଂ ଅନେକ ହାତ ଦ୍ବାରା ନିଜର କାର୍ଯ୍ୟ କରିଥାଏ ନିଶ୍ଚିତ ରୂପେ ଦେଶର ବନ୍ୟ ସମ୍ପଦକୁ ବଞ୍ଚାଇବା ଜରୁରୀ, ଏହା ସହିତ ବୃକ୍ଷରୋପଣ ଅଭିଯାନକୁ ସଫଳ କରିବା ପାଇଁ ଲଗାଯାଉଥିବା ବୃକ୍ଷଗୁଡିକର ରକ୍ଷଣାବେକ୍ଷଣ କରିବା ମଧ୍ୟ ଜରୁରୀ, ପୁଣି ଦେଶର ଭୂମିକୁ ବାହ୍ୟ ଆକ୍ରାମକ ବୃକ୍ଷଲତାର ପ୍ରଜାତିଗୁଡିକରୁ ମଧ୍ୟ ରକ୍ଷା କରିବାର ଆବଶ୍ୟକତା ରହିଛି ।