ବୃନ୍ଦାବନ ନାୟକଙ୍କ ଶ୍ରାଦ୍ଧ ଓ ଜନ୍ମଦିନ ଉପଲକ୍ଷେ…

କର୍ମବୀର ବୃନ୍ଦାବନ ନାୟକ ଥିଲେ ଜନତାଙ୍କ ପ୍ରତିନିଧି

ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଭାଗ୍ୟ ଵିଧାତା ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ବୃନ୍ଦାବନ ନାୟକ ଥିଲେ ଜନତାଙ୍କ  ପ୍ରକୃତ  ପ୍ରତିନିଧି   ।   ସାଧାରଣ ଲୋକଙ୍କ ସୁଖ ଦୁଃଖରେ ସେ ସମ୍ପୂର୍ଣ୍ଣରୂପେ ମିଶି ଯାଉଥିଲେ ଭାଗିଦାର ହେଉଥିଲେ  । ଲୋକଙ୍କୁ ସେବା କରିବାଥିଲା ତାଙ୍କର ଏକ ମାତ୍ର ବ୍ରତ।ତେଣୁ ସେ ଥିଲେ ସମସ୍ତଙ୍କର ଲୋକପ୍ରିୟ ନେତା । ଲୋକଙ୍କୁ ଭଲପାଇବା ଓ ସାହାର୍ଯ୍ୟ କରିବାରେ ସେ କେବେ କୁଣ୍ଠାବୋଧ କରୁ ନ ଥିଲେ ଏଥିପାଇଁ  ଯାହା କିଛିକରିବାକୁ ପଡ଼େ ସେ କରି ଦେଉଥିଲେ । ସେଥିପାଇଁ ସେ ହିଞ୍ଜିଳି ନିର୍ବାଚନ ମଣ୍ଡଳିରେ ଅଦ୍ୟାବଧି ଲୋକପ୍ରିୟ ହୋଇ ବଞ୍ଚି ରହିଛନ୍ତି । ତାଙ୍କ ନାଁରେଏବେ ବି  ଭୋଟ ରହିଛି । କୌଣସି ଲୋକଯଦି କିଛି ସାହାର୍ଯ୍ୟ ପାଇବା ପାଇଁ ସରକାରୀ ହେଉ ବା ବେସରକାରୀ ସ୍ତରରେ ହେଉ ବୃନ୍ଦାବନ ବାବୁଙ୍କୁ କିଛି କରିବାକୁ ପଡ଼େ ସେ ପଛ ଗୁଞ୍ଚା ଦେଉନଥିଲେ। ଏପରିକି ଜଣେ ଲୋକ ଯଦି ଉପକୃତ ହେଉଛି ସେ କ୍ଷେତ୍ରରେ ଆବଶ୍ୟକ ସ୍ଥଳେ ଧମକ ମଧ୍ୟ ଦେଉଥିଲେ । କିନ୍ତୁ ସେ ସବୁବେଳେ କହୁ ଥିଲେ ଯେ, ଯେହେତୁ ଆମେ ନେତା, ଜନତାଙ୍କ ପ୍ରତିନିଧି,ଆମକୁ ସାଧାରଣ ଲୋକେ ଅନୁକରଣ କରୁଥିବାରୁ ଆମେ ସତ କହିବା ସରଳ ହେବା ଶାନ୍ତ ପ୍ରିୟ ହେବା  ନିହାତି ଆବଶ୍ୟକ । ଆଜିକାଲି ରାଜନୀତିରେ ଯେଭଳି ନେତାମାନେ ମିଛ, ଟାଉଟରି କରି ଭୋଟ ହାତଉଛନ୍ତି । ସେ ସମୟର ରାଜନୀତିରେ କିମ୍ବା ବୃନ୍ଦାବନ ବାବୁଙ୍କ ରାଜନୈତିକ ଜୀବନରେ ଏଭଳି ମିଛ ଟାଉଟରି ନ ଥିଲା । ସତ୍ୟପଥରେ ଯିବା, ସତ କହିବା, ଲୋକଙ୍କ ସେବାକରିବା, ଲୋକଙ୍କୁ ଆଦର କରିବା, ଲୋକଙ୍କୁ ଭଲପାଇବା, ଲୋକଙ୍କୁ ସାହାର୍ଯ୍ୟ କରିବା, ଲୋକଙ୍କ ପାଇଁ ଲଢିବା, ଲୋକଙ୍କ ଭଲ ପାଇଁ ଅଫିସରଙ୍କ ନିକଟରେ ଓକିଲାତି କରିବା ଥିଲା ତତ୍‌କାଳୀନରାଜନୀତି ତଥା ରାଜନେତାଙ୍କ ପ୍ରକୃତି । ବୃନ୍ଦାବନବାବୁ ଥିଲେ ଠିକ୍‌ ଏଭଳି ଜଣେ ଆଦର୍ଶ ଜନ ସେବକ । ବୃନ୍ଦାବନ ନାୟକଙ୍କ ଭଳି ଜଣେ ଜନ ନେତା ଆଜି କାଲି ରାଜନୀତିରେ ମିଳିବା କଷ୍ଟ ସାଧ୍ୟ । ଆଜି କାଲିର ରାଜନୈତିକ ବାତାବରଣ ସମ୍ପୂର୍ଣ୍ଣ କଳୁଷିତ ହୋଇଯାଇଛି । ଏପରି ସ୍ତରରେ ପହଁଞ୍ଚିଛି ଯେ ଆଗାମୀ ୧୦ ବର୍ଷ ବେଳକୁ ସମାଜରେ ମିଛ,ଟାଉଟରି, ଠକ, ଚୋର, ଡ଼କାୟତ, ଲୁଟ୍‌ତରାଜ୍‌, ଅସାମାଜିକ କାର୍ଯ୍ୟ ଏଭଳି ଭାବରେ ବଢ଼ିଯିବ ତାକୁ ସମ୍ଭାଳିବା କଷ୍ଟ ସାଧ୍ୟ ହୋଇ ପଡ଼ିବ । ଏହି ଭଳି ରାଜନୀତି ବୃନ୍ଦାବନ ବାବୁ ଚାହୁଁ ନ ଥିଲେ । ସେ ଥିଲେ ନିଶ୍ଚିତ ଭାବେ ଏହାର ପ୍ରତିବାଦ କରିଥାନ୍ତେ। ଜଣେ ସାଧାରଣ ଲୋକ ସବୁବେଳେ ନେତା ତଥା ବଡ଼ ଲୋକର କାର୍ଯ୍ୟ ଶୈଳିକୁ ଅନୁ କରଣ କରିଥାଏ । ଯେପରି ମହାତ୍ମାଗାନ୍ଧୀ କହିଥିଲେ ମିଛ କୁହ ନାହିଁ, ସତ କହିବାକୁ ଡ଼ର ନାହିଁ । ସେଦେଶକୁ ସ୍ୱାଧୀନ ଆଣିବା ପାଇଁ ଲଢ଼ି ଥିବାରୁ ତାଙ୍କୁ ଜାତିର ପିତା ବୋଲି ସମ୍ଭୋଦନ କରାଯାଉଥିଲେ ହେଁ ସେ ଥିଲେ ଦେଶର ଜାତିୟ ନେତା । ମିଛ ଯେତେବେଳେ ହିଁ ଧାରା ପଡ଼ିଯିବ। ଲୋକେ ବିଶ୍ୱାସ ହରାଇବେ। ଅଦ୍ୟାବଧି ତାଙ୍କର ପ୍ରତ୍ୟେକ ବାଣୀକୁ ଆମେପାଳନ କରୁଛେ ଓ ଅନୁକରଣ କରୁଛେ । ତେଣୁ  ନେତା  ସାଧାରଣ ଜନତାଙ୍କ  ସମ୍ମୁଖରେ ସତ କହିବା ନିହାତି ଆବଶ୍ୟକ । ନେତା ସବୁବେଳେ ସାଧାରଣଜନତାଙ୍କ ସମ୍ମୁଖରେ ଉତ୍ତର ଦାୟୀ । ମିଛ କହି  ଲୋକଙ୍କୁ ଭୁଆଁ ବୁଲାଇବା ଆଦୌ ଉଚିତ ନୁହଁ ।ଏହା ଯୋଗୁଁ ପରବର୍ତ୍ତୀ କାଳରେ ସମାଜ କଳୁଷିତ ହୋଇଯାଉଛି । ଏହି ଭଳି ବୃନ୍ଦାବନ ବାବୁ ଥିଲେ ବାସ୍ତବ ବାଦୀ ଓ ଜନ ନେତା । ସାଧାରଣ ଜନତାଙ୍କସେ ଥିଲେ ଉତ୍ତର ଦାୟୀ । ବୃନ୍ଦାବନବାବୁଙ୍କ ରାଜନୀତିରେ କିଛି ସ୍ୱାତନ୍ତ୍ର୍ୟ ବି  ଥିଲା । ସେ କେବଳ ଲୋକ ପ୍ରତିନିଧି ନ ଥିଲେ । ସେ ଥିଲେ ଜନନେତା ଏବଂ  ସାଧାରଣ ଜନତାଙ୍କ ସେବକ । ଦଳମତ ନିର୍ବିଶେଷରେ ଜନସାଧାରଣ ତାଙ୍କୁ ସମ୍ମାନ ଦେଉଥିଲେ । ତାଙ୍କପ୍ରତି ଲୋକଙ୍କର ରହିଥିଲା ପ୍ରଗାଢ଼ ବିଶ୍ୱାସ । ତେଣୁ ଯେକୌଣସି ଦଳ ବା ଯେକୌଣସି ଚିହ୍ନ ହେଉ ନା କାହିଁକି ଲୋକେ ତାଙ୍କୁ ଭୋଟ ଦେଉଥିଲେ । କର୍ମୀମାନଙ୍କ ସହିତ ତାଙ୍କର ରହିଥିଲା ବ୍ୟକ୍ତି ଗତ ସଂପର୍କ । କେହି କୌଣସି ପ୍ରକାର ଅସୁବିଧାରେ ପଡ଼ିଥିବା ଖବର ପାଇଲେ ବୃନ୍ଦାବନ ବାବୁ ନିଜେ ଯାଇ ସେମାନଙ୍କ ଦୁଆର ମୁହଁରେ ହାଜର ହୋଇଯାଉଥିଲେ  ଏବଂ ଅସୁବିଧା ଦୂର କରି ଦେଇ  ଆସୁଥିଲେ । କୌଣସି ଲୋକ ଆସି ତାଙ୍କ ପାଖରେ ପହଞ୍ଚିଲେ ସେ କେଉଁ ଦଳର, କାହାର ସମର୍ଥକ ତାହା ଜାଣିବା ପାଇଁ କେବେ ଚାହୁଁ ନ ଥିଲେ । ତା’ର କାମ କରିଦେଇ ବିଦାୟ ଦେଉଥିଲେ । ସେ ଥିଲେ ଜନସାଧାରଣଙ୍କର ଅସମୟର ବନ୍ଧୁ, ସୁଖ ଦୁଃଖର ସାଥୀ । ରାଜନୀତି ମାଧ୍ୟମରେ ଜନସେବା ହିଁ ଥିଲା ବୃନ୍ଦାବନ ବାବୁଙ୍କର ରାଜନୈତିକ ଜୀବନର ଲକ୍ଷ୍ୟ ।  ଯେ କାର୍ଯ୍ୟ ଯେତେ  ଜନହିତକର ହେଉନା କାହିଁକି କ୍ଷମତାରେ ନ ରହିଲେ ତାହା ସହଜରେ ସମାପନ କରି ହୁଏ ନାହିଁ । କୌଣସି ପ୍ରକାରେ ଲୋକଙ୍କୁ ସନ୍ତୁଷ୍ଟ କରି ବିଦାୟ କରିଦେବା ସେ କେବେ ଚାହିଁ ନ ଥିଲେ ।  ଆବେଦକାରୀର କାର୍ଯ୍ୟଟି ସଠିକ୍‌ ଭାବେ ହାସଲ ନ ହେଲେ ସେ ନିଜେ ହିଁ  ସନ୍ତୁଷ୍ଟ ହୋଇପାରୁ ନଥିଲେ। ତେଣୁ ଜନସାଧାରଣଙ୍କ ହିତ ସାଧନ ସହଜ ଓ ସୁଲଭ କରିବା ପାଇଁ ସେ ଚାହୁଁଥିଲେ କ୍ଷମତା । ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟର କିଛି ଗବେଷକଛାତ୍ରଙ୍କୁ ନିଜେ ବୃନ୍ଦାବନ ବାବୁ କହିଛନ୍ତି-“ରାଜନୀତି କରି ବୃନ୍ଦାବନ ନାୟକ ଦୁଃସ୍ଥ ଜନତାକୁ ଅନେକ କିଛି ଦେଇଛି, କିନ୍ତୁ କାହାରି କିଛି ନେଇ ନାହାନ୍ତି ’’ ସେ ଦୀର୍ଘ ଅର୍ଦ୍ଧ ଶତାବଧିରୁ ରୁ ଉର୍ଦ୍ଧ  ସମୟ ଧରି ପ୍ରତକ୍ଷ୍ୟ  ରାଜନୀତିରେ ରହିଥିଲେ । କିନ୍ତୁ ରାଜନୀତିକୁ ଜୀବିକା କରି ନ ଥିଲେ । ତାଙ୍କର ନିଜ ଗାଁ ଶାସନ ଆମ୍ବଗାରେ ଥିଲା ଅପର୍ଯ୍ୟାପ୍ତ ସମ୍ପତି । ନିଜର ଅଧିକା ଆୟ ପାଇଁ ପାନ ବରଜ ବ୍ୟବସାୟ ମଧ୍ୟ ରହିଥିଲା । ତେଣୁ ସେ କେବେ ପଇସା ପଛରେ ଗୋଡାଉ ନ ଥିଲେ।  ଲୋକଙ୍କୁ ମିଶିବା ସେମାନଙ୍କୁ  ସେବା କରିବା ଥିଲା ତାଙ୍କ  ଜୀବନ ସ୍ୱରୂପ। ଏଭଳି ଉଦାହରଣ ପ୍ରାୟତଃ ବିରଳ । ତାଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥିଲା ଲୋକ ସେବାରେ। ରାଜନୀତିରେପ୍ରବେଶ କରିଥିଲେ ଜଣେ ପୃଷ୍ଠପୋଷକ ଭାବରେ। ନିଜ ଦଳର ସଂଗଠନରେ ପାନ ବରଜ ବ୍ୟବସାୟ ଲବ୍ଧଲାଭରୁ ଟଙ୍କା ଖର୍ଚ୍ଚ କରୁଥିଲେ । ରାଜନୀତିରେ ଉଚ୍ଚ ସୋପାନକୁ ଉତ୍ତୀର୍ଣ୍ଣ ହେବାପରେ ବ୍ୟବସାୟ ଉପରେ ସେତେଟା ଧ୍ୟାନ ଦେଇ ପାରୁ ନ  ଥିଲେ । ତଥାପି ସେ ପଛକୁ ଫେରି ନାହାନ୍ତି  । ତେଣୁ ରାଜନୀତିରୁ ସେ କେବେ ଆର୍ଥିକ ସୁବିଧା ପାଇଯିବା ଚାର୍ହି ନ ନାହାନ୍ତି ।  ସେଥିପାଇଁ  ସେ ଦମ୍ଭର ସହିତ କହୁଥିଲେ ଯେ  “ରାଜନୀତି କରି ବୃନ୍ଦାବନ ନାୟକ ଦୁଃସ୍ଥ ଜନତାଙ୍କୁ ଅନେକ କିଛି ସାହାଯ୍ୟ କରିବା ସୁଯୋଗ ପାଇଥିବାରୁ ମୁ ନିଜକୁ ଧନ୍ୟ ମନେ କରୁଛି ଶାନ୍ତି ବି ଲାଗୁଛି କାହିଁକି ନା ଲୋକେ ମୋର ସାହାଯ୍ୟକୁ ସନ୍ନମାନ ଦେଉଛନ୍ତି ।’’ ସ୍ୱାଧୀନତା ପରେ ମଧ୍ୟ ଦୁଃସ୍ଥ ରାଜନୈତିକ କର୍ମୀମାନଙ୍କ ପ୍ରତି ବୃନ୍ଦାବନବାବୁଙ୍କର   ରହିଥିଲା ଅସୀମ ଦରଦ ।  ସାହାଯ୍ୟ ପାଇଁ ଅନେକେ ତାଙ୍କ ପାଖରେ ପହଞ୍ଚୁଥିଲେ । ସେ କାହାରିକୁ ନିରାଶ ନକରି ଅର୍ଥ ସାହାଯ୍ୟ ବି  ଦେଉଥିଲେ । ସେମାନଙ୍କ ପରିବାର ଓ ପିଲା ଛୁଆଙ୍କ କଥା ପଚାରି ବୁଝୁଥିଲେ । କ୍ଷମତାରେ ଥିବାବେଳେ ଚାକିରୀକ୍ଷେତ୍ରରେ ସେହିମାନଙ୍କ ସନ୍ତାନଙ୍କୁ ଅଗ୍ରାଧିକାର ଦେଇ ସାହାଯ୍ୟ କରୁଥିଲେ । ବୃନ୍ଦାବନବାବୁ ନିଜର ରାଜନୈତିକ ଜୀବନକାଳ ମଧ୍ୟରେ ହଜାର ହଜାର ଗରିବ , ମେଧାବୀ, ଦୁଃସ୍ଥ ରାଜନୈତିକ କର୍ମୀଙ୍କ ସନ୍ତାନ ଓ ଅସହାୟ ପରିବାରର ଯୁବକ ଯୁବତୀଙ୍କୁ ବିଭିନ୍ନ ସ୍ଥାନରେ ଚାକିରୀଦେଇ ସେହି ପରିବାର ଏବଂ ସେମାନଙ୍କର ଉତ୍ତର ପୁରୁଷଙ୍କର ଅଶେଷ ଉପକାର କରିଛନ୍ତି ଯାହାକି ଅଦ୍ୟାବଧି ଲୋକେ ତାଙ୍କୁ ସ୍ମରଣ କରୁଛନ୍ତି। ଗରିବ, ଅସହାୟ, ଦୁଃସ୍ଥ ଲୋକଙ୍କୁ ସାହଯ୍ୟ କରିବାପାଇଁ ଆବଶ୍ୟକ ହେଲେ ସେ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଉ ଥିଲେ ସାହାଯ୍ୟ କରୁଥିଲେ  । ଏ ସଂପର୍କରେସେ ଅନ୍ୟମାନଙ୍କୁ କହୁଥିଲେ ‘ନିଃସ୍ୱ ଲୋକଙ୍କୁଥଇଥାନ କରିବାରେ ଯେଉଁ ନୀତି ନିୟମ ବାଧାଦିଏ ତାହା ସର୍ବାଦୌ ବର୍ଜନ କରିବା ଉଚିତ । ସେଭଳି ନୀତିର କୌଣସି ଆବଶ୍ୟକତା ନାହିଁ । ଭଲ କାମ  କରିବାକୁ ହେଲେ ବହୁ ବାଧା ବିଘ୍ନର ସମ୍ମୁଖୀନ ହେବାକୁ ହୁଏ । ଭାରତୀୟ ସଂସ୍କୃତିରେ କେଉଁ ବୈଦିକ ଯୁଗରୁ ର୍ହି ମୁନି, ଋଷିମାନଙ୍କର ହୋମଯଜ୍ଞ ଭାଙ୍ଗିବାଠାରୁ ଆରମ୍ଭ କରି ଆଜିଯାଏଁ ପ୍ରତ୍ୟେକ କ୍ଷେତ୍ରରେ ଏହାର ନିର୍ମମ ସତ୍ୟତା ପ୍ରତି ପାଦନ ହେଇଆସିଛି । କିନ୍ତୁ  ବାଧା ବିଘ୍ନରେ ସେ କେବେ  କର୍ମପଥରୁ  ବିଚ୍ୟୁତ ହୋଇ ନାହାଁନ୍ତି । ବରଂ ବିଘ୍ନ ଆସିଲେ ଦ୍ୱିଗୁଣ  ଉତ୍ସାହରେ ସେହିକାର୍ଯ୍ୟ ସାଧନାରେ ଲାଗିପଡ଼ିଛନ୍ତି । ନିଜର ସମସ୍ତଶକ୍ତି ବିନିଯୋଗ କରି କର୍ମପଥର କଣ୍ଟକ ଦୂର କରିଛନ୍ତି । ମହତ୍‌ କାର୍ଯ୍ୟର ସଫଳ ରୂପାୟନ ପାଇଁ ଆବଶ୍ୟକ ହେଲେ ସେ ନିଜର ସମସ୍ତ ପଦମର୍ଯ୍ୟାଦାକୁ ପଛରେ ପକାଇଦେଇ ଯେକୌଣସି ଲୋକଙ୍କ ଦୁଆରେ ହାଜର ହୋଇଯିବାକୁ ପଛେଇ ନାହାନ୍ତି । ଜଣେ ସିନିୟର କେବିନେଟ ମନ୍ତ୍ରୀଥାଇ  ମଧ୍ୟ ଅନ୍ୟ କୌଣସି ବିଭାଗର ଜଣେ କିରାଣୀ ପାଖରେ କାମ ଅଟକି ଗଲେ ତା ପାଖରେ ପହଞ୍ଚି ଯାଇଥାନ୍ତି । ସେହି ମନ୍ତ୍ରିମଣ୍ଡଳର କନିଷ୍ଠତମ ଉପମନ୍ତ୍ରୀର ଅଫିସକୁ ଯାଇ ମଧ୍ୟ ସେଠାରେ ବସିକାମ କରାଇ ନେଇଆସନ୍ତି । ସତେ ଯେମିତି ସେ ଗୋଟିଏ କାର୍ଯ୍ୟ ସମାପନ ତାଙ୍କର ଏକମାତ୍ରଲକ୍ଷ୍ୟ । ଏଭଳି ଭାବେ ସେ ନିଜର ଅଭିଳଷିତ ସମସ୍ତ କାର୍ଯ୍ୟ ଗୋଟି ଗୋଟି କରି ହାସଲ କରି ନେଇଛନ୍ତି । ମନ୍ତ୍ରୀ ନଥିଲା ବେଳେ କୌଣସିକାମ କରିଦେବା ପାଇଁ ସେ ଯଦି କୌଣସି ଅଫିସରଙ୍କୁ ଫୋନ୍‌  ଯୋଗେ  ଅନୁରୋଧ  କରୁଥିଲେ ଏବଂ କାର୍ଯ୍ୟ  ହାସଲରେ ବିଳମ୍ବ ହେଉଥିଲା  ତେବେ ଦ୍ୱିତୀୟ ଥର ଫୋନ୍‌ କଲା ବେଳେ କହୁଥିଲେ- ମୁଁ  କ’ଣ ମନ୍ତ୍ରୀ  ନାହିଁ  ବୋଲି ମୋ କଥା ଶୁଣୁ  ନାହଁ   କି ? ଲୋକେ ଆସି ମୋତେ ଏଠାରେ  ବିରକ୍ତି  କରୁଛନ୍ତି । ତୁମେ ଯଦି  କିଛି ନ କରିବ ତା’ହେଲେ ଏ ଲୋକମାନଙ୍କୁ  ତୁମ ଦ୍ୱାରକୁ ପଠାଇ ଦେବି । ଏତିକି କଥା ପରେ  ସେ କାର୍ଯ୍ୟ ହାସଲ ହୋଇଯାଉଥିଲା । ସେ ମନ୍ତ୍ରୀ ଥାଆନ୍ତୁ  କି ବିଧାୟକ ଥାଆନ୍ତୁ ତାଙ୍କ କଥାକୁ କେବେ କୌଣସି ଅଫିସର ବା କୌଣସି ଅନୁଷ୍ଠାନର କର୍ମକର୍ତ୍ତା ଅବମାନନା କରୁ ନ ଥିଲେ । ସେ ମନ୍ତ୍ରୀ କିମ୍ବା ବିଧାୟକ ଭାବରେ ନୁହେଁ ‘ବୃନ୍ଦାବନ ନାୟକ’ ଭାବେ ପ୍ରତି କ୍ଷେତ୍ରରେ ସମ୍ମାନିତ ଥିଲୋ  ବୃନ୍ଦାବନ ବାବୁ ଥିଲେ କରିତ୍‌କର୍ମା । ଜନସାଧାରଣଙ୍କ ଉପକାର ପାଇଁ କାମ କରିବାକୁ ତାଙ୍କର ଥିଲା ଅସଂଖ୍ୟ ପରିକଳ୍ପନା । ପୁଣି ସେ କଳ୍ପନାକୁ ରୂପାୟିତ କରିବା ପାଇଁ ହୃଦୟରେ ଭରି ରହିଥିଲା ଅମାପ ଉତ୍ସାହ-ଅସୀମ ଦୃଢ଼ତା । ସେ ଥିଲେ ଶକ୍ତିର ଆଧାର, ପ୍ରେରଣାର  ଉତ୍ସ । ଏକା ଧାରରେ କର୍ମୀ ଓ ନେତା । ଜୀବନକୁ  ସେ ଚମତ୍କାର ଭାବେ ବ୍ୟବହାର କରିଥିଲେ  । ଆଜୀବନ କଲେ କର୍ମର ଆରାଧନା । କୌଣସିବାଧାବନ୍ଧନ ମାନିଲେ ନାହିଁ । କାର୍ଯ୍ୟ ହାସଲରେ ନିଜର ଦୁର୍ବାର ସଂକଳ୍ପ ଓ ଉଦ୍ୟମ ଉତ୍ସାହ ତାଙ୍କ ଲଲାଟରେ ପିନ୍ଧାଇ ଦେଇଥିଲା  ବିଜୟର ମୁକୁଟ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ କାହିଁକି ଗଞ୍ଜାମ ଜିଲ୍ଲା ଏବେ ବି ତାଙ୍କୁ ସ୍ମରଣ କରୁଛି କାହିଁକି ନା ସେ ଥିଲେ ଯଥାର୍ଥରେ ଜଣେ  ‘କର୍ମବୀର’ ।

ଲେଖକ : ସୁଧୀର କୁମାର ପଟ୍ଟନାୟକ