ବୈଶ୍ବିକ ମହାମାରୀ କରୋନା ୨୦୨୦ ଓ ୨୦୨୧ ଦୁଇଵର୍ଷଯାକ ବିଶ୍ୱବାସୀଙ୍କୁ କନ୍ଦାଇଦେଇଛି । ପୃଥିବୀର ପ୍ରାୟ ୨୦୦ ଦେଶରୁ ୧କୋଟିରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି କୋଭିଡ-୧୯ର ପ୍ରାଦୃଭାବରୁ ।ଵଞ୍ଚିଯାଇଥିବା ଲୋକଙ୍କର ମଧ୍ୟ ଦୁଃଖକଷ୍ଟ କମ୍ ନୁହେଁ, ଅନେକ ଆତ୍ମୀୟସ୍ବଜନଙ୍କୁ ହରାଇଲେ, ଅନେକ ନିକଟ ସମ୍ପର୍କୀୟଙ୍କୁ ହରାଇଲେ, ଅନେକ ପରିବାର ଉଚ୍ଛନ୍ନ ହୋଇଗଲେ, ଅନେକ ପିତାମାତା କିମ୍ବା ପିତା ବା ମାତା ଛେଉଣ୍ଡ ହୋଇଗଲେ ।ଅନେକ ଚାକିରୀ ହରାଇଲେ,ଅନେକଙ୍କ ରୋଜଗାର ହ୍ରାସ ହେଲା,ବିଶେଷ କରି ଘରୋଇ କ୍ଷେତ୍ରରେ ।ଧୀରେ ଧୀରେ ସବୁପ୍ରକାର ପରିବହନ, ବ୍ୟବସାୟ, ଶିଳ୍ପସଂସ୍ଥା ବନ୍ଦହୋଇ ଆସିଲା ପ୍ରାୟ।କରୋନା ଚିକିତ୍ସା ନିମନ୍ତେ କେବଳ ସ୍ବାସ୍ଥ୍ୟସେବାକୁଛାଡ଼ିଦେଲେ ଆଉ ସଵୁ ଠପ୍ ହୋଇଗଲା, ସ୍ବାସ୍ଥ୍ୟସେବାରେ ମଧ୍ୟ କରୋନା ବ୍ୟତୀତ ଅନ୍ୟ କୋୖଣସି ରୋଗର ଚିକିତ୍ସା କରାଗଲା ନାହିଁ କହିଲେ ଚଳେ।ଏମିତିରେ ମଧ୍ୟ କେତେକ ଲୋକ ପରପାରୀକୁ ଚାଲିଗଲେ ।ବିଶ୍ବବ୍ୟାପୀ ପ୍ରତ୍ୟହ କରୋନା ନିମନ୍ତେ ନୂଆ ନୂଆ ଔଷଧ ବାହାରିଲା,ଔଷଧ ଶିଳ୍ପର ଆଶାତୀତ ଉନ୍ନତି ହେଲା କରୋନା କାଳରେ, କେତେ ତ କହିଲେ,କରୋନାର ଅତ୍ୟଧିକ ପ୍ରଚାର ଓ ତଜ୍ଜନ୍ନିତ ଔଷଧ ବିକ୍ରୀ ଏକ ଆନ୍ତର୍ଜାତୀୟ କୁଟଚକ୍ରର ଅଂଶବିଶେଷ।ଔଷଧ ଶିଳ୍ପ ବ୍ୟତୀତ ଅନ୍ୟ ଯେଉଁ ଶିଳ୍ପର ଉନ୍ନତି ହୋଇଛି କରୋନା କାଳରେ ତାହାହେଲା, ଖାଦ୍ୟ ଓ ଶକ୍ତି,ଏଇ ତିନୋଟି କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି ପରିଲକ୍ଷିତ ହୋଇଥିଲା ।ଆଶ୍ଚର୍ଯ୍ୟର ବିଷୟ ସବୁଆଡ଼େ ଅର୍ଥନୈତିକ ମାନ୍ଦାବସ୍ଥା ଚାଲୁଥିବାବେଳେ ହିଁ ପୃଥିବୀର ବେଶୀ ଅରବପତି ଜନ୍ମ ନେଇଥିଲେ, ପ୍ରାୟ ୧୭ଘଣ୍ଟାରେ ଜଣେ ନୂତନ ଅରବପତି ଵାହାରୁଥିଲେ ।କରୋନା ପୂର୍ବରୁ ୨,୦୦୦ ଅରବପତି ଥିଲେ ପୃଥିବୀରେ,ମାତ୍ର କରୋନା ସମୟରେ ତହା ବଢ଼ି ହୋଇଥିଲା୨,୬୬୮, ଯେତେବେଳେ ୨୫୦ ମିଲିୟନ ଲୋକ ଦାରିଦ୍ର୍ୟଗର୍ଭକୁ ଠେଲିହୋଇଯାଇଥିଲେ।ପୃଥିବୀର ସର୍ବାଧିକ ୧୦ଜଣ ଧନୀବ୍ୟକ୍ତିଙ୍କ ସମ୍ପତ୍ତି ଧନୀତାଲିକାରେ ତଳଆଡୁ ୪୦%ଜନସଂଖ୍ୟାଙ୍କ ସମ୍ପତ୍ତି ସହ ସମାନ ଥିଲ।ବିଶ୍ବର ୧୦ଜଣ ସର୍ବାଧିକ ଧନୀ ତାଙ୍କ ସମ୍ପତ୍ତିକୁ ଦ୍ଵିଗୁଣରୁ ଅଧିକ କରିପାରିଲେ ଏଇ ମହାମାରୀ ସୁଯୋଗରେ, ଯେତେବେଳେ, ପୃଥିବୀର ୯୯% ଜନସଂଖ୍ୟାର ଅଧୋଗତି ହୋଇଥିଲା । ଏହାକୁ କହନ୍ତି, କାହାର ପୁଷମାସ, କାହାର ସର୍ବନାଶ । ସବୁଆଡେ, ଏମିତିକି ସାରା ପୃଥିବୀ ଏକ ସମୟରେ ଠପ୍ ପଡ଼ିଯାଇଥିଲା କହିଲେ ଅତ୍ୟୁକ୍ତି ହେବନି । ସବୁପ୍ରକାର ପରିବହନ ବନ୍ଦ ହୋଇଯିବାରୁ, ଜନସାଧାରଣ ଅକଥନୀୟ ଯନ୍ତ୍ରଣା ଭୋଗିଲେ, ବାହାରେ କରୋନାରେ ମରିବା ଅପେକ୍ଷା ନିଜ ପରିବାର ଗହଣରେ କଷ୍ଟ ଭୋଗିବାକୁ/ମରିବାକୁ ସମସ୍ତେ ଶ୍ରେୟ ଦେଲେ । ଫଳତଃ ଯିଏ ଯୋଉଠି ଥିଲେ ନିଜ ନିଜର ଘର/ପରିବାରକୁ ଫେରିବାକୁ ଚାହିଁଲେ,ଏଣେ ଗମନାଗମନର ସୁବିଧା ଶୂନ୍ୟ ।ଟ୍ରକ,ମାଲଗାଡି,ସାଇକଲ,ଦୁଇ ଚକିଆ,ଘରୋଇ ଗାଡ଼ିରେ ବହୁ ଅନୁରୋଧ ବା ଲୁଚିଛପି, ଏମିତିକି ଚାଲି ଚାଲି ଲୋକ ଶହଶହ କି.ମି. ଅତିକ୍ରମ କରି ଘରେ ପହଞ୍ଚିଲେ । ତାଲାବନ୍ଦ ଯୋଗୁଁ ରାସ୍ତାରେ ମଧ୍ୟ ଖାଦ୍ୟ ପାନୀୟ ମିଳିବା ଦୂରୁହ। ଏମିତି ବହୁ କଷ୍ଟରେ ଲୋକ ପରିବାରମୁହା ହେଲେ, ମାତ୍ର ବିଦେଶରେ ଥିବା ବ୍ୟକ୍ତିଙ୍କ ଭାଗ୍ୟରେ ତାହା ମଧ୍ୟ ଜୁଟିଲାନି,କାରଣ ଆନ୍ତର୍ଜାତୀକ ଚଳାଚଳ ବନ୍ଦ । ରାସ୍ତାଘାଟରେ ଅନେକ ଲୋକଙ୍କର ମୃତ୍ୟୁ ହେଲା,କରୋନା ତ ଅନେକଙ୍କ ମୃତ୍ୟୁର କାରଣ ହୋଇସାରିଥିଲା ।ୟା ସାଙ୍ଗକୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ଲୋକଙ୍କୁ ବେଶୀ କନ୍ଦାଇଲା।ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ,ଜିନିଷ ଆସିବ କୋଉଠୁ, ଏଥିରେ ତ ଦରବଢିଵ । ତା ସାଙ୍ଗକୁ ମୁନାଫାଖୋର/କଳାବଜାରୀମାନେ ଅଧିକ ଲାଭ ଆଶାରେ ଜିନିଷ ଲୁଚାଇ ଦେଲେ ।ସବୁଠୁ କଷ୍ଟହେଲା ଦିନମଜୁରିଆମାନଙ୍କର,ଟଙ୍କିକିଆ ଚାଉଳ ସିନା ମିଳିଯାଇଛି,ଆଉ ତ କିଛିନାହିଁ।ଦାଦନରୁ ଫେରିଥିବା ବ୍ୟକ୍ତିମାନେ ମଧ୍ୟ କିଛି ଦିନ ଚଳିଯିବାପରେ ଯୋଉ ଅଭାବକୁ ସେଇଆ। ଏଥିକି ଆଗେଇ ଆସିଲେ ସରକାର(କେନ୍ଦ୍ର/ରାଜ୍ୟ)ଓ ସ୍ବେଚ୍ଛାସେବୀ ସଂସ୍ଥାମାନେ। ଅନେକ ସଂସ୍ଥା ଗରୀବ,ଖଟିଖିଆ ଲୋକଙ୍କୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷ, ଲୁଗାପଟା, ଘରକରଣା ସାମଗ୍ରୀ ମଧ୍ୟ ସାହାଯ୍ୟ ଆକାରରେ ଦେଲେ । ରାଜ୍ୟ ସରକାର ଦୁଆର ମୁହଁରେ ମାଗଣା ରାସନ୍ ସାମଗ୍ରୀ ଯୋଗାଣର ବ୍ୟବସ୍ଥା କଲେ,ଦାଦନ ଫେରନ୍ତା, କୋଭିଡ ଆକ୍ରାନ୍ତଙ୍କ ନିମନ୍ତେ ୨ହଜାର ଟଙ୍କା ଲେଖାଏଁ ସାହାଯ୍ୟ ଦେଲେ, ସମ୍ପୂର୍ଣ୍ଣ ମାଗଣା କୋଭିଡ ଚିକିତ୍ସା (ଖାଇବା,ପିଇବା ରହିବା ସହିତ)ବ୍ୟତିରେକେ ।କେନ୍ଦ୍ର ସରକାର ମଧ୍ୟ ୮୦ କୋଟି ଲୋକଙ୍କ ନିମନ୍ତେ ମାଗଣା ରାସନ୍ ୬ମାସ ପର୍ଯ୍ୟନ୍ତ ଯୋଗାଇଦେଲେ ୮୦ ହଜାର କୋଟି ବିନିମୟରେ,ଯାହା ଆସନ୍ତା ୨୦୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ,ଏହା ରାଜ୍ୟ ସରକାରଙ୍କ ମାଗଣା ରାସନ୍ ଅତିରିକ୍ତ,ଗରୀବ ଲୋକମାନଙ୍କ ଘରେ ଖାଦ୍ୟ ସୁଲଭତା ନିଶ୍ଚିତ କରିବା ସକାଶେ । ଅବଶ୍ୟ କେନ୍ଦ୍ର ସରକାରଙ୍କ ଏ, “ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା”ଚମତ୍କାର ସଫଳତା ଆଣିଦେଲା କାରଣ ପୃଥିବୀର ଅନେକ ଦେଶର ଜନତା ଖାଦ୍ୟାଭାବଜନିତ ଅସୁବିଧା ଭୋଗୁଥିଲାଵେଳେ ଆମ ଦେଶ ସେ ଅସୁବିଧାରୁ ଵର୍ତ୍ତିଯାଇଥିଲା । ଏପ୍ରକାର ଅସମୟରେ ମାନବିକତାର ପରିଚୟ ସ୍ଵରୁପ ଆମଦେଶ ଅନେକ ଦେଶକୁ,ଏପରିକି ବିକାଶଶୀଳ ଦେଶକୁ ମଧ୍ୟ ଆମ ଦେଶରେ ପ୍ରସ୍ତୁତ କୋଭିଡ ଟୀକା ଯୋଗାଇ ଦେଇଥିଲା, ଏମିତିକି ପଡୋଶୀ ଶତ୍ରୁଦେଶ ପାକିସ୍ତାନକୁ ମଧ୍ୟ ୧୦,୦୦୦,୦୦ ଡୋଜ ଟୀକା ସାହାଯ୍ୟ ଦେଇଥିଲା । ଏଇ ଯୋଉ ସାହାଯ୍ୟ ରାଜ୍ୟ/କେନ୍ଦ୍ର ସରକାର ଦେଶ ଭିତରେ ଓ ବାହାରେ କଲେ,ସେ ସଵୁ ନିମନ୍ତେ ଅର୍ଥ ଆସେ କୁଆଡୁ, ଏସବୁ ଏ ଦେଶର ସାଧାରଣ ଜନତାର କଷ୍ଟାର୍ଜିତ ଧନରୁ ପ୍ରଦତ୍ତ ଟିକସ ପଇସା !ସମାଜରେ ଏମିତି ବର୍ଗ ଅଛନ୍ତି, ସରକାର ଯେତେ ପ୍ରକାର ସାହାଯ୍ୟ/ଯୋଜନା କଲେ ମଧ୍ୟ ସେମାନେ ତା’ର ଧାର ଧାରନ୍ତି ନାହିଁ, ଏଥିପାଇଁ ନୁହେଁ ଯେ ସେମାନେ ଅଯୋଗ୍ୟ, କିଛି ନିଜ ସ୍ବାଭିମାନ ଦୃଷ୍ଟିରୁ ଏଥିରେ ପଶନ୍ତି ନାହିଁ ତ କିଛି ମାଜିକ(ଦଳୀୟ/ରାଜନୀତି)ଦୃଷ୍ଟିରୁ ଏସଵୁଥିରୁ ବାଦ ପଡିଯାଇଥାନ୍ତି,ମାତ୍ର ଟିକସ ପଇଠରେ ଏମାନେ କେବେ ହେଳା କରନ୍ତି ନାହିଁ। ଜାଣନ୍ତି ଏମାନେ ହେଲେ ସମାଜର ସର୍ବବୃହତ, ମଧ୍ୟବିତ୍ତ ଗୋଷ୍ଠୀ,ଯୋଉ ମାନେ ସବୁଠୁ ବେଶୀ ଟିକସ ଦିଅନ୍ତି, ମାତ୍ର କିଛି ପାଆନ୍ତି ନାହିଁ।ଆଉ ଗୋଟିଏ କଥା ଜାଣନ୍ତି ଭାରତଭଳି ଏତେ ବଡ଼ ଦେଶର ପ୍ରାୟ ୧୩୫ କୋଟି ଜନସଂଖ୍ୟାରୁ କେତେ ପ୍ରତିଶତ ଆୟକର ଦିଅନ୍ତି,ମାତ୍ର ୬.୨୫%।ଅବଶିଷ୍ଟ୯୪%ରୁ ଧରାଯାଉ ୫୦ ନହେଲେ ୬୦% ଆୟକର ପରିସରକୁ ଆସୁନାହାନ୍ତି,ବାକି ଯୋଉ ୩୪% ସମସ୍ତେ କ’ଣ ଆୟକର ଦେବାକୁ ସକ୍ଷମ ନୁହନ୍ତି ?ଏଥର ଚିନ୍ତା କରନ୍ତୁ,ଏମାନଙ୍କ ମଧ୍ୟରୁ କେତେ ପ୍ରତିଶତ ଆୟକର ଫାଙ୍କନ୍ତି.,କେତେ ପ୍ରତିଶତ ସାଧାରଣ ଜନତା ଦେଉଥିବା ଆୟକର ଟଙ୍କାରେ ଅୟସ କରନ୍ତି । ଉଲ୍ଲେଖଯୋଗ୍ୟ ଆମ ଦେଶରେ ସାଧାରଣ ଚାକିରିଆ ଏମିତିକି ପେନସନଭୋଗୀ ମଧ୍ୟ ଆୟକର ଦେବାକୁ ବାଧ୍ୟ ମାତ୍ର ଜନପ୍ରତିନିଧି ସିଏ ଯେତେ ଦରମା,ଯେତେ ପ୍ରକାର ଭତ୍ତା ପାଇଲେ ମଧ୍ୟ ସବୁ ଟିକସମୁକ୍ତ।ଆଉ ଗୋଟିଏ କଥା ଆମେରିକାର ୪୫%ରୁ ଉର୍ଦ୍ଧ୍ବ ଆୟକର ପଇଠ କରନ୍ତି, ଏଥିରେ ତାଙ୍କ ଦେଶ ଉନ୍ନତି କରିବନି କ’ଣ ଆମ ଦେଶ କରିବ ! ଏଇଠି ଗୋଟିଏ କଥା, ଅଳ୍ପଦିନ ପୂର୍ବେ ସମ୍ପାଦକଙ୍କୁ ପତ୍ରରେ ଜନୈକ ପାଠକ ଲେଖିଥିଲେ,କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ(ସ୍ବାସ୍ଥ୍ୟ) ଯୋଜନା ହେଉ ବା ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହେଉ କୋଉଥିରେ ହେଲେ ରାଜ୍ୟର ସବୁ ପରିବାରକୁ ସାମିଲ କରାଯାଇନାହିଁ,ସବୁଚୟନ ଦଳୀୟ/ରାଜନୀତି ଦୃଷ୍ଟିରୁ କରାଯାଇଥାଏ ରୋଗ ତ ଦଳ ବା ରାଜନୀତି ଦେଖି ଆସିନଥାଏ !ଗୋଟିଏ ପରିସଂଖ୍ୟାନ ଦେଖାଉଛି,ଆମ ରାଜ୍ୟର,ଟିଭିରେ ଖାଇଲା,୩.୫ କୋଟି ଲୋକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହେବେ, ମାନ୍ୟବର ମୁଖ୍ୟମନ୍ତ୍ରୀ ବାରମ୍ଵାର କହିଛନ୍ତି, ରାଜ୍ୟର ୪.୫ କୋଟି ଓଡ଼ିଆ ମୋ ପରିବାର,ଅତଏବ ଅବଶିଷ୍ଟ କୋଟିଏଙ୍କର ଅପରାଧ କ’ଣ ?ତନ୍ମଧ୍ୟରୁ ସମସ୍ତେ ତ ଧନଶାଳୀ ନୁହଁନ୍ତି ଯେ ଘରୋଇ ହସ୍ପିଟାଲର ବ୍ୟୟବହୁଳ ଚିକିତ୍ସା ସମ୍ଭାଳି ନେବେ ।ସେ ଭଦ୍ରବ୍ୟକ୍ତି ସେଇଠି ସୂଚାଇ ଦେଇଛନ୍ତି,ସବୁଠୁ ଭଲ ରାଜସ୍ଥାନ ସରକାରଙ୍କ ପ୍ରଚଳିତ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଯୋଉଥିରେ ପ୍ରତ୍ୟେକ ପରିବାର ସାମିଲ ହୋଇପାରିବେ।ସେଥିପାଇଁ ତ ଗୀତାରେ ଅଛି, “ସର୍ଵେ ଭବନ୍ତୁ ସୁଖିନଃ,ସର୍ଭେ ସନ୍ତୁ ନିରାମୟା, ସର୍ଵେ ଭଦ୍ରାଣୀ ପଶ୍ୟନ୍ତୁ,ମା କଶ୍ଚିଦ ଦୁଃଖଭାଗ ଭଵେତ । ଓମ୍ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।” କରୋନା କାଳରେ ଲୋକ ଯାହା ଯେମିତି ଅସୁବିଧାର ସମ୍ମୁଖୀନ ହୋଇ ଚଳଉଥିଲେ ମାତ୍ର କେନ୍ଦ୍ର ସରକାର କୋଭିଡ ଖର୍ଚ୍ଚ ଆଳରେ ପେଟ୍ରୋଲିୟମ୍ ପଦାର୍ଥଗୁଡିକର ଦାମଵଢାଇ ଚାଲିଲେ ଅହେତୁକଭାଵେ । ଏପ୍ରକାର ଦରବୃଦ୍ଧିର ହିତାଧିକାରୀ ହେଲେ କେନ୍ଦ୍ର/ରାଜ୍ୟ ସରକାର,ତୈଳ କମ୍ପାନୀମାନେ ଓ ଡିଲରମାନେ । କ୍ଷତିଭରଣା ହେଉନାହିଁ କହି ତେଲକମ୍ପାନୀଗୁଡିକ ଯେତେ କାନ୍ଦିଲେ ମଧ୍ୟ କରୋନାକାଳରେ ସେମାନେ ଯେ ଭଲ ଲାଭ ଗୋଟାଇଛନ୍ତି ଏହା ନିଃସନ୍ଦେହ । ମାତ୍ର ଏତଦଜନିତ ଦରବୃଦ୍ଧିର ଫଳ ସ୍ବରୂପ ଅନେକ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ ବଢ଼ିଗଲା ହୁ ହୁ ହୋଇ,କିନ୍ତୁ ଏସବୁର ହିତାଧିକାରୀ ହେଲେ ସାଧାରଣ ଜନତା । ବିଭିନ୍ନପ୍ରକାର ଦ୍ରବ୍ୟ/ସେବାର ମୂଲ୍ୟ ଅସାଧାରଣଭାଵେ ବଢ଼ିଗଲା, ଅବଶ୍ୟ ନେତାମନ୍ତ୍ରୀଙ୍କର ସେଥିରେ ଯାଏ କେତେ ଆସେ କେତେ,ସେମାନେ ତ କେବେ ବଜାର ଯାଆନ୍ତିନି,ଦରଦାମ କଥା ଜାଣିବେ କାହୁଁ ।ମୂଲ୍ୟ ଯେତେ ବଢୁ, ଜିନିଷ ତାଙ୍କ ଘରେ ଆପଣାଛାଏଁ ପହଞ୍ଚେ । ଏସବୁ ଦରବୃଦ୍ଧିର କାରଣଭାବେ କେନ୍ଦ୍ର/ରାଜ୍ୟ ସରକାର କୋଭିଡ-୧୯ର କ୍ଷତିଭରଣାକୁ ଦର୍ଶାଉଛନ୍ତି,ସେଥିରେ ସମସ୍ତେ କ’ଣ ଉପକୃତ ହୋଇଥିଲେ, ସବୁ ସାଧାରଣ ଜନତା କିନ୍ତୁ ଟିକସ ଦିଅନ୍ତି।ତୈଳ ଇନ୍ଧନ ଦରବୃଦ୍ଧିର କାରଣ ଯାହା ଦେଖାଇଲେ ସୁଦ୍ଧା କରୋନାକଳରେ ଆମର ପଡୋଶୀ ପାକିସ୍ତାନ,ଶ୍ରୀଲଙ୍କା ଇତ୍ୟାଦି ଦେଶରେ ତୈଳମୂଲ୍ୟ ନୀଚ୍ଚାଥିଲା ଆମଠୁ, ଏପରିକି ନେପାଳ ଆମରି ଦେଶରୁ ତେଲ ନେଇ ଆମଠୁ ଶସ୍ତା ତାଙ୍କ ଦେଶରେ । କିନ୍ତୁ ଯଦି ଭାରତୀୟ କେହି ସୀମାଟପି ନେପାଳରୁ ତେଲ ଆଣି କିଛି ଲାଭ କଲା ତାହା ଦୋଷାଵହ,କି ବିଚିତ୍ର ନିୟମ ! ବହୁତ ହୋ ହାଲ୍ଲା ପରେ ୨୦୨୧ ନଭେମ୍ବରରେ କେନ୍ଦ୍ର ସରକାର କିଛି ଶସ୍ତା କରିଥିଲେ ଏବଂ ରାଜ୍ୟ ସରକାର ମଧ୍ୟ କିଛି ରିହାତି ଦେଇଥିଲେ ତୈଳରେ। ଏଥିସହିତ ତାଳଦେଇ ୭ଟି ରାଜ୍ୟକୁ ଛାଡି ସବୁ ରାଜ୍ୟ ଭାଟ କିଛି କମ କରିଥିଲେ।ଦେଶରେ ୫ରାଜ୍ୟରେ ନିର୍ବାଚନ ପରିପ୍ରେକ୍ଷୀରେ କିଛିକାଳ ତୈଳଦରବୃଦ୍ଧିରେ ରୋକ ଲାଗିଥିଲା ।୨୦୨୨ମାର୍ଚ୍ଚ ୧୦ରେ ନିର୍ବାଚନ ସରିବାପରେ କିଛିଦିନ ଅନ୍ତେ ପୁଣି ତୈଳଦର ବଢିବା ଆରମ୍ଭ ହୋଇଗଲା, ଜଣାନପଡିଲାଭଳି ପ୍ରତିଦିନ ୮୦/୯୦ପ. ବଢିଲା,ଟ୯୫/- ପାଖାପାଖିଥିବା ତେଲ ଦର ପହଜ୍ଞିଗଲା ପ୍ରାୟ ଟ୧୧୫/-ରେ। ୨୦୨୨ ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଖାଇବା ତେଲ,ଅନେକ ପ୍ରକାର ଖାଦ୍ୟଦ୍ରବ୍ୟର ମୂଲ୍ୟ ବଢ଼ିଗଲା,ତୈଳଦରଵୃଦ୍ଧିଜନିତ କାରଣରୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦର ନିତି ପ୍ରତି ବଢ଼ିବାକୁ ଲାଗିଲା। ଜନସାଧାରଣ ତ୍ରାହି ତ୍ରାହି ଡାକିଲେ,ଅନେକେ ଖର୍ଚ୍ଚ କମାଇବାକୁ ବାଧ୍ୟ ହେଲେ, କିଛିକାଂଶ ଅର୍ଦ୍ଧାହାରରେ ରହିଲେ ମଧ୍ୟ। ଶେଷରେ ୨୦୨୨ ମେ ୨୨ ମଧ୍ୟରାତ୍ରୀରୁ କେନ୍ଦ୍ର ସରକାର ପ୍ରାୟ ଟ୧୦/- କମାଇଲେ ତୈଳଦର, ସାଧାରଣ ଜନତା କିଛିଟା ଆଶ୍ବସ୍ତ ହେଲେ, ମାତ୍ର କୋୖଣସି ରାଜ୍ୟ ସରକାର ଅଦ୍ୟାବଧି କୋୖଣସି ପ୍ରକାର ରିହାତି ଦେଇନାହାନ୍ତି ତେଲରେ, ଯାହାକୁ ଜନତା ଅନାଇ ବସିଛନ୍ତି ଆକୁଳ ନୟନରେ । ତଥାପି ନିନ୍ଦୁକମାନେ କହୁଛନ୍ତି,ବଢ଼ାଇଥିଲେ କମାଇଲେ,ବଡ଼ କଥାଟେ କ’ଣ !ଠିକ୍ କଥା, ନକମାଇଥିଲେ କ’ଣ କରିପାରିଥାନ୍ତ?ଏସବୁ ଛଡ଼ା ପ୍ରତ୍ୟେକ ନିର୍ବାଚନରେ କେନ୍ଦ୍ର/ରାଜ୍ୟ ସରକାରଗୁଡିକ କେତେ କେତେ ଜିନିଷ ଯୋଗାଣର ପ୍ରତିଶ୍ରୁତି ଯେ ଦେଉଛନ୍ତି ଜନତାଙ୍କୁ, ଶୁଣିଲା ଲୋକକୁ ମଧ୍ୟ ଅଶ୍ୱସ୍ତି ଲାଗୁଛି । ଜନତାଙ୍କୁ ତୁଷ୍ଟିକରଣ ଯୋଜନାରେ ରାଜନୈତିକ ଦଳଗୁଡ଼ିକ ମାଗଣା ଚାଉଳ,ଅନ୍ନଛତ୍ର, ଛତା,ଯୋତା,ସାଇକଲ, ମୋବାଇଲ, ଲ୍ୟାପଟପ୍ ଏପରିକି ଗ୍ରାଇଣ୍ଡର, ସ୍କୁଟି, ସୁନାଗହଣା, ରଙ୍ଗୀନ ଟିଭି ଖାଲି ନୁହେଁ ଜମି,ଘରର ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି।ରାଜକୋଷରେ ନଥିଲେ ଋଣ କରି ମଧ୍ୟ ଦେଉଛନ୍ତି,ଏଇ ଯୋଉ ରାଜକୋଷରୁ ହେଉ ବା ଋଣକରି ଦେଉଛନ୍ତି ସେ ସବୁ ପରିଶେଷରେ ସାଧାରଣ ଜନତାର ମୁଣ୍ଡରେ ନଡ଼ିଆ ବାଡେଇବା କଥା।ଉଦାହରଣ ଟିଏ ଦେଉଛି,୨୦୦୦ମସିହାରେ ଓଡ଼ିଶାର ଋଣ ପରିମାଣ ଥିଲା ୫ହଜାର କୋଟି ଓ ମୁଣ୍ଡ ପିଛା ଋଣ ପ୍ରାୟ ଟ୧,୧୦୦/-,ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଋଣ ବଢ଼ି ହୋଇଛି ୧ଲକ୍ଷ ୨୫ ହଜାର କୋଟିରୁ ଅଧିକ,ଅର୍ଥାତ୍ ମୁଣ୍ଡପିଛା ୨୫ହଜାରର ଋଣ ।ପୁଅ-ନାତି କିଏ ହେଲେ ତସୁଝିବ,ଏଇ ପଇସାରେ ଯୋଉ ମାନେ ମାଲାମାଲ ହୋଇଛନ୍ତି ତାଙ୍କୁ ଵାଧିନପାରେ ! ଏତେ ସବୁ ଅଣ୍ଟିଲାନି ଯେ, ଏବେ କେନ୍ଦ୍ର ପୁଣି ୦୧ ଜୁନ ୨୦୨୨ରୁ, ୨୦୧୯ ଏପ୍ରିଲ ପୂର୍ବରୁ କିଣା ଯାଇଥିବା ଗାଡି(ଦୁଇ,ତିନି,ଚାରିଚକିଆ)ଗୁଡିକରେ ଉଚ୍ଚସୁରକ୍ଷିତ ନମ୍ବରପ୍ଲେଟ (High security regn.plate)ଲଗାଇବା ବାଧ୍ୟତାମୂଳକ କରିଛନ୍ତି ।ଘରେ ନପଶୁଣୁ ଚାଳ ବାଜିବାପରି ଏହାର ଅନେକ ଅଵିଗୁଣ ବାହାରିଲାଣି ।ନୁଆ ନମ୍ବରପ୍ଲେଟ ଲଗାଇଲେ ମଧ୍ୟ ଯଦି ଗାଡ଼ି ଚୋରି ହେବ, ତାହେଲେ ଲାଭ କ’ଣ?ଏହି ନମ୍ବରପ୍ଲେଟ ନକଲ କରାଯାଇ ପାରିବ ନାହିଁ,ଏମିତି କଥା ୨୦୧୬ ଵିମୁଦ୍ରାୟନ ସମୟରେ ମଧ୍ୟ ସରକାର କହିଥିଲେ,ନୁଆ ଟ୫୦୦ ଓ ଟ୨୦୦ ଟଙ୍କିଆ ନୋଟ୍ ନକଲ କରିବା ଅସମ୍ଭବ,ମାତ୍ର ତାହା ଏମିତି ନକଲ ହେଲା ଯେ ଅବସ୍ଥା ଅସମ୍ଭାଳ । ସାଧାରଣ ଲୋକ ପୁଣି ଖର୍ଚ୍ଚାନ୍ତ ହେବାର ଗୋଟେ ବାଟ ।ଏ ନମ୍ବରପ୍ଲେଟ ମାଗଣା ଯୋଗାଇଦେବାକୁ ଜଣେ ପାଠକ ପ୍ରସ୍ତାବ ଦେଇଛନ୍ତି,ମାତ୍ର ଆମର ଜନକଲ୍ୟାଣ ସରକାର ଏହା କାହିଁକି କରିବେ ବିନା କୌଣସି ରାଜନୈତିକ ସ୍ବାର୍ଥରେ !ମଧ୍ୟ ପ୍ରାଚ୍ୟଦେଶଗୁଡିକରେ କିଛିଟିକସ ନଥିବାବେଳେ ସେଠା ଫେରନ୍ତା ଜଣେ ଏଠାରେ ବାର୍ଷିକ ୫୦ଲକ୍ଷ ପାଇଲେ ଯଦି ୩୦%ଆୟକର ଦେବ,ସିଏ ଫେରିବାକୁ ଇଛା କରିବ କି?କେବେ ଆଉ ଭାରତୀୟ ନାଗରିକଟିଏ ସବୁ କ୍ଷେତ୍ରରେ,”ବାରଶ ବଢେଈରେ ଦାୟରେ ସାମିଲ ନ ହୋଇ ପୁଅରେ ଦାୟରେ” ସାମିଲ ହୋଇପାରିଵ ?
ଜୟନ୍ତ ପଟ୍ଟନାୟକ