ବୋମାମାଡ଼ରେ ଜଣେ ମୃତ୍ୟୁ:ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ଟି ସ୍ୱତନ୍ତ୍ର ଟିମ ଗଠନ…

ଗୋପାଳପୁର (ସମୃଦ୍ଧ ଓଡିଶା) ଗତ ଶନିବାର ଦିନ ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ଗୁମୁଳା ଗ୍ରାମରେ ଘଟିଥିବା ବୋମାମାଡ ଘଟଣା ପଛରେ ଦୁଇଗୋଷ୍ଠୀ ମଧ୍ୟରେ ଥିବା ପୂର୍ବ ଶତ୍ରୁତା ମୁଖ୍ୟ କାରଣ ରହିଛି ବୋଲି ପୋଲିସ ସ୍ପଷ୍ଟ କରିଛି । ଏହି ଘଟଣାରେ ସଂଶ୍ଲିଷ୍ଟ ୩ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ଧରିବାକୁ ୨ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ବୋଲି ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି । ବୋମାମାଡ଼ରେ ଦଳୁଆ ସାହିର ସୁଶାନ୍ତ ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଆହତ ୨ଜଣଙ୍କୁ ପୋଲିସ ଗୋଟିଏ ଘରୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆହତ ଯୁବକ ହେଲେ ବଡ଼ଗୁମୁଳା ଦଳୁଆ ସାହିର ଶଙ୍କର ପାତ୍ରଙ୍କ ଦୁଇ ପୁଅ ଶ୍ରୀକାନ୍ତ ପାତ୍ର ଓ ସାଗର ପାତ୍ର । ସୂଚନା ମିଳିଛି ଯେ, ଗତ କିଛି ଦିନ ହେଲା ବଡ଼ଗୁମୁଳା ଅଂଚଳରେ ଦୁଇ ଅପରାଧୀ ଗ୍ୟାଙ୍ଗ ମୁଣ୍ଡ ଟେକିଥିବା ବେଳେ ଉଭୟ ବିଭିନ୍ନ ସମୟରେ ନିଜର ସ୍ଥିତିକୁ ଜାହିର କରିବାକୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଆସୁଥିଲା । ଉଭୟ ଗ୍ୟାଙ୍ଗ ମଧ୍ୟରେ ଥିବା ତିକ୍ତତାରୁ ଗତ ଶନିବାର ଦିନ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି । ଅନ୍ୟପଟେ ଏହି ଗ୍ୟାଙ୍ଗର ଟାର୍ଗେଟରେ ଅନ୍ୟ ଏକ ଗ୍ୟାଙ୍ଗର ମୁଖିଆ ଥିବାବେଳେ ଏହି ଗ୍ୟାଙ୍ଗର ସଦସ୍ୟ ସୁଶାନ୍ତ ବଳି ପଡିଥିବା ପୋଲିସ ପରୋକ୍ଷରେ ସ୍ୱୀକାର କରିଛି । ମୃତ ସୁଶାନ୍ତ ସାହୁ ଗତ ଶନିବାର ଦିନ ରାତି ସାଢେ ୮ଟାରେ ଖାଇ ତାଙ୍କ ଘର ନିକଟରେ ଥିବା ଅନ୍ୟ ଜଣଙ୍କ ବାରଣ୍ଡାରେ ଶୋଇବା ଅବସ୍ଥାରେ ମୋବାଇଲରେ କ୍ରିକେଟ ମ୍ୟାଚ ଦେଖୁଥିଲେ । ଏହି ସମୟରେ ସାଗର ପାତ୍ର ଓ ଶ୍ରୀକାନ୍ତ ପାତ୍ର ତାଙ୍କ ନିକଟରେ ଉପସ୍ଥିତି ଥିଲେ । ହଠାତ ଦୁଇ ବାଇକରେ ୪ ଜଣ ମୁଖାପିନ୍ଧା ଦୁବୁର୍ତ୍ତ ସେଠାରେ ପହଂଚି ସୁଶାନ୍ତଙ୍କୁ ଲକ୍ଷ୍ୟ କରି ଦୁଇଟି ବୋମା ଫିଙ୍ଗିଥିଲେ । ପ୍ରଥମ ବୋମା ସୁଶାନ୍ତଙ୍କ ପେଟରେ ବାଜି ଫୁଟିବାରୁ ସୁଶାନ୍ତଙ୍କ ପେଟର ଅନ୍ତବୁଜୁଳା ବାହାରି ପଡିଥିଲା । ଅନ୍ୟ ବୋମା ତାଙ୍କ କାନ୍ଧକୁ ବାଜିଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ନିକଟରେ ଥିବା ଶ୍ରୀକାନ୍ତ ଓ ସାଗରଙ୍କ ଉପରେ ବୋମା ଛିଟିକି ବାଜିବାରୁ ସେମାନେ ଆହତ ହୋଇଥିଲେ । ଏହି ଖବର ପାଇ ସଦର ଏସଡ଼ିପିଓ ଜୟନ୍ତ ମହାପାତ୍ର ଓ ଗୋପାଳପୁର ଥାନା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥଲେ । ପରେ ବ୍ରହ୍ମପୁର ଏସପି ପିନାକ ମିଶ୍ର, ଏଏସପି ପ୍ରଭାତ ରାଉତରାୟ ପ୍ରମୁଖ ପହଞ୍ଚି ବିଭିନ୍ନ ଦିଗରୁ ଖୋଳତାଳ ଆରମ୍ଭ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାମରେ ୨ ସେକସନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଘଟଣା ପରେ ସୁଶାନ୍ତଙ୍କ ବାପା ଲଡୁ ସାହୁଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନଂ ୪୬/୧୯ ରେ ଏକ ହତ୍ୟା ମାମଲା ରୁଜୁ କରିଥିବା ଜଣାଯାଇଛି । ଗତକାଲି ସକାଳେ ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସୁଶାନ୍ତଙ୍କ ରକ୍ତ ଜୁଡୁବୁଡୁ ଶବର ପଞ୍ଚନାମା କରିବା ସହ ବ୍ୟବଚ୍ଛେଦ କରି ହସ୍ତାନ୍ତର କରାଯାଇଛି । ମୃତ ସୁଶାନ୍ତଙ୍କ ଦ୍ୱାରା ବ୍ୟବହୃତ ୨ଟି ମୋବାଇଲ ସମେତ ଆହତ ସାଗର ଓ ଶ୍ରୀକାନ୍ତଙ୍କ ମୋବାଇଲକୁ ମିଶାଇ ମୋଟା ୭ମୋବାଇଲକୁ ପୋଲିସ ଜବତ କରିଛି । ବୋମାମାଡ଼ ଘଟଣାରେ ବ୍ୟବହୃତ ହେଉଥିବା ୨ଟି ବାଇକ ସହ ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ୨ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରି ତଦନ୍ତ ଜାରି ରଖିଛି ବୋଲି ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା