ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ଆଜି ଭଞ୍ଜବିହାରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ଅଭିଭାଷଣରେ ବିଶ୍ୱବିଦ୍ୟାଳୟକୁ ଏକ ଶିକ୍ଷା ଓ ଗବେଷଣାର ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଦିଗରେ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ଚଳିତ ବର୍ଷ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠା ଦିବସରେ ବିଶିଷ୍ଟ ସାରସ୍ୱତ ସାଧକ ଲେଖକ, କବି ପଦ୍ମବିଭୂଷ ଡଃ ସୀତାକାନ୍ତ ମହାପାତ୍ରଙ୍କୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ନେସନାଲ ଆୱାର୍ଡ ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଚକ୍ରପାଣି ଓ ବିଶ୍ୱବିଦ୍ୟାଳୟ କୂଳସଚିବ ରଞ୍ଜନ କୁମାର ବିଶ୍ବାଳ ପ୍ରମୁଖ ଏହି ଆୱାର୍ଡ ପ୍ରଦାନ କରିଥିଲେ । ଏହି ଅବସରରେ ଚଳଚିତ୍ର ନିର୍ଦ୍ଦେଶକ ଶିଶିର ପୁରୁଷୋତ୍ତମ ମିଶ୍ର, ଶିକ୍ଷାବିତ ଡଃ କମ୍ବୁପାଣି ସାମନ୍ତଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଙ୍ଗବସ୍ତ୍ର ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ଦକ୍ଷିଣ ଓଡିଶା ଲୋକ ସାଂସ୍କୃତିକ ସମ୍ମାନରେ ବିଶିଷ୍ଟ ଦାସକାଠିଆ କଳାକାର ଉପେନ୍ଦ୍ର ପାଣିଗ୍ରାହୀ, ପାରଳାଖେମୁଣ୍ଡିର ସିଙ୍ଗ କାରିଗର ତଥା ଶିଳ୍ପୀ କୃଷ୍ଣଚନ୍ଦ୍ର ମହାରଣାଙ୍କୁ ସମ୍ମାନିତ କରାଯାଇ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ରମାନଙ୍କ ମଧ୍ୟରୁ ଏ ଆଇଆଇଏମଏସର ପୂର୍ବତନ ନିର୍ଦ୍ଦେଶକ, ଶିକ୍ଷା ଓ ଗବେଷଣା ଅନୁଷ୍ଠାନର ମୁଖ୍ୟ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଏବଂ ଆଲ୍ଲାହାବାଦ ହରିଶ୍ଚନ୍ଦ୍ର ଇନଷ୍ଟିଚ୍ୟୁଟର ଫିଜିକ୍ସ ବିଭାଗର ବୈଜ୍ଞାନିକ ପ୍ରଫେସର ଅରୁଣ କୁମାର ପତିଙ୍କୁ କୃତୀପ୍ରାକ୍ତନ ଛାତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପାଇଁ ଅବଦାନ ରଖିଥିବା ପ୍ରତିଷ୍ଠାତା ସଦସ୍ୟ ସର୍ବଶ୍ରୀ ବସନ୍ତ କୁମାର ପଣ୍ଡା, ଭଗବାନ ସାହୁ, ସନ୍ତୋଷ କୁମାର ମହାପାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନୀତ କରାଯାଇ ଥିଲା । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର କୃତି ଶିକ୍ଷକ, ଅଧିକାରୀ, ଗବେଷକ, କର୍ମଚାରୀ, କ୍ରୀଡ଼ାବିତଙ୍କ ସମେତ ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା । କୁଳପତି ପ୍ରଫେସର ଚକ୍ରପାଣିଙ୍କ ପୌରହିତ୍ୟରେ ଏବଂ କୂଳସଚିବ ଶ୍ରୀ ବିଶ୍ବାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାରୋହରେ ବିଶ୍ଵବିଦ୍ୟାଳୟର କର୍ମଚାରୀ ଓ ଅଧିକାରୀମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା