ବ୍ରହ୍ମପୁର/ଗୋପାଳପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଯଶସ୍ଵୀ ଭାଷାତତ୍ତ୍ୱବିତ୍ ପ୍ରଜ୍ଞା ପୁରୁଷ ପ୍ରଫେସର୍ କୁଞ୍ଜବିହାରୀ ତ୍ରିପାଠୀ ଯଥାର୍ଥତଃ ଥିଲେ ଜଣେ ଜ୍ଞାନ ତପସ୍ଵୀ ପ୍ରାଜ୍ଞ ଗବେଷକ l ଜ୍ଞାନଗର୍ଭକ ଅଧ୍ୟାପନା ସାଙ୍ଗକୁ ବିଦ୍ୟାଚର୍ଚ୍ଚାର ଗଭୀରତମ ପ୍ରଦେଶକୁ ଯାଇ ଜ୍ଞାନ ଆହରଣ କରିବା ଏବଂ ଜ୍ଞାନର ସର୍ବୋଚ୍ଚ ଶିଖରକୁ ଉନ୍ନୀତ ହେବା ପରେ ପ୍ରଜ୍ଞାର ପ୍ରଜ୍ୟୋତିରେ ସ୍ୱୟଂ ଦେଦୀପ୍ୟମାନ୍ ହେବା ସଂଗେ ସଂଗେ ବିଦ୍ୟାର୍ଥୀମାନଙ୍କୁ ଜ୍ଞାନାଲୋକ ପ୍ରଦାନ କରିବା କୁଞ୍ଜବିହାରୀଙ୍କ ତପନିଷ୍ଠ ଜୀବନର ନିରବଚ୍ଛିନ୍ନ ବ୍ରତ ଥିଲା ବୋଲି ପ୍ରଫେସର୍ କୁଞ୍ଜବିହାରୀ ତ୍ରିପାଠୀ ସ୍ମାରକୀ ବକ୍ତୃତାମାଳାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଭାଷା ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର୍ ବସନ୍ତ କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ l ଆଜି ପୂର୍ବାହ୍ଣରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ପକ୍ଷରୁ ସ୍ନାତକୋତ୍ତର ପରିଷଦ ସଭାକକ୍ଷରେ ଆୟୋଜିତ ‘ପ୍ରବୀଣ ଭାଷାତତ୍ତ୍ୱବିତ୍ ପ୍ରଫେସର୍ କୁଞ୍ଜବିହାରୀ ତ୍ରିପାଠୀ ସ୍ମାରକୀ ବକ୍ତୃତାମାଳାରେ ମୁଖ୍ୟ ଅତିଥି ପ୍ରଫେସର୍ ପଣ୍ଡା ସ୍ମାରକୀ ବକ୍ତୃତା ପ୍ରଦାନ ପୂର୍ବକ କହିଥିଲେ, ପ୍ରଫେସର୍ କୁଞ୍ଜବିହାରୀ ତ୍ରିପାଠୀ ଏକାଧାରରେ ଥିଲେ ଜଣେ ଛାତ୍ର ବତ୍ସଳ ନୀତି ପରାୟଣ ଗୁଣୀ ଅଧ୍ୟାପକ, ସମୟାନୁବର୍ତ୍ତୀ କର୍ତ୍ତବ୍ୟନିଷ୍ଠ ପ୍ରଜ୍ଞାବନ୍ତ ପୁରୁଷ ଓ ସର୍ବୋପରି ମାନବୀୟ ମୂଲ୍ୟବୋଧରେ ଅନୁବ୍ରତୀ ଶୁଦ୍ଧାଚାରୀ ଉଦାର ହୃଦୟର ଆଦର୍ଶ ମଣିଷ l ଓଡ଼ିଆ ଭାଷାର ମୌଳିକ ଗବେଷଣା କ୍ଷେତ୍ରରେ ପଣ୍ଡିତ ଗୋପୀନାଥ ନନ୍ଦଶର୍ମା, ପଣ୍ଡିତ ବିନାୟକ ମିଶ୍ର ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପରେ ପ୍ରଫେସର୍ କୁଞ୍ଜବିହାରୀ ତ୍ରିପାଠୀ ଓଡ଼ିଆ ଭାଷାର ମୂଳ ଉତ୍ସ ଅନ୍ବେଷଣ ଓ ଲିପିର ବିବର୍ତ୍ତନ, ଅଶୀରୁ ଊର୍ଦ୍ଧ୍ଵ ଶିଳାଲେଖର ପାଠୋଦ୍ଧାର କରି ଏହି ଭାଷାର ପ୍ରାଚୀନତା ଓ ପ୍ରମାଣିକତା ପ୍ରତିପାଦନ କରି ଯାଇଛନ୍ତି ବୋଲି ପ୍ରଫେସର୍ ପଣ୍ଡା କହିଥିଲେ l ବକ୍ତୃତାମାଳା କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶ କହିଲେ ଯେ, ବିଶ୍ୱବିଦ୍ୟାଳୟ ତା’ର ପୂର୍ବଜ ପ୍ରାଜ୍ଞ ପ୍ରଫେସରମାନଙ୍କୁ ସମ୍ମାନ ଦେବା ଉଚିତ୍ l ନଚେତ୍ ବିଶ୍ୱବିଦ୍ୟାଳୟର ଗୁଣାତ୍ମକ ଶୈକ୍ଷିକ ଅଭିବୃଦ୍ଧି ହୋଇପାରିବ ନାହିଁ l ପ୍ରଫେସର୍ କୁଞ୍ଜବିହାରୀ ତ୍ରିପାଠୀ ସେହିଭଳି ଜଣେ ନମ୍ର, ଅମାୟିକ, ଉଦାର ହୃଦୟର ପ୍ରଜ୍ଞାଶୀଳ ଗବେଷକ ଓ ଛାତ୍ରବତ୍ସଳ ଆଦର୍ଶ ଶିକ୍ଷାବିତ୍ ଥିଲେ l ବର୍ତ୍ତମାନ ପୀଢ଼ିର ଛାତ୍ରଛାତ୍ରୀମାନେ ସେଭଳି ଗୁରୁଣା° ଗୁରୁଙ୍କ ଆଦର୍ଶ, ଶୃଙ୍ଖଳା, କର୍ତ୍ତବ୍ୟନିଷ୍ଠା ଓ ମହନୀୟ ଗୁଣାବଳୀ ଦ୍ୱାରା ଅନୁପ୍ରାଣିତ ହେବାକୁ କୁଳପତି ପ୍ରଫେସର୍ ଦାଶ ଆହ୍ୱାନ ଜଣାଇଥିଲେ l ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର୍ ପ୍ରସନ୍ନ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବକ୍ତୃତାମାଳାରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର୍ ପ୍ରତାପ କୁମାର ମହାନ୍ତି ବରେଣ୍ୟ ଅତିଥି ରୂପେ ଯୋଗଦେଇ ପ୍ରଫେସର୍ କୁଞ୍ଜବିହାରୀ ତ୍ରିପାଠୀଙ୍କ ଉଚ୍ଚ ଆଦର୍ଶ ଓ ମୂଲ୍ୟବୋଧ ସମ୍ପନ୍ନ ଜୀବନଚର୍ଯ୍ୟାକୁ ଅନୁସରଣ କରିବାକୁ ବିଭାଗୀୟ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିବା ବେଳେ ନିଷ୍ଟ୍ ଅଧ୍ୟକ୍ଷ ତଥା କୁଞ୍ଜବିହାରୀ ତ୍ରିପାଠୀଙ୍କ ସୁପୁତ୍ର ପ୍ରଫେସର୍ ପ୍ରିୟଦର୍ଶୀ ତ୍ରିପାଠୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପିତାଙ୍କ ସହିତ ବିତିଥିବା ଅନେକ ସ୍ମରଣୀୟ ମୁହୂର୍ତ୍ତ, ଅନୁଭୂତି ଓ ସ୍ମୃତି ବର୍ଣ୍ଣନା କରିଥିଲେ l ଏଭଳି ଜଣେ ପିତାଙ୍କ ପୁତ୍ର ଭାବରେ ସେ ବେଶ୍ ଗର୍ବିତ ଓ ଗୌରବାନ୍ବିତ ବୋଲି କହିଥିଲେ l ବିଭାଗ ମୁଖ୍ୟ ପ୍ରଫେସର୍ ସ୍ୱାଇଁ ପ୍ରାରମ୍ଭିକ ସୂଚନା, ସ୍ୱାଗତ ସମ୍ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଏହି ଅବସରରେ ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା l ଏହି ବକ୍ତୃତାମାଳା କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଉପନିର୍ଦ୍ଦେଶକ ଡ. ସୁଶାନ୍ତ ଦାସ, ଶିକ୍ଷାବିତ୍ ପ୍ରଫେସର୍ ମେଜର୍ ରମାରମଣ ପାଢ଼ୀ, ଗବେଷକ ଡ. ଲମ୍ବୋଦର ପାଣିଗ୍ରାହୀ, କଳିଙ୍ଗ ସାହିତ୍ୟ ସମାଜ ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀ, ଡ. କୃଷ୍ଣପ୍ରସାଦ ମହାପାତ୍ର, ଡ. ରାଧାଗୋବିନ୍ଦ ପାଢ଼ୀଙ୍କ ସମେତ ବିଭାଗୀୟ ପ୍ରଫେସର୍ ସଦାନନ୍ଦ ନାୟକ, ସହକାରୀ ପ୍ରଫେସର୍ ଡ. ଦେବୀପ୍ରସାଦ ଶତପଥୀ, ଛାତ୍ରଛାତ୍ରୀ, ବିଶ୍ୱବିଦ୍ୟାଳୟର ଅନ୍ୟ ବିଭାଗୀୟ ପ୍ରଫେସର୍, ବ୍ରହ୍ମପୁର ସହରର ଭାଷା-ସାହିତ୍ୟ ଅନୁରାଗୀ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ l ଶେଷରେ ବିଭାଗୀୟ ସହକାରୀ ପ୍ରଫେସର୍ ସମୀର ଭୋଇ ଆନୁଷ୍ଠାନିକ ଭାବେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଗବେଷକ ସୁଶାନ୍ତ ଜେନା, ରୋହିତ ବାରିକ, ଅନୁଜ ବେହେରା, କୁନା ଜେନା, ଆର୍ଯ୍ୟରଶ୍ମି ଦଳାଇ, ଧ୍ରୁବ ସେଠୀ, ସୁମିତ୍ରା ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା