ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମର କୌଣସି ନିୟମକୁ ଉଲ୍ଲଘଂନ କରୁଥିବା ବ୍ୟକ୍ତି ବର୍ତ୍ତମାନ ସାବଧାନ ହୋଇଯାଆନ୍ତୁ । କାରଣ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମର କର୍ତ୍ତୃପକ୍ଷ ନିୟମ ଖିଲାଫକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ କାର୍ଯ୍ୟ ଆରମ୍ଭ କରିଛନ୍ତି । ରାସ୍ତାଘାଟରେ ଘର ତିଆରି କରିବା ପାଇଁ କିଛି ସାମଗ୍ରୀ ରଖି ରାସ୍ତା ଅବରୋଧ କରି ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ରାସ୍ତା କଡରେ ପରିସ୍ରା କଲେ ମଧ୍ୟ ଦିଆଯିବ ଦଣ୍ଡ । ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଘଟିଛି ବ୍ରହ୍ମପୁର ସହରରେ । ଟାଟାବେଞ୍ଚ ଛକ ନିକଟ କାମାସ ଇନ ହୋଟେଲ ସମ୍ମୁଖରେ ଜଣେ ବ୍ୟକ୍ତି ନିଜ ଘର ନିର୍ମାଣ କରିବା ପାଇଁ ଗୋଡି, ବାଲି ଆଣି ରାସ୍ତା ଉପରେ ରଖିଥିଲେ । ଏନେଇ କେହି ଜଣେ ବ୍ୟକ୍ତି ଏହାକୁ ନେଇ ନିଗମ କମିଶନରଙ୍କୁ ଜଣାଇବା ପରେ ତୁରନ୍ତ ସେହି ସ୍ଥାନରେ ବିଏମସି ଏନଫୋର୍ସମେଣ୍ଟ ଟିମ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଦଶ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଏଣୁ ଏଭଳି କାର୍ଯ୍ୟରୁ ସମସ୍ତେ ନିରୁତ୍ତ ରହିବା ସହିତ ଯଦି କେହି ଏଭଳି କରୁଥାଏ ତେବେ ବିଏମସି କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ମଧ୍ୟ ନିଗମ ପକ୍ଷରୁ ନିବେଦନ କରାଯାଇଛି । ବିଏମସିର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସହରବାସୀ ବେଶ ଖୁସି ହୋଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା