ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତାରେ ଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ବିଜେପି, ଭାରତୀୟ ଜାତୀୟ କଂଗ୍ରେସ ଓ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କ ମଧ୍ୟରୁ କିଏ ବାହାର ଅଞ୍ଚଳ ଲୋକ ଏହା ନେଇ ଜନସାଧାରଣଙ୍କ ଜିଜ୍ଞାସା ଲାଗିରହିଛି । ବିଜେପିର ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍ସିପାତ୍ର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜୟନଗର ଗଡ଼ର ଲୋକ । ଜନ୍ମଭୂମି ଗଞ୍ଜାମ-କର୍ମଭୂମି ସମଗ୍ର ଓଡିଶା ବୋଲି ସୂଚାଇ ଶ୍ରୀ ବକ୍ସିପାତ୍ର ଅବିଭକ୍ତ ଗଞ୍ଜାମରେ ତାଙ୍କର ଆତ୍ମୀୟ, ସ୍ୱଜନ, ସମ୍ପର୍କୀୟ ରହିଥିବା କହିଛନ୍ତି । ପାରଳାଖେମୁଣ୍ଡିରେ ତାଙ୍କ ମାମୁଁ ଘର ଓ ବାପାଙ୍କ ଜନ୍ମସ୍ଥାନ । ସେଠାରେ ଏତେ ସମ୍ପର୍କୀୟ ରହିଥିବାରୁ ବକ୍ସି ସାହି ମଧ୍ୟ ରହିଛି । ଉତ୍କଳ ସମ୍ମିଳନୀ ଓ ଉତ୍କଳ ଆଶ୍ରମ ସହିତ ବକ୍ସିପାତ୍ର ପରିବାରର ଦୀର୍ଘ ଦିନର ସମ୍ପର୍କ ଓ ନିବିଡ଼ତା ଇତିହାସ ପୃଷ୍ଠା ଓ କେତେକ ଫଳକ ରେ ଲିପିବଦ୍ଧ ରହିଛି । ଏହି ବିଚାରରେ ସେ ସ୍ଥାନୀୟ ନେତା । ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଶ୍ରୀ ଭି. ଚନ୍ଦ୍ରଶେଖର ନାଇଡୁ ଛତ୍ରପୁର ନିକଟ ଆମ୍ବ ଗାଁ ନିବାସୀ । ଛତ୍ରପୁର ଅଞ୍ଚଳ ନାଇଡୁ ପରିବାର ଉଦ୍ୟୋଗ ଓ ବ୍ୟବସାୟ କ୍ଷେତ୍ରରେ ପରିଚିତ । ଏହା ବ୍ୟତୀତ ବ୍ରହ୍ମପୁରର ବିଶିଷ୍ଠ ନାଇଡୁ ଡାକ୍ତର, ସମାଜସେବୀ ସତ୍ୟନାରାୟଣ ରାଓଙ୍କ ସମ୍ପର୍କୀୟ ଭାବେ ପ୍ରାର୍ଥୀ ଶ୍ରୀ ନାଇଡୁ ଜଣେ ସ୍ଥାନୀୟ ଓ ଏହି ମାଟିର ସନ୍ତାନ ବୋଲି ସ୍ୱାଭିମାନ ରଖୁଛନ୍ତି । ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀ ଚନ୍ଦ୍ର ଶେଖର ସାହୁ ଵ୍ରହ୍ମପୁର, ଗଞ୍ଜାମ, ଓଡିଶା ଏବଂ ସମଗ୍ର ଦେଶରେ ଗଞ୍ଜାମ ଜିଲ୍ଲାର ନେତା ଭାବେ ବେଶ ପରିଚିତ । ଏଥି ପୂର୍ବରୁ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ଵ୍ରହ୍ମପୁର ଲୋକସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। । ତେବେ ତାଙ୍କ ପରିଚୟ କଂଗ୍ରେସ ନେତା ଭାବେ ଯେତିକି ଅଛି ବର୍ତ୍ତମାନ ବି ଜେ ଡି ନେତା ଭାବେ ସେତେ ନାହିଁ । ଏପରିକି ବିଜେଡିରେ ଦଳୀୟ କର୍ମୀମାନେ ତାଙ୍କୁ ବାହାର ନେତା ବୋଲି ଚିହ୍ନଟ କରୁଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା