ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରରେ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଆରମ୍ଭ ଅବସରରେ ପୁରୁଣା ବ୍ରହ୍ମପୁର ଅଂଚଳର ପ୍ରତ୍ୟେକଙ୍କ ଘରେ ମାଁଙ୍କ ଦର୍ଶନ ପାଇଁ ବନ୍ଧୁ ବାନ୍ଧବ ଗହଳି ଚହଲି ଲାଗି ରହିଥିବା ବେଳେ ପିଇବା ପାଣିର ଯୋଗାଣ ବନ୍ଦ ରହିଛି । ଗତ ୪ଦିନ ହେଲା ଏପରି ଅବସ୍ଥା ଲାଗି ରହିଛି । ସହରର ଅନ୍ୟାନ୍ୟ ଅଂଚଳରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି । ଆଗାମୀ ଦିନରେ କେଉଁ ପ୍ରକାର ପରିସ୍ଥିତି ହେବ, ତାହା ଏବେ ଠାରୁ ଅନୁମାନ କରିହୁଏ । ଗୋଟିଏ ପଟେ ହୋଟେଲ, ହଷ୍ଟେଲ, ନର୍ସିଂ ହୋମ, ବଡ ବଡ ଆପ୍ଟଟମେଣ୍ଟ, ଗୁଡିକରେ ସରକାରୀ ଗାଡିରେ ଚାେରା ପାଣି ବିକ୍ରୀ ହେଉଛି । ଅନ୍ୟପଟେ ରାତି ଅଧିଆ ଚୋରା ପାଇପ ସଂଯୋଗ ଯୋଗୁଁ ଏଭଳି ସମସ୍ୟା ଦେଖାଯାଉଛି । ଏ ସବୁ ଜନସ୍ୱାସ୍ଥ୍ୟ ନିର୍ବାହୀଯନ୍ତୀଙ୍କ ଅପାରଗତା ଯୋଗୁଁ ହେଉଥିବା ଜଣାଯାଉଛି । ୫୦୦ କୋଟି ବ୍ୟୟରେ ହୋଇଥିବା ଜାନିବିଲି ଜଳ ପ୍ରକଳ୍ପ ଅସଂପୂର୍ଣ୍ଣ ତଥା ଅଧପନ୍ତରିଆରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପରଠାରୁ ବ୍ରହ୍ମପୁର ସହରକୁ ସଂପୂର୍ଣ୍ଣ ରୂପେ ଜଳ ଯୋଗାଣ ହୋଇପାରି ନାହିଁ । ଅନ୍ୟ ପକ୍ଷରେ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ବିଏମସି ଠାରେ ହୋଇଥିବା ବୌଠକରେ ଜଳକଷ୍ଟ ଥିବା ଅଂଚଳକୁ ଟେଙ୍କର ଯୋଗେ ଜଳ ଯୋଗଣ କରାଯିବା ନିଷ୍ପତ୍ତି ଦ୍ୱାରା ବିଭାଗୀୟ ଯନ୍ତ୍ରୀମାନେ ସରକାରୀ ଟେଙ୍କରକୁ ଠିଆ କରାଇ ବେସରକାରୀ ତଥା ଖରାପ ଓ ପାଣି ଭାସୁଥିବା ପ୍ରାୟ ୨୦ ରୁ ୨୫ ଟି ଟେଙ୍କର ନିୟୋଜିତ କରିଛନ୍ତି । ଏହି ବେସରକାରୀ ଟେଙ୍କର ଯୋଗେ ଚୋରା ପାଣି ବିକ୍ରୀ ହୋଉଥିଲେ ମଧ୍ୟ କୌଣସି ଉଚ୍ଚ ପଦସ୍ଥ ଅଧିକାରୀମାନେ କୌଣସି ପଦକ୍ଷେପ ନେବା ତ ଦୂର କଥା, ଓଲଟା ପରୋକ୍ଷରେ କିମ୍ବା ପ୍ରତ୍ୟେକ୍ଷ ଭାବେ ସଂପୂକ୍ତି ଥିବା ଜଣାଯାଏ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା