ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆଜି ଶେଷ ହୋଇଯାଇଛି । ମା’ ତାଙ୍କ ସ୍ଥାଇପିଠକୁ ଫେରିଯାଇଛନ୍ତି । ଏହି ଅବସରରେ ଲକ୍ଷୀଧିକ ଶ୍ରଦ୍ଧାଳୁ ତାଙ୍କ ସହ ପଟୁଆରରେ ସାମିଲ ହୋଇ ମା’ଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ଯାତ୍ରା ଆରମ୍ଭରେ କଲ୍ୟାଣମୟୀ ମା’ଙ୍କୁ ଝିଅ ରୂପରେ ଆହ୍ୱାନ କରି ଅସ୍ଥାୟୀ ପୀଠକୁ ଅଣାଯାଇଥିଲା । ଶେଷ ପର୍ଯ୍ୟାୟରେ ପୁଣି ଥରେ ମା’ଙ୍କୁ ଭବ୍ୟ ପଟୁଆର ସହ ଶାଶୁ ଘର ତଥା ସ୍ଥାୟୀ ପିଠକୁ ଫେରାଇ ନିଆଯାଇଛି । ଯାତ୍ରାର ମୁଖ୍ୟ ପରିଚାଳକ ତଥା ମା’ ବୁଢ଼ୀ ଠାକୁରାଣୀଙ୍କ ବାପା ପି. ଦୁର୍ଗାପ୍ରସାଦ ଦେଶୀ ବେହେରାଙ୍କ ଧର୍ମପତ୍ନୀ ତଥା ମା’ ବୁଢ଼ୀ ଠାକୁରାଣୀଙ୍କ ମା ଦେବକୀ ଦେବୀ ମୁଖ୍ୟ ଘଟରେ ବିରାଜମାନ କରିଥିବା ମା’ଙ୍କୁ ମସ୍ତକରେ ଧାରଣ କରିଥିଲେ ।ଏହାସହ ଅନ୍ୟ ୮ଟି ପାର୍ଶ୍ବ ଘଟକୁ ଦେବାଙ୍ଗ ସମ୍ପ୍ରଦାୟର ମହିଳାମାନେ ମସ୍ତକରେ ଧାରଣ କରି ଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ବିଭିନ୍ନ ବାଦ୍ୟ ବାଜଣାର ଶଦ୍ଦରେ ଅଂଚଳ କମ୍ପି ଉଠିଥିଲା । ଏହି ଅବସରରେ ବିଭିନ୍ନ ସାହିରେ ଦେଇ ମା’ଙ୍କୁ ତାଙ୍କ ସ୍ଥାନକୁ ଫେରାଇ ନିଆଯାଇଥିଲା । ସେହି ସମୟରେ ବିଭିନ୍ନ ଲୋକ ମା’ଙ୍କ ପାଦକୁ ହଳଦୀ ପାଣିରେ ଧୋଇ ପୁଣି ଥରେ ୨ବର୍ଷ ପରେ ତାଙ୍କ ଅସ୍ଥାୟୀ ପିଠକୁ ଆସିବା ପାଇଁ ଗୁହାରି କରିଥିଲେ । ମା’ଙ୍କ ଏହି ଶେଷ ଦିନ ଅବସରରେ ବହୁ ଶ୍ରଦ୍ଧାଳୁ ବାହାରୁ ଏବଂ ଆଖପାଖରୁ ଆସି ବହୁ ସଂଖ୍ୟାରେ ଏହି ଯାତ୍ରାରେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା