ବ୍ରହ୍ମପୁରରେ ବୃକ୍ଷ ସୁରକ୍ଷା ପାଇଁ ଅଣ୍ଟା ଭିଡିଲା ବ୍ରହ୍ମପୁର ସବୁଜ ବାହିନୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୃକ୍ଷ ରୋପଣ କରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପିଲାଟିଏ ଗଛଟିଏ, ସବୁଜ ସୁନ୍ଦର ଆମ ବ୍ରହ୍ମପୁର କାର୍ଯ୍ୟକ୍ରମ କରୁଥିବା ବେଳେ ଅନ୍ୟପଟେ ଉନ୍ନତିକରଣ ନାମରେ ଶତାଧିକ ବୃକ୍ଷ କାଟୁଛି, ବୃକ୍ଷ ସୁରକ୍ଷା କାର୍ଯ୍ୟକ୍ରମ ନାରାରେ ସୀମିତ ଥିବା ମନେ ହେଉଛି । ହରିଡାଖଣ୍ଡି ଠାରୁ ଆମ୍ବ ବଜାର ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣରେ ବଳି ପଡିଛି ଶତାଧିକ ବୃକ୍ଷ । ବ୍ରହ୍ମପୁର ସହରକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡିଥିବା ବ୍ରହ୍ମପୁର ସବୁଜ ବାହିନୀ ଏହାକୁ ବିରୋଧ କରି ପ୍ରଶାସନ ନିକଟରେ ଏହାର ବିକଳ୍ପରେ ଦଶ ପନ୍ଦର ବର୍ଷର ବୃକ୍ଷ ଗୁଡିକୁ ସ୍ଥାନାନ୍ତରିତ କରି ରୋପଣ କରିବାକୁ ପ୍ରସ୍ତାବ ଦେଇଥିଲା ଓ ନିଜସ୍ୱ ଉଦ୍ୟମରେ ସ୍ଵେଚ୍ଛାସେବୀ ମାନଙ୍କୁ ନେଇ କିଛି ବୃକ୍ଷ ମଧ୍ୟ ସ୍ଥାନାନ୍ତରିତ କରିଥିଲା । ପୂର୍ତ୍ତ ବିଭାଗର ସୁପରିଟେଣ୍ଡ ଇଞ୍ଜିନିୟରଙ୍କୁ ଏ ବିଷୟରେ ଦାବି ପ୍ରଦାନ କରାଯାଇଥିଲା । ସେମାନେ ମଧ୍ୟ ସେମାନଙ୍କ କର୍ମଚାରୀ ଓ ଠିକାଦାର ମାନଙ୍କୁ ଯେତେ ଦୂର ସମ୍ଭବ ବୃକ୍ଷ ସ୍ଥାନାନ୍ତରିତ କରିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ ।ବିଡମ୍ବନାର ବିଷୟ ଏହିକି ଯେ ଉପରିସ୍ଥ ଅଧିକାରୀ ନିର୍ଦ୍ଦେଶକୁ ଖୋଲା ଖୋଲି ଅବମାନନା କରି ଜନ ବିରୋଧକୁ ଡରି ରାତାରାତି ବୃକ୍ଷ କାଟୁଛନ୍ତି । ଦୀର୍ଘ ଦିନର ନିରବତା ପରେ ବିଗତ ଦଶ ଦିନରେ ବୃକ୍ଷ କାଟିବା ଲକ୍ଷ୍ୟ କରାଯାଇଛି । ଗତକାଲି ଅନ୍ଧପସରା ରାସ୍ତାରେ ଦଶ ଗୋଟି କଦମ୍ବ, କୃଷ୍ଣ ଚୂଡା, ରାଧା ଚୂଡା ଆଦି ବୃକ୍ଷକୁ ମୂଳରୁ ଉପାଡି ଫିଙ୍ଗିଦେଇଛନ୍ତି । ଯାହାକି ପରିବେଶବିତଙ୍କୁ ଗଭୀର ମର୍ମାହତ କରିଛି । ଅନ୍ୟପକ୍ଷରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଓ.ଡି.ଆର.ପି ଅଧିନରେ ହାଉସିଙ୍ଗ ବୋର୍ଡରୁ ଆମ୍ବବଜାର ନିର୍ମାଣଧିନ ରାସ୍ତାରେ ମଧ୍ୟ ବୃକ୍ଷ କଟା ଚାଲିଛି । ଏଭଳି ଯଦି ଉନ୍ନତି ନାମରେ ବୃକ୍ଷ ଛେଦନ ଚାଲେ ବ୍ରହ୍ମପୁର ସହର କିଛି ବର୍ଷ ମଧ୍ୟରେ ବୃକ୍ଷ ଶୂନ୍ୟ ହୋଇ ଦିଲ୍ଲୀ ଭଳି ପରିସ୍ଥିତି ଉତ୍ପନ୍ନ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ କହିଛନ୍ତି ଯେ ଗତ ବର୍ଷ ୧୮/୦୭/୧୯ରେ ଆମେ ପୂର୍ତ୍ତ ବିଭାଗ ସୁପରିଟେଣ୍ଡକୁ ଦାବି ଜଣାଇଥିଲୁ, ସେ ପଦକ୍ଷେପ ସ୍ୱରୁପ ଚିଠି ସଂଖ୍ୟା ୧୮୯୬-୧୯/୦୭/୧୯ରେ ସମସ୍ତ ବିଭାଗୀୟ ଯନ୍ତ୍ରୀକୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ପୁଣି କିଛି ଦିନ ପରେ ଠିକାଦାର ମାନେ ପୁନର୍ବାର ବୃକ୍ଷ କାଟିବାରୁ ୦୫/୧୧/୧୯ରେ ଦାବି ଜଣାଇଥିଲୁ କିନ୍ତୁ ଆମ ଦାବି ପ୍ରତି ଅଣଦେଖା କରୁଛନ୍ତି । ପୂର୍ବରୁ ହରିଡାଖଣ୍ଡି ଠାରୁ ଅନ୍ଧପସରା ରାସ୍ତାରେ ୬୯ ବୃକ୍ଷ ଥିଲା ବେଳେ ବର୍ତ୍ତମାନ ୪୮ ଏବଂ ହାଉସିଙ୍ଗ ବୋର୍ଡ ଠାରୁ ଆମ୍ବବଜାର ପୂର୍ବରୁ ୭୩ ବୃକ୍ଷ ଥିଲା ବେଳେ ବର୍ତ୍ତମାନ ୫୭ ବୃକ୍ଷ ଅଛି ଅନ୍ୟ ୩୭ ବୃକ୍ଷ ଗୁଡିକୁ ରାତାରାତି କଟାଯାଇଛି । ଗତକାଲି ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ, ମହାତ୍ମା ହ୍ୟାଲ୍ପିଂ ହ୍ୟାଣ୍ଡ ଆଦି ଅନୁଷ୍ଠାନ ପକ୍ଷରୁ କଟାଯାଇ ଥିବା ବୃକ୍ଷ ନିକଟରେ ପ୍ରତିବାଦ କରାଯାଇଥିଲା । ପ୍ରଶାସନ ଓ ଠିକାଦାରର ଏଭଳି ମନମୁଖି କାର୍ଯ୍ୟକୁ ନିନ୍ଦା କରି ଚେତାବନୀ ଦିଆଯାଇଛି ଯେ ଭବିଷ୍ୟତରେ ଏଭଳି କାର୍ଯ୍ୟରୁ ଅନ୍ତର ନହୁଅନ୍ତି ଠିକାଦାରଙ୍କ ବିରୋଧରେ ଏତଲା ଦେବାସହ, ନ୍ୟାସନାଲ ଗ୍ରୀନ ଟ୍ୟୁବନାଲରେ ଅଭିଯୋଗ କରାଯିବ । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ୍.ଦିଲ୍ଲୀପ କୁମାର, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ସଂପାଦକ ବିଜେନ୍ଦ୍ର ମାଝୀ, ମହାତ୍ମା ହ୍ୟାଲ୍ପିଂ ହ୍ୟାଣ୍ଡର ଏମ.ଭେଙ୍କଟ ରାମାଣା, ପରିବେଶବିତ୍ ଶ୍ୟାମସୁନ୍ଦର ଖାଡଙ୍ଗା, ଅରବିନ୍ଦ ଦେଶି ବେହେରା, ଏ.ପ୍ରକାଶ, ସଞ୍ଜୟ ପାତ୍ର, ସତ୍ୟ ନାରାୟଣ ଦାସ, ସୁନିଲ ପାତ୍ର, ପ୍ରସନ୍ନ ସ୍ୱାଇଁ, ସିଲୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନଧି ନିମାଇଁ ଚରଣ ପଣ୍ଡା