ବ୍ରହ୍ମପୁରରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗର ଅହେତୁକ ଅବହେଳାନେଇ ଗଣଆନ୍ଦୋଳନ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏକ୍ସପାଏରୀ ସାଲାଇନ ଦେଇଥିବା ଷ୍ଟାଫ ନର୍ସ ଓ ଏଥିରେ ସଂପୃକ୍ତ ଡାକ୍ତର, କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼  କାର୍ଯ୍ୟାନୁଷ୍ଟାନ ଦାବି କରି ୭୨ ତମ ଘଣ୍ଟଯାତ୍ରା ଓ ଗଣ ଆନ୍ଦୋଳନ କରିଛି ବ୍ରହ୍ମପୁର ମାନବ ଅଧିକାର ସୁରକ୍ଷା ମଞ୍ଚ । ଓଡିଶାର ଏକମାତ୍ର ମୁଖ୍ୟ ଚିକିସାନୁଷ୍ଠାନ ଭାବେ ଏମକେସିଜି ମେଡିକାଲରେ ସମସ୍ତ ଚିକିତ୍ସା ସେବା ଉପଲବ୍ଧ ହେବା ପରିବର୍ତ୍ତେ ଚିକିତ୍ସାଗତ ଅବହେଳା ସାଙ୍ଗକୁ ଏକ୍ସପାଏରୀ ଔଷଧ, ସାଲାଇନ ଦେଇ ରୋଗୀର ଜୀବନ ସହ ଖେଳିବାରେ ମଧ୍ୟ କିଛି ଡାକ୍ତର, ଷ୍ଟାଫ ନର୍ସମାନେ ପଛାଉନାହାନ୍ତି । ରୋଗୀଙ୍କୁ ଖଲ୍ଲିକୋଟ ବ୍ଲକର ବିକ୍ରମପୁର ଗ୍ରାମର ଭବ୍ୟ ରଞ୍ଜନ ସାହୁଙ୍କୁ ଏକ୍ସପାଏରୀ ସାଲାଇନ ଦିଆଯିବାପରେ ଅତିଶୟ ଗୁରୁତର ହୋଇପଡିବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ନିଆଗଲା ଓ ବର୍ତ୍ତମାନ ସୁଦ୍ଧା ଏହି ରୋଗୀ ସଙ୍କଟପନ୍ନ ଅବସ୍ଥାରେ ରହିଛନ୍ତି । ଏହି ଘଟଣା ମେଡିକାଲରେ ରୋଗୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । କିଛି ଡାକ୍ତର ଓ ଷ୍ଟାଫ ନର୍ସଙ୍କ ଏହି ପ୍ରକାରର  ଚରମ ଅବହେଳା ଯୋଗୁଁ ପୂର୍ବରୁ କେତେ ଯେ ଜୀବନ ଅକାଳରେ ଚାଲି ଯାଉଛି ବା ଯାଇଛି ତାର ହିସାବ ନାହିଁ । ବହୁ ଦିନ ହେଲା ଏହି ସ୍ୱାସ୍ଥ୍ୟଗତ ଅବହେଳା ଘଟଣା ଘଟିଯାଉଥିଲେ ବି ଆପଣଙ୍କ ତଦନ୍ତ ବର୍ତ୍ତମାନ ସୁଦ୍ଧା ସରିନଥିବା ଅତ୍ୟନ୍ତ ପରିତାପର ବିଷୟ ହୋଇଛି । ଦୋଷୀଙ୍କୁ ଘଣ୍ଟ ଘୋଡାଇବା ଭଳି ଉଦ୍ୟମ ଉଭୟ ଅଧିକ୍ଷକ ଓ ଅଧ୍ୟକ୍ଷ ଗତ ଦିନମାନଙ୍କରେ ଅନେକଥର ନେଇଥିବା କାର୍ଯ୍ୟରୁ ପ୍ରମାଣ ରହିଛି । ଏଣୁ ଉକ୍ତ ଦିନ କେଉଁ ଷ୍ଟାଫ ନର୍ସ ଓ ଡାକ୍ତର କାର୍ଯ୍ୟରେ ଥିଲେ ଏହି ସାମାନ୍ୟ ତଥ୍ୟଟି ଜାଣିବା ପାଇଁ ବହୁ ଦିନ ବିତି ଯାଇଥିବା ଅତ୍ୟନ୍ତ ନିରାଶର ବିଷୟ ହୋଇଛି । ଏହି ଘଟଣାକୁ ସାଧାରଣ ଜନତା ଖୁବ ଗମ୍ବିରତାର ସହ ନେଇଛନ୍ତି ଓ ତଦନ୍ତ ଉପରେ ଦୃଷ୍ଟି ରଖିଛନ୍ତି । ନ୍ୟାୟ ପୂର୍ବକ ଦୋଷୀ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ଦାବି କରାଯାଇଛି  । ରିପୋର୍ଟ : ନିମାଇଁ ଚରଣ ପଣ୍ଡା