ବ୍ରହ୍ମପୁରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୭୩ତମ ସାଧାରଣତନ୍ତ୍ର ଦିବସ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମରେ ପାଳିତ ହୋଇଯାଇଛି । ଏହି ଜାତୀୟ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆଓ, ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତାଙ୍କର ଅଭିଭାଷଣରେ ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ କୃତଜ୍ଞତା ଜଣାଇଥିଲେ । ସ୍ୱାଧୀନତା ହାସଲ ପାଇଁ ଯେଉଁ ଦେଶ ପ୍ରେମୀ ନିଜର ପ୍ରାଣକୁ ବାଜି ଲଗାଇ ସ୍ୱାଧୀନତା ହାସଲ କରିଥିଲେ ସେହି ଦେଶପ୍ରେମୀଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଗଣତନ୍ତ୍ର ଓ ସାର୍ବଭୌମକୁ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଘୋଷଣା କରାଯାଇଛି । ଆମ ସମ୍ବିଧାନ ଦେଶର ସର୍ବୋଚ୍ଚ ଆଇନ ଓ ଆମେ ଯେ କୌଣସି ଜାତି, ଧର୍ମ, ଲିଙ୍ଗ, ଭାଷା ବସତି ହେଲେ ମଧ୍ୟ ଆମେ ସମସ୍ତେ ଭରତୀୟ । ଆମ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ସଙ୍ଗେ ସଙ୍ଗେ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ଶପଥ ନେବା ଏବଂ ନିଜ ଓ ସମାଜର ଅଭିବୃଦ୍ଧି ପାଇଁ ଚିନ୍ତା କରିବା ଏବଂ ସମସ୍ତଙ୍କ ଭବିଷ୍ୟତ ବିଷୟରେ ଚେଷ୍ଟା କରିବା ଦରକାର ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ । ଏଣୁ ସମସ୍ତେ ଶାନ୍ତିରେ ବସବାସ କରିବା ଓ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଭବିଷ୍ୟତ ଉଜ୍ୱଳମୟ କରିପାରିବା । ଏହି ଉତ୍ସବରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଉପ-ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ୍, ବ୍ରହ୍ମପୁର, ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ର, ବ୍ରହ୍ମପୁର, ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ କୁଳପତି ଡ଼.ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଆଜିର ଏହି ଉତ୍ସବରେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଜନସାଧାରଣଙ୍କୁ ସେବା ଯୋଗାଉଥିବା ଆଗଧାଡିର କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀମାନଙ୍କୁ ମାନପତ୍ର ଓ ସିଲଡ୍ ଦେଇ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସେହି ସ୍ୱାସ୍ଥ୍ୟକର୍ମୀଙ୍କ ନାମ ମିନତୀ ବେହେରା, ହିଞ୍ଜିଲକାଟୁ ବ୍ଲକ, ନଳିନୀ ଡିଗାଲ, ସୋରଡ଼ା ବ୍ଲକ, ପଦ୍ମାଳୟା ଗୌଡ଼, ବେଗୁନିଆପଡା ବ୍ଲକ, ଗେଲମଣି ସାହୁ ଓ ଲକ୍ଷ୍ମୀ ସେଠୀ, ବ୍ରହ୍ମପୁର ମହାନଗର ନିଗମ ଓ ସଫେଇ କର୍ମଚାରୀଙ୍କ ନାମ ପ୍ରଦୀପ କୁମାର ପାରିଚ୍ଛା, ପବିତ୍ର ମଣ୍ଡଳ, ହରି ନାୟଡୁ, ଦିଲୀପ କୁମାର ନାୟକ ଓ ଅଭିନ ଗରୁଡ଼ଙ୍କୁ ସମ୍ମାନିତ କରାଯାଇଥିଲା । ଏହାସହ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅନଲାଇନ ମାଧ୍ୟମରେ ଚିତ୍ରାଙ୍କନ, ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ହୋଇଥିଲା ଏଥିରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ମଧ୍ୟ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହି କୃତି ପ୍ରତିଯୋଗୀଙ୍କ ନାମ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପ୍ରଣୀତ ବେହେରା, ଦ୍ଵିତୀୟ ସ୍ଥାନ କଳ୍ପନା ମହାନ୍ତି ଓ ତୃତୀୟ ସ୍ଥାନ ବିକ୍ରମ ଦାସ, ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଭିଷେକ ସାମନ୍ତରାୟ, ଦ୍ଵିତୀୟ ସ୍ଥାନ ପ୍ରିନ୍ସ ଜେନା ଓ ତୃତୀୟ ସ୍ଥାନ ସାରଥୀ ସାହୁ ଓ କୁଇଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଭିଷେକ ସାମନ୍ତରାୟ, ଦ୍ଵିତୀୟ ସ୍ଥାନ ରବି ଶଙ୍କର ପାଢ଼ୀ ଓ ତୃତୀୟ ସ୍ଥାନ ଓମ ବେହେରାଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଉତ୍ସବରେ ଦିଲ୍ଲୀପ କୁମାର ବେହେରା, ଆର୍.ଆଇ. ଅଫ୍ ପୋଲିସ୍, ବ୍ରହ୍ମପୁର ପ୍ୟାରେଡ଼ ପରିଚାଳନା କରିଥିବା ବେଳେ ନାରାୟଣ ପ୍ରଧାନ, ସେକେଣ୍ଡ କମାଣ୍ଡର ସହଯୋଗ କରିଥିଲେ । ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଗୁଡ଼ିକ ସମ୍ପାଦିତ ହୋଇଥିଲା ଏବଂ ତାଙ୍କ ପରିଚାଳନାରେ ବିଭାଗୀୟ ବରିଷ୍ଠ କର୍ମଚାରୀ ଲୋକନାଥ ଶତପଥୀ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା