୧୯୨୭ ଡିସେମ୍ବର ୧୦,ଗୁରୁବାର ଦିବା ୧୦.୦୦ଘଟିକା,ଜାତିର ପିତା ପରମ ପୂଜ୍ୟ ଗାନ୍ଧିଜୀ ପୁରୀ(ଅଧୁନା ଖୋର୍ଦ୍ଧା)ଜିଲ୍ଲା ଖୋର୍ଦ୍ଧା ସଵଡିଭିଜନ ବୋଲଗଡ଼(ଖୋର୍ଦ୍ଧାଠୁ ନୟାଗଡ ଦିଗରେ ୪୦ କିମି ପରେ)ର ଡ଼ାକବଙ୍ଗଳାରେ ଅବସ୍ଥାନ କରି ସନ୍ନିକଟ ‘ଚୁଡା’ ଗ୍ରାମକୁ ପରିଦର୍ଶନରେ ଯାଇଥିବାବେଳେ ସେଠାରେ ସ୍ବର୍ଗତ ଜନୈକ ଘନ ସ୍ବାଇଁଙ୍କ ଅଗଣାରେ ଅନେକ ମହିଳା ଏକତ୍ର ହୋଇ ଚରଖାରେ ସୂତା କାଟୁଥିବାର ଦେଖି ମୁଗ୍ଧ ହୋଇଯାଇ ଥିଲେ ।ଗାନ୍ଧୀଙ୍କ ସହିତ ଥିଲେ ମୀରା ବେନ(ବ୍ରିଟିଶ ରାଜବଂଶ ଜାତ),ଏଭଳି ସୂତାକଟା ଦେଖି ମୀରା ବେନଙ୍କର ସୂତାକାଟିବାକୁ ଇଛାହେଲା।ଗାନ୍ଧୀଙ୍କ ଆଗ୍ରହକ୍ରମେ ବୋଲଗଡ଼ର ଖଦୀଭବନରୁ ଏକ ଚରଖା ଡ଼ାକବଙ୍ଗଳାକୁ ପଠାଇବାର ବ୍ୟବସ୍ଥାକରାଗଲା । ଉପସ୍ଥିତ ସ୍ବେଛାସେବୀ,ବଳଭଦ୍ର ସାହୁଙ୍କୁ ଏ ଦାୟିତ୍ୱ ଦିଆଗଲା,ଶ୍ରୀ ସାହୁ ଏକ ବଡ଼ଚରଖା (ମାଦଳା ଅରଟ)ମୁଣ୍ଡେଇ ଡ଼ାକବଙ୍ଗଳାକୁ ଚାଲିଲେ।ଗାନ୍ଧୀ ଆସିବାପରେ ବୋଲଗଡ଼ରସର୍ବତ୍ର ବ୍ରିଟିଶ ପୋଲିସ(ସି. ଆଇ.ଡି.ସହିତ)ଖେଳି ଯାଇଥିଲେ,ଶ୍ରୀ ସାହୁ ଚରଖା ମୁଣ୍ଡେଇ ଗଲାବେଳେ ବାଟରେ ଡ଼ାକବଙ୍ଗଳା ପୂର୍ବରୁ ଆମ୍ବତୋଟା ମଧ୍ୟରେ ପ୍ରସ୍ତୁତଥିବା ପୋଲିସ ତାଙ୍କୁଧରି କୋଉ ଆଡେ ଯାଉଛୁ ପଚାରିଲେ ।ଶ୍ରୀସାହୁ ପୋଲିସକୁ ଏକ ଧକ୍କାମାରି କହିଲେ ଯା ଗାନ୍ଧୀଜୀଙ୍କୁ ପଚାରିବୁ ।ସେତିକିରେ ପୋଲିସ(ସ୍ଥାନୀୟ)ର ଅକଲ ଗୁଡୁମ୍, ସେମାନେ ସ୍ଥାନୀୟ ଲୋକ, ସ୍ଥାନୀୟ ଲୋକମାନଙ୍କପ୍ରତି,ସର୍ବୋପରି ସ୍ବାଧୀନତା ଆନ୍ଦୋଳନର ନେତାମାନେ ଓ ମହାତ୍ମା ଗାନ୍ଧୀଙ୍କ ପ୍ରତି କ’ଣ ସେମାନଙ୍କର ଦରଦ/ସମ୍ଭ୍ରମ ନଥିଲା,କ’ଣ କରିବେ,ପେଟପାଟଣା ଲାଗି ବିଦେଶୀ ସରକାରରେ ମୁଣ୍ଡ ବିକିଛନ୍ତି,ତାଙ୍କ କଥା ତ ମାନିବାକୁ ପଡ଼ିବ !ତଥାପି ଗାନ୍ଧିଜୀଙ୍କ ନାଁଶୁଣି ସିଏ ଆଉ କିଛି କହିଲାନି,ଶ୍ରୀ ସାହୁ ଚରଖାଟି ମୁଣ୍ଡେଇ ଡ଼ାକବଙ୍ଗଳାକୁ ଚାଲିଲେ ।ଗାନ୍ଧିଜୀଙ୍କ ପ୍ରଭାବରେ କିପରି ନିର୍ଭୟର ବାତାବରଣ ଖେଳିଯାଇଥିଲା ଏ ଅଞ୍ଚଳରେ ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ,ଏକଥା କହିଥିଲେ ସ୍ୱର୍ଗୀୟ ସ୍ବାଧୀନତା ସଂଗ୍ରାମୀ ଜୟକୃଷ୍ଣ ମିଶ୍ର ତାଙ୍କର ପୂର୍ବକଥା ସ୍ମୁତିଚାରଣରେ । ଉପରୋକ୍ତ ବିଷୟ ବସ୍ତୁଟି,୧୯୨୭ରେ ପୂଜ୍ୟ ବାପୁଜୀଙ୍କର ତିନିଦିନିଆ ବୋଲଗଡ ଗସ୍ତ ସମ୍ବନ୍ଧିତ,ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ ଅବସରରେ ପ୍ରକା ଶିତ ପୁସ୍ତିକାର ଉର୍ଦ୍ଧୁତାଂଶ ।ଏ ସଂକ୍ରାନ୍ତୀୟ ଦସ୍ତାବିଜ ଓଡିଶା ରାଜ୍ୟ ଅଭିଲେଖାଗାରରେ ଉପଲବ୍ଧ ।ତତ୍କାଳୀନ ଗଞ୍ଜାମ(ଆସ୍କା)ର ଅବିସମ୍ବାଦିତ କଂଗ୍ରେସ ନେତା ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଉଦ୍ୟମରେ ବାପୁ ଗଞ୍ଜାମ,ବାଣପୁର ଦେଇ ବୋଲଗଡ଼ରେ ପହଞ୍ଚିଥିଲେ ୧୯୨୭ ଡ଼ିସେମ୍ବର ୯ ତାରିଖ,ବୁଧବାର ସନ୍ଧ୍ୟା ୫ଟାରେ ଏକ କାର ମାଧ୍ୟମରେ । ପ୍ରକାଶ ଥାଉ କି ସ୍ବର୍ଗତ ନିରଞ୍ଜନ ପଟ୍ଟନାୟକ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀ-ବଲ୍ଲଭ ପଟ୍ଟନାୟକଙ୍କ ଶ୍ଵଶୁର ଓ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ପିତା।ଗାନ୍ଧିଜୀଙ୍କ ସହିତ ଆସିଥିଲେ ମହାଦେବ ଦେଶାଇ,ଡଃ କୈଳାସନାଥ କାଟଜୁ,ପ୍ୟାରେଲାଲ,ମୀରା ବେନ୍, ଦୀନବନ୍ଧୁ ଆଣ୍ଡ୍ରୁଜ୍ ପ୍ରଭୃତି ଜାତୀୟସ୍ତରର ନେତୃମଣ୍ଡଳୀ ।ସେମାନେ ପହଞ୍ଚିବା ସମୟରେ ସ୍ଥାନୀୟ ଚରଖା ସଂଘ କାର୍ଯ୍ୟାଳୟଠାରେ ସମବେତ ୮୦ଜଣ ସ୍ଥାନୀୟ ଲୋକ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଗାନ୍ଧୀଙ୍କ ନିକଟକୁ କିମ୍ବା ତାଙ୍କସଭାକୁ ନଯିବାକୁ ଜନସାଧାରଣଙ୍କୁ ସ୍ଥାନୀୟ ପୋଲିସ ଡରାଇଵା ସତ୍ତ୍ୱେ ତତ୍କାଳୀନ ସମୟରେ ଏତେଲୋକ ଜମାହେବା କିଛି କମ୍ କଥା ନୁହେଁ ।ଗାନ୍ଧିଜୀଙ୍କୁ ଜ୍ୱର ହେବାରୁ ସେ ସ୍ଥାନୀୟ ଡ଼ାକବଙ୍ଗଳାରେ ୯,୧୦ ଓ ୧୧ ତିନିଦିନ ରହିଥିଲେ,ତା’ମଧ୍ୟ ସହଜ ନଥିଲା ବ୍ରିଟିଶ ସରକାର ହେତୁରୁ । ପୂର୍ବଵର୍ଣ୍ଣିତ ଚୂଡା ଗ୍ରାମ ପରିଦର୍ଶନସମୟେ ମୁସଲମାନ ବସ୍ତିଦେଇ ଫେରିବାଵେଳେ ମୁସଲିମ ମହିଳାମାନଙ୍କ ସୂତାକଟା ଦେଖି ଗାନ୍ଧିଜୀ ଆନନ୍ଦିତ ହୋଇଥିଲେ । ଏହି ସୂତାକଟା ଚାଲିଥିଲାବେଳେ ହଠାତ୍ ଗୋଟିଏ ଅରଟରୁ ମାଲଟିଏଛିଣ୍ଡିଗଲା,ସେଠାରେ ଉପସ୍ଥିତ ଖଦୀ କର୍ମୀ ସ୍ବର୍ଗତ ବାଇଧର ରାଉତରାୟ ମାଲଟା ଯୋଡ଼ି ତୁରନ୍ତ ଅରଟ ଚଳାଇ ଦେଇଥିଲେ, ଏଥିରେ ଅତ୍ୟନ୍ତ ଖୁସି ହୋଇ ଗାନ୍ଧିଜୀ “ସାବାସ ଲଡକା” କହି ରାଉତରାୟଙ୍କ ପିଠିରେ ହାତମାରି ବାଃ ବାଃ କରିଥିଲେ।ପିତାଙ୍କ ସ୍ମୁତିଚାରଣ କଲାବେଳେ ଏକଥା କହିଥିଲେ ତାଙ୍କ ପୁତ୍ର ସ୍ୱର୍ଗୀୟ ରାଧାଚରଣ ରାଉତରାୟ ।ମୁସଲିମ ମହିଳାଙ୍କ ସୂତାକଟା ଦେଖିବା ଵେଳେ ଜନୈକ ଇସମାଇଲ ଖାଁ,ଗାନ୍ଧିଜୀଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରିବାକୁ ଉଦ୍ୟତ ହେଲାବେଳେ ଗାନ୍ଧିଜୀ ତାହା କରାଇ ନଦେଇ କହିଥିଲେ,”ମୁଁ ଆଲ୍ଲା ନୁହେଁ,ଆଲ୍ଲାଙ୍କ ବ୍ୟତୀତ ମୁସଲମାନ ଆଉ କାହାକୁ ସାଷ୍ଟାଙ୍ଗ ପ୍ରଣିପାତ କରନ୍ତି ନାହିଁ।”ପ୍ରାୟ ୧୦ କିମି ଦୁର ସାନପଦର ଗ୍ରାମରୁ ତାଙ୍କ ପିତାଙ୍କ ସହ ଆସି ଵୋଲଗଡ-ବେଗୁନିଆ ନିର୍ବାଚନ ମଣ୍ଡଳୀର ୫ଥରର ପୂର୍ବତନ ବିଧାୟକ ସ୍ବର୍ଗତ ଗଙ୍ଗାଧର ପାଇକରାୟ,୧୩ ବର୍ଷ ବୟସରେ ବୋଲଗଡ଼ରେ ଗାନ୍ଧିଜୀଙ୍କ ସଭାରେ ଯୋଗ ଦେଇ ଥିଲେ, ଫଳରେ ଗଙ୍ଗାଧର ପରବର୍ତ୍ତୀ ଜୀବନରେ ଜଣେ ନିର୍ଭୀକ, ସାଲିସ୍ ବିହୀନ ଚାଷୀ ମୂଲିଆ ନେତା ହୋଇପାରିଥିଲେ । ସେ ସମୟର ସିଆଇଡି ରିପୋର୍ଟ(ରାଜ୍ୟ ଅଭିଲେଖାଗାରରେ ଉପଲବ୍ଧ)ଅନୁଯାୟୀ ଗାନ୍ଧିଜୀ ଚୂଡା ଗ୍ରାମରୁ ବୋଲଗଡ଼ ଫେରିବାବେଳେ ବୋଲଗଡ଼ ଆମ୍ବତୋଟାରେ ଏକ ମଣ୍ଡପ କରାଯାଇ ୧୦.୧୦ମିନିଟରେ ଏକ ସଭାର ଆୟୋଜନ କରାଯାଇଥିଲା, ସ୍ବର୍ଗତକୃପାସିନ୍ଧୁ ହୋତାଙ୍କ ଅଧ୍ୟକ୍ଷତାରେ,ଯାହା ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ଚାଲିଥିଲା,ସେଠାରେ ଅନୁନ୍ୟ ୩୦୦ଲୋକ ରୁଣ୍ଡ ହୋଇ ଥିଲେ। ଉତ୍ତରରେ ବାପୁଜୀ ସଭାକୁ ସମ୍ବୋଧିତ କରିଥିଲେ ହିନ୍ଦୀରେ,ଯାହା ସ୍ୱର୍ଗୀୟ ରାଜକୃଷ୍ଣ ବୋଷ(ଓଡ଼ିଶାର ପ୍ରଥମ ରାଜନୈତିକ ବନ୍ଦୀ)ଙ୍କ ଦ୍ଵାରା ଓଡ଼ିଆରେ ଅନୁଦିତ ହୋଇଥିଲା।ଏହା ଏକ ଗରୀବ-ଚାଷୀ ଅଞ୍ଚଳ ହୋଇଥିବାରୁ ଏଠାରୁ ମାତ୍ର ଟ୪୧.୭୦ପ.ସଂଗୃହିତ ହୋଇଥିଲା ସ୍ବାଧୀନତା ପାଣ୍ଠି ସକାଶେ।ସଭାପରେ ଗାନ୍ଧିଜୀ ଆଦିବାସୀ-ହରିଜନମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ମଦ(ତାଡି) ନପିଇବା ଓ ମଲାଗୋରୁ ମାଂସ ନଖାଇବାକୁ ପରାମର୍ଶ ଦେଇଥିଲେ ।ଏହି ସମୟରେ କଟକରୁ ଡଃ ଅଟଳ ବିହାରୀ ଆଚାର୍ଯ୍ୟ ନାମକ ଜଣେ ଡ଼ାକ୍ତର ଆସିଥିଲେ ବୋଲଗଡ଼ ବାପୁଜୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସକାଶେ । ବୋଲଗଡ଼ରେ ବାପୁଙ୍କ ରହଣୀ ସମୟରେ,ସ୍ବର୍ଗତ ହାଡୁ ବାରିକ(ବନ୍ଧ ସାହି)ପ୍ରତି ଦିନ ଖିଅର କରି ଦେଉ ଥିଲେ, ଶ୍ରଦ୍ଧାରେ ଗାନ୍ଧିଜୀ ହାଡୁଙ୍କୁ ଏକ ଧୋତି ଓ ଗାମୁଛା ଉପହାର ଦେଇଥିଲେ,ଯାହା ସେ ବହୁଦିନ ପର୍ଯ୍ୟନ୍ତ ସାଇତି ରଖିଥିଲେ ।ପ୍ରତ୍ୟହ ଗାନ୍ଧୀଙ୍କର ଛେଳି କ୍ଷୀର ପିଇଵା ଅଭ୍ୟାସଥିବାରୁ ମାଣିକାଗୋଡା ଗ୍ରାମର ସ୍ବାଧୀନତାସଂଗ୍ରାମୀ ଗୋଲାମ ମୁସ୍ତାଫା ୨ଟି ଦୁଧିଆଳୀ ଛେଳି ଆଣି ବାନ୍ଧିଥିଲେ ଡ଼ାକବଙ୍ଗଳାରେ।ନିକଟସ୍ଥ ଦିବ୍ୟସିଂହପୁର ଶାସନ ପଣ୍ଡିତ ଦାମୋଦର ମିଶ୍ର ଗାନ୍ଧିଜୀଙ୍କରହଣିର ସମସ୍ତ ବ୍ୟବସ୍ଥା ବୁଝୁଥିଲେ।ଗାନ୍ଧିଜୀଙ୍କ ବୋଲଗଡ଼ ରହଣୀ ସମୟରେ ଡ଼ାକବଙ୍ଗଳା ଦାୟୀତ୍ବରେ ଥିବା ସ୍ବେଚ୍ଛାସେବୀଙ୍କର ମୁଖ୍ୟ ଥିଲେ ବୋଲଗଡ଼ ଚୌଧୁରୀ ସାହିର ସ୍ବର୍ଗତ ରାମଚନ୍ଦ୍ର ସାହୁ।ତାଙ୍କୁ ମିଳିଥିବା ବ୍ୟାଚ୍(ହୁଦା) ବହୁଦିନ ପର୍ଯ୍ୟନ୍ତ ସେ ତାଙ୍କ ଦୋକାନରେ ସାଇତି ରଖିଥିଲେ।ଏସବୁ ତଥ୍ୟ ଡଃ ହରେକୃଷ୍ଣ ମହତାବ,୧୯୬୯,ଗାନ୍ଧୀ ଜନ୍ମ ଶତବାର୍ଷିକୀ ଅବସରରେ,”ଗାନ୍ଧିଜୀ ଓ ଓଡ଼ିଶା”ପୁସ୍ତକରେ ଓ ଏହି ଗସ୍ତ ସମୟରେ ତଥ୍ୟ ସଂଗ୍ରହ ନିମନ୍ତେ ‘ସମାଜ’ ତରଫରୁ ନିଯୁକ୍ତ ସମ୍ବାଦଦାତା, ସ୍ବର୍ଗୀୟ ବିନୋଦ କାନୁନଗୋଙ୍କ ସୁପୁତ୍ର ପ୍ରଧ୍ୟାପକ ପାବକ କାନୁନଗୋଙ୍କ ପୁସ୍ତକ”ଓଡ଼ିଶା ଓ ଗାନ୍ଧୀ”ରେ ସନ୍ନିବେଶିତ ।ସେଥିରୁ କିଛି ଉଦ୍ଧୃତାଂଶ:- ଗାନ୍ଧିଜୀ ଓ ଓଡ଼ିଶା(ଡଃ ହରେକୃଷ୍ଣ ମହତାବ,ପୃ-୩୬-୪୧) ଗାନ୍ଧିଜୀଙ୍କ ବକ୍ତବ୍ୟ-“ଆମର ଲଜ୍ଜା ଓ ସେମାନଙ୍କ ଲଜ୍ଜା” ବିଳମ୍ବରେ ଓଡ଼ିଶାକୁ ଆସିଲି,ମାତ୍ର ଏଥରର ଭ୍ରମଣ ଦୁଃଖ ଓ ଲଜ୍ଜାର ପାତ୍ର ପୂର୍ଣ୍ଣ କରିଦେଇଛି।ବୋଲଗଡ଼ରେ ଡିସେମ୍ବର ୧୧ତାରିଖରେ ଦୀନବନ୍ଧୁ ଆଣ୍ଡ୍ରୁଜଙ୍କ ସହବସି କଥା ହେବା ସମୟରେ,ଜଣେ ଆଣ୍ଠୁ ପର୍ଯ୍ୟନ୍ତ ମଇଳା ଲୁଗା ପିନ୍ଧିଥିବା ବ୍ୟକ୍ତି,ଅଣ୍ଟା ନଇଁ ଯାଇଛି, ନଇଁ ନଇଁ ଆମ ଆଗକୁ ଆସିଲା,କୁଟାଖଣ୍ଡିଏ ଉଠାଇ ଦାନ୍ତରେଧରିଲା ଓଃ ଲମ୍ବ ତମ୍ବ ହୋଇ ଗୋଡ଼ ତଳେ ପଡିଗଲା ।ତା’ପରେ ହାତ ଯୋଡ଼ି ପ୍ରଣାମ କଲା,କୁଟା ଖଣ୍ଡକ ମୁହଁରୁ କାଢି ମୁଣ୍ଡରେ ଖୋସିଲା ଏବଂ ଯିବାକୁ ବାହାରିଲା ।ଏ ଦୃଶ୍ୟ ଦେଖୁଥିବାବେଳେ ମୁଁ ଦୁଃଖରେ ଛଟପଟ ହେଉଥାଏ,ସେ ଗଲାପରେ ମୁଁ ଜଣକୁ ଡ଼ାକି ସବୁ ବୁଝାଇ କହିବାକୁ କହିଲି,ସେ ବୁଝାଇ ଦେଲା,ସେ ଜଣେ ଅସ୍ପୃଶ୍ୟ ଲୋକ,୬ମାଇଲ ଦୂରରେ ତା’ର ଘର,ଜାଳେଣୀ କାଠ ବୋଝେ ମୁଣ୍ଡରେ ନେଇ ବୋଲଗଡ଼ ଆସିଥିଲା ବିକିବା ପାଇଁ,ଆପଣ ଆସିଛନ୍ତି ଶୁଣି ଦେଖିବାକୁ ଆସିଥିଲା ।କୁଟା ଖଣ୍ଡକ କାହିଁକି ମୁହଁରେ ଦେଇଥିଲା ପଚାରିବାରୁ ସେ କହିଲା ଆପଣଙ୍କ ପ୍ରତି ସମ୍ମାନ ଦେଖାଇବା ପାଇଁ।ଗାନ୍ଧୀ କହିଲେ,ଲଜ୍ଜାରେ ମୋ ମୁଣ୍ଡ ତଳକୁହୋଇ ଗଲା,ଏପ୍ରକାର ସମ୍ମାନର ମୂଲ୍ୟ ମୋ ପକ୍ଷରେ ସହ୍ୟ କରିବା କଠିନ । ମତେ ହିନ୍ଦୁଭାଵେ ଗଭୀର ଆଘାତ ଲାଗିଲା,ମୁଁ ତାକୁ କିଛି ଦେବାପାଇଁ ମାଗିଲି,ସେ ତା’ର ଅଣ୍ଟାରେ ପଇସା ଖୋଜିଲା ।’ପଇସା ମୁଁ ମାଗୁ ନାହିଁ,ଆଉ କିଛି ଭଲ ଜିନିଷ ମାଗୁଛି।’ସେ କହିଲା ମୁଁ ଦେବି । ମୁଁ ତା ଠାରୁ ଜାଣିଲି ଯେ ସେ ତାଡି ପିଏ ଓ ମଲା ପଶୁଙ୍କ ମାଂସ ଖାଏ, କାରଣ ଏହା ତାଙ୍କ ଜାତିର ପରମ୍ପରା । ବାପୁଜୀ- ମୁଁ ଯାହା ମାଗୁଛି ତାହା ଏହି”କଥା ଦେ,ଦୁନିଆରେ କୌଣସି ଲୋକପାଇଁ କେବେ ମୁହଁରେ ତିରଣ ଧରିବୁ ନାହିଁ,ଏପରି କରିବା ମନୁଷ୍ୟ ପକ୍ଷରେ ସମ୍ମାନ ହାନୀ କାରକ ଆଉ ତାଡି ବା ମଦ ପିଇବୁ ନାହିଁ,ଆଉ କେବେ ମଲା ମାଂସ ଖାଇବୁ ନାହିଁ,କାରଣ ଏହା ହିନ୍ଦୁ ଧର୍ମ ବିରୁଦ୍ଧ,କୌଣସି ସଭ୍ୟ ମଣିଷ ମଲା ଜୀଵର ମାଂସ ଖାଏ ନାହିଁ ।” ବିଚରା କହିଲା-ମୋତେ ଜାତିରୁ ଅଟକ କରିବେ, ମୁଁ ତାଡି ନ ପିଇଲେ, ମଲା ମାଂସ ନ ଖାଇଲେ “ଜାତିରୁ ଅଟକାନ୍ତୁ,ଦରକାର ପଡିଲେ ଗାଁ ଛାଡି ଚାଲିଯିବୁ ।” ଏହି ଦଳିତ ବିଚରା ପ୍ରତିଶ୍ରୁତି ଦେଲା।ଯଦି ସେ ତାର ପ୍ରତିଶ୍ରୁତି ପାଳନ କରେ ତେବେ ମୋ ଦେଶବାସୀ ମୋତେ ଯେଉଁ ଅର୍ଥଦାନ କରୁଛନ୍ତି ତା’ଠାରୁ ସେଦାନ ବେଶୀ ମୂଲ୍ୟବାନ।
ବୋଲଗଡ଼ ଅଞ୍ଚଳରେ ବୁଲିବାକୁ ଯାଇ ମହାଦେବ ଦେଶାଇ ଲେଖିଛନ୍ତି,”ସଵୁ ଆଡେ ଦାରିଦ୍ର୍ୟ ଓ ଭୟର ରାଜତ୍ଵ, ଗାନ୍ଧୀଙ୍କ ସହ ନ ମିଶିବା ପାଇଁ ଲୋକଙ୍କୁ ଭୟଭୀତ କରାଯାଉଛି ରାଜା, ଜମିଦାର, ପୋଲିସ, ପ୍ରଶାସନ ସମସ୍ତେ ଲୋକଙ୍କୁ ଡରାଉଛନ୍ତି ସ୍ବାଧୀନତା ସଂଗ୍ରାମୀଙ୍କ ସହ ନମିଶିବା ପାଇଁ ।ଲୋକଙ୍କ ମନରୁ ଏହି ଭୟ ଦୂର କରିବାପାଇଁ ଗାନ୍ଧିଜୀ ଇଚ୍ଛାପ୍ରକାଶ କରିଥିଲେ, ୩ଦିନ/୩ମାସ ନୁହେଁ, ଏଠାରେ ମୁଁ ୩ଵର୍ଷ ରହନ୍ତି କି,ଲୋକମାନଙ୍କ ମନରୁ ଭୟ ଦୂର କରିପାରନ୍ତି !ବୋଲଗଡ଼ ଛାଡିବାପୂର୍ଵରୁ,୧୨ ତାରିଖ ସକାଳ ୧୦ଟାରେ ଆଶ୍ରମର ଭଉଣୀମାନଙ୍କୁ ଗାନ୍ଧିଜୀ ଲେଖିଥିଲେ,ଏଠି ପିନ୍ଧିବାକୁ ପରିଧାନ ନାହିଁ ବା ଖାଇବାକୁ ଖାଦ୍ୟ ନାହିଁ, ସମସ୍ତେ ଖଣ୍ଡିଏ ହିଁ ବସ୍ତ୍ର ପିନ୍ଧିଥାନ୍ତି ଯାହା ଅଧା ନିମ୍ନଭାଗ ଓ ଅଧା ଉର୍ଦ୍ଧ୍ଵଭାଗ ଘୋଡାଇ ଥାଏ । ଡିସେମ୍ବର ୧୨ତାରିଖରେ ବୋଲଗଡରୁ ବାହାରି ଗାନ୍ଧିଜୀ ବେଗୁନିଆରେ ଏକ ସଭା କରି ଜଟଣୀରୁ ଟ୍ରେନରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ଏହି ବୋଲଗଡ ମାଟିରେ ଜନମିଥିବା ମଣିଷମାନଙ୍କର ନିଶ୍ଚୟ କିଛି ପୂଣ୍ୟ ଅଛି, କାରଣ ଏଠାକୁ ମହାମାନବ, ମହାତ୍ମାଗାନ୍ଧୀ ଆସିଥିଲେ, ଲୌହମାନଵୀ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ମଧ୍ୟ ଆସିଥିଲେ । ପ୍ରମୋଦ ମହାଜନ ମଧ୍ୟ ଆସିଥିଲେ, ପ୍ରଵାଦପୁରୁଷ ବିଜୁପଟ୍ଟନାୟକ, ଜାନକୀ ପଟ୍ଟନାୟକ ତ ସବୁବେଳେ ଆସୁଥିଲେ । ବି.ଦ୍ର.:ଗାନ୍ଧିଜୀଙ୍କ ବୋଲଗଡ଼ ଅବସ୍ଥାନ ସମ୍ପର୍କରେ ଭାରତ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗଦ୍ଵାରା ସଙ୍କଳନ-The Collected works of Mahatma Gandhi,vol.35(Sept.1927-Jan.1928)ଦ୍ରଷ୍ଟବ୍ୟ ।
ଜୟନ୍ତ ପଟ୍ଟନାୟକ — ୯୦୯୦୧୯୦୦୬୯, କପିଳପ୍ରସାଦ, ଭୁବନେଶ୍ୱର ।