ବ୍ଲଡ୍‌ ସୁଗାର୍‌କୁ ନିୟନ୍ତ୍ରଣ କରେ ଧନିଆ ମଞ୍ଜି ଓ ଡାଲଚିନି…

ଡାଇବେଟିସ୍ ଏପରି ଏକ ସ୍ୱାସ୍ଥ୍ୟ ସମସ୍ୟା, ଯାହାକୁ କେବଳ ସନ୍ତୁଳିତ ଓ ନିୟନ୍ତ୍ରିତ ଭୋଜନ ଶୈଳୀ ଏବଂ ଶାରୀରିକ ପରିଶ୍ରମ ଦ୍ୱାରା ଲଗାମ୍‌ ଦିଆଯାଇ ପାରିବ।ଶରୀରର ବ୍ଲଡ୍‌ ସୁଗାର୍‌ ସ୍ତରରେ ସ୍ଥିରତା ରହିଲେ, ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବା ସହଜ ହୋଇଥାଏ।ଡାଇବେଟିସ୍‌ ପୀଡ଼ିତଙ୍କ ଶରୀରର ପାଚନ ତନ୍ତ୍ରରୁ ଆବଶ୍ୟକ ପରିମାଣର ଇନସୁଲିନ୍‌ ନିର୍ଗତ ହେଉ ନଥିବାବେଳେ ନିର୍ଗତ ହେଉଥିବା ଇନସୁଲିନ୍‌କୁ  ଶରୀର ମଧ୍ୟ ସଠିକ୍‌ ଭାବେ ଗ୍ରହଣ କରି ନଥାଏ। ଫଳରେ ଶରୀରରେ ରକ୍ତ ଶର୍କରା ସ୍ତରରେ ଅସ୍ଥିରତା ସୃଷ୍ଟି(ଅସନ୍ତୁଳିତ) ହୋଇଥାଏ।ଆଉ ଶରୀରରେ ଏହି ବ୍ଲଡ୍‌ ସୁଗାର୍‌ର ସ୍ତରକୁ ସ୍ଥିରତା ଦେବାର କ୍ଷମତା ଆମ ଖାଦ୍ୟ ସାମଗ୍ରୀରେ ନିତିଦିନିଆ ବ୍ୟବହୃତ ଧନିଆ ମଞ୍ଜିରେ ରହିଛି। ଧନିଆ ମଞ୍ଜି ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖିଥାଏ।ଧନିଆ ମଞ୍ଜିରେ ପୋଟାସିୟମ୍‌, ଆଇରନ୍‌, ଭିଟାମିନ୍‌ ଏ’, ସି’, କେ’, ଫଲିକ୍‌ ଏସିଡ୍‌, ମ୍ୟାଗ୍ନେସିୟମ୍‌ ଏବଂ କ୍ୟାଲ୍‌ସିୟମ୍‌ ଭଳି ସ୍ୱାସ୍ଥ୍ୟ ଉପଯୋଗୀ ଶକ୍ତିସାର ରହିଛି। ଏହି ସବୁ ସାମଗ୍ରୀ ଦ୍ୱାରା ଶରୀରରେ ରକ୍ତ ଶର୍କରାର ସ୍ତରରେ ସନ୍ତୁଳନ ରକ୍ଷା ହେବା ସହ ଏହା ଡାଇବେଟିସ୍‌କୁ ନିୟନ୍ତ୍ରଣ କରିଥାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଧନିଆ ମଞ୍ଜିକୁ ପାଣିରେ ବତୁରାଇ ଏହି ପାଣି ପିଇବା ଦ୍ୱାରା ଶରୀରରେ ଇନ୍‌ସୁଲିନ୍‌ର ପରିମାଣ ବୃଦ୍ଧି ପାଇଥାଏ। ଧନିଆ ମଞ୍ଜିରେ ଥିବା ତୈଳାଂଶ ଶରୀରର ବ୍ଲଡ୍‌ ସୁଗାର୍‌ ସ୍ତରକୁ ଆବଶ୍ୟକ ଅନୁସାରେ ନିୟନ୍ତ୍ରଣ ରଖେ।

ଧନିଆ ମଞ୍ଜିରୁ ସ୍ୱାସ୍ଥ୍ୟକୁ ମିଳୁଥିବା ଉପକାର:

ଫ୍ଲୋରିଡିଆନ୍‌ ଗବେଷଣା ପ୍ରତିଷ୍ଠାନ ଅନୁଯାୟୀ, ଧନିଆ ମଞ୍ଜି ଡାଇବେଟିସ୍‌ ପୀଡ଼ିତଙ୍କ ରକ୍ତରେ ଗ୍ଲୁକୋଜ୍‌ର ସ୍ତରକୁ ହ୍ରାସ କରିଥାଏ। ଏହା ସହ ଶରୀରକୁ ଆବଶ୍ୟକ ଅନୁସାରେ ଇନ୍‌ସୁଲିନ୍‌ ଯୋଗାଇ ବ୍ଲଡ୍‌ ସୁଗାର୍‌ର ସ୍ତରକୁ ନିୟନ୍ତ୍ରଣରେ ରଖେ।ସେହିଭଳି ୟୁଏସ୍‌ ନ୍ୟାଶନାଲ୍‌ ଲାଇବ୍ରେରୀ ଅଫ୍‌ ମେଡିସିନ୍‌ର ତଥ୍ୟ ଅନୁସାରେ, ଧନିଆ ମଞ୍ଜି ଶରୀରର ପାଚନତନ୍ତ୍ରରୁ ଇନ୍‌ସୁଲିନ୍‌ ନିର୍ଗତ ପ୍ରକ୍ରିୟାକୁ ନିଯନ୍ତ୍ରଣ କରେ।ଧନିଆ ମଞ୍ଜିରେ ଥିବା ଏଥାନଲ୍‌ (ethanol) ଶରୀରର ସିରମ୍‌ ଗ୍ଲୁକୋଜ୍‌ (serum glucose) ବା ରକ୍ତ ଶର୍କରାର ମାତ୍ରା ହ୍ରାସ କରିଥାଏ।ଏହା ସହ ଏହି ଏଥାନଲ୍‌ ପାଚନ ତନ୍ତ୍ରର ଇନ୍‌ସୁଲିନ୍‌ ନିର୍ଗତ କ୍ଷମତା ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ।ଧନିଆ ମଞ୍ଜିର ସଠିକ୍‌ ବ୍ୟବହାର ଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହୋଇଥାଏ ଏବଂ ଏହା ବ୍ଲଡ୍‌ ସୁଗାର୍‌ର ସ୍ତରକୁ ସ୍ଥିର ରଖେ। ଆଉ ହଜମ ଶକ୍ତି ବୃଦ୍ଧି ହେଲେ ଅର୍ଥାତ୍‌ ଶରୀରରେ ଖାଦ୍ୟ ଠିକ୍‌ ଭାବେ ହଜମ ହେବା ଦ୍ୱାରା ଡାଇବେଟିସ୍‌ ମଧ୍ୟ ନିଯନ୍ତ୍ରଣରେ ରହେ।

କେମିତି କରିବେ ଧନିଆ ମଞ୍ଜିର ବ୍ୟବହାର:

ଧନିଆ ମଞ୍ଜିରୁ ଉପକାର ପାଇବାର ସର୍ବୋତ୍କୃଷ୍ଟ ରାସ୍ତା ହେଉଛି, କିଛି ଧନିଆ ମଞ୍ଜି ପୂର୍ବ ରାତିରୁ ପାଣିରେ ବତୁରାଇ ଦିଅନ୍ତୁ। ପର ଦିନ ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ଏହି ଧନିଆ ମଞ୍ଜି ବତୁରା ପାଣିକୁ ପିଅନ୍ତୁ। ଏହି ପାଣି ଶରୀରେରେ ବ୍ଲଡ୍‌ ଗ୍ଲୁକୋଜ୍‌ ସ୍ତରକୁ ସାରା ଦିନ ନିୟନ୍ତ୍ରଣରେ ରଖିଥାଏ। ଏହା ସହ ଏହି ପାଣି ରକ୍ତରେ ଖରାପ କୋଲେଷ୍ଟ୍ରଲ୍‌ର ମାତ୍ରା ହ୍ରାସ କରି ଏଥିରେ ଭଲ କୋଲେଷ୍ଟ୍ରଲ୍‌ ବଢାଇଥାଏ।ଏପରିକି ଘରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀରେ ଧନିଆ ମଞ୍ଜିର ପରିମାଣକୁ ବଢାଇ ଆପଣ ଏହାର ଫାଇଦା ମଧ୍ୟ ନେଇପାରିବେ।ତେବେ ଡାଇବେଟିସ୍‌ ରୋଗୀ ଔଷଧ ଖାଉଥିଲେ, ନିୟମିତ ଧନିଆ ମଞ୍ଜି ସେବନ କରିବା ପୂର୍ବରୁ ଡାକ୍ତରଙ୍କ ସହ ଆବଶ୍ୟକ ପରାମର୍ଶ କରିବା ଜରୁରୀ।

ଆମ ନିତିଦିନିଆ ଖାଦ୍ୟ ପ୍ରସ୍ତୁତିରେ ଡାଲଚିନି ଏକ ବହୁଳ ବ୍ୟବହୃତ ମସଲା। ସାଧାରଣତଃ ଖାଦ୍ୟକୁ ସ୍ୱାଦିଷ୍ଟ ଓ ସୁଗନ୍ଧଯୁକ୍ତ କରୁଥିବା ଏହି ମସଲା ସାମଗ୍ରୀରେ ପ୍ରଚୂର ଔଷଧୀୟ ଗୁଣ ରହିଛି।  ବହୁ ପାରମ୍ପରିକ ଔଷଧୀୟ ସାମଗ୍ରୀ ଓ ଖାଦ୍ୟ ସଂରକ୍ଷଣରେ ଡାଲଚିନିକୁ ମଧ୍ୟ ବ୍ୟବହାର କରାଯାଇଥାଏ।ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଡାଲଚିନି ଶରୀରରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଥିବା ରକ୍ତ ଶର୍କରାକୁ ହ୍ରାସ କରି ଡାଇବେଟିସ୍‌କୁ ନିୟନ୍ତ୍ରଣ କରିଥାଏ। ଡାଇବେଟିସ୍ ଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସହ ଏହା ଅନ୍ୟ ରୋଗ ଉପଶମରେ ମହୌଷଧୀ ଭଳି କାମ କରିଥାଏ।ଡାଲଚିନିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ସ୍‌ ଶରୀରର ଅକ୍ସିଡେଟିଭ୍ ସ୍ଟ୍ରେଶ୍‌(oxidative stress)କୁ ହ୍ରାସ କରିବା ସହ  ବିଭିନ୍ନ ରୋଗର ଆଶଙ୍କାକୁ ମଧ୍ୟ ଦୂର କରିଥାଏ।ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି, ଡାଲଚିନିରେ ଶରୀରର ବ୍ଲଡ୍‌ ସୁଗାର୍‌ ସ୍ତର ଓ ଇନସୁଲିନ୍‌ର ମାତ୍ରାକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି।

ଡାଇବେଟିସ୍‌କୁ ଏହିପରି ନିୟନ୍ତ୍ରଣ କରେ ଡାଲଚିନି:

ଡାଲଚିନିରେ ଥିବା ପ୍ରଚୂର ମାତ୍ରାର ଆଣ୍ଟିଅକ୍ସିଡାଣ୍ଟ୍‌ସ୍, ଟାଇପ୍‌-୨ ଡାଇବେଟିସ୍‌ ଭଳି ଶରୀରର ବିଭିନ୍ନ ଦୀର୍ଘ ମିଆଦୀ ରୋଗର ପ୍ରମୁଖ କାରଣ କୁହାଯାଉଥିବା ଅକ୍ସିଡେଟିଭ୍‌ ସ୍ଟ୍ରେଶ୍‌କୁ ହ୍ରାସ କରିଥାଏ।ସାଧାରଣତଃ ଡାଇବେଟିସ୍‌ ରୋଗୀଙ୍କ ପାଚନ ତନ୍ତ୍ରରୁ ଶରୀରର ଆବଶ୍ୟକତା ଅନୁସାରେ ଇନ୍‌ସୁଲିନ୍‌ ନିର୍ଗତ କ୍ଷମତା ହ୍ରାସ ପାଇଥାଏ। ଯେତିକି ବି ଇନ୍‌ସୁଲିନ୍‌ ବାହାରିଥାଏ, ଶରୀରର ବିଭିନ୍ନ ସେଲ୍‌ ସେହି ଇନ୍‌ସୁଲିନ୍‌କୁ ଠିକ୍‌ ଭାବେ ଗ୍ରହଣ କରିପାରନ୍ତି ନାହିଁ। ଏଥିଯୋଗୁ ବ୍ଲଡ୍‌ ସୁଗାର୍‌ ସ୍ତରରେ ସ୍ଥିରତା ରହେ ନାହିଁ। ଡାଲଚିନି ଖାଇବା ମାତ୍ରେ ହିଁ ଏହା ଶରୀରର ଇନ୍‌ସୁଲିନ୍‌ ପରିଚାଳନା କ୍ଷମତାକୁ ବୃଦ୍ଧି କରିଥାଏ।ଖାଦ୍ୟ ପରେ କିଛି ଡାଲଚିନି ଖାଇଲେ, ହଜମ ପ୍ରକ୍ରିୟା ସହଜ ହେବା ସହ ଖାଲିପେଟ ଯୋଗୁ ସୃଷ୍ଟି ହେଉଥିବା ସମସ୍ୟା ଦୂର ହୁଏ। ଡାଇବେଟିସ୍‌ଜନିତ ଅନ୍ୟାନ୍ୟ ରୋଗରୁ ଏହା ଶରୀରକୁ ସୁରକ୍ଷା ଦିଏ।ଦିନକୁ ଅନ୍ତତଃପକ୍ଷେ ମାତ୍ର ୨ଗ୍ରାମ୍‌ ଡାଲଚିନି ନିୟମିତ ୧୨ସପ୍ତାହ ଯାଏ ଖାଇବା ଦ୍ୱାରା ଉଭୟ systolic ଏବଂ diastolic ରକ୍ତଚାପରୁ ଆରୋଗ୍ୟ ମିଳେ। ଏହା ହୃଦ୍‌ରୋଗରୁ ମଧ୍ୟ ସୁରକ୍ଷା ଦେଇଥାଏ।

ଡାଇବେଟିସ୍‌ ନିଯନ୍ତ୍ରଣ ପାଇଁ ଡାଲଚିନି କେମିତି ବ୍ୟବହାର କରିବେ:

ଡାଲଚିନିରୁ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍କୃଷ୍ଟ ଫାଇଦା ପାଇବାକୁ ହେଲେ, ଏକ ଗ୍ଲାସ୍‌ ପାଣିରେ କିଛି ଡାଲ୍‌ଚିନି(ଏକ ଛୋଟ ଅଂଶ) ବତୁରାଇ ରାତିରେ ରଖି ଦିଅନ୍ତୁ। ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ଏହି ଗ୍ଲାସ୍‌ ପାଣିକୁ ପିଅନ୍ତୁ। ଏହା ସହ ଆପଣଙ୍କ ଖାଦ୍ୟ ଓ ପାନୀୟରେ ଡାଲଚିନି ଗୁଣ୍ଡକୁ ବ୍ୟବହାର କରନ୍ତୁ।ତେବେ ସାବଧାନ, ଆବଶ୍ୟକରୁ ଅଧିକ ମାତ୍ରାର ଡାଲଚିନି ଖାଇଲେ, ଲିଭର୍‌ ଓ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ତେଣୁ ନିୟମିତ ଖାଦ୍ୟ ତାଲିକାରେ ଡାଲଚିନିକୁ ସ୍ଥାନ ଦେବା ପୂର୍ବରୁ ଜଣେ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ନେବା ଉଚିତ୍‌।