ଭକ୍ତାଧୀନ କାଳିଆ ଠାକୁର। ଭକ୍ତର ହୃଦୟକୁ ସେ ଅତି ନିକଟରେ ପରଖି ନେଇଥାଏ।ମାଟି ପାଣି ପବନ ପରିବେଶ ମଧ୍ୟରେ ବିଭିନ୍ନ ଜାତି ସମ୍ପ୍ରଦାୟ, ବର୍ଣ୍ଣ ଭାଷା ରେ ସେ ଆଦୌ ବାଛ ବିଚାର କରେ ନାହିଁ। ଭାବରେ ସେ ବିମୋହିତ ଏଣୁ ସେ ଭାବର ଠାକୁର। ମଣିଷ ଦେହ ଧରି ନାହିଁ କିନ୍ତୁ ମାନବୀୟ ଲୀଳା ଖେଳା ରେ ସେ ପୁରା ମଜ୍ଜି ହୋଇ ରହିଛି। ବିଭିନ୍ନ ସମୟରେ ବିଭିନ୍ନ ଅନାଥ ଲୋକଙ୍କ ପାଖରେ ଠିଆ ହୋଇ ଆସିଛି। ମହାପ୍ରଭୁ କଳାଶ୍ରୀମୁଖ ହେ କାଳିଆ ସାଆନ୍ତ ଜୟ ଜଗନ୍ନାଥ ଙ୍କୁ ନିଜର ଅତି ଆପଣାର କରି ନିଏ ଭକ୍ତିରେ।ଅନ୍ତରର କଥା ଜାଣି ପାରେ ଏଣୁ ସେ ଅନ୍ତର୍ଯ୍ୟାମୀ ପରମ ବ୍ରହ୍ମ ନାରାୟଣ। ଶ୍ରୀକ୍ଷେତ୍ରରେ ମହାପ୍ରଭୂ ବିଜେ କରିଛନ୍ତି ପରମ ବ୍ରହ୍ମ ଜଗତର ନାଥ ରୂପେ। ଯାହାର ଭକ୍ତି ଯେଡେ ତାହାର ପ୍ରଭୁ ସେଡେ ହିସାବରେ ଉଭା ହୋଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ଅଗଣିତ ଭକ୍ତମାନଙ୍କ ଗହଣରେ ନିଜକୁ ସମର୍ପିତ କରି ଗଜାନନ ବେଶ ରେ ସଜ୍ଜିତ ହୋଇ ସୁଦୂର ଦେଶ ରୁ ପଦବ୍ରଜରେ ଚାଲି ଚାଲି ଆସିଥିବା ଭକ୍ତ ପ୍ରବରକୁ ତା ହୃଦୟ ଯନ୍ତ୍ରଣା ଉପଶମ ନିମନ୍ତେ ଦର୍ଶନ ଦେଇଥିଲେ। ଜନ୍ମବାସର ବା ଦେବସ୍ନାନ ବା ଜଳାଭିଷେକ ଯାତ୍ରା ରେ ନିଜେ ରତ୍ନ ମଣ୍ଡପ ରୁ ଚାଲି ଆସନ୍ତି।ନିଜର ପ୍ରତିନିଧି ମଦନମୋହନ ଙ୍କୁ ଏହି ଯାତ୍ରା ରେ ନ ପଠାଇ ଭକ୍ତ ଜନଙ୍କୁ ଦର୍ଶନ ଦେବାକୁ ଚାଲି ଆସନ୍ତି ଜ୍ୟେଷ୍ଠ ପୂର୍ଣ୍ଣିମା ରୁ ଓ ମହାସ୍ନାନ ପରେ ଆଉ ରତ୍ନବେଦୀ କୁ ନ ଫେରି ଅନବସରରେ ଅଣସର ଚକଡାରେ ଗୋଟିଏ ପକ୍ଷ ରହି ପୁଣି ଉଭା ଅମାବାସ୍ୟା ନେତ୍ରୋତ୍ସବ ଓ ନବଯୌବନ ବେଶ ରେ ଦର୍ଶନ ଦେଇ ଶ୍ରୀଗୁଣ୍ଡିଚା ଯାତ୍ରା ରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଦିନ ବିତାଇବାକୁ ବଡ଼ଦେଉଳକୁ ତ୍ୟାଗ କରି ବଡଦାଣ୍ଡ କୁ ଚାଲି ଆସନ୍ତି। ଏଣୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ହୃଦୟ ରୁ ବାହାରି ଆସିଥିଲା ” ସ୍ନାନ ଗୁଣ୍ଡିଚା ଏ ବେନି ସ୍ବୟଂ ଲୀଳା ଯାର, ପତିତପାବନ ଅତିବ ପ୍ରସାଦୁ ବାହାର।” ମାଁ ଲକ୍ଷ୍ମୀ ଠାକୁରାଣୀ ଋକ୍ମିଣୀ ଦେବୀଙ୍କ ରୂପେ ପରିଚିତ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ବିବାହ ଶେଷ ହେଉ ହେଉ ହିଁ ପତିତପାବନ ଯାତ୍ରା ନିମନ୍ତେ ରତ୍ନବେଦୀ ରୁ ଓହ୍ଲାଇ ଆସନ୍ତି। ସ୍ନାନ ଯାତ୍ରା ରେ ଶୀତଳା ଠାକୁରାଣୀ ଙ୍କ ସମ୍ମୁଖରେ ରହିଥିବା ସୁନା କୁଅରୁ ୧୦୮ କଳସ ଜଳରେ ସ୍ନାନ କରନ୍ତି।କେବଳ ମାନବ ନୁହନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସର୍ବାଙ୍ଗ ଦର୍ଶିତ କଳେବରକୁ ଦେଖି ନଥାନ୍ତି ବରଂ ଦେବ ଗନ୍ଧର୍ବ କିନ୍ନର ଚରାଚର ବ୍ରହ୍ମାଣ୍ଡ ର ସମସ୍ତେ ଦର୍ଶନ କରିଥାନ୍ତି ସ୍ନାନ ବିଧି ସମୟରେ।ଏହି ଦିବ୍ଯ ଦର୍ଶନ କରିବା ପାଇଁ ଏ ସୁଯୋଗ ହାତ ଛଡ଼ା ଜୀବନ କାଳ ମଧ୍ୟରେ ନ କରିବା ପାଇଁ ସୁଦୂର ରୁ ଗାଣପତ୍ଯ ଭକ୍ତ ଗଣପତି ଭଟ୍ଟ ବ୍ରାହ୍ମଣ ଶ୍ରୀକ୍ଷେତ୍ରରେ ପହଞ୍ଚି ଯାଇଥିଲେ। ହେଲେ ସ୍ନାନ ବେଦୀରେ ନିଜ ଆରାଧ୍ୟ ଦେବତା ଗଜାନନ ଙ୍କୁ ନ ଦେଖି ହତୋତ୍ସାହିତ ହୋଇ ଯାଇଥିଲେ।ଭକ୍ତର ହୃଦୟକୁ ଚିହ୍ନି ପାରିଲେ ଭକ୍ତ ବତ୍ସଳ କାଳିଆ ଠାକୁର। ଏଣୁ ସ୍ନାନ ପରେ ସନ୍ଧ୍ୟାରେ ଗଜାନନ ବେଶ ଧାରଣ କରିଥିଲେ ଯାହା ଗଣପତି ଭଟ୍ଟ ଭକ୍ତ ଙ୍କ ମନ ସନ୍ତୋଷ ରେ ଭରି ଯାଇଥିଲା।ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କଲେଣି ଚତୁର୍ଦ୍ଧାମୂର୍ତ୍ତି । ଦଇତାପତି ସେବାୟତ ମାନେ ଠାକୁରଙ୍କୁ ଧାଡି ପହଣ୍ଡିରେ ବିଜେ କରାଇଛନ୍ତି ସ୍ନାନ ମଣ୍ଡପରେ । ସ୍ନାନ ମଣ୍ଡପରେ ବିଜେ ହେବା ପରେ ଯଥାବିଧି ପୂଜାର୍ଚ୍ଚନା ମଧ୍ୟ କରାଯାଉଛି । ନିୟମ ଅନୁସାରେ ଠାକୁରଙ୍କ ପହଣ୍ଡି ବିଜେ ପରେ ମହାସ୍ନାନ କରାଯାଇଥାଏ । ତେବେ ଏହି ଜଳ ଗୋଟିଏ ବର୍ଷ ପୂର୍ବରୁ ଗଚ୍ଛିତ ହୋଇ ରଖାଯାଇଥାଏ । କୁହାଯାଏ ଏହି ଜଳ ଯେଉଁ ସ୍ଥାନରୁ ଆସିଥାଏ ତାହାର ନାମ ସୁନା କୂଅ । ତେବେ ଏହିଠାରୁ ହିଁ ଠାକୁରଙ୍କ ଲାଗି ପାଣି ଯାଇଥାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ଦିନ ଗଜାନନ ବେଶରେ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାଦ୍ଦୀରେ ମରାଠା ମହାଗାଣପତ୍ୟ ସଂପ୍ରଦାୟର ବ୍ରାହ୍ମଣ ପଣ୍ଡିତ ଶ୍ରୀ ଗଣପତି ଭଟ୍ଟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ । ସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେ ଦର୍ଶନ କଲେ ସତ ,ହେଲେ ତାଙ୍କ ମନ ବୁଝିଲା ନହିଁ । ମନେ ମନେ ସେ କହିଥିଲେ ମୁଁ ମୋର ଆରାଧ୍ୟ ଦେବତାଙ୍କ ବେଶରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲି । ହେଲେ ତାହା ହେଲା ନାହିଁ । କାରଣ ସେ ମହାପ୍ରଭୁଙ୍କୁ ଗଣପତି ବେଶରେ ଦେଖିବାକୁ ଚାହୁଁଥିଲେ । ଦୁଃଖରେ ଫେରିଯାଉଥିବା ବେଳେ ଶୂନ୍ୟବାଣୀ ହେଲା । ଏବଂ ପରେ ସେହି ଦିନଠାରୁ ହିଁ ମହାପ୍ରଭୁ ଜଗନ୍ନାଥ କୃଷ୍ଣ ଗଣପତି ରୂପରେ ଓ ପ୍ରଭୁ ବଳଭଦ୍ର ଧବଳ ଗଣପତି ରୂପରେ ଦର୍ଶନ ଦେଇଥିଲେ । ସେହି ଦିନଠାରୁ ଶ୍ରୀ ଗଣପତି ଭଟ୍ଟଙ୍କ ‘ ଗଣପତି ବେଶ’ ସ୍ମାରକୀ ସ୍ୱରୂପ ଏହି ବେଶ ହୋଇଆସୁଛି । ମହାସ୍ନାନ ହେବା ପରେ ଠାକୁରଙ୍କ ପାଖରେ ଭୋଗ ହୋଇଥାଏ । ଏହାପରେ ଦର୍ଶନ ପାଇଁ ସର୍ବସାଧାରଣଙ୍କ ଧାଡି ଲାଗିଲା । ଏହି ସମୟରେ ମହାପ୍ରଭୁ ଙ୍କ ପ୍ରଥମ ସେବକ ଠାକୁର ରାଜା ଗଜପତି ଦିବ୍ୟସିଂହ ଦେବ ଛେରା ପହଁରା କରିଥିଲେ।କି ସୁନ୍ଦର ଏ ଦିବ୍ଯ ଦର୍ଶନ।କି ସୁନ୍ଦର ମହାପ୍ରଭୁ କଳାଶ୍ରୀମୁଖ ଙ୍କ ଲୀଳା ଖେଳା। କେତେବେଳେ କଳାବାମନ ସୁନାବେଶ ରେ ତ କେତେବେଳେ ବିଭିନ୍ନ ବେଶରେ ସଜ୍ଜିତ ହୋଇ ଦର୍ଶନ ଦିଅନ୍ତି। ହାତୀ ବେଶରେ ସଜ୍ଜିତ ହୋଇ ଉଭା ହୋଇଛନ୍ତି ବ୍ରାହ୍ମାଣ୍ଡ ଠାକୁର।
ଉପସ୍ଥାପନା : ଦାମୋଦର ପାଢ଼ୀ ଅବସରପ୍ରାପ୍ତ ଡିପିଆରଓ