ଏକଦମ କିଛି ନ କହିବାର ନିଷ୍ପତ୍ତି ନେଇଥିବା ଶୁଚିସ୍ମିତା କେଜାଣି କାହିଁକି ଅଭିଜିତ ପ୍ରଧାନ ପାଖରେ ‘ଡିସ କୋଭାରୀ ଅଫ ଇଣ୍ଡିଆ’ ପରି ପାଖରେ ଖୋଲି ହୋଇଗଲା ନିଜେ ବି ବୁଝି ପାରିଲାନି। ଖାଲି ଖୋଲି ଗଲାନି ତ ପ୍ରଗଳ୍ଭ ଭାବେ ନିଜ ଅନ୍ତରଙ୍ଗ ଗୋପନ କୁ ଏମିତି ଉପସ୍ଥାପନ କରିଥିଲା ଯେମିତି ଏକ ଚିରସ୍ରୋତା ନଦୀ ତା ଗତି ପଥରେ କୌଣସି ପାହାଡ଼ର ପ୍ରତିବନ୍ଧକ ନ ପାଇ ସମତଳ ଶର୍ଯ୍ୟାରେ ବହି ଗଲା ପରି। ଆଉ ଜଳପ୍ରପାତ ତଳକୁ ଲମ୍ଫ ଦେଲା ପରି ଆଗକୁ କଅଣ ହେବ ନ ଭାବି।
ଜଳପ୍ରପାତ କୁ ଡେଇଁଲା ବେଳେ ହିଁ ନଦୀ ର ଦିହରୁ ଅଗ୍ନୀ ସ୍ଫୁଲିଙ୍ଗ ବାହାରିବା ପରି ବାହାରୁଥିଲା ସ୍ଫୁଲିଙ୍ଗ ଶୁଚିସ୍ମିତା ଦେହରୁ । ଚିନ୍ତା ନ ଥିଲା କିଏ କିଏ ସେ ଜଳପ୍ରପାତ ରୁ କିଏ ନେବ ବିଦ୍ୟୁତ ଶକ୍ତି ବା କିଏ ହାରିବ ଜୀବନ ସେ ଅଥଳ ଭଉଁରୀ ରେ । ଠିକ ସେମିତି ଶୁଚିସ୍ମିତା ଗପି ଚାଲିଥିଲା ତା ଅତୀତ, ଅତୀତ ସହ ବର୍ତ୍ତମାନ, ବର୍ତ୍ତମାନ କେମିତି ଯୋଡିବ ଭବିଷ୍ୟତ। ଗୁପ୍ତ ଶୁପ୍ତ ଅବଲୁପ୍ତ ଅସହ୍ୟ ଯନ୍ତ୍ରଣାର ଇତିକଥା। ଆଉ ଅଭିଜିତ ଶୁଣୁଥିଲା ଜଣେ ତୃଷାର୍ତ୍ତ ମରୁଭୂମି ରେ ଜଳର ସନ୍ଧାନ ପାଇଲା ପରି ।
ଅଭିଜିତ ଭଲଭାବେ ଜାଣିଥିଲା ଏ ସବୁ ତା ଜୀବନ ପରିଚର୍ଯ୍ୟା ରେ କୌଣସି କାମରେ ଆସିବନି ।ଶୁଚିସ୍ମିତା ବି ଜାଣିଥିଲା ଏବେ ଏ ସବୁ ରୋମନ୍ଥନ ନିର୍ଘାତ ଅପରାଧ।ତଥାପି କହୁଥିଲା ଅଭିଜିତ ଶୁଣୁଥିଲା କଥାକୁ ଆଦୌ ମଝିରେ ଅନ୍ତରାୟ ନ କରି। ଅନ୍ତତଃ କେହି ଜଣେ ତ ଅନ୍ତରର ବୋଝକୁ ତା ଆଗରେ ସଚ୍ଚା ବନ୍ଧୁଟେ ଭାବି ପ୍ରକାଶ କରି ଆଶ୍ୱସ୍ଥ ହୋଇଯାଉ ଅଭିପ୍ରାୟ ନେଇ।
ଶୁଚିସ୍ମିତା କହି ଚାଲିଥିଲା ପ୍ରଥମ ପୋଷ୍ଟିଂ, ପ୍ରଥମ ପ୍ରେମ, ପ୍ରଥମ ଶୀହିରଣ ନିଖୁଣ ଅନୁଭୂତି ର କଥା , ପୁଣି ବିଫଳତା ର କାହାଣୀ।
ପ୍ରଥମ ପ୍ରତ୍ୟାଖାନ କୁ ସାଦରେ ଗ୍ରହଣ କରିବାର ସାମର୍ଥ୍ୟ ଯୋଗାଡ଼ କରିବା କେତେ କଷ୍ଟକର
ବିବେକ ତାଡନା ପରିସ୍ଥିତିର ଚାପରେ ଉପାୟଶୂନ୍ୟ ଭାବରେ।
ନିପଟ ମଫସଲ ଗାଆଁର ଝିଅ ଟା ସହର ର ଚାକଚକ୍ୟ ସହ ସିନା ତାଳ ମିଳାଇ ଚାଲିପାରି ନ ଥିଲା ହେଲେ କ୍ୟାରିୟର ଠିକ ରଖିଥିଲା । ପ୍ରତ୍ୟେକ ଟି ସୋପାନରେ ଫାର୍ଷ୍ଟ କ୍ଳାସ ପାଇଥିବା ଶୁଚିସ୍ମିତା ର ପ୍ରଥମ ପୋଷ୍ଟିଂ ଶିମିଳିପାଳ ପାଦଦେଶ କୁ ଲାଗିଥିବା ଡାକବଙ୍ଗଳା ସ୍କୁଲରେ ।ବିଦ୍ୟାଳୟ ଟିରେ କାନ୍ଥ ନ ଥିଲେ କି ହେଲା ଶିମିଳିପାଳ ର ମଜଭୁତ କାଠରେ ତିଆରି ଟେବୁଲ ଚେୟାର ର ଅଭାବ ନ ଥିଲା।ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପରିବେଶରେ ବିମୋହିତ ହୋଇଥିଲା। ହଠାତ ଶୁଚିସ୍ମିତା କୁ ଲାଗିଲା ଶକୁନ୍ତଳା ର ବାଟବଣା ହେବାର କାରଣ ଦୁଷ୍ମନ୍ତ ନ ଥିଲେ ,ଥିଲା ଏ ଜଙ୍ଗଲୀ ସଭ୍ୟତା ।ବିଶ୍ଵାମିତ୍ର ଏଇ ପାଇଁ କିବା ବାଟ ଭୁଲି ଭାଙ୍ଗିଥିଲେ ତପସ୍ୟା , ପଡ଼ିଥିଲେ ମେନକା ପ୍ରେମରେ ।କେଜାଣି ହୋଇଥିବ , ଶୁଚିସ୍ମିତା କୁ ତ ଏଇଆ ହିଁ ଲାଗୁଥିଲା।
ଗାଁ ର ମନୋରମ ପରିବେଶ, ଗ୍ରାମ୍ୟଲଳନା ଙ୍କ ମନ ଏତିକି କମନୀୟ ଥିଲା ଯେତିକି ରେ ଓଦା ଥିଲେ ମାଟିକୁ ବିଭିନ୍ନ ଆକୃତି ଦେଇହୁଏ,ସେତିକି ଓଦା ହୃଦୟ , ମନ ଟେ ଥିଲା ସଭିଙ୍କ ଭିତରେ। ବର୍ଷା, ଖରା, ବସନ୍ତ,ଶରତ ଗାଁରେ ହିଁ ଅନୁଭବ କରିହୁଏ। ସହରରେ ତ ରୂତୁ ହିଁ ମୋଟେ ଜଣା ପଡେନି। ଅଭିଜିତ ଅବାକ୍ ହୋଇ ଶୁଣୁଥିଲା ଇଏ କି ସେଇ ଶୁଚିସ୍ମିତା ଯିଏ ବନ୍ଧୁ ମେଳରେ ବି ଅଧିକ କଥା ହୋଇ ପାରେନା , ଆଜି କୁଆଡୁ ଆସିଛି ଏତେ ସାହସ।
ଇଏ ସେଇ ଶୁଚିସ୍ମିତା ଯାହାକୁ ଅନେକ ଜାଗାରେ ଅଭିଯୋଗ ଆସିଛି ପାଠ ପଢାଇବା ବେଳେ ଆଦୌ ପଛ ବେଞ୍ଚ ପିଲା ଶୁଣି ପାରନ୍ତିନି। ଆଉ ହସି ହସି ଶୁଚିସ୍ମିତା କଥାଟାକୁ ହାଲୁକା ଭାବେ ଗ୍ରହଣ କରି କହିଦିଏ ଯାହାର ମୋ ପାଠ ଶୁଣିବାକୁ ମନ ଥିବା ସେ ନୀରବ ରହିବ ।ମଝିରେ ଆଦୌ ପ୍ରତିରୋଧ ନ କରି ଶୁଣୁଥିଲା ଅଭିଜିତ।
ସେଇଦିନ ହିଁ ତା ଜୀବନର ଗୋଟେ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା ଯୋଉଦିନ ସ୍ୱୟଂ କୁ ଅତି ପାଖରୁ ଏକ ଲଘୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଚିହ୍ନା ହେଲା।ତାପରେ ଅନେକବାର ଚାହିଁଛି ପଚାରନ୍ତା କି ପ୍ରଶ୍ନ । ପ୍ରଶ୍ନ ଆଳରେ ଆସନ୍ତା କି ପାଖକୁ।ସେଇଆହିଁ ହେଲା ।ପ୍ରଥମ ପରିଚୟ ତା ରୂପ ନେଲା ପରେ ପରେ ପ୍ରେମରେ। ପ୍ରତି ଟି ପ୍ରଶ୍ନର ଉତ୍ତର ଖୋଜିବାରେ ବିତି ଯାଉଥିଲା ଅନେକ ସମୟ, ଟିଭି,ରେଡ଼ିଓ, ମୋବାଇଲ, ଲ୍ୟାପ୍ଟପ ନ ଥିବା ସ୍ଥାନରେ ସେଇଟାହିଁ ଥିଲା ଏକାନ୍ତ ଆମୋଦର ପ୍ରସଙ୍ଗ। ବେଳେ ବେଳେ ଜଙ୍ଗଲୀ ପକ୍ଷୀ ଙ୍କ ଡାକ ସହ ଆଦୌ ଅଭ୍ୟସ୍ତ ନ ଥିବା ଶୁଚିସ୍ମିତା ବିମୋହିତ ହୋଇ ପଡ଼ିଥିଲା । ନିଜେ ନୂଆ ନୂଆ ପ୍ରେମ ରେ ପଡିଥିବା ଯୋଗୁ ଲାଗୁଥିଲା ଏ ଆଉ କୌଣସି ପୁରୁଷ ପକ୍ଷୀ ଟିକୁ ଆବାହନ ନୁହଁ ତ? କିନ୍ତୁ ସତକୁ ସତ ବହୁବାର ସେ ଲକ୍ଷ୍ୟ କରିଛି ମାଈ ପକ୍ଷୀ ଟି ଡାକିବାର କିଛି କ୍ଷଣ ପରେ ପାଖ ମହୁଲ ଗଛରୁ ଅଣ୍ଡିରା ପକ୍ଷୀ ଟିର ପାଖକୁ ଉଡ଼ିଆସି ଏକା ଡାଳରେ ବସି ଥଣ୍ଟ ଘଷିବାର ଦୃଶ୍ୟ।
ଭାବପ୍ରବଣ ହୋଇ ଭାବେ ଏ ଆଉ ସ୍ୱୟଂ ନୁହଁ ତ।
ହେଃ ତାର ଏମିତି ଭାବିବା ନିହାତି ଅମୂଳକ। ଏଯାଏ ସେ ସ୍ୱୟଂ ର ମନର ଉଦ୍ଦେଶ୍ୟ ବୁଝି ନ ଥିବା ବେଳେ ଏମିତି ଚିନ୍ତା ମନକୁ ଆଣିବା ଅମୂଳକ ନୁହଁ କି?
ସେ ଅଂଚଳର ଲଳନା ମାନେ ଆଦୌ ତା କଥା ବୁଝି ପାରନ୍ତିନି। କି ସେ ମଧ୍ୟ ତାଙ୍କ ହସ ଖୁସି ରେ ସାମିଲ ହୋଇ କିଛି ମନ୍ତବ୍ୟ ରଖି ପାରେନା। ହେଲେ ସମସ୍ତେ ଖୁବ ଭଲ ପାଉଥିଲେ କେହି ଜଣେ ସାହସ କରି ତାଙ୍କ ଅଞ୍ଚଳକୁ ଆସିଛି ତାଙ୍କ ପିଲାଛୁଆ ଙ୍କୁ ପାଠ ପଢେଇବ, ଆଲୋକର ବର୍ତ୍ତିକା ଦେଖାଇବ। ଏ ଯାଏ ତାଙ୍କ ପିଲା ସ୍କୁଲ କଅଣ ଜାଣିନାହାନ୍ତି। ସକାଳ କଟେ ମହୁଲ ଗୋଟାଇବାରେ ଦିନ କଟେ ଡାଳ ମାକୁଡିରେ ,କାଠ ,ଛତୁ, ବଣୁଆ ଆଳୁ,ଫଳ ଗୋଟାଇବାରେ, ସନ୍ଧ୍ୟା କଟେ ଡିବିରି ଆଲୁଅରେ ବିଛଣାରେ। ପ୍ରଥମ ସ୍କୁଲ ପ୍ରଥମ ଦିଦି । ତେଣୁ ଦିଦି ଙ୍କୁ ପାଇ ସକାଳ ସନ୍ଧ୍ୟା, ରାତି କେହିବେଳେ ପାଖରୁ ଅନ୍ତର କରିବାକୁ ଚାହୁଁ ନ ଥିଲେ। ମୋଟାମୋଟି ସେ ଅଞ୍ଚଳ ଖୁବ ପ୍ରିୟ ଥିଲେ ଦିଦି ,ଯଦି ଚ ଅଧିକାଂଶ କଥା ଖାଲି ହାତ ଠାରଠୁର ରେ ବୁଝୁଥିଲେ ।ତା ପାଇଁ ବି ପରିଶ୍ରମ କରିବାକୁ ପଡୁଥିଲା ।
ଯୁବତୀ ମାନଙ୍କର ବେଶଭୁଷା ଚମକି ଉଠେ ଶୁଚିସ୍ମିତା, ସୁଠାମ ଗଠନ ଅଥଚ ସମସ୍ତେ ଅର୍ଦ୍ଧ ଉଲଗ୍ନ, ତାହା ସେମାନଙ୍କ ପାଇଁ ଆଦୌ ଆଲୋଚନା ର ବିଷୟ ନୁହଁ। ଅନେକବାର ନଇଁ ପଡି ମହୁଲ ଗୋଟାଇଲା ବେଳେ ,ମହୁଲ ଖଳା ରେ ସେ ଦେଖିଛି ନୂଆ କରି ଫୁଟି ଉଠିଥିବା ଖୋଲା ଯୌବନ , ଯାହା ଅନେକ ସହରୀ ଫିଲିମ ନିର୍ମାତାଙ୍କ ଡକୁମେଣ୍ଟାରୀ ଫିଲ୍ମ ର ମୁଖ୍ୟ ବିଷୟ ହୋଇ ପାରନ୍ତା। ତିନିଭାଗ ଦେହର ଭୌଗଳିକ ସ୍ଥିତି ଦେଖାଇବା ପରେ ବି ସେମାନେ ହସ ରେ ଫାଟି ପଡୁଥାନ୍ତି ପରବା ନ ଥାଏ। ସେମାନଙ୍କୁ ବୁଝାଇବାକୁ ଶୁଚିସ୍ମିତା ପାଖେ ଆଦୌ ବୋଧଗମ୍ୟ ଭାଷା ନ ଥାଏ।
ପ୍ରେମ ତାଙ୍କ ପାଖେ ଖୁବ ଖୋଲା ନିବେଦନ ,ନିଛୁକ ଆଦିମ ।ଯାହା ସେ ମଦ ରାନ୍ଧିବା ଶାଳା ରେ ଅନେକବାର ଲକ୍ଷ୍ୟ କରିଛି। ଗାଁ ସରପଞ୍ଚର ଯୁବତୀ ମାନଙ୍କ ସହ ହସଖୁସି ହାତଧରା ଧରା ଧରି ହୋଇ ମୁକ୍ତ ପ୍ରାଙ୍ଗଣ ରେ ନାଚ ଦେଖିଲେ ହିଁ ଶୁଚିସ୍ମିତା ମଧ୍ୟରେ ଏକ ଆଦିମତା ଉଙ୍କି ମାରୁଥିଲା ,ଏଇ ବୋଧେ ଜୀବନ,ଜୀବନକୁ ଉପଭୋଗ କରିବାର ଶୈଳୀ ୟାଙ୍କଠୁ ହିଁ ସହରୀ ମାନବ ଶିଖିବା ଉଚିତ।
ନିଜକୁ ଯେତେବେଳେ ନେଇ ଥୋଇ ଦେଉଥିଲା ସେଇ ନିପଟ ଜଙ୍ଗଲୀ ସଭ୍ୟତାର ଯୁବତୀ ବେଶରେ , ସ୍ୱୟଂ କୁ ମନେ ମନେ ସେଇବେଳେ ହିଁ ବେଶୀ ଖୋଜୁଥିଲା ,ଲାଗୁଥିଲା ଆସନ୍ତାକି ସ୍ୱୟଂ ଏକ ଗାଉଁଲି ଯୁବକ ଭାବରେ ।ଛାଡି ଦିଅନ୍ତା ସହରୀ ଆଦବ କାଇଦା ,ମିଶି ଯାଆନ୍ତା ପ୍ରକୃତି ସହ ଏକାକାର ହୋଇ କିଛି କ୍ଷଣ ପାଇଁ ,ହାତ ଧରା ଧରି ହୋଇ ନାଚନ୍ତା। କିଛି କ୍ଷଣ ପାଇଁ ସହରୀ ରକ୍ଷଣଶୀଳ ବାତାବରଣ କଥା ମନେ ପକାଇ ଶୁଚିସ୍ମିତା ଅଣନିଃଶ୍ଵାସୀ ହୋଇ ଉଠୁଥିଲା। ମଦରନ୍ଧା ଠାରୁ ତାଙ୍କ ଖୋଲା ଅଗଣାରେ ସମସ୍ତେ ମଦ ମାଂସ ଖାଇବା ଦିନ ହିଁ ବେଶୀ କଷ୍ଟ ପାଉଥିଲା ଶୁଚିସ୍ମିତା ।କବାଟ କିଳି ରହୁଥିଲା ଯୋଉ ବେଳେ କି ସ୍ୱୟଂ ବେଶୀ ମନେ ପଡୁଥିଲା ।ଦୋହରାଇ ଦୋହରାଇ ସେ ଭାବେ ସ୍ୱୟଂ କଥା; ଯେତିକି ନ ଭାବିବା କଥା ।
ଅନେକବାର ସେ ଆସିଛି,ଗଛ,ପାହାଡ଼,ଝରଣା, ପ୍ରାକୃତିକ ଦୃଶ୍ୟ ର ଫୋଟ ତୋଳିଛି କିନ୍ତୁ କେବେ ସାହସ କରି ସେ ଅଂଚଳ ର ଲଳନା ଙ୍କ ଫୋଟ ଉଠାଇବାକୁ ସାହସ କରିନି ଶୁଚିସ୍ମିତା ଆଗରେ। ପରନ୍ତୁ ଶୁନ୍ୟତାର ବୋଝ, ଅବୁଝା ଭାଷାର କ୍ଳିଷ୍ଟତା, ନୀରବତା ଝଡ଼, ପକ୍ଷୀ ସାଙ୍କେତିକ ଭାଷାର ଇଙ୍ଗିତ, ସୂର୍ଯ୍ୟାସ୍ତ, ସୂର୍ଯ୍ୟ ଉଦୟ ,ରାତି ରେ ଜଙ୍ଗଲୀ ପକ୍ଷୀ ଙ୍କ କାନ୍ଦଣା ଏମିତି ଅନେକ ଗମ୍ଭୀର ପ୍ରସଙ୍ଗ ଉପରେ ଢେର ବେଳ ଯାଏ ଚର୍ଯ୍ୟା ହୋଇଛି ରୋଷେଇବାସ ବନ୍ଦ କରି, ପରେ ପରେ ମୁଢି ଖାଇ ସେଦିନ କଟାଇବାକୁ ପଡିଛି। ଏମିତି ବିତି ଯାଇଛି ପରିଚୟ ପର୍ବ ରେ ଦୁଇ ତିନି ମାସ।ଆଉ ଅସଲ ଉଦ୍ଦେଶ୍ୟ ଉଙ୍କି ମାରିଛି ଗଳ୍ପ କବିତା ମାଧ୍ୟମରେ ।
ତାକୁ ଆଦୌ କବିତା ଆସେନି। ତେଣୁ ଅଧେ ପ୍ରଶ୍ନ ବୁଝି ପାରେନି, ପଚାରି ହେଉଥାଏ ।ଶୁଚିସ୍ମିତା ହସେ ତା ର ଆବୁଝାପନ ଦେଖି। ହେଲେ ସେଇ ଆବୁଝାପଣ ହିଁ
ତା ସାରା ଜୀବନର ବୋଝ ହୋଇଗଲା ।
କିନ୍ତୁ କେଇମାସ ର ଚାରା ଗଛ ଟା ଆଦୌ ଆତ୍ମ ପ୍ରକାଶ କରିବା ପୂର୍ବରୁ ବଞ୍ଚିଛି କି ନାଁ ଉଠାଇ ଦେଖିବାକୁ ପଡିଲା ।କାନ୍ଥ ର କାଁ, ପବନର ସ୍ୱର କଥା ତାକୁ ନେଇ ପହଞ୍ଚାଇ ଦେଲା ବାପା ଙ୍କୁ କାନ ରେ। ନିଷ୍ଠା ଆଦର୍ଶ ର ପ୍ରତିମୂର୍ତ୍ତି ବାପା ଅଣନିଃଶ୍ଵାସୀ ହୋଇ ପହଞ୍ଚିଗଲେ ସିଧା ସ୍କୁଲ ପାଖକୁ, ଡାକିଲେ ନିକାନ୍ତ ରେ ଭଡା ଘରକୁ। ପଚାରିଲେ ମା,’ମୁଁ ଯାହା ଶୁଣିଛି କଅଣ ସତ’ ହଡ଼ବଡେଇ ଗଲା ଶୁଚି ହଠାତ ଏ ପ୍ରଶ୍ନରେ ।ବାପା ତେବେ କେତେ ଦୂର ପର୍ଯ୍ୟନ୍ତ ଶୁଣିଛନ୍ତି ନ ଜାଣି କାହିଁକି ସେ ଆଗୁଆ ତା ଅନ୍ତର ଗୁହ୍ୟ ର ସତ ଉକାଳିବ। ବାପା କହିଲେ ତୁ କଅଣ ସେଇ ଅଳ୍ପ ପାଠୁଆ ,ବେକାର, ମଦ୍ୟପ ର ପୁଅ କୁ ବାଛିଛୁ ତୋ ଜୀବନସାଥୀ ଭାବରେ ।ଏତେ କଥା ବାପା ଜାଣିଥିବା ବେଳେ ଆଦୌ କିଛି ତା ବିଷୟରେ ଜାଣି ନ ଥିବା ଝିଅ ଟେ କଅଣ ବା ଜୀବନ ବିଷୟରେ ନିଷ୍ପତ୍ତି ନେବ ।
ଏଇ ନୂଆ ନୂଆ ଛିଡା ହୋଇଥିବା ଏକ ଝିଅ ପୁଣି ବିଂଶ ଶତାବ୍ଦୀର ବହୁ ପୁର୍ବରୁ ଯେତେବେଳେ କି ଝିଅ ମାନେ ସମ୍ପୂର୍ଣ୍ଣ ନିର୍ଭର କରୁଥିଲେ ବାପାମା’ ଙ୍କ ନିଷ୍ପତ୍ତି ଉପରେ , ଏତେ ବଡ଼ ନିଷ୍ପତ୍ତି ନେବା ଆଦୌ ସହଜ କଥା ନ ଥିଲା ।ଖୁବ ସାବଧାନତା ସହ ବାପାଙ୍କୁ ବିଦାୟ ଦେଇଥିଲା । କିନ୍ତୁ ନିଜେ ଏକ ଅଭାବନୀୟ ପରିସ୍ଥିତି କୁ କେମିତି ସାମ୍ନା କରିବ ତା ପାଇଁ ବଳ ସଞ୍ଚୟ ଭାବି ହେଉଥିଲା ।
ଭାବନାର ମୋଡ଼ ବଦଳି ଗଲା। ଭାବୁଥିଲା ଭଲ ଟା ପାଇବ , ଭଲ ପାଇବା ରେ ବିବାହ ତ ଶେଷ ଠିକଣା କେବେ ନୁହଁ। ବାହା ହେଲେ ଭଲ ପାଇବା ଟା ନିହାତି ଲୋଡ଼ା, କିନ୍ତୁ ଭଲ ପାଇଲେ ବିବାହ ନିହାତି ଜରୁରୀ ଏକଥା ତ କୋଉଠି ନାହିଁ।
ସବୁ ଚିନ୍ତାର ପୂର୍ଣ୍ଣଛେଦ ପଡିଗଲା ଗୋଟିଏ ଘଟଣାରେ।
ସେଇଦିନ ହିଁ ସ୍ୱୟଂ ଆସିଥିଲା ବିବାହ କରିବାର ପ୍ରଶ୍ନ ନେଇ,କାରଣ ତା ଜେଜେମା ଖୁବ ଶୀଘ୍ର ବିବାହ ଚାହୁଁଥିଲେ ।ନାତି ବୋହୁ ଟେ ମରିବା ପୂର୍ବରୁ ଦେଖି ମାରିବେ ଶେଷ ଇଚ୍ଛା। ଯାହା ଶୁଚିସ୍ମିତା ପାଇଁ ସମ୍ପୂର୍ଣ୍ଣ
ଅସମ୍ଭବ। ଖାଲି ଏତିକି କହିଥିଲା ଦେଖ ଯଦି ଚାହୁଁଛ ମୁଁ ହୁଏତ ତୁମକୁ ଭଲ ପାଇ ସାର ଜୀବନ ଅବିବାହିତ ରହିଯିବି କିନ୍ତୁ ଏବେ ମୁଁ ବିବାହ କଥା ଆଦୌ ଘରେ କହିବାର ଦୁଃସାହସ କରି ପାରିବିନି।ଯୋଉ ଉତ୍ତର ରେ ସ୍ୱୟଂ ଆଦୌ ଖୁସି ନ ଥିଲା।ସେଇଠି ସରିଗଲା ଏକ ଅଧ୍ୟାୟ ବିନା ଯୁକ୍ତିତର୍କ ରେ।ବାପା ବି ସେ ସ୍ଥାନ ଛାଡି ଯାଇଥିଲେ ଯୋଉଠୁ ଏବେ ଏବେ ସ୍ୱୟଂ ଉଠି ଚାଲିଗଲା। ଶୁଚିସ୍ମିତା କିନ୍ତୁ ସେଇଠି ସେଇମିତି ସନ୍ଧ୍ୟା ରୁ ରାତି ଘଡ଼ିଏ ଯାଏ ଛିଡା ହୋଇ ରହିଥିଲା ।ସନ୍ଧ୍ୟା ରୁ କିଚିରିମିଚିରି କରୁଥିବା ଚଢେଇ ଗୁଡ଼ା ଜାଗାରେ ଏବେ ପେଚା କୁନ୍ଥେଇଲାଣି। ସେ ରାତି କିଛି ନ ଖାଇ ଶୋଇ ପଡ଼ିଲା।ଅବଶ୍ୟ ସେଠି ନ ଖାଇଲେ ବି କେହି ଜାଣିବାର ଜୁ ନାହିଁ।
ଓଠ କୁ ଥରେ ପାଇବାର ଇଚ୍ଛା ସେମିତି ମାଡିମକଚି ରହି ଗଲା ଓଠ ଭିତରେ।ଆଉ କୌଣସି ଯୋଗାଯୋଗ ନ ଥିବା ସମୟରେ ଶୁଣିଲା ସେଇଦିନ ହିଁ ସ୍ୱୟଂ ର ବିବାହ ତା ପିତାଙ୍କ ପସନ୍ଦ ର ଝିଆ ସାଥିରେ ହିଁ ସ୍ଥିର ହୋଇ ବିବାହ ତାରିଖ ବି ନିଧାର୍ଯ୍ୟ ହୋଇ ସାରିଥିଲା। ଆଉ କିଛି ସେ ବିଦ୍ୟାଳୟରେ ନିଜର ନିଜର ଲାଗିଲାନି ,ସେତିକି ବେଳେ ହିଁ ଶୁଚିସ୍ମିତା ଅନୁଭବ କଲା ଅଜାଣତରେ ସ୍ୱୟଂ ତା ମନରୁ କେତେ ଅଂଶ ଦଖଲ କରି ସାରିଥିଲା। ଯୋଉ ଦିନ ସେ ସେଠାରୁ ଟ୍ରାନ୍ସଫର ହୋଇ ଆସିଲା ଏକ ତୁମୁଳ କାଣ୍ଡ ଘଟିଲା।ସରପଞ୍ଚ ଆଦୌ ଛାଡିବାକୁ ନାରାଜ, ସେତେବେଳେ ସରପଞ୍ଚ ହିଁ ରିଲିଭ କରୁଥିଲେ।ଗାଁ ଲୋକେ ଅଡି ବସିଲେ ଯେ ଯାଏ ଆଉଜଣେ ଶିକ୍ଷକ ନ ଆସିଛି ଛାଡିବେନି।ଖୁବ ଅନୁନୟ ବିନୟ ହୋଇ ସେ ସ୍ଥାନରୁ ମୁକୁଳି ଆସିଲା ସିନା , ହେଲେ ଗାଁ ପହଞ୍ଚୁ ପହଞ୍ଚୁ ବର ବାହାରିବା ଦେଖି ଛାତି ଭିତରଟା ଫାଟି ପଡିଥିଲା ।ପ୍ରଥମ କରି ଅନୁଭବ କଲା ନିଜ ଲୋକ କୁ ଅନ୍ୟ ହାତରେ ଟେକିବାର ଯନ୍ତ୍ରଣା।
ସବୁ ଯନ୍ତ୍ରଣା କୁ ସେ ନୀଳକଣ୍ଠ ପରି ପିଇ ଯିବାକୁ ଏକରକମ ସ୍ଥିର କରି ନେଇଥିବା ବେଳେ ଅଚାନକ ଏକ କିଂବୁତ କିମାକାର ଘଟଣା କୁ ସେ ଏ ଯାଏ ଭୁଲି ପାରିନାହିଁ ।ସନ୍ଧ୍ୟା ସମୟରେ ଘରକୁ ହଠାତ ସ୍ୱୟଂ ପହଂଚି ସମସ୍ତଙ୍କ ସାମ୍ନାରେ ଅଜବ ପ୍ରସ୍ତାବ ରଖିଲା। ମୁଁ ବଂଚି ପାରିବିନି ତୁମ ବିନା। ଶସ୍ତା ଯାତ୍ରାର ଶସ୍ତା ସଂଳାପ ପରି ଏଡାଇ ଯାଇ ଥିଲା କଥାକୁ ।ହେଲେ ସତକୁ ସତ ଯେଉଁ ଦିନ ଶୁଣିଲା ନିଜକୁ ପରିବର୍ତ୍ତିତ ପରିବେଶରେ ନିଜ ଇଚ୍ଛା ବିରୁଦ୍ଧରେ ଆଦୌ ଖାପ ଖୁଆଇ ସ୍ୱୟଂ ଚାଲି ପାରି ନାହିଁ । କି ଯୌତୁକ ଲୋଭରେ ଅସୁନ୍ଦରୀ ଝିଅକୁ ବିବାହ କରାଇଥିବା ପିତାଙ୍କୁ କ୍ଷମା କରି ପାରିନାହିଁ ।ମନଇଚ୍ଛା ପେଟ ଭରି ମଦ ପିଉଛି ଜୀବନକୁ ନିଃଶେଷ କରିଦେବା ଇଚ୍ଛାରେ। ପିତା ମଧ୍ୟ ଉଦ୍ଧତ ବୋହୁ ର ପ୍ରତାପ କୁ ସହ୍ୟ ନ କରି ଏକ ମଠ କୁ ଆବୋରି ଘର ଛାଡ଼ି ଦେଇଛନ୍ତି ।
ଅନେକ ସାହସ କରି ଶୁଚିସ୍ମିତା ଦିନେ ସ୍ୱୟଂ ଘରକୁ ବୁଲି ଯାଇଥିଲା ।କାରଣ ଏମିତି ରେ ବି ସେ ଲେଖାଯୋଖା ସମର୍କ ଏ ଭିତରେ ହୋଇ ଯାଇଥିଲା ।ଖୁବ ସହଜ ଭାବରେ ଟା ବାପା, ବୋଉ, ସ୍ତ୍ରୀ ସହ କଥା ହେଲା, ଯାହା ଆଦୌ ସମ୍ଭବ ହେବା କଥା ନୁହେଁ। ସ୍ୱୟଂ ର ସ୍ତ୍ରୀ ଯେତେବେଳେ ଆଦରର ନଣଦ କହି କୁଣ୍ଢାଇ ପକାଇଥିଲା ଶୁଚିସ୍ମିତା ର ଭିତର ଟା ଏଇ ମିଛ ସମ୍ପର୍କ ରେ କୋରି ହୋଇ ଯାଇଥିଲା ।
ତଥାପି ଧର୍ଯ୍ୟ ର ସହ ଶୁଣିଲା, କିଛି ଅନ୍ତରଙ୍ଗ କଥା ।
ଯେ ସେ ‘ସ୍ୱୟଂ ନୁହଁ ତା ଦେହ କୁ ହିଁ ବିବାହ କରିଛି, ସେଠି ଆତ୍ମା ନାହିଁ’ । ଅବାକ୍ ହେଲା ସ୍ୱୟଂ କାହିଁକି ନିଜ ଇଚ୍ଛା କୁ ବଳି ଦେଇ ବାପା ଙ୍କୁ ଇଚ୍ଛା କୁ ସମ୍ମାନ କଲା।
ଏମିତି କଅଣ ଜୀବନ ଜିଇଁ ହୁଏ ମନ ଠାଏ ଦେହ ଠାଏ
,ଛାଡ଼ ତାକୁ କଅଣ ମିଳିବ ଏଥିରୁ ।ତା ଜୀବନର ମୋଡ଼ ତ ଭିନ୍ନ ମୋଡ଼ ନେଇ ସାରିଛି, ବାପା ଙ୍କୁ ଇଚ୍ଛାକୁ ସମ୍ମାନ ଦେଇ। ଫେରି ଆସିଥିଲା ସେଦିନ ଏକ ତିକ୍ତ ଅନୁଭୂତି ନେଇ ।ଯୋଉ ବିଶ୍ବାସଘାତକତା ରେ ସେ ସ୍ୱୟଂ କୁ ବହୁତ ଘୃଣା କରିବ ଭାବିଥିଲା ସେତକ ବି ବଦଳି ଗଲା ।ସାରା ଜୀବନ ସନ୍ତୁଳି ହେବ ହେଲେ ସମାଧାନର ବାଟ କାହାକୁ ପଚାରିବ । ଭାବୁଥିଲା ଆହା ପିତାଙ୍କ ନିର୍ଦ୍ଦେଶ ମାନି ରାମ ବନ କୁ ଯାଇ ଭୁଲ କରିଥିଲେ ନା ଠିକ । ସମୟ ହିଁ ତାର ଉତ୍ତର ଦେବ ।
ଇତି ମଧ୍ୟରେ ବଦଳି ଗଲା ଜୀବନର ମାନଚିତ୍ର, ସ୍ୱୟଂ ର ସ୍ତ୍ରୀ ଏମିତି ଏକ ବୀତସ୍ପୃହ ଜୀବନକୁ ସହଜରେ ଗ୍ରହଣ କରି ପାରିଲା ନାହିଁ ।ବାପଘର ଚାଲିଗଲା ।ଖାଲି ଏତିକି ପରିବର୍ତ୍ତନ ହେଲା ଗଲାବେଳେ ସ୍ୱୟଂ ର ସନ୍ତକ ଟି ଗର୍ଭରେ ନେଇ ଯାଇଥିଲା । ଯାହା କି ଭବିଷ୍ୟତରେ ଆଉ କାହାକୁ ଗ୍ରହଣ ନ କରି ପାରିବାର ସ୍ୱଚ୍ଛ ପ୍ରମାଣ ଟିଏ ସାଥିରେ ଧରି । ଆଉ ରହିଗଲା ସ୍ୱୟଂ ମଦ କୁ ନିଜର କରି । ଘର ଟା ବିଷାକ୍ତ ହୋଇଗଲା, ଜେଜେମା ବଂଚିଥାଉଁ ଥାଉଁ ନାତି ବୋହୁ ଦେଖିବାର ସ୍ବପ ଟାକୁ ବଳି ପକାଇଦେଲେ ।————————-
ବାପା ପୁତ୍ର ର ଏତାଦୃଶ ସ୍ଥିତି କୁ ଦେଖି ଘର ଛାଡ଼ି ମଠ କୁ ଚାଲି ଗଲେ ।
ନିଜ ସଂକଳ୍ପ କୁ ବି ବଳି ପକାଇବାକୁ ବାଧ୍ୟ ହୋଇଥିଲା ଶୁଚିସ୍ମିତା ବାପା ଓ ମାଆ ଙ୍କ ଅକାଟ୍ୟ ଯୁକ୍ତି ଆଗରେ । ଆଉ ବାପା ଙ୍କୁ ମନ ପସନ୍ଦ ର ପାତ୍ର କୁ ବିବାହ କଲା ।, ଯାହାର କି ହୃଦୟ ଟି ବହୁ ଆଗରୁ ବିକ୍ରି ହୋଇ ସାରିଥିଲା । ଯାହାକୁ ସେ ସେଇ ଚତୁର୍ଥୀ ରାତି ରୁ ହିଁ ଅନୁଭବ କରିପାରି ଥିଲା ।ଏକ
ଉଷ୍ଣତାବିହୀନ ମଣିଷ ଯାହାକୁ ନେଇ ସଂସାର କରି ହୁଏ କିନ୍ତୁ ଜୀବନ ଜିଇଁ ହୁଏନା ।ଏକ ରକ୍ଷଣଶୀଳ
ମାନସିକତା କୁ ସମ୍ମାନ ଦେଇ ଶୁଚିସ୍ମିତା ସଂସାର ଚଳେଇ ନେଲା ଯେମିତି ସ୍ୱାଦ ନ ବାରି ଔଷଧ ରୋଗୀ ଟେ ଖାଇଯାଏ । କେବେ ପ୍ରତିବାଦ କରିନି, ଅବାଧ୍ୟ ହୋଇନି, ଅସାମାଜିକତା କୁ ବରଦାସ୍ତ କରିନି ।ହେଲେ ପୋଛି ପାରିଛିକି ତା ପ୍ରଥମ ସ୍ବପ୍ନ, ପ୍ରଥମ ପ୍ରେମ। ସମୟ ସମୟ ରେ ଗୁରୁଜନ ଙ୍କ ନିଷ୍ପତ୍ତି ପିଲା ଛୁଆ ଙ୍କ ଜୀବନଚର୍ଯ୍ୟା କୁ କେଉଁ କରୁଣ ପରିସ୍ଥିତି ରେ ପହଞ୍ଚାଇ ଦିଏ ବୁଝନ୍ତି ସେଇ ତଥାନୁକଥିତ ବାପା ମାଆ ।
ବୋଧହୁଏ ନା, ଜଣେ ଧନୀ ଘର, ପ୍ରତିପତ୍ତି, ସାମାଜିକ ପ୍ରତିଷ୍ଠା ସବୁ ପାଇପାରେ ହେଲେ ସେଇ ପିତାମାତା ଖୋଜି ଦେଇ ପାରନ୍ତି କି ତା ଭିତରେ ଝିଅ ବା ପୁଅ ର ହଜିଲା ଜୀବନ ଇତି କଥା ।
ଏ ଯାଏ ନୀରବରେ ଶୁଣୁଥିଲା ଶୁଚିସ୍ମିତା ର କିଛି ବ୍ୟଥା; ଯାହା ବୋଧହୁଏ କାହାକୁ କହି ନ ଥିଲା ଏପରିକି ଈଶ୍ୱର ଙ୍କୁ ବି ନୁହେଁ ।
ଏ ନାରୀ ନା କାହାଣୀ ର ଜୀବନ୍ତ ନମୁନା ସନ୍ଦିହାନ ଥିଲା ଅଭିଜିତ ।
ତପସ୍ୱିନୀ ଦାଶ, ବୁଢ଼ୀଖମାରିଶାସନ, ଭଂଜପୁର, ବାରିପଦା, ମୟୁରଭଞ୍ଜ