

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଭାରତୀୟ ଜନତା ପାର୍ଟିର ସାଂଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ଜନତା ପାର୍ଟି ୨୦୧୯ ନିର୍ବାଚନରେ ଜନମତକୁ ସ୍ୱୀକାର କରିବା ସହ ସାରା ଓଡିଶାରେ ତାହାର ବିଶାଳ କାୟାକୁ କିପରି ପ୍ରଭାବଶାଳୀ ଭାବରେ ତୃଣମୂଳ ସ୍ତରରେ ବିସ୍ତାରିତ କରିବ ତାହାକୁ ଗୁରୁତର ଭାବରେ ଗ୍ରହଣ କରିଛି । ଏଥି ସମ୍ବନ୍ଧୀୟ ଏକ କ୍ଷେତ୍ରସ୍ତରୀୟ କର୍ମଶାଳା କନ୍ଧମାଳ, ଘୁମୁଷର, ଗଜପତି ଓ ଗଞ୍ଜାମ ସାଂଗଠନିକ ଜିଲ୍ଲାର ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀ, ସହ-ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀ, ଜିଲ୍ଲା ସଭାପତି, ଉପସଭାପତି, ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କ ସହ ବହୁ ପ୍ରାଧିକୃତ ପଦାଧୀକାରୀମାନଙ୍କୁ ନେଇ ବ୍ରହ୍ମପୁର ଠାରେ ଏହି କ୍ଷେତ୍ରୀୟ ସାଂଗଠନିକ କର୍ମଶାଳା ଆୟୋଜିତ କରାଯାଇଥିଲା । ଏହି ଅବସରରେ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି ଟିକିନିଖି ସବିଶେଷ ବିଷୟବସ୍ତୁ ପର୍ଯ୍ୟାଲୋଚନା କରିଥିଲେ । କନ୍ଧମାଳ ସାଂସଦ ପ୍ରାର୍ଥୀ ଖାରବେଳ ସ୍ୱାଇଁ, ଆସ୍କା ସାଂସଦ ପ୍ରାର୍ଥୀ ଶ୍ରୀମତି ଅନୀତା ପଟ୍ଟନାୟକ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ସମେତ ଏହି ୪ଟି ଜିଲ୍ଲାର ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହିଥିଲେ । ଏହି କର୍ମଶାଳାରେ ବହୁ ରାଜ୍ୟ ପଦାଧିକାରୀ ଉପସ୍ଥିତ ରହି ରାଜ୍ୟ ରାଜନୀତିକୁ ସବୁଠାରୁ ଅଧିକ ବିଧାୟକ ଦେଉଥିବା ଗଞ୍ଜାମ ଜିଲ୍ଲାର ସଂଗଠନକୁ ସୁଦୃଢ ସକାଶେ ପ୍ରାଧାନ୍ୟ ଦେଇଛନ୍ତି । ଏହିଭଳି କର୍ମଶାଳାର ଆୟୋଜନ ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହେବାଯୋଗୁଁ ବୁଦ୍ଧିଜୀବି ମାନେ ଗଞ୍ଜାମ ଜିଲ୍ଲାର ରାଜନୈତିକ ପାଣିପାଗରେ ଏକପ୍ରକାର ହଇଚଇ ହେବ ବୋଲି ପୂର୍ବାନୁମାନ କରିଛନ୍ତି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା






