
ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ରମ୍ଭା ଥାନା ଅନ୍ତର୍ଗତ ପାଳୁର ଛକ ରାସ୍ତାରେ ଏକ ସଡ଼କ ଦୃର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ଆସିକା ଅଞ୍ଚଳର ଏମ୍.ନରେଶ ରେଡ୍ଡୀ(୧୯) ବୋଲି ଜଣାପଡିଛି । ନରେଶ ପାଲୁର ଛକ ସ୍ଥିତ ଏକ ମୋଟର ଗ୍ୟାରେଜରେ କାମ କରୁଥିଲେ । ସେ ବାଇକ ଧରି ଟେଷ୍ଟିଂ ପାଇଁ ଯାଇଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡରକୁ ବାଡେଇ ହୋଇ ଗୁରୁତର ଭାବେ ଆହତ ହୋଇଥିଲେ । ସେହି ସମୟରେ କୃଷ୍ଣ ପ୍ରସାଦ ବ୍ଲକରେ ରିଲିଫ ବଣ୍ଟନ ବେଳେ ସମସ୍ୟା ଦେଖାଦେଉଥିବା ସୂଚନା ପାଇ ସେହି ରାସ୍ତାଦେଇ ଗଂଜାମ ଥାନା ପୋଲିସ ଏବଂ ହୁମ୍ମା ଫାଣ୍ଡିର ପୋଲିସ କର୍ମଚାରୀମାନେ କୃଷ୍ଣ ପ୍ରସାଦ ବ୍ଲକ ଅଭିମୁଖେ ଯାଉଥିଲେ । ସେହି ସମୟରେ ପାଲୁରର ରାସ୍ତାରେ ଦୃର୍ଘଟଣାରେ ଆହତ ହୋଇଥିବା ଯୁବକଙ୍କୁ ଦେଖିଥିଲେ । ସେହି ଯୁବକଙ୍କୁ ତୁରନ୍ତ ପୋଲିସ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୃର୍ଘଟଣା ସ୍ଥଳେ ଛତ୍ରପୁର ଏସଡିପିଓ ଉତ୍କଳ କେଶରୀ ଦାଶ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଂଜନ ଛୋଟରାୟ ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ମୃତ ପରିବାରର ସମ୍ପକୀୟଙ୍କୁ ନେଇ ଦୃର୍ଘଟଣା ସ୍ଥଳେ ପହଞ୍ଚି ତଦନ୍ତ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା