କାଶୀପୁର/ଟିକିରି (ସମୃଦ୍ଧ ଓଡିଶା) ଲାଞ୍ଚ ନେବା ଅଭିଯୋଗରେ ରାୟଗଡା ଜିଲା କାଶୀପୁର ବ୍ଲକ ଗୋରଖପୁର ରାଜସ୍ୱ ନିରୀକ୍ଷକ ପ୍ରଫୁଲ୍ଲକୁମାର ବାଉରୀ ବୁଧବାର ଭିଜିଲାନ୍ସ ଜାଲରେ ପଡିଛି । ଜମି ଦାଖଲ ଖାରଜ ନେଇ ସେ ୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାକୁ କାବୁ କରିଥିଲେ । ସୂଚନା ଅନୁସାରେ,ରାୟଗଡା ଜିଲା କାଶୀପୁର ବ୍ଲକ ଗୋରଖପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଜମିର ଦାଖଲ ଖାରଜ ପାଇଁ ତଳମାଳା ଗ୍ରାମର ଜୟଧନ ଗୌଡ ଯାଇଥିଲେ । ସେଠାରେ ରାଜସ୍ୱ ନିରୀକ୍ଷକ ପ୍ରଫୁଲ୍ଲକୁମାର ବାଉରୀଙ୍କୁ ଏକ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ରାୟଗଡା ଭିଜିଲାନ୍ସ ବିଭାଗ ଅଧିକାରୀମାନେ ତାକୁ ଗିରଫ କରିଥିଲେ । ପ୍ରଫଲ୍ଲ ଲାଞ୍ଚ ମାଗିଥିବା ନେଇ ଜୟଧନ ପୂର୍ବରୁ ଭିଜିଲାନ୍ସର ଦୃଷ୍ଟି ଆକର୍ଷଣ କରିଥିଲେ । ପୂର୍ବ ଯୋଜାନ ଅନୁସାରେ, ଗୌଡ ପ୍ରଫୁଲ୍ଲକୁ ଏକ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ । ପରେ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଥିଲା । ଆସନ୍ତା କାଲି ତାକୁ କୋର୍ଟ ଚାଲାଣ କରାଯିବା ନେଇ ଭିଜିଲାନ୍ସ ଆଇଆଇସି କଳବତୀ ବାଗ କହିଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ