ଭିଜିଲାନ୍ସ ଫାସରେ ବହୁ କୋଟି ଟଙ୍କାର ଅଧିକାରୀ ଜଳେଶ୍ୱରର ବିଡିଓ : ଚଢାଉ ବେଳେ କ୍ୱାଟରରୁ ବହୁ କାବଜପତ୍ର ଜବତ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୫ମାସ ପୂର୍ବରୁ ଜଳେଶ୍ୱର ବ୍ଳକରୁ ବିଡିଓ ଭାବେ ବଦଳି ହୋଇ ଆସିଥିବା ଅଶ୍ୱିନୀ କୁମାର ଦାସ ଆଜି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଜଣାଯାଇଛି । ୫ଜଣ ଡିଏସ୍‌ପି ଓ ୯ଜଣ ଇନିସ୍‌ପେକ୍ଟରଙ୍କ ନେତୃତ୍ୱରେ ଏକକାଳୀନ ୬ଟି ସ୍ଥାନରେ ଚଢାଉ ହୋଇଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି, କୋଠା, ଦାମୀ ଗାଡି, ଅଳଙ୍କାର ଇତ୍ୟାଦି ଜବତ୍ କରାଯାଇଛି । ନିକଟରେ ତାଙ୍କୁ ଜଟଣୀ ତହସିଲଦାରଭାବେ ମଧ୍ୟ ବଦଳି ହୋଇଛି । ଆଜି ଭୋର ୪ଟାରେ କଟକ ଡିଭିଜନ୍ ଭିଜିଲାନ୍ସ ବିଭାଗର ଅନୁଗୁଳ ସ୍ଥିତ ଡିଏସ୍‌ପି ସମ୍ଭୁନାଥ ବାରିକଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ ଜଳେଶ୍ୱର ବିଡିଓଙ୍କ ସରକାରୀ ବାସଭବନ ଉପରେ ଚଢାଉ କରିଥିଲେ । ଦୀର୍ଘ ୮ ଘଣ୍ଟା ଧରି ସେମାନେ ସରକାରୀ ବାସଭବନ ଓ ପରେ ବ୍ଳକ କାର୍ଯ୍ୟାଳୟରେ ମଧ୍ୟ ସେମାନଙ୍କ ତଦନ୍ତ କାର୍ଯ୍ୟ କରିଥିଲେ । ଏହି ତଦନ୍ତ ବେଳେ ସେଠାରୁ ବହୁ ଦରକାରୀ କାଗଜପତ୍ର, ଦାମୀ ଗାଡି ଓ ଅଳଙ୍କାର ଇତ୍ୟାଦି ଜବତ୍ ହୋଇଥିବା ସଂପର୍କରେ ଭିଜିଲାନ୍ସ ଡିଏସ୍‌ପି ସୂଚନା ଦେଇଛନ୍ତି । ଜଳେଶ୍ୱରକୁ ସେ ମାତ୍ର ୫ମାସ ପୂର୍ବରୁ କେନ୍ଦ୍ରାପଡାରୁ ବଦଳି ହୋଇ ଆସିଥିଲେ । ଜଳେଶ୍ୱର ବ୍ୟତିତ ତାଙ୍କ ନିଜର ବାସଗୃହ କଟକଜିଲାର ବୟାଳିସି ମୌଜା ବ୍ଳକ ଅନ୍ତର୍ଗତ ଝିଙ୍କିରିଆ ଠାରେ ଥିବା ୨ମହଲା ବିଶିଷ୍ଟ ପକ୍କାଗୃହ ଏବଂ କଳାପଦା ଗାଁର ୩ ମହଲା ବିଶିଷ୍ଟ ପକ୍କାଗୃହ, ତାଙ୍କ ସ୍ତ୍ରୀ ଜ୍ୟୋର୍ତିମୟୀ ସାହୁ କଟକର ଖପୁରିଆସ୍ଥିତ ସରକାରୀ ପ୍ରେସ୍ ନିକଟ ଗୃହ ଏବଂ କେନ୍ଦ୍ରାପଡା ଜିଲାର ଆଳିର ଭୁଇନ୍‌ପୁରଠାରେ ଥିବା ଜଣେ ସମ୍ପର୍କୀୟଙ୍କ ଘର ଉପରେ ଚଢାଉ ହୋଇଥିଲା । ଏଥିରେ ମୋଟ ୨୪ଟି ପ୍ଳଟ, କଟକ ସହରରେ ଅଢେଇକୋଟି ଟଙ୍କାର ୨ଟି ପକ୍କାଗୃହ, ୪୧ଲକ୍ଷ ଟଙ୍କାର ୪ଟି ଗାଡି, ୩ଟି ୨ଚକିଆ ଯାନ ଓ ମୂଲ୍ୟାବାନ ଅଳଙ୍କାର ସହିତ ସୁନା ମୁକୁଟ ଜବତ୍ ହୋଇଥିବା କୁହାଯାଇଛି ।

୫ମାସ ଧରି ଥିଲେ ବିଡିଓ : ବଦଳି ହୋଇଥିଲେ ଜଟଣୀ ତହସିଲଦାର ହୋଇ ୫ ମାସ ଧରି ସେ ଜଳେଶ୍ୱରର ବିଡିଓ କାର୍ଯ୍ୟ ତୁଲାଉଥିବା ବେଳେ ନିକଟରେ ତାଙ୍କୁ ଜଟଣୀ ତହସିଲଦାରଭାବେ ବଦଳି କରାଯାଇଛି । ଗତ ଜୁନ୍ ୧୭ ତାରିଖରେ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ବିଭାଗର ବିଜ୍ଞାପନ ନଂ ଆର୍‌ଡିଏମ୍‌-ଜିଓଇଏ/୦୦୩୧/୨୦୧୯/୯୩୩୭ ଅନୁଯାୟୀ ମୋଟ ୬ଜଣ ଜଣଙ୍କୁ ବଦଳି ହୋଇଛି । ସେଥିରେ ଅଶ୍ୱିନୀ କୁମାର ଦାସଙ୍କୁ ପଂଚାୟତରାଜ ବିଭାଗରୁ ରାଜସ୍ୱ ବିଭାଗକୁ ଡେପୁଟେସନ୍‌ରେ ଜଟଣୀ ତହସିଲଦାର କରି ବଦଳି କରାଯାଇଛି ।

ରିପୋର୍ଟ : ଭୂପତି ପରିଡା