
ଦିଗପହଣ୍ଡିି (ସମୃଦ୍ଧ ଓଡିଶା) ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ବନବିଭାଗ ଡିଭିଜନର ଡିଏଫ୍ଓ ଆଶିଷ ବେହେରାଙ୍କର ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଥିଲା । ସମୁଦାୟ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୧୯ ଲକ୍ଷ ୩୭ ହଜାର ୧୬୫ ହୋଇଥିବା ବେଳେ ସେଥିରୁ ୧ କୋଟି ୬୦ ଲକ୍ଷ ଟଙ୍କା ଆୟ ବର୍ରିଭୂତ ରହିଥିବା ଭିଜିଲାନ୍ସ ଆକଳନ କରିଥିଲା । କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ମଧ୍ୟ ଏକ କାଳୀନ ୯ଟି ସ୍ଥାନରେ ଚଢାଉ କରାଯାଇଥିବା ଓ ଡିଏସପି ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଦିଗପହଣ୍ଡି ଫରେଷ୍ଟ ରେଞ୍ଜ୍ ଅଫିସରେ ଚଢାଉ କରିଥିଲେ ।ଚଢାଉ ସମୟରେ ବହୁ ଜରୁରୀ କାଗଜାତ ଏବଂ ବେଆଇନ ଭାବେ ପାରା ଷ୍ଟାଫ୍ ଫୋର୍ସ କର୍ମଚାରୀଙ୍କ ବ୍ୟକ୍ତିଗତ ବ୍ୟାଙ୍କ୍ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପର୍ଯ୍ୟାୟ କ୍ରମେ ଫରେଷ୍ଟ୍ ରେଞ୍ଜ୍ ଅଫିସ୍ ଆକାଉଣ୍ଟରୁ ଏନ୍.ଇ.ଏଫ୍.ଟି ହୋଇଥିବା ଘଟଣା ପଦାକୁ ଆସିଥିଲା । ଏନେଇ ବିଭିନ୍ନ ଜବାବ୍ ସୁଆଲ୍ ହୋଇଥିବା ବେଳେ ଡେପୁଟି ରେଞ୍ଜର୍ ପରମାନନ୍ଦ ପାଣିଗ୍ରାହୀଙ୍କୁ ଏକ ରୁଦ୍ଧ କଠୋରୀ ମଧ୍ୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ କ୍ରମାଗତ ଜେରା କରାଯାଇଥିଲା । ଏହି ଘଟଣା ପର ଦିନ ଠାରୁ ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟରେ କିଛି ଫରେଷ୍ଟର୍ ଏବଂ ଡେପୁଟି ରେଞ୍ଜରଙ୍କ ଦେଖା ମିଳୁନଥିବା ଜଣାପଡିଛି । ସମୁହ ବୃକ୍ଷରୋପଣ ଏବଂ ବନବିଭାଗ ସମ୍ପର୍କିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆଗକୁ ରହିଥିବା ବେଳେ ବନାଞ୍ଚଳ ବିଭାଗର ଅବ୍ୟବସ୍ଥାକୁ ଦେଖି ସାଧାରଣରେ ବିଭିନ୍ନ ପ୍ରକାର ସମାଲୋଚନା ହେଉଛି । ଅପରପକ୍ଷେ ସରକାରୀ କାର୍ଯ୍ୟରେ ନିୟୋଜିତ ହୋଇଥିବା ଓଡି ୦୭ କ୍ୟୁ ୫୨୦୪ ବଲେରୋ ଗାଡିଟିକୁ ନେଇ ଡେପୁଟି ରେଞ୍ଜର୍ ଜଣକ କେଉଁଆଡେ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି । ୨୦୧୮ ଫେବୃୟାରୀ ମାସରେ ଡେପୁଟି ରେଞ୍ଜର୍ ଭାବେ ନିଯୁକ୍ତି ପାଇଥିବା ପରମାନନ୍ଦ ପାଣିଗ୍ରାହୀ ପୂର୍ବରୁ ଦିଗପହଣ୍ଡି ବନାଞ୍ଚଳର ପାଟପୁର ସେକ୍ସନ ଏବଂ ପରେ ହିଞ୍ଜିଳିରେ ଫରେଷ୍ଟର୍ ଭାବେ କାର୍ଯ୍ୟ କରୁଥିଲେ । ପରେ ପଦୋନ୍ନତି ପାଇ ଦିଗପହଣ୍ଡିରେ ଡେପୁଟି ରେଞ୍ଜର୍ ଭାବେ କାର୍ଯ୍ୟ କରି ଆସୁଥିଲେ । ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳରେ କାର୍ଯ୍ୟ କରିଆସୁଥିବା ବେଳେ ପୁନଶ୍ଚ ସେହି ସ୍ଥାନରେ ପଦୋନ୍ନତି ପାଇ ଡେପୁଟି ରେଞ୍ଜର୍ ପାହ୍ୟାରେ ରହିଆସୁଥିବାରୁ ତାଙ୍କ କାର୍ଯ୍ୟକଳାପକୁ ନେଇ ସାଧାରଣରେ ସନ୍ଦେହ ଉପୁଜିଥିଲା । ବର୍ତ୍ତମାନ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି । ଦିଗପହଣ୍ଡି ବନାଞ୍ଚଳରେ କାମ୍ପା ଏବଂ ୟୁଏନଡିପି ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ସବୁ ଦିଗପହଣ୍ଡି ବନାଞ୍ଚଳରେ ହୋଇଥିବା ବେଳେ ଏହି ସବୁ ପ୍ରକଳ୍ପର ବ୍ୟୟବରାଦ ଓ ହିସାବ ପତ୍ର କାଗଜ ଆଦିରେ ତାଳ ମେଳ ଖାଉନଥିବା ନେଇ ଦୁର୍ନୀତିର ବାସନା ବାରୀ ହେଉଥିଲା । କେଉଁ ଆଇନ ବଳରେ ଏବଂ କିଭଳି ପାରାଷ୍ଟାଫ୍ ମାନଙ୍କ ଆକାଉଣ୍ଟକୁ ରେଞ୍ଜ୍ ଅଫିସ୍ ବ୍ୟାଙ୍କ ଆକାଉଣ୍ଟରୁ ଏନଇଏଫଟି ହୋଇପାରିଲା ସେ ନେଇ ମଧ୍ୟ ଭିଜିଲାନ୍ସ ବିଭାଗ ଖୋଳତାଡ କରୁଥିବା ଜାଣିବାକୁ ମିଳିଛି । ନିକଟରେ ୫ ଜଣ ପାରାଷ୍ଟାଫଙ୍କୁ କଟକ ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟକୁ ଡକାଇ ଟିକିନିଖି ପଚରାଉଚୁରା କରି ଛାଡିଦେଇଥିବା ବେଳେ ଡେପୁଟି ରେଞ୍ଜର୍ ଜଣକ ଭୟରେ କେଉଁଆଡେ କାଗଜ ପତ୍ର ସବୁ ନେଇ ଫେରାର ହୋଇଯାଇଥିବା କୁହାଯାଉଛି । ଏନେଇ ବ୍ରହ୍ମପୁର ବନମୁଖ୍ୟ ସୁରେଶ କୁମାର ପନ୍ଥଙ୍କୁ ପଚାରିବାରୁ କହିଛନ୍ତି ଯେ, ପାଣିଗ୍ରାହୀଙ୍କ ସ୍ଥାନରେ ଏସଏଫ୍ ଅଶୋକ କୁମାର ବେହେରା ଦାୟିତ୍ୱରେ ଅଛନ୍ତି ଓ ସମସ୍ତ ଘଟଣା ନେଇ ସେ ଅବଗତ ଥିବା ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଥିବା କହିଛନ୍ତି । ସୂଚନାଯୋଗ୍ୟ ଯେ, ଡେପୁଟି ରେଞ୍ଜର୍ ପରମାନନ୍ଦ ପାଣିଗ୍ରାହୀଙ୍କ ମଧ୍ୟ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିର ବିଧିବଦ୍ଧ ଯାଞ୍ଚ କରାଗଲେ ବହୁ ବିଷୟ ପର୍ଦ୍ଦାପାସ୍ ହେବ ବୋଲି ଦିଗପହଣ୍ଡି ଏନଏସି ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ନୀଳାଞ୍ଚଳ ରଥ, କାହ୍ନା ବେହେରା, ସମ୍ପଦ ମହାରଣା, ରିତେଶ ବେହେରା, ସୁମନ ସାହୁ ପ୍ରମୁଖ ଦାବୀ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା