

ଛତ୍ରପୁର (ସମୃଦ୍ଧ ଓଡିଶା) ମଙ୍ଗୁଆଳ ସାଜିଥିବା ନେତାମାନେ ସିପିଆଇ ପାର୍ଟିର ଛତ୍ରପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପ ସେଠୀଙ୍କ ନିମନ୍ତେ ନିର୍ବାଚନ ମଣ୍ଡଳୀରେ ଭିନ୍ନ ଢଙ୍ଗରେ ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଗତକାଲି ଛତ୍ରପୁର ବ୍ଲକର ଭିକାରୀପଲ୍ଲୀ, ଚମାଖଣ୍ଡି, ନରେନ୍ଦ୍ରପୁର, ଟାଙ୍ଗଣାପଲ୍ଲୀ, ଲକ୍ଷ୍ମୀପୁର ଓ ସୁନ୍ଦରପୁର ପଞ୍ଚାୟତ, ବିଭିନ୍ନ ଗାଁ ଗାଁ ବୁଲି ଲୋକଙ୍କୁ ଦଳୀୟ ବିଧାନ ପ୍ରାର୍ଥୀଙ୍କୁ ଦାଧାନ କେଣ୍ଡା(ସିପିଆଇ) ଚିହ୍ନରେ ସୁଇଚ୍ ଟିପି ବିଜୟୀ କରିବା ନିମନ୍ତେ ଦଳର ନେତା ଓ କର୍ମୀମାନେ ଅନୁରୋଧ କରିଛନ୍ତି । ପ୍ରଦୀପଙ୍କ ନିମନ୍ତେ ମଙ୍ଗୁଆଳ ସାଜିଥିବା ସଂଗ୍ରାମୀ ନେତା ତଥା ପୂର୍ବତନ ବିଧାୟକ ଏନ୍ .ନାରାୟଣ ରେଡ୍ଡୀ ନିଜେ ବିଭିନ୍ନ ପଂଚାୟତର ଗାଁ ଗାଁରେ ମୁଦୃଙ୍ଗ ବଜାଇ ପୁରାତନ ଢଙ୍ଗରେ ଲୋକମାନଙ୍କୁ ଭୋଟ ଭିକ୍ଷା କରିଥିଲେ । ସେହିଭଳି ପ୍ରଦୀପଙ୍କ ନିମନ୍ତେ ଅନ୍ୟତମ ମଙ୍ଗୁଆଳ ସାଜିଥିବା ସିପିଆଇ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ପ୍ରଶାନ୍ତ କୁମାର ପାଟ୍ଟଯୋଶୀ (ନିଲୁ) କେନ୍ଦ୍ର ଓ ରାଜ୍ୟସରକାରଙ୍କ ଜନମାରଣା ନୀତି ଉପରେ ଜନସାଧାରଣଙ୍କୁ ସଚେତନତା କରାଇବା ସହ ପ୍ରଦୀପଙ୍କୁ ଭୋଟ ଦେଇ ବିଜୟୀ କରିବା ନିମନ୍ତେ କହିଥିଲେ । ଏହି ପ୍ରଚାରରେ କଂଗ୍ରେସ ଓ ସିପିଆଇ ପାର୍ଟି ମେଣ୍ଟ ପ୍ରାର୍ଥୀ ପ୍ରଦୀପ ସେଠୀ, ସିପିଆଇ ପାର୍ଟିର ଜିଲ୍ଲା ସଂପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ସହ-ସଂପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସଂପାଦକ ସିଏଚ୍.ଜନାର୍ଦ୍ଦନ ରେଡ୍ଡୀ, ସହ-ସଂପାଦକ ଗିରିଜା ପ୍ରସାଦ ରେଡ୍ଡୀ, ଅଖିଳ ଭାରତ ଛାତ୍ର ସଂଘର ଜିଲ୍ଲା ସଭାପତି କାମଦେବ ନାହାକ, ଶ୍ରମିକ ନେତା ଦୁର୍ଯ୍ୟଧନ ନାହାକ, କଂଗ୍ରେସ ନେତା ଇକ୍ସୁଆମିନ୍ ଖାନଙ୍କ ସମେତ ସିପିଆଇ ଓ କଂଗ୍ରେସ ଦଳ ବହୁ ସମର୍ଥକମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





