ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏତେବଡ଼ ବିଜୁ ଜନତା ଦଳର ଏତେ ଭୟ କାହିଁକି ବୋଲି ସର୍ବସାଧାରରଣରେ ଏବେ ଚର୍ଚ୍ଚା ଜୋର ଧରିଛି I ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ ସପ୍ତାହରେ ତୃତୀୟ ମହଲା ଓ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ପରେ ବିଜେଡି ଏବେ ଭୁବନେଶ୍ୱର ଜିଲ୍ଲାରେ ନିଜର ସଂଗଠନକୁ ସଜାଡ଼ିବାକୁ ପ୍ରୟାସ କରିଛି । ଦଳରେ ଅସନ୍ତୁଷ୍ଟ ଥିବା ଭୁବନେଶ୍ୱରର ନେତାମାନଙ୍କୁ ବୁଝାସୁଝା କରି ସଂଗଠନରେ ଥଇଥାନ କରିଛି । ବିଜେଡି ପ୍ରଥମଥର ପାଇଁ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ନିମନ୍ତେ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତି ସହ ଭୁବନେଶ୍ୱର ଜିଲ୍ଲା ସଂଗଠନର କର୍ମକର୍ତ୍ତା ଭାବେ ୧୫୫ଜଣ ସଦସ୍ୟଙ୍କୁ ସାମିଲ କରି ଦଳରେ ରହିଥିବା ଗୋଷ୍ଠୀକନ୍ଦଳକୁ ଦୂର ପାଇଁ ଉଦ୍ୟମ କରିଥିବା ଜଣାପଡ଼ିଛି । ଭୁବନେଶ୍ୱର ବିଜେଡି ଜିଲ୍ଲା କମିଟିର ପୁନର୍ଗଠନ ହୋଇଛି ଓ ଏଥିରେ ସଭାପତିଙ୍କୁ ମିଶାଇ ମୋଟ ୧୫୫ଜଣ ଦଳୀୟ ସଦସ୍ୟଙ୍କୁ କର୍ମକର୍ତ୍ତା ଭାବେ ଥଇଥାନ କରାଯାଇଛି । ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ପୁଣିଥରେ ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରାଯାଇଛି ଓ ମେୟର ପଦବୀ ନପାଇ ନିରାଶ ଥିବା ବିରଂଚି ନାରାୟଣ ମହାସୁପକାର(ଲିଟୁ)ଙ୍କୁ କାର୍ଯ୍ୟକାରୀ ସଭାପତି ପଦ ମିଳିଛି । ଏହାସହିତ ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ମଧ୍ୟ ଓ ଏକାମ୍ର ନିର୍ବାଚନମଣ୍ଡଳୀର ମୋଟ ୧୫୩ଜଣଙ୍କୁ ବିଭିନ୍ନ କର୍ମକର୍ତ୍ତା ଭାବେ ଅବସ୍ଥାପିତ କରାଯାଇଛି । ଏଥିରେ ୨୭ଜଣଙ୍କୁ ଉପଦେଷ୍ଟା, ୨୭ଜଣଙ୍କୁ ଉପସଭାପତି, ୨୭ଜଣଙ୍କୁ ସାଧାରଣ ସମ୍ପାଦକ ଓ ୭୨ଜଣଙ୍କୁ ସମ୍ପାଦକ ଭାବେ ଥଇଥାନ କରାଯାଇଛି । ସୂଚନା ଅନୁସାରେ, ବିଭିନ୍ନ କାରଣକୁ ନେଇ ଅସନ୍ତୁଷ୍ଟ ଥିବା ଭୁବନେଶ୍ୱରରର ବହୁ ପୂର୍ବତନ କର୍ପୋରେଟର ଓ ବରିଷ୍ଠ ନେତାମାନଙ୍କୁ ନବୀନ ନିବାସ ଡାକି ଦଳ ପକ୍ଷରୁ ବୁଝାସୁଝା କରାଯାଇଥିଲା ସେମାନଙ୍କୁ ଏବେ ଜିଲ୍ଲା ସଂଗଠନରେ ଥଇଥାନ କରାଯାଇଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କ୍ରମାଗତ ଭାବେ ଅଧିକ ସକ୍ରିୟ ହୋଇ ତୃତୀୟ ମହଲା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଟାର୍ଗେଟ୍ କରୁଥିବାରୁ ଏହାର ମୁକାବିଲା ପାଇଁ ବିଜେଡିରେ ଗୋଷ୍ଠୀକନ୍ଦଳ ଯେଭଳି ନ ରୁହେ ଓ ସମସ୍ତେ ଏକଜୁଟ ହୋଇ ଭୁବନେଶ୍ୱରରେ ସଂଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବେ ସେଭଳି ଗୁରୁମନ୍ତ୍ର ଦିଆଯାଇଛି । ତା’ଛଡ଼ା ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ପ୍ରଥମଥର ନିଜର ପ୍ରଭାବଶାଳୀ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି । ଅପରାଜିତାଙ୍କୁ ଟକ୍କର ଦେବାକୁ ଶ୍ରୀମୟୀଙ୍କୁ ଆଗକୁ ଆଣିଥିବା ବିଜେଡି ଏବେ ଜିଲ୍ଲା ସଂଗଠନରେ ରହିଥିବା ଫାଟକୁ ଦୂର କରିବାରେ ଲାଗିଛି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ଜିଲ୍ଲା ସଂଗଠନରେ ରହିଥିବା ଗୋଷ୍ଠୀକନ୍ଦଳ, ୩ ବିଧାୟକ ଓ ମେୟରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଆଦି ଦିଗରେ ଦଳ କାର୍ଯ୍ୟ ଆରମ୍ଭ କରିଛି।ନିର୍ବାଚନ ପାଖେଇ ଆସୁଥିବାବେଳେ ଅପରାଜିତାଙ୍କ ଶାଣିତ ଆକ୍ରମଣ ଆଗାମୀ ଦିନରେ ଅଧିକ ତୀବ୍ର ହେବାର ଆଶଙ୍କା କରି ବିଜେଡି ଏବେ ଦୁଇ ତରଫା ଭାବେ ରଣନୀତି ପ୍ରସ୍ତୁତ କରିଛି। ମହିଳା ଭୋଟବ୍ୟାଙ୍କକୁ ସଜାଡ଼ିବା ଓ ସଂଗଠନରେ ଥିବା ଫାଟକୁ ସଜାଡ଼ିବା ପାଇଁ ଶ୍ରୀମୟୀଙ୍କୁ ଆଗକୁ ଆଣିବା ସହ ଏଭଳି ବିଶାଳ ଟିମ୍ ଗଢ଼ିଥିବା ଚର୍ଚ୍ଚା ହେଉଛି। ଗତ ମହାନଗର ନିଗମ ନିର୍ବାଚନବେଳେ ୩ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ଓ ମନ୍ତ୍ରୀ ଅଶୋକ ପଣ୍ଡା ବହୁ ଟିକେଟ୍ ଆଶାୟୀଙ୍କୁ ନିରାଶ କରିଥିଲେ। ଏହି ୩ ବିଧାୟକଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ବହୁ ପୂର୍ବତନ କର୍ପୋରେଟର ଓ ବରିଷ୍ଠ ନେତାମାନେ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଥିଲେ । କିନ୍ତୁ ଗତ ୩ଦିନ ତଳେ ସେମାନଙ୍କୁ ନବୀନ ନିବାସ ଡକାଇ ବୁଝାସୁଝା କରାଯିବା ପରେ ଦଳ ପକ୍ଷରୁ ଆଜି ୧୫୫ଜଣିଆ ଟିମ୍ ଘୋଷଣା ହୋଇଛି I ଆଉ ବିଜେଡିର ଏହି ବିଶାଳ ଟିମ୍ ଓ ଶ୍ରୀମୟୀଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତି ମାଧ୍ୟମରେ ଦଳ ଅପରାଜିତଙ୍କ ଶାଣିତ ଆକ୍ରମଣକୁ ନେଇ ବିଚଳିତ ହୋଇ ପଡ଼ିଥିବାର ପ୍ରମାଣ ଦେଇଛି । ତେବେ ଗୋଷ୍ଠୀକନ୍ଦଳରେ ମାତିଥିବା ଭୁବନେଶ୍ୱର ଜିଲ୍ଲା ବିଜେଡି ଆଗାମୀ ଦିନରେ ୩ ବିଧାୟକଙ୍କ ସହ ତାଳମେଳ ରଖି ଅପରାଜିତାଙ୍କ କଡ଼ା ମୁକାବିଲା କରିବ ନା ଧରାଶାୟୀ ହେବ ତାକୁ ନେଇ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଉପରେ ବିଜେପି ବିଜେଡି ଭାଇ ଭାଇ ବୋଲି କୁହାଯାଉଥିବା ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତିରି ନିର୍ଦେଶ ହିଁ କାମ କରିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି I ତା’ଅର୍ଥ ବିଧାନ ସଭା ତୁମର ଲୋକସଭାଟି ଆମର ଏଭଳି ହୋଇପାରେ ବୋଲି ମଧ୍ୟ କୁହା କୁହି ହେଉଛନ୍ତି I