





ଭୁବନେଶ୍ୱର(ସମୃଦ୍ଧଓଡିଶା) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସହଧର୍ମିଣୀ ଡା. ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ । ପୂଜା ମଣ୍ଡପ ବୁଲିବା ପାଇଁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ସକାଳେ ପୂଜା ମଣ୍ଡପ ଗୁଡ଼ିକ ପାଇଁ ଧାର୍ଯ୍ୟ ହୋଇଥିବା ସରକାରୀ ଦେୟ ଛାଡ଼ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମେ ପୁରୁଣା ଭୁବନେଶ୍ୱରସ୍ଥିତ ପାଟଣା ସାହି ପୂଜାମଣ୍ଡପକୁ ଯାଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ମଣ୍ଡପରେ ଚଳିତ ବର୍ଷ ୭୫ତମ ଶାରଦୀୟ ଦୁର୍ଗାପୂଜାର ଆୟୋଜନ କରାଯାଇଛି । ଏହା ପରେ ମୁଖ୍ୟମନ୍ତ୍ରୀ ସୁନ୍ଦରପଦା, ବରମୁଣ୍ଡା, ନୟାପଲ୍ଲୀ, ସହିଦନଗର, ରସୁଲଗଡ଼, ବମିଖାଲ, ଷ୍ଟେସନ୍ ବଜାର ଏବଂ ଲକ୍ଷ୍ମୀସାଗର (କଟକ ରୋଡ୍) ପୂଜାମଣ୍ଡପ ବୁଲି ଦେଖିବା ସହ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନ କରିଥିଲେ । ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଜଗଜ୍ଜନନୀ ମା’ଦୁର୍ଗାଙ୍କ ଆଗମନରେ ଧରଣୀ ଉତ୍ସବମୁଖର ହୋଇଉଠିଛି । ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ମହାସମାରୋହରେ ତଥା ଆକର୍ଷଣୀୟ ଭାବେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି । ଆଜି ଅଷ୍ଟମୀ ତିଥିରେ ମା’ଙ୍କ ଦର୍ଶନ କରି ମୁଁ ନିଜକୁ ଧନ୍ୟ ମନେ କରୁଛି । ମା’ଙ୍କ ନିକଟରେ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ସୁଖ, ଶାନ୍ତି, ସମୃଦ୍ଧି ସହ ରାଜ୍ୟର ବିକାଶ ପାଇଁ ପ୍ରାର୍ଥନା କରିଛି । ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମା’ଦୁର୍ଗା ସମସ୍ତଙ୍କୁ ଆର୍ଶୀବାଦ ଦିଅନ୍ତୁ ବୋଲି ସେ କହିଥିଲେ । ଏହି ଅବସରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ରିପୋର୍ଟ : ରଜତ ମହାପାତ୍ର