ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଆନ୍ତଃରାଷ୍ଟ୍ରୀୟ ଯୁବ ଛାତ୍ର ସମ୍ମିଳନୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଶ୍ୱ ଛାତ୍ର ଓ ଯୁବ ସଂଗଠନ  (World Organisation of Students and Youth)  ଭାରତରେ ଅବସ୍ଥାପିତ ଏକ ଅନ୍ତରାଷ୍ଟ୍ରୀୟ ଛାତ୍ର ଓ ଯୁବ ସଂଗଠନ, ଯାହାକି ବୈଶ୍ୱିକ ସହଯୋଗ ମାଧ୍ୟମରେ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ପୃଥିବୀ ଗଠନରେ କାର୍ଯ୍ୟ କରି ଆସୁଛି । ଏହାର ମୂଳମନ୍ତ୍ର ମୁଖ୍ୟତଃ ‘ବସୁଧୈବ କୁଟୁମ୍ବକମ୍ ’ ଏବଂ ଭାରତର ମୂଳଭୂତ ପରମ୍ପରା ଓ ସଂସ୍କୃତି । ଏହି ସଂଗଠନ ଭୁବନେଶ୍ୱରରେ ଏକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ପ୍ରଥମ ଥର ପାଇଁ ଆୟୋଜନ କରିବ । ଯାହାର ବିଷୟ ‘ଏକବିଂଶ ଶତାବ୍ଦୀର ମହିଳା ପ୍ରସଙ୍ଗ : ବିଶ୍ୱ ଗଠନରେ ଭୂମିକା । ଏହି ସମ୍ମିଳନୀରେ ୫୦ରୁ ଉର୍ଦ୍ଧ ଦେଶର ହଜାରରୁ ଅଧିକ ଛାତ୍ର ପ୍ରତିନିଧି ଯୋଗଦେବେ ଏବଂ ଏହା ୧୧ ଓ ୧୨ ଜାନୁୟାରୀ ଦୁଇ ଦିନ ଧରି ଅନୁଷ୍ଠିତ ହେବ ବୋଲି ଏହି ସଂଗଠନର କର୍ମକର୍ତ୍ତାମାନେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଏହି ଦୁଇ ଦିବସୀୟ ସମ୍ମିଳନୀରେ ବିଭିନ୍ନ ମହିଳା ସମ୍ବନ୍ଧୀୟ ପ୍ରସଙ୍ଗ, ଯଥା କର୍ମକ୍ଷେତ୍ରରେ ମହିଳା, ମହିଳାଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷା, ବିଶ୍ୱ ଗଠନରେ ମହିଳାଙ୍କ ଭୂମିକା, ସମାଜ ଗଠନରେ ମା’ଙ୍କ ଭୂମିକା, ଭାରତ ସରକାର ଏବଂ ବିଶ୍ୱର ବିଭିନ୍ନ ମହିଳା ସଶକ୍ତିକରଣ ଯୋଜନା ଉପରେ ଗୁରୁତ୍ୱାରୋପ କରାଯିବ । ସମ୍ମିଳନୀର ବିଷୟବସ୍ତୁକୁ ନେଇ ଗବେଷଣାରତ ଛାତ୍ରଛାତ୍ରୀମାନେ ନିବନ୍ଧ ଓ ଉପନିବଦ୍ଧ ପ୍ରଦାନ କରିବେ ଯାହାକୁ ଏକ ପୁସ୍ତକ ଆକରାରେ ପ୍ରକାଶ କରାଯିବ । ଏହି ସମ୍ମିଳନୀଟି ଓଡିଶାର ମହାମହିମ ରାଜ୍ୟପାଳ ଶ୍ରୀ ଗଣେଷୀ ଲାଲଙ୍କ ଦ୍ୱାରା ୧୧ ଜାନୁୟାରୀ ୨୦୧୯ ପୂର୍ବାହ୍ନ ୧୦ଟାରେ ସୋଆ ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍ଘାଟନ କରାଯିବ । ଗଣମାଧ୍ୟମ, ଶିକ୍ଷା, ସରକାର, ବୁଦ୍ଧିଜୀବି, ନୀତି ନିଦ୍ଧାରକ ସଂଗଠନ, ଯୁବ ସଂଗଠନ ସହ ଯୋଡିହୋଇଥିବା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେବେ ଓ ଚର୍ଚ୍ଚା ଆଲୋଚନା କରିବେ ।

ରିପୋର୍ଟ : ଆକାଶ ମିଶ୍ର