

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାକୁ ଆସି ଭୁବନେଶ୍ୱରରେ ରୋଡ୍ ସୋ’ କରିଛନ୍ତି । ସନ୍ଧ୍ୟା ପ୍ରାୟ ୫ଟା ୪୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବା ପରେ ସେଠାରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ରୋଡ୍ ସୋ’ କରି ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲେ । ପ୍ରାୟ ୫କିମିର ରାସ୍ତାରେ ପ୍ରଧାନମନ୍ତ୍ରୀ ୧ଘଣ୍ଟା ୧୫ ମିନିଟ୍ର ରୋଡ୍ ସୋ’ କରିଥିଲେ । ମୋଦୀ ବିମାନବନ୍ଦରରୁ ବାହାରି ନୂଆ ଏୟାରପୋର୍ଟ ଛକ, ଗଙ୍ଗନଗର ଛକ, ସିରିପୁର ଛକ, ସିଟି ଓମେନ୍ସ ଛକ, ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିର, ଓୟୁଏଟି ଫାର୍ମ ହାଉସ୍ ରାସ୍ତା ଦେଇ ବରମୁଣ୍ଡା ଓଭରବ୍ରିଜ୍ ନିକଟରେ ପହଞ୍ଚିଥିଲେ । ସେଠାରୁ ରଙ୍ଗରୁଟ୍ରେ ଆସି ବରମୁଣ୍ଡା ପଡ଼ିଆରେ ପ୍ରବେଶ କରିଥିଲେ । ମୋଦୀଙ୍କ ଗାଡ଼ି ଆଗରେ ଓଡ଼ିଶାର ପାରମ୍ପାରିକ ଘୋଡ଼ା ନାଚ, ଆଦିବାସୀ ନୃତ୍ୟ ସହ ଘଣ୍ଟ, ଢୋଲ ବଜାଇ ତାଙ୍କୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ନିଆଯାଇଥିଲା । ମୋଦୀଙ୍କ ରୋଡ୍ ସୋ’ରେ ଶୃଙ୍ଖଳା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମୋଦୀଙ୍କ ରୋଡ୍ ସୋ’ରେ ଧର୍ମେନ୍ଦ୍ର ପ୍ରଧାନ ବିମାନବନ୍ଦରରେ ମୋଦୀଙ୍କୁ ସ୍ୱାଗତ କରିବା ପରେ ରୋଡ୍ ସୋ’ରେ ମୋଦୀଙ୍କ ଗାଡ଼ି ଆଗେଆଗେ ଚାଲି ଚାଲି ସିରିପୁର ଛକ ପର୍ଯ୍ୟନ୍ତ ଯାଇଥିଲେ । ମୋଦୀ ଆସିବା ପୂର୍ବରୁ ୫ଟି ଲୋକସଭା କ୍ଷେତ୍ରର ସାଂସଦ ପ୍ରାର୍ଥୀମାନେ ଉଦ୍ବୋଧନ ଦେଇଥିଲେ । ଭୁବନେଶ୍ୱର ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ପୁରୀ ପ୍ରାର୍ଥୀ ସମ୍ବିତ ପାତ୍ର, କେନ୍ଦ୍ରାପଡ଼ା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, କଟକ ପ୍ରାର୍ଥୀ ପ୍ରକାଶ ମିଶ୍ର, ଜଗତସିଂହପୁର ପ୍ରାର୍ଥୀ ବିଭୁ ତରାଇ, ବିଜେପି ପ୍ରଭାରୀ ଅରୁଣ ସିଂହ, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ଓ ରଣପୁର ବିଧାୟକ ପ୍ରାର୍ଥୀ ସୁରମା ପାଢ଼ୀ ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ଉପସଭାପତି ସମୀର ମହାନ୍ତି ଓ ଗୋଲକ ମହାପାତ୍ର ସଭା ପରିଚାଳନା କରିଥିଲେ । ବରିଷ୍ଠ ନେତା ତଥା ପାଟକୁରା ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ । ଏହି ୫ଟି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀମାନେ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ ।
ରିପୋର୍ଟ : ଆକାଶ ମିଶ୍ର



