ସାଧାରଣ ନିର୍ବାଚନ ପାଇଁ ଭୋଟର ହାର ବୃଦ୍ଧି ସହ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ବ୍ଲୁ ବଟନ ଏକ୍ସପ୍ରେସ…

ଛତ୍ରପୁର (ସମୃଦ୍ଧ ଓଡିଶା) ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଯାହାକୁ ନେଇ ବେଶ ମାତ୍ରାରେ ପ୍ରସ୍ତୁତି କରିବାରେ ଲାଗିଛି ଗଂଜାମ ଜିଲ୍ଲା ପ୍ରଶାସନ । ତେବେ ଗତ ମଙ୍ଗଳବାର ଦିନ ଭୁବନେଶ୍ୱରରୁ ବାହାରିଥିବା ବ୍ଲୁବଟନ ଏକ୍ସପ୍ରେସ ଗତକାଲି ଗଂଜାମ ଜିଲ୍ଲାର ଛତ୍ରପୁରରେ ପହଞ୍ଚିଥିଲା । ଏହି ଏକ୍ସପ୍ରେସଟିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକର ଅନେକ ଅନେକ ଗାଁ ବୁଲି ଭୋଟ ଦେବା ନିମନ୍ତେ ଲୋକମାନଙ୍କୁ ସଚେତନତା କରାଇବା ସହ ଭୋଟର ହାର କିଭଳି ଭାବେ ବୃଦ୍ଧି ହେବ, ଯୁବ ଭୋଟରମାନଙ୍କୁ ଆକୃଷ୍ଟ କରିବ ଏହା ହେଉଛି ଏହି ଏକ୍ସପ୍ରେସର ମୂଳଲକ୍ଷ୍ୟ । ଏହା ଭୋଟ ଦେବା ନିମନ୍ତେ ଲୋକମାନଙ୍କ ବିଭିନ୍ନ ସମସ୍ୟାକୁ ଏଲଇଡି ଟିଭି ମାଧ୍ୟମରେ ସଚେତନତା କରାଇ ସମାଧାନ କରାଯିବ । ଏହି ଏକ୍ସପ୍ରେସ ଜିଲ୍ଲାର ଛତ୍ରପୁର, ଗଂଜାମ, ରମ୍ଭା, ଖଲିକୋଟ, କୋଦଳା, କବିସୂର୍ଯ୍ୟନଗର, ଆସିକା, ହିଂଜିଳିକାଟୁ, ବ୍ରହ୍ମପୁର, ଚିକିଟି ସମେତ ବିଭିନ୍ନ ଗାଁ ବୁଲି ସଚେତନତା କରିବା ପରେ ଆଜି ଗଜପତି ଜିଲ୍ଲାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି ।  ଏହି ଏକ୍ସପ୍ରେସ ଓଡ଼ିଶା ଇଲେକ୍ସନ ୱାଚ ଓ ଏଡିଆରର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଦିନ ଦୁଇଟି ଏକ୍ସପ୍ରେସକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶୁଭାରମ୍ଭ କରିଥିଲେ । ଏହା ରାଜ୍ୟର ସମସ୍ତ ଜିଲ୍ଲା ବୁଲି ଲୋକମାନଙ୍କୁ ମୋ ଭୋଟ ମୋ ଅଧିକାର ମୋ ନିଷ୍ପତି । ମୋ ‘ଭୋଟ ମୋ ଦେଶ’ ମୋ ଭୋଟ ସଉଦା ନୁହେଁ, ଭୋଟ ଦେବା ଦେଶ ଗଢ଼ିବା ପ୍ରକୃତ ନାଗରିକ ସିଏ ଭଲ ପ୍ରାର୍ଥୀ ବାଛିଥାଏ ଯିଏ ଉପରେ ଫୋକସ କରିବ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଡେପୁଟି କଲେକ୍ଟର (ନିର୍ବାଚନ) ବିଜୟାନନ୍ଦ ସେଠୀ, ଛତ୍ରପୁର ଓକିଲ ସଂଘ ସଭାପତି କେ.ଶିବରାମ ରେଡ୍ଡି, ଓଡ଼ିଶା ଇଲେକ୍ସନ ୱାଚର ଜିଲ୍ଲା ସଂଯୋଜକ ଦେବରାଜ ସାହୁ, କୃପାସିନ୍ଧୁ ପଣ୍ଡାଙ୍କ ସମେତ ବହୁ କର୍ମଚାରୀ ଓ ବୁଦ୍ଧିଜୀବୀମାନେ ଅଂଶ ଗ୍ରହଣ କରିଥିଲେ । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା