ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନର ଶୁଭାରମ୍ଭ କଲେ ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ୫ଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନର ଶୁଭାରମ୍ଭ କରିଛନ୍ତି । ଏହାପରେ ଏକ ବୈଠକ ବସିଥିଲା ଏଥିରେ ଟାଟା ଷ୍ଟିଲ ଏସ.ଇ.ଜେଡ. ଯୋଜନାରୁ ଏହି ୫ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳନା କରାଯିବ । ଏହି ଭ୍ରାମ୍ୟମାଣ ମୋବାଇଲ ସେବାରେ ଡାକ୍ତର, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ସେବା ଯୋଗାଇବେ । ଟାଟା ଦ୍ୱାରା ପ୍ରଦତ୍ତ ଏହି ୫ ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍ ଗୁଡିକରେ ଅକ୍ସିଜେନ ସୁବିଧା ରହିଛି । ଏହା ମୋବାଇଲ କ୍ଲିନିକ ଭଳି କାର୍ଯ୍ୟ କରିବ । ସାଧାରଣ ଚିକିତ୍ସା ମଧ୍ୟ ଏହି ଭ୍ୟାନରୁ ମିଳି ପାରିବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ଉପଖଣ୍ଡକୁ ଗୋଟିଏ ଲେଖାଏଁ ଭ୍ୟାନ୍ ଓ ବ୍ରହ୍ମପୁର ମହାନଗର ଅଞ୍ଚଳବାସୀଙ୍କ ନିମନ୍ତେ ଦୁଇ ଗୋଟି ଭ୍ୟାନ୍ ସେବା ଯୋଗାଇ ଦେବ । ଏଠାରେ ପ୍ରକାଶ ଥାଉ କି ପଞ୍ଚାୟତ ସ୍ତରରେ ୮୯ ଗୋଟି, ଅକ୍ସିଜେନ ସୁବିଧା ଥାଇ ୩୩ ଗୋଟି ଏବଂ ଶବ ବୋହିନେବା ଦିଗରେ ୧୧ଗୋଟି ଏହପରି ସମୁଦାୟ ୧୩୩ ଗୋଟି ଆମ୍ବୁଲାନ୍ସ ସେବା ଜିଲ୍ଲାରେ ପୂର୍ବରୁ ଯୋଗାଇ ଦିଆଯାଇଛି । ଗତ ଜୁଲାଇ ୧୩ ଠାରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆମ୍ବୁଲାନ୍ସ ପରିଚାଳନା କେନ୍ଦ୍ର ଖୋଲାଯାଇ ସେବା ପ୍ରଦାନ କରାଯାଉଛି । ଏ ଯାବତ ୨୦୧ ଗୋଟି ସେବା ପ୍ରଦାନ କରାଯାଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ ଉପସ୍ଥିତ ରହି ଅବଗତ କରାଇଥିଲେ । ବର୍ତ୍ତମାନ ଜିଲ୍ଲାରେ ପରୀକ୍ଷା ସଂଖ୍ୟା ବଢୁଥିବା ବେଳ ସଂକ୍ରମଣଙ୍କ ସଂଖ୍ୟା କମୁଛି, ପର୍ଯ୍ୟାପ୍ତ ପରିମାଣର ଭିତିଭୂମିର ମଧ୍ୟ ବିକାଶ କରାଯାଇଛି । ଏମକେସିଜି କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ଆସନ୍ତାକାଲି ଠାରୁ ଅଶ୍ୱିନୀରେ ମଧ୍ୟ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହାସହ ଏହି ଅବସରରେ ଆସିକା ଏନଏସିର ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ମୃତ୍ୟୁରେ ସମବେଦନା ଜଣାଇବା ସହ ତାଙ୍କ ପରିବାରଙ୍କ ସହ ଜିଲ୍ଲା ପ୍ରଶାସନ ରହିଛି ବୋଲି କହିଛନ୍ତି । ଅନ୍ୟପଟେ ଗଞ୍ଜାମ ଜିଲ୍ଲାର କୋଭିଡ୍ ପରିଚାଳନା ଦିଗରେ କାର୍ଯ୍ୟ କରିବା ପାଇଁ ଆସିଥିବା ୧୦ଜଣ ଓଏଏସ୍ ଓ ୩ଜଣ ଓଆରଏସ୍ ଅଧିକାରୀଙ୍କୁ ଜିଲ୍ଲାପାଳ ଜିଲ୍ଲାର ସ୍ଥିତି ସଂପର୍କରେ ଅବଗତ କରାଇବା ସହ ଗାଇଡ୍ ଲାଇନ୍ ସଂପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଟାଟା ଷ୍ଟିଲ ଫାଉଣ୍ଡେସନର ବରିଷ୍ଠ ପରିଚାଳକ ସଞ୍ଜିବ କୁମାର ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର କୁମାର ପରିଡା, ମୁଖ୍ୟ ସ୍ୱାସ୍ଥ୍ୟ ପରିଚାଳକ ନରସିଂହ ସାହୁ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା