ମକର ସଂକ୍ରାନ୍ତି ହିନ୍ଦୁମାନଙ୍କର ଏକ ମହାନ ତଥା ମୁଖ୍ୟ ପର୍ବ, ଏମିତିକି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ମଧ୍ୟ ଦ୍ଵାଦଶ ଯାତ୍ରା ମଧ୍ୟରୁ ଏହା ଅନ୍ୟତମ । ଏହି ଦିନ ଆଦିତ୍ୟ ନାରାୟଣ ଦକ୍ଷିଣାୟନ ଶେଷକରି ଉତ୍ତରାୟଣ ଯାତ୍ରା ଆରମ୍ଭ କରନ୍ତି, ଅର୍ଥାତ୍ ସୂର୍ଯ୍ୟନାରାୟଣ ଧନୁ- ରାଶିରୁ ମକର ରାଶିକୁ ଗମନ କରନ୍ତି । ସୂର୍ଯ୍ୟଦେବତା ଦକ୍ଷିଣରୁ ଉତ୍ତରକୁ ଯାତ୍ରା କରନ୍ତି, ମାନେ ଉତ୍ତରାୟଣ ଅର୍ଥାତ୍ ଉତ୍ତର ବା ଉର୍ଦ୍ଧ୍ବକୁ ଯାତ୍ରା କରନ୍ତି, ସେଥିନିମନ୍ତେ ଏହି ଦିନ ଅନୁକୂଳ କରି ଯେ କୌଣସି ଶୁଭ କାର୍ଯ୍ୟ ଅୟମାରମ୍ଭ କରାଯାଏ ଉର୍ଦ୍ଧ୍ବ ବା ଉନ୍ନତି ବିଧାନ ନିମନ୍ତେ, ଯେତେ ପ୍ରକାର ଶୁଭ କାର୍ଯ୍ୟ ଏହି ଦିନ ଅନୁକୂଳ କରାଯାଏ । ମହାଭାରତ ଯୁଦ୍ଧ-ଭୂମିରେ ଶରଶଯ୍ୟାଗତ ପିତାମହ ଭୀଷ୍ମ ଏହି ପବିତ୍ର ମକର ସଂକ୍ରାନ୍ତି ବା ଉତ୍ତରାୟଣକୁ ଅପେକ୍ଷା କରିଥିଲେ ସ୍ବଶରୀର ତ୍ୟାଗକରି ମୋକ୍ଷ ନିମନ୍ତେ, ଏଇଥିରୁ ଏହି ପବିତ୍ର ତିଥିର ଗୁରୁତ୍ୱ ଉପଲବ୍ଧ । ରବିନାରାୟଣ ବା ସୂର୍ଯ୍ୟଦେବଙ୍କ ଏହି ଯାତ୍ରା ବା ଚଳନକୁ ନେଇ କଥା ଅଛି,” ମକର, ଖରା ହୋଇଲାଣି ବକର”ଅର୍ଥାତ୍ ଏହି ଦିନରୁ ସୂର୍ଯ୍ୟଙ୍କ କିରଣ ତୀର୍ଯ୍ୟକ ହୋଇଯାଏ(ଉତ୍ତରାୟଣ) ଅର୍ଥ ଏହି ଦିନଠାରୁ ସୂର୍ଯ୍ୟଦେଵ ଦକ୍ଷିଣ ଗୋଲାର୍ଦ୍ଧରୁ ଉତ୍ତର ଗୋଲାର୍ଦ୍ଧକୁ ଯାତ୍ରା କରନ୍ତି, ମକର ସଂକ୍ରାନ୍ତିଠାରୁ ଶୀତ ବା ଥଣ୍ଡା କମିଯାଏ ଏବଂ ଖରା ତୀବ୍ର ହୁଏ, ରାତି ଛୋଟ ଦିନ ବଡ଼ ହୋଇଥାଏ, ମକର ପରଦିନଠାରୁ । ଏହିଦିନ ସୂର୍ଯ୍ୟଦେବ ତାଙ୍କ ପୁତ୍ର ଶନିଦେଵଙ୍କୁ ଭେଟିବାକୁ ସବୁ ମନୋମାଳିନ୍ୟ ସତ୍ତ୍ୱେ ଶନିଦେବଙ୍କୁ ଆଶୀର୍ବାଦ କରିବାକୁ ଯାଆନ୍ତି । ଶନିଦେବ ଓ ସୂର୍ଯ୍ୟଦେବଙ୍କ ମଧ୍ୟରେ ମତାନ୍ତର ସତ୍ତ୍ୱେ ସୂର୍ଯ୍ୟଦେବ ଶନିଦେବଙ୍କୁ ଆଶୀର୍ବାଦ କରିବାକୁ ଯାଉଥିବାରୁ ଏଥିରୁ ଶିକ୍ଷାଗ୍ରହଣ କରେ ସାରା ମାନବସମାଜ ଏବଂ ତଦନୁଯାୟୀ କାର୍ଯ୍ୟକରେ । ତେଣୁ ମକର ହେଉଛି ଶାନ୍ତି, ଆନନ୍ଦ, ସମ୍ପର୍କ, ସଦଭାବନା, ବନ୍ଧୁତା ଓ ଭାଇଚାରାର ପର୍ବ । ଏହି ସମୟରେ ହୃତସମ୍ପର୍କ ଫେରାଇ ଆଣିଵାର, ଯୋଡିବାର, ପୁନଃସ୍ଥାପନର ପର୍ବ, ସବୁ ମନୋମାଳିନ୍ୟକୁ ଆଡେଇଦେଇ ସମ୍ପର୍କସ୍ଥାପନ ବା ପୁନଃସ୍ଥାପନର ସମୟ, ସକଳଶକ୍ତିର ଆଧାର ଭାସ୍କର ଦେବ ଏହା ଵତାଇଛନ୍ତି ମାନବ ସମାଜକୁ ଏହି ଅବସରରେ । ଏହି ସଂକ୍ରାନ୍ତିରେ ଅନେକ ପୁରୁଷ/ନାରୀ ପରସ୍ପର ମଧ୍ୟରେ “ମକର”ବସିବାର ପରମ୍ପରା ଅଛି । ଏହି ମକର ସଂକ୍ରାନ୍ତି ମୁଖ୍ୟତଃ ଏକ କୃଷିଭିତ୍ତିକ ପର୍ବ, ଫସଲ ଅମଳ ହୋଇସାରିଥିବାରୁ ସେଇ ନୂତନ ଫସଲ ବା ଧାନ(ଆମର ମୁଖ୍ୟ ଫସଲ)ରୁ ପ୍ରସ୍ତୁତ ଚାଉଳରୁ ମକର ଚାଉଳ ପ୍ରସ୍ତୁତ କରି ସୂର୍ଯ୍ୟ, ବିଷ୍ଣୁ, ଲକ୍ଷ୍ମୀ ତଥା ଅନ୍ୟାନ୍ୟ ଦେବଦେବୀଙ୍କୁ ଭୋଗ ଲଗାଯାଏ।ସାରା ଭାରତରେ ଏହି ସଂକ୍ରାନ୍ତି ବିଭିନ୍ନ ନାମରେ ପାଳନ କରାଯାଏ ରୀତିନୀତି କିଛି ଅଲଗା ହେଲେ ମଧ୍ୟ, ଲକ୍ଷ ଏକ ଫସଲଅମଳ ପର୍ବ ପାଳନ । ଫସଲଅମଳ ସରିଯାଇଥିବାରୁ ଚାଷୀକୁଳ ତଥା କୁଷି- ଭିତ୍ତିକ ପରିବାରବର୍ଗ ଏହି ସଂକ୍ରାନ୍ତିକୁ ମହାସମାରୋହରେ ପାଳନ କରନ୍ତି ବିଭିନ୍ନ ପିଠା- ପଣା, ମିଠା, ଘରୋଇ ସାଜସଜ୍ଜା (ରଙ୍ଗୋଲି)ଓ ବିଭିନ୍ନ ପର୍ବ ପାଳନରେ । ଏହି ସଂକ୍ରାନ୍ତିରେ ମୁଖ୍ୟତଃ ତିଳ ବା ରାଶିରେ ପ୍ରସ୍ତୁତ ବିଭିନ୍ନ ମିଠା ତିଆରି ହୋଇ ଆଦିତ୍ୟନାରାୟଣଙ୍କୁ ଭୋଗ ଲଗାଯାଏ ଓ ବଣ୍ଟନ କରାଯାଏ।କାରଣ ମକର(ଶନିଦେଵଙ୍କ ଘର)ରେ ସୂର୍ଯ୍ୟ- ଦେବ ପ୍ରଵେଶକଲାଵେଳକୁ ଶନିଦେବଙ୍କର ସବୁ ନଷ୍ଟ ହୋଇଯାଇଥିଲା ତାଙ୍କର ଅନ୍ୟଘର କୁମ୍ଭ ସହିତ, ସୂର୍ଯ୍ୟଦେବଙ୍କ ଅଭିଶାପରୂ, ରହିଯାଇଥିଲା କେବଳ କିଛି କଳା ରାଶି । ତେଣୁ ଶନିଦେବଙ୍କୁ କଳାରାଶି ଲଡୁ ଭୋଗ ପ୍ରଦାନ ଏବଂ ରାଶିତେଲ ଦୀପ ପ୍ରଜ୍ବଳନ କଲେ ଶନି ଦେବ ପ୍ରସନ୍ନ ହୁଅନ୍ତି । ମକରରେ ସମସ୍ତେ ରାଶି ଖାଇବା ବିଧେୟ, କୁହାଯାଇଛି, କଳାରାଶି ପରି ଆମେ ବାହାରେ କଳା କିନ୍ତୁ ଭିତରେ ଧଳା ଏବଂ ଚିକ୍କଣ ହେଲେ ସମାଜରେ ତିଷ୍ଠି- ପାରିଵା । ସେଥିପାଇଁ କଥା ଅଛି,” ରାଶି ପରି କ୍ଷୁଦ୍ର ଓ ମିଠା ହେଲେ ତୁମେ ଭବିଷ୍ୟତରେ ବଡ଼ ଏବଂ ସୁନ୍ଦର ହୋଇପାରିବ, Be small and sweet as sesame and you will be great and beautiful.”ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର । ଏହି ସଂକ୍ରାନ୍ତିରେ ଦାନକଲେ ତାହା ଶତଗୁଣ ହୋଇ ଫେରିଆସେ ପ୍ରବାଦ ଅଛି,ତେଣୁ ଏହିସଂକ୍ରାନ୍ତିରେ ସ୍ନାନ,ଦାନ,ଧ୍ୟାନର ସ୍ବତନ୍ତ୍ର ମହତ୍ତ୍ଵ ରହିଛି,ଆମ ରାଜ୍ୟର କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗାରେ ଏହି ପ୍ରତ୍ୟୁଷରୁ ମାଘସପ୍ତମୀ ଵୁଡ(ସ୍ନାନ) ଅତି ବିଖ୍ୟାତ । ଏହି ସଂକ୍ରାନ୍ତିରେ ଏସବୁ କଲେ ଅଶେଷ ପୁଣ୍ୟ ଲାଭ ହୁଏ ଏବଂ ମୋକ୍ଷପ୍ରାପ୍ତି ହୁଏ । ଏହିଦିନରୁ ସ୍ୱର୍ଗଲୋକରେ ଦିନ ଆରମ୍ଭ ହୁଏ । ଅନେକ ସ୍ଥାନରେ ଏହି ଦିନରୁ ମେଳା ଆରମ୍ଭ ହୁଏ, ଯଥା: ଅଟ୍ରି, କାଳିଜାଈ, ଭଦ୍ରକ ଜିଲ୍ଲାରେ, ମୟୁରଭଞ୍ଜ ଆଦି ଆଦିବାସୀ ଜିଲ୍ଲାମାନଙ୍କରେ ନାନାପ୍ରକାର ପର୍ବପର୍ବାଣୀ, ଉତ୍ସବ ଆରମ୍ଭ ହୋଇଯାଏ । ଏହିଦିନ ନଦୀ/ପୁଷ୍କରିଣୀ/ସମୁଦ୍ର/ହ୍ରଦ ଆଦିରେ ସ୍ନାନର ଅଶେଷ ମହତ୍ତ୍ଵ ରହିଛି, କାରଣ ଏହାଦ୍ବାରା କରିଥିବା ପାପ ସବୁ ନଷ୍ଟ ହୋଇଯାଏ ସୂର୍ଯ୍ୟଦେବଙ୍କ କୃପାରୁ । ଅନେକତ୍ର ଗାଈ, ଗୋରୁକୁ ସ୍ନାନ କରାଇ ପୂଜାର୍ଚ୍ଚନା କରାଯାଏ, ଶିଙ୍ଗଙ୍କୁ ରଙ୍ଗରେ ସଜାଯାଏ । କେବଳ ଧାର୍ମିକ, ସାଂସ୍କୃତିକ ବା ପାରମ୍ପରିକ କାରଣ ନୁହେଁ, ମକରସଂକ୍ରାନ୍ତିର ବୈଜ୍ଞାନିକ କାରଣ ମଧ୍ୟ ଅତି ବଳିଷ୍ଠ ଓ ପ୍ରାଞ୍ଜଳ।ଶୀତ ସରି ଆସୁଥିବାରୁ ଏବଂ ସୂର୍ଯ୍ୟଦେବଙ୍କରପବିତ୍ର ଉତ୍ତରାୟଣ କାଳରେ ଖରା ଉପଭୋଗ କଲେ ଶରୀରରେ ଭିଟାମିନ ଡି ଉତ୍ପନ୍ନ ହେବଏବଂ ତିନିଦିନ ଉତ୍ତମ ସୂର୍ଯ୍ୟକିରଣ ପାଇଲେ ତାହା ଶରୀରରେ ସଞ୍ଚିତ ହୋଇ ବର୍ଷସାରା କାମକୁ ପାଇବ ଯାହା ଶରୀର ନିମନ୍ତେ ଅତ୍ୟାବଶ୍ୟକ । ସେଇ ହେତୁରୁ ଦକ୍ଷିଣ ଭାରତରେ ତିନିଦିନ ବ୍ୟାପି ମକର (ଭୋଗୀ, ମକର, ପାଣ୍ଡୁଗୁ) ସଂକ୍ରାନ୍ତି ପାଳନ କରାଯାଏ । ସେତିକି ନୁହେଁ,ରାଶି ଯାହା କାଲସିୟମ(୧୦୦ ଗ୍ରାମରେ ୯୭୫ ମିଲିଗ୍ରାମ, ଯେତେବେଳେ କ୍ଷୀରରେ ଏହା ୧୨୫ ମିଲିଗ୍ରାମ)ରେ ଭରପୁର ରାଶିଲଡୁ ଆବାଳବୃଦ୍ଧଵନିତା ସମସ୍ତଙ୍କ ଶରୀର ନିମନ୍ତେ ଏକାନ୍ତ ଉପଯୋଗୀ,ଵିଶେଷକରି ମା’ମାନେ ପିଲାମାନଙ୍କୁ ରାଶି ଓ ଗୁଡ଼ରେ ପ୍ରସ୍ତୁତ ଲଡୁ ଖାଇବାକୁ ଦେଇଥାଆନ୍ତି, ଯାହା ସେମାନଙ୍କ ସକାଶେ ନିହାତି ଆବଶ୍ୟକ କାରଣ ରାଶି ଭିଟାମିନ ଇପ୍ରଦାୟକ ଯାହା ଶକ୍ତିବର୍ଦ୍ଧକ । ଆହୁରି ମଧ୍ୟ ଏହିଦିନ ଗୁଡ଼ି ଉଡାଇବାର ପରମ୍ପରା ରହିଛି, ତା’ର ମଧ୍ୟ ବୈଜ୍ଞାନିକ କାରଣ ରହିଛି, ଖୋଲା ସ୍ଥାନରେ ଗୁଡ଼ି ଉଡାଇଵା ଦ୍ଵାରା ଆମଶରୀର ପ୍ରଚୁର ସୂର୍ଯ୍ୟକିରଣ ପାଇଥାଏ ଯାହା ଭିଟାମିନ ଡି(ଶରୀରସକାଶେ ଅତ୍ୟାବଶକ)ର ଏକ ପ୍ରମୁଖଉତ୍ସ ଏବଂ ଶୀତଦିନରେ ଧାଁ ଦୌଡ ମାଧ୍ୟମରେ ଗୁଡ଼ି ଉଡାଇବାରେ ଶରୀର ଆବଶ୍ୟକ କରୁଥିବା ବ୍ୟାୟାମ ଆପଣାଛାଏଁ ହୋଇଯାଏ ଯାହା ଅତ୍ୟନ୍ତ ହିତକାରକ । ସତରେ ଆମ ଭାରତୀୟ ସନାତନ ସଂସ୍କୃତି କେତେ ମହାନ, କେତେ ବିଜ୍ଞାନଭିତ୍ତିକ, ତାପୁଣି ମଜାରେ ମଜାରେ ଖାଇବା, ଖେଳିବା ଓ ଆନନ୍ଦ ଉପଭୋଗର ସହିତ ! ମକର ପର୍ବ ସିନା ଗୋଟିଏ, ଆମ ଦେଶରେ ବିଭିନ୍ନ ପ୍ରାନ୍ତରେ ଏହାର ନାମ ଭିନ୍ନ ଭିନ୍ନ । ଆସାମରେ ଏହା ମାଘିଵିହୁ, ପଶ୍ଚିମବଙ୍ଗରେ ମକରସଂକ୍ରାନ୍ତ, ପୌଷପାର୍ବଣ, ଓଡିଶାରେ ମକରସକ୍ରାନ୍ତି, ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡୁରେ ପୋଙ୍ଗଲ, କେରଳରେ ମକରଭିଲାକୁ, କର୍ଣ୍ଣାଟକରେ ମକର ସଂକ୍ରମଣ, ସୁଗି(ଅମଳ ପର୍ବ), ମହାରାଷ୍ଟ୍ରରେ ମକରସଂକ୍ରାନ୍ତି, ଗୁଜୁରାଟରେ ଉତ୍ତରାୟଣ, ହରିୟାନାରେ ମାଘି, ପଞ୍ଜାବରେ ଲୋହରୀ, ହିମାଚଳ ପ୍ରଦେଶରେ ମାଘି ସାଜି(ସଂକ୍ରାନ୍ତି), କାଶ୍ମୀରରେ ଶିଶୁର ସଂକ୍ରାନ୍ତ, ଉତ୍ତରପ୍ରଦେଶରେ ଖିଚଡିପର୍ବ, ଉତ୍ତରାଖଣ୍ଡ ରେ ଘୁଘୁଟି ବା କାଲା କୌଆ(କଳା କୁଆ-କୁଆ ବା ପକ୍ଷୀମାନଙ୍କୁ ଖାଇବାକୁ ଦେବା ପର୍ଵ), ସଂକ୍ରାନ୍ତ ବା ଖିଚଡିନାମରେ ବିହାର ଓ ଝାଡ଼ଖଣ୍ଡରେ ପାଳନ କରାଯାଏ ଏବଂ ମାଘେ ସଂକ୍ରାନ୍ତି ନାମରେ ନେପାଳରେ ପାଳନ କରାଯାଏ । ସାରାଦେଶରେ ମକର ସଂକ୍ରାନ୍ତି ମହାଆଡମ୍ବରରେ ପାଳନ କରାଯାଏ ଅନେକ ପ୍ରକାର ମଜା ମଜଲିସ ବିଭିନ୍ନ ପ୍ରକାର ଖାଦ୍ୟ, ମେଳା, ଗୁଡ଼ି, ନାଚଗୀତ ଆଦିସହିତ । ଏଥିରେ ନାନାଦି ମିଠା, ଲଡୁ(ରାଶି ଗୁଡ଼), ଚିକି(ରାଶି/ବାଦାମ), ଖିଚଡି, ନଡ଼ିଆ ଲଡୁ ପ୍ରସ୍ତୁତ ହୁଏ ପ୍ରତିଘରେ । ବନ୍ଧୁଭାବନାକୁ ଉଜ୍ଜୀବିତ କରିବା ସହିତ ଏହା ଆମକୁ ପୂର୍ବ ମନୋମାଳିନ୍ୟ ଭୁଲି ଭଲ ମଣିଷ ହେବାକୁ ପ୍ରେରଣା ଦିଏ।ଆମ ରାଜ୍ୟର ସର୍ଵଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥଙ୍କଠାରୁ ଆରମ୍ଭ କରିବା, ମକର ପୂର୍ବଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ନବାଙ୍କ ବେଶ ହୁଅନ୍ତି, ସେଥିପାଇଁ ଵଡଓଡ଼ିଆ ମଠ ତରଫରୁ ଏଦିନେ ପ୍ରଚୁର ପରିମାଣରେ ମିଳୁଥିବା ଗେଣ୍ଡୁଫୁଲ ତୁଳସୀ ଆଦିରେ ପ୍ରସ୍ତୁତ ମକର ଚୂଳ, ମକର ତାଡ଼, ମକର ମାଳ ଯୋଗାଇ ଦିଆଯାଇଥାଏ ଅତିସୁନ୍ଦର ଭାବେ ଶ୍ରୀଜୀଉମାନେ ଶ୍ରୀଅଙ୍ଗରୁ ତଳ ପର୍ଯ୍ୟନ୍ତ ଲମ୍ବିଥିବା ମାଳରେ ମଣ୍ଡିତ ହୋଇ ଅପୂର୍ବ ବେଶରେ ଦର୍ଶନ ଦେଇଥାନ୍ତି ଭକ୍ତଜନଙ୍କୁ । ମକର ସଂକ୍ରାନ୍ତିରେ ନୁଆ ଅରୁଆ ଚାଉଳ, ନବାତ, କଦଳୀ, ଛେନା, ଗୁଜୁରାତି, ଆଖୁ, ନଡ଼ିଆପ୍ରଭୃତିରୁ ପ୍ରସ୍ତୁତ”ମକର ଚାଉଳ”ନୈବେଦ୍ୟ ରୂପେ ଶ୍ରୀଜୀଉମାନଙ୍କଠାରେ ଭୋଗଲାଗି ପରେ ଭକ୍ତମାନଙ୍କୁ ବଣ୍ଟନ କରାଯାଏ । ଧନୁ ସଂକ୍ରାନ୍ତିଠାରୁ ପ୍ରଚଳିତ ପହିଲି ଭୋଗର ସେହିଦିନ ଅନ୍ତ ହୁଏ, ବାପଘରୁ ମା’ଲକ୍ଷ୍ମୀ ଫେରି, ଆଣିଥିବା ଉପରବର୍ଣ୍ଣିତ ପଦାର୍ଥରେ ମକର ଚାଉଳ ପ୍ରସ୍ତୁତ ହୋଇଥାଏ, ପ୍ରଭୁଙ୍କର ମକର- ଚୌରାଶୀ ବେଶ ଅନୁଷ୍ଠିତ ହୁଏ ।ଓଡ଼ିଶାରେ ମକର ସଂକ୍ରାନ୍ତି ମହାସମାରୋହରେ ପାଳିତ ହୁଏ, ସ୍ଥାନେ ସ୍ଥାନେ ସପ୍ତାହବ୍ୟାପୀ ମେଳା ଆରମ୍ଭ ହୁଏ । ଗୁଜରାଟରେ ଏହା ଉତ୍ତରାୟଣ ପର୍ବ ଭାବେ ପାଳିତ ହୁଏ, ବିଭିନ୍ନ ମିଠା, ସୁସ୍ବାଦୁ ଖାଦ୍ୟ ସହିତ ସାଜସଜ୍ଜା ହୁଏ, ଅହମଦାବାଦରେ ଆନ୍ତର୍ଜାତୀୟ ଗୁଡ଼ିଉଡା ମହୋତ୍ସବ ଆରମ୍ଭ ହୁଏ । ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡୁରେ ତିନିଦିନ ପୋଙ୍ଗଲ ନାମରେ ପାଳିତହୁଏ, ବିଭିନ୍ନ ମିଠା ପିଠା ସହିତ, ରଙ୍ଗୋଲି, ନୁତନ ବସ୍ତ୍ର, ନୂଆ ଘରକରଣା ଜିନିଷ ସହିତ ନାଚଗୀତ ହୋଇ ଭୋଗୀ, ମକର, ପାଣ୍ଡୁଗୁ ପାଳିତ ହୁଏ, ବଡ଼ ବଡ଼ କାଠଗଣ୍ଡି ଓ ଅଦରକାରୀ କାଷ୍ଠୋପକରଣ ଇତ୍ୟାଦି ଜାଳି ଶୀତର ମଜ୍ଜା ନିଅନ୍ତି । ଆନ୍ଧ୍ର ଓ ତେଲେଙ୍ଗାନାରେ ଏହାକୁ ପେଡା ପାଣ୍ଡୁଗୁ ନାମରେ ମଧ୍ୟ ପାଳନ କରାଯାଏ । ଆସାମରେ ଭୋଗଲୀ ବିହୁ(ଫସଲ ଅମଳ ପର୍ବ) ପାରମ୍ପରିକ ବେଶ ପୋଷାକ, ବିଭିନ୍ନ ସୁମିଷ୍ଟ ତଥା ସ୍ବାଦିଷ୍ଟ ଖାଦ୍ୟ ପଦାର୍ଥ ଏବଂ ନାଚଗୀତ ସହ ପାଳିତ ହୁଏ । ପଶ୍ଚିମବଙ୍ଗରେ ଅନେକ ପ୍ରକାର ସ୍ବାଦିଷ୍ଟ ଖାଦ୍ୟ ପଦାର୍ଥ ସହିତ ପୌଷ ପାର୍ବଣ ବା ମକର ସଂକ୍ରାନ୍ତ ପାଳିତ ହୁଏ, ଏହ ଦିନରୁ ପ୍ରସିଦ୍ଧ ଗଙ୍ଗାସାଗର ମେଳା ଆରମ୍ଭ ହୁଏ, କଥିତ ଅଛି ଏହି ଦିନ ଗଙ୍ଗାମାତା ନଦୀରୂପରେ ଧରାବତରଣ କରି ସାଗର ଦ୍ଵୀପ ଅନ୍ତର୍ଗତ କପିଳ ମୁନିଙ୍କ ଆଶ୍ରମରେ ପ୍ରବାହିତ ହୋଇ କପିଳ ମୁନିଙ୍କ ଅଭିଶାପରୁ ଧ୍ୱଂସ ହୋଇଯାଇଥିବା ସଗର ବଂଶଜମାନଙ୍କୁ ଉଦ୍ଧାର କରିଥିଲେ । ସେଇ ହେତୁରୁ ଗଙ୍ଗାସାଗର ମେଳା ଆରମ୍ଭ ହୁଏ ଓ କପିଳ ମୁନିଙ୍କ ଆଶ୍ରମ ପରିଦର୍ଶନ କଲେ ପୂଣ୍ୟଲାଭ ହୁଏ । ଏହି ମେଳାରେ ଭାରତ ବାହାରୁ ମଧ୍ୟ ବହୁତ ଭକ୍ତ ଆସନ୍ତି ଓ ଏହା ବହୁଦିନ ଚାଲେ । କେରଳରେ ଏହି ଦିନ ସାବରୀମାଳା ପର୍ବତରେ ମକରଜ୍ୟୋତି ଦର୍ଶନ ନିମନ୍ତେ ପ୍ରବଳ ଭିଡ଼ ହୁଏ, ଆୟାପା(ବିଷ୍ଣୁ ଭକ୍ତ)ମାନଙ୍କର । ପଞ୍ଜାବରେ ଏହା ଲୋହରୀ ନାମରେ ଶ୍ରଦ୍ଧାଳୁମାନଙ୍କ ଦ୍ଵାରା, ଲଙ୍ଗର, ଦାନଧର୍ମ, (ଗରୀବମାନଙ୍କୁ କମ୍ବଳ, ଖାଦ୍ୟ ପଦାର୍ଥ, ଦୈନନ୍ଦିନ ଦରକାରୀ ଜିନିଷ ପତ୍ର ବଣ୍ଟନ)ରେ ପାଳନ କରାଯାଏ, ହରିୟାନାରେ ମାଘି ଭାବେ ପାଳିତ ହୁଏ ।ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡରେ ଖିଚଡି ପର୍ବ ଭାବେ ପାଳିତ ହୁଏ, ଚାଉଳ, ମୁଗ, ବିଭିନ୍ନ ପରିବା, ଅଦା, ଘିଅ ଓ ନାନାଦି ପ୍ରାକୃତିକ ମସଲାରୁ ପ୍ରସ୍ତୁତ ଖିଚଡି ହଜମକାରକ ଓ ଶକ୍ତିବର୍ଦ୍ଧକ । ଏହାକୁ ନିଜେ ସେବନ କରିବା ସହିତ ପରସ୍ପର ମଧ୍ୟରେ ବଣ୍ଟନ କରାଯାଇଥାଏ ବନ୍ଧୁତା, ଭାଇଚାରାର ପ୍ରସାର ସକାଶେ । ଉତ୍ତରାଖଣ୍ଡରେ ଖିଚଡି ପର୍ବ ସହିତ ଘୁଘୁଟି ବା କାଲା କୌଆ ପର୍ଵ ଭାବେ ପାଳିତ ହୁଏ, ଏଥିରେ କଳା କୁଆ ବା ପକ୍ଷୀମାନଙ୍କୁ ଖାଦ୍ୟ ପାନୀୟ ଆଦି ଦିଆଯାଏ । ଏହା ମଣିଷ ସମାଜକୁ ପଶୁପକ୍ଷୀ ତଥା ସମଗ୍ର ପ୍ରାଣୀଜଗତକୁ ଭଲ- ପାଇବା ଏବଂ ସହାବସ୍ଥାନର ସହିତ ବଞ୍ଚିବାକୁ ପ୍ରେରଣା ଯୋଗାଏ ବା ପ୍ରୋତ୍ସାହିତ କରେ । ହିନ୍ଦୁଧର୍ମର ୧୨ ସଂକ୍ରାନ୍ତି ମଧ୍ୟରୁ ମକର ସଂକ୍ରାନ୍ତି ଏକ ପ୍ରମୁଖ ସଂକ୍ରାନ୍ତି, ପ୍ରତିବର୍ଷ ଗୋଟିଏ (ବ୍ୟତିକ୍ରମ ଜାନୁଆରୀ ୧୫)ଦିନ, ଜାନୁଆରୀ ୧୪ରେ ପଡ଼ୁଥିବା, ପାଳିତ ହେଉ- ଥିବା ବନ୍ଧୁତା, ସହାବସ୍ଥାନ, ସଦଭାବନା, ସମ୍ପର୍କ, ଶାନ୍ତି, ପ୍ରୀତି, ମୈତ୍ରୀର ପର୍ବ, ସାରା ଜଗତର ସୃଷ୍ଟିର ମୂଳ କାରଣ, ସକଳ ଶକ୍ତିର ଆଧାର, ସହସ୍ରାଂଶୁ, ସୂର୍ଯ୍ୟଦେବଙ୍କୁ ଉତ୍ସର୍ଗିତ ମକର ସଂକ୍ରାନ୍ତି ଆମ ସନାତନ ହିନ୍ଦୁ ସମାଜର ସବୁ ଗୋଷ୍ଠୀ ଦ୍ଵାରା ପାଳିତ ଏକ ମହାନ ସାମାଜିକ ପର୍ବ । ମହାରାଷ୍ଟ୍ରରେ ଏହି ସଂକ୍ରାନ୍ତିରେ ଯେପରି “କାଇ ପୋ ଛେ….”କହନ୍ତି, ସେହିପରି ଏହି ଦିନ ଅନେକ ସ୍ଥାନରେ” ତିଲ ଗୁଲ ଘିଅ, ଆନି ଗୁଡ ଗୁଡ଼ ବୋଲା”ଅର୍ଥ “ଏହି ରାଶି ଓ ଗୁଡ଼ ଖାଅ ଏବଂ ମିଠାକଥା କୁହ” ବୋଲାଯାଇ ମକର ସଂକ୍ରାନ୍ତିର ସମ୍ଭାଷଣ ଜଣାଯାଏ ।
ଜୟନ୍ତ ପଟ୍ଟନାୟକ
୯୦୯୦୧ ୯୦୦୬୯