ଛତ୍ରପୁର (ସମୃଦ୍ଧ ଓଡିଶା) ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜିଲ୍ଲାରେ ୨ଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ । ଗଞ୍ଜାମ ଜିଲ୍ଲାରେ ୨ଟି ଲୋକସଭା ଆସନ ଓ ୧୩ଟି ବିଧାନସଭା ଆସନ ରହିଛି । ୩୦୬୩ ବୁଥ୍ ରେ ଜିଲ୍ଲାର ୨୮ଲକ୍ଷ ୧ହଜାର ୮୦୯ ଭୋଟର ମତଦାନ କରିବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଚଳିତ ସାଧାରଣ ନିର୍ବାଚନରେ ଜିଲ୍ଲାର ସମୁଦାୟ ୨୮ ଲକ୍ଷ ୧ ହଜାର ୮୦୯ ଭୋଟର ମତଦାନ ସାବ୍ୟସ୍ତ କରିବେ । ସେଥି ମଧ୍ୟରେ ପୁରୁଷ ଭୋଟର ସଂଖ୍ୟା ୧୪ ଲକ୍ଷ ୬୬ ହଜାର ୧୦୦, ମହିଳା ଭୋଟର ୧୩ ଲକ୍ଷ ୩୫ ହଜାର ୫୧୦ ଏହା ବ୍ୟତୀତ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୧୯୯ ରହିଛି । ଜିଲ୍ଲାର ପ୍ରାୟ ୬୦ ହଜାର ଦିବ୍ୟାଙ୍ଗ ଭୋଟର ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ ଦେବାକୁ ଯିବା ପାଇଁ ସେମାନଙ୍କ ଲାଗି ଯାନବାହନର ବ୍ୟବସ୍ଥା କରାଯିବ । ଜିଲ୍ଲାର ୩୦୬୩ ଭୋଟ କେନ୍ଦ୍ର ତଥା ବୁଥ ମଧ୍ୟରୁ ୪୬୪ ଟି ବୁଥକୁ କ୍ରିଟିକାଲ ବୁଥ ଭାବେ ଚିହ୍ନଟ କରାଯାଇଛି । ଏହି ବୁଥ ଗୁଡିକ ମଧ୍ୟରୁ ୩୦୮ଟି ବୁଥରେ ୱେବ କାଷ୍ଟିଙ୍ଗ, ୧୫ ଟି ବୁଥରେ ସିସିଟିଭି, ୯୧ ବୁଥରେ ମାଇକ୍ରୋ ପର୍ଯ୍ୟବେକ୍ଷକ, ୧୮ ଟି ବୁଥରେ ଭିଡିଓଗ୍ରାଫି ଏବ° ୩୨ ଟି ବୁଥରେ ଷ୍ଟିଲ ଫଟୋଗ୍ରାଫି ବ୍ୟବସ୍ଥା କରିବା ପାଇଁ ସ୍ଥିର କରାଯାଇଛି । ସେହିପରି ପାତ୍ରପୁର ବ୍ଳକରେ ଅପହଞ୍ଚ ବୁଥ, ଇଣ୍ଟରନେଟ ସୁବିଧା ନ ଥିବା ବୁଥ, ବିଭିନ୍ନ ଆନୁଷ୍ଠାନିକ ସୁବିଧା ନ ଥିବା ବୁଥ୍ ଗୁଡିକ ଉପରେ ତୁରନ୍ତ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବା ଉପରେ ପଦକ୍ଷେପ ନିଆଯାଉଛି । ଜିଲ୍ଲାରେ ପ୍ରାୟ ୨୮ ହଜାର କର୍ମଚାରୀଙ୍କୁ ଚଳିତ ବର୍ଷ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯିବ । ପ୍ରତ୍ୟେକ ବୁଥ୍ ରେ ଜଣେ ପ୍ରିଜାଇଡି° ଅଫିସର ସହିତ ୫ ଜଣ ପୁଲି° କର୍ମଚାରୀ ମୋଟ ୬ ଜଣ ଲେଖାଁଏ କର୍ମଚାରୀ ନିୟୋଜିତ ହେବେ । ୧୦ ପ୍ରତିଶତ କର୍ମଚାରୀ ରିଜର୍ଭ ରଖାଯିବ । ଚଳିତ ବର୍ଷ ନିର୍ବାଚନ ପରିଚାଳନା ନିମନ୍ତେ ଟ୍ରକ କିମ୍ବା ପିକଅପ ଭ୍ୟାନରେ ପୁଲି° ଟିମ ପଠାଯିବ ନାହିଁ । ସେମାନଙ୍କୁ ସୁରକ୍ଷୀତ ଯାନବାହନରେ ପଠାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପ୍ରଥମ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୧୧ତାରିଖରେ ବ୍ରହ୍ମପୁର ଲୋକସଭା ଆସନ ସହିତ ଛତ୍ରପୁର, ଗୋପାଳପୁର, ଦିଗପହଣ୍ଡି ଏବ° ଚିକିଟି ବିଧାନସଭା ଆସନ ପାଇଁ ନିର୍ବାଚନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୧୧୭ ଟି ବୁଥରେ ୧୦ ଲକ୍ଷ ୫୦ ହଜାର ୪୬୨ ଜଣ ଭୋଟର ମତ ସାବ୍ୟସ୍ତ କରିବେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୧୮ ତାରିଖ ଠାରୁ ନାମାଙ୍କନ ପତ୍ର ଦାଖଲ, ୨୬ରେ ପ୍ରାର୍ଥୀ ପତ୍ର ଯାଞ୍ଚ, ୨୮ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଏବ° ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ସେହିପରି ଦ୍ଵିତୀୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୧୮ ତାରିଖରେ ଆସିକା ଲୋକସଭା ଆସନ ସହିତ ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖାଲ୍ଲିକୋଟ, ଆସିକା, ସୋରଡା, ସାନଖେମୁଣ୍ଡି ଏବ° ହିଞ୍ଜିଳି ବିଧାନସଭା ଆସନ ପାଇଁ ନିର୍ବାଚନ କରାଯିବ । ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୯୪୬ ବୁଥରେ ୧୭ ଲକ୍ଷ ୫୧ ହଜାର ୩୪୭ ଜଣ ଭୋଟର ମତ ସାବ୍ୟସ୍ତ କରିବେ । ଏଥିପାଇଁ ମାର୍ଚ୍ଚ ୧୯ ତାରିଖ ଠାରୁ ନାମାଙ୍କନ ପତ୍ର ଦାଖଲ, ୨୬ରେ ପ୍ରାର୍ଥୀ ପତ୍ର ଯାଞ୍ଚ, ୨୯ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଏବ° ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ମେ ୨୩ ତାରିଖରେ ଭୋଟ ଗଣନା ହୋଇ ଦୁଇଟି ପର୍ଯ୍ୟାୟ ନିର୍ବାଚନର ଫଳାଫଳ ପ୍ରକାଶ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ଆଦର୍ଶ ଆଚରଣବିଧି ଲାଗୁହେବା ୨୪ ଘଣ୍ଟା ମଧ୍ୟରେ ଯେଉଁ ସରକାରୀ ବିଜ୍ଞାପନରେ ନେତା, ମନ୍ତ୍ରୀଙ୍କ ଫଟୋ ଲାଗିଛି ତାହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହଟାଇ ଦିଆଯିବ । ଜିଲ୍ଲାରେ ଆଚରଣବିଧି (କୋଡ଼ ଅଫ କଣ୍ଡକ୍ଟ)ର ତଦାରଖ ଲାଗି ଜିଲ୍ଲା ନୋଡାଲ ଅଫିସର ଭାବେ ବିଏମସି କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଓ କବିନ୍ଦ୍ର କୁମାର ସାହୁ, ଜିଲ୍ଲା ନିର୍ବାଚନ ଅଧିକାରୀ ଡ.ବିଜୟା ନନ୍ଦ ସେଠୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା