ଛତ୍ରପୁର (ସମୃଦ୍ଧ ଓଡିଶା) ମଦ ଦୋକାନ ଉଚ୍ଛେଦ ଦାବୀ ନେଇ ଗତ ଗରୁବାରୁ ଦିନ ପୁରୁଷୋତ୍ତମପୁର ସମା ଗ୍ରାମର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଥିଲେ । ପ୍ରାୟ ୩ଘଣ୍ଟା ଧରି ଆନ୍ଦୋଳନକାରୀ ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କୁ କାର୍ଯ୍ୟାଳୟରୁ ବାହାରକୁ ବହିବାକୁ ଦେଇ ନ ଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଆନ୍ଦୋଳନକାରୀ ମହିଳାଙ୍କ ସହ ଦୁଇ ଦୁଇ ଥର ଆଲୋଚନା ପରେ ମହିଳାମାନେ ଆନ୍ଦୋଳନରୁ ଓହରିଥିଲେ । ଆସନ୍ତା ୨୦ତାରିଖରେ ଜିଲ୍ଲା ପ୍ରଶାସନର ଏକ ଟିମ ସମା ଗ୍ରାମକୁ ଯାଇ ତଦନ୍ତ କରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ଆନ୍ଦୋଳନକାରୀ ମହିଳାଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସମା ଗାଁ ଶତାଧିକ ମହିଳା ଏହି ଗ୍ରାମରେ ରହିଥିବା ଦେଶୀ ଓ ବିଦେଶୀ ମଦ ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ତୁରନ୍ତ ମଦ ଦୋକାନ ବନ୍ଦ ଓ ଉଚ୍ଛେଦ କରା ନଗଲେ ଆଇନକୁ ହାତକୁ ନେବାକୁ ଚେତାବନୀ ଦେଇ ଜିଲ୍ଲାପାଳଙ୍କ କାଯ୍ୟଳୟରେ ଥିବା ସମସ୍ତ ଗେଟ ବନ୍ଦ କରି ଦେଇଥିଲେ । କୌଣସି କର୍ମଚାରୀଙ୍କୁ ବାହାରକୁ ଯିବାକୁ ଦେଇ ନ ଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରୁ ୩ଟାରୁ ୬ଟା ୩୦ ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟି ନ ଥିଲେ । ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାଶ ଘଟଣା ସ୍ଥଳକୁ ଗଞ୍ଜାମ ଅବକାରୀ ଅଧିକ୍ଷିକ ରାମଚନ୍ଦ୍ର ମିଶ୍ରଙ୍କୁ ଡକାଇଥିଲେ । ଏହାପରେ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଆନ୍ଦୋଳନକାରୀ ମହିଳାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୩ ଦିନ ମଧ୍ୟରେ ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଆନ୍ଦୋଳନକାରୀ ମହିଳାମାନେ କିଛି ସମୟ ପାଇଁ ଚୁପ ହୋଇ ଆନ୍ଦୋଳନକୁ ସ୍ଥଗିତ କରିଥିଲେ । ପୁଣି କିଛି ସମୟ ପରେ ମହିଳାମାନେ ଆଉ ଠାରେ ଆନ୍ଦୋଳନକୁ ଓହ୍ଲାଇ ହୋ ହାଲ୍ଲା କରିଥିଲେ । ପୁଣି ଜିଲ୍ଳାପାନଙ୍କ କାର୍ଯ୍ୟାଳୟର ସମସ୍ତ ଗେଟଗୁଡିକୁ ବନ୍ଦ କରିଦେଇଥିଲେ । ପ୍ରଶାସନର ଏହି ପ୍ରତିଶ୍ରୁତିରେ ସନ୍ତୁଷ୍ଟ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ । ଛତ୍ରପୁର ଏସଡ଼ିପିଓ ରମେଶ ଚନ୍ଦ୍ର ସେଠି, ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ତହସିଲଦାର ନୀଳମାଧବ ଭୋଇ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାଇ ଥିଲେ ।କିନ୍ତୁ ସେମାନେ ନିଜ ଜିଦରେ ଅଟଳ ରହିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ଏହି ଆନ୍ଦୋଳନକାରୀ ମହିଳାଙ୍କୁ ଦ୍ଵିତୀୟ ଥର ଆଲୋଚନା ପାଇଁ ଡାକିଥିଲେ । ଆସନ୍ତା ୨୦ ତାରିଖରେ ଜିଲ୍ଲା ପ୍ରଶାସନର ଏକ ଟିମ ସମା ଗାଁକୁ ଯାଇ ଘଟଣାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ପଦକ୍ଷେପ ନିଆଯିବ ବୋଲି ମହିଳାମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ମହିଳାମାନେ ଆନ୍ଦୋଳନରୁ ଓହରିଥିଲେ । ଏହି ମଦ ବିରୋଧୀ ଆନ୍ଦୋଳନରେ ସମା ଗାଁର ୨୨ ଗୋଟି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ପ୍ରାୟ ୧ ହଜାର ମହିଳା ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା