ମଦ ଦୋକାନକୁ ବିରୋଧ କରି ଗ୍ରାମବାସୀଙ୍କ ଜିଲ୍ଲାପାଳ ଓ ଅବକାରୀ ବିଭାଗ ନିକଟରେ ଅଭିଯୋଗ…

ରାୟଗଡା,(ସମୃଦ୍ଧ ଓଡିଶା)ରାୟଗଡା ବ୍ଲକ୍‌ ପିତାମହଲ ପଞ୍ଚାୟତ ଅନ୍ତର୍ଗତ ଲାଡ୍ଡାଠାରେ ଥିବା ସରକାରୀ ଦେଶୀ ମଦ ଦୋକାନକୁ ବନ୍ଦ କରିବା ପାଇଁ ଲାଡ୍ଡା, ବଡାଖାଲ, ବିଷ୍ଣୁଗୁଡା, ଜଗନ୍ନାଥପୁରର ମହିଳା ଓ ପୁରୁଷ ମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲା ଅବକାରୀ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ମୁଖ୍ୟତଃ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକ ଉକ୍ତ ମଦ ଦୋକାନକୁ ତୀବ୍ର ବିରୋଧ କରିଛନ୍ତି । ଗାଁ ନିକଟରେ  ଦୋକାନ ରହିଥିବାରୁ ପୁରୁଷମାନେ ମଦ ପିଇ ସର୍ବସ ହରାଉଛନ୍ତି । ଏହାଦ୍ୱାରା ସର୍ବଦା ପାରିବାରିକ ଅଶାନ୍ତି ଲାଗିରହୁଛି ।  ସେହିଭଳି ମଦ୍ୟପାନ କରି ନା ନା ରୋଗରେ ଅନେକ ବ୍ୟକ୍ତି ଆକ୍ରାନ୍ତ ହେଉଛନ୍ତି । ତେଣୁ  ଉକ୍ତ ଦୋକାନ ହଟାଇବାକୁ ଗ୍ରାମବାସୀ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ରାୟଗଡା ଜିଲାରେ ମଦ ବିରୋଧି ଆନ୍ଦୋଳନ ବଢ଼ିବାରେ ଲାଗିଛି । ପୁରୁଣା ମଦ ଦୋକାନ ନବୀକରଣ ନିମନ୍ତେ ଜିଲା ଅବକାରୀ ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଛି । ଜିଲା ଅବକାରୀ କାର୍ଯ୍ୟାଳୟର ଚିଠି ନମ୍ବର ୯୩/୨୪ା୧ା୨୦୧୯ରେ ସାଧାରଣ ନୋଟିସ ଜାରି କରାଯାଇଛି । ଫର୍ମ-୮ ଅନୁଯାୟୀ ଏହି ନୋଟିସ ଜାରି ହୋଇଥିବା ଜଣାପଡିଛି । ଏଥିରେ ଉଭୟ ଦେଶୀ ଓ ବିଦେଶୀ ମଦ ବିକ୍ରି ପାଇଁ ଆପତ୍ତି ଅଭିଯୋଗ ଦାଖଲ ନିମନ୍ତେ ଆହ୍ବାନ ହୋଇଛି । ଆସନ୍ତା ୮ତାରିଖ ସୁଦ୍ଧା ଅଭିଯୋଗ ଦାଖଲ ପାଇଁ ଅବକାରୀ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଫଳରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଦ ଦୋକାନ ବନ୍ଦ ନିମନ୍ତେ ଦାବି କରାଯାଉଛି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ, ରାୟଗଡା