ଆଇନ ବୃତ୍ତିି ଏକ ମହାନ୍ ସମ୍ମାନଜନକ ପେଷା । ସେବା, ନୈତିକତା ଓ ନିଷ୍ଠା ଏହାର ମୂଳ ଆଧାର । ବୈଦିକ ସାହିତ୍ୟରେ ଧରାପୃଷ୍ଠକୁ ମନୁଷ୍ୟର କର୍ମଭୂମି କୁହାଯାଇଛି । ପ୍ରତ୍ୟେକ ମନୁଷ୍ୟ ପୃଥିବୀରେ ଜନ୍ମଗ୍ରହଣ କରି କର୍ମ ସଂପାଦନ କରିଥାନ୍ତି । କର୍ମ ହିଁ ମନୁଷ୍ୟ ଜୀବନର ମାପକାଠି । କର୍ମଦ୍ୱାରା ମନୁଷ୍ୟ ଧରାପୃଷ୍ଠରେ ନିଜର ପରିଚିତି ସୃଷ୍ଟି କରିଥାଏ । ପଣ୍ଡିତ ଗୋପବନ୍ଧୁ ଦାସ ଯଥାର୍ଥରେ କହିଛନ୍ତି-
“ମାନବ ଜୀବନ ନୁହଇ କେବଳ
ବର୍ଷ ମାସ ଦିନ ଦଣ୍ଡ
କର୍ମେ ଜୀଏଁ ନର କର୍ମ ଏକ ତାର
ଜୀବନର ମାନଦଣ୍ଡ” ।
ଜାତିର ଜନକ ମହାତ୍ମା ଗାନ୍ଧୀ ଆଇନଜ୍ଞ ଭାବରେ ନିଜର ଜୀବନ ଆରମ୍ଭ କରିଥିଲେ । ତାଙ୍କର ଆତ୍ମଜୀବନୀ “My Experiment with Truth”ରେ ସତ୍ୟ, ନୈତିକତା ଓ ମାନବିକତା ଆଧାରରେ କିପରି ନ୍ୟାୟ ମିଳିପାରିବ ତାହା ନିଜର ମହକିଲ ମାଧ୍ୟମରେ ପ୍ରମାଣିତ କରିଛନ୍ତି । ଭାରତୀୟ ସଂବିିଧାନର ପ୍ରଣେତା ଡ଼କ୍ଟର ବି. ଆର ଆମ୍ବେଦକର ନୈତିକତା ଆଧାରରେ ଓକିଲାତି କରି ବହୁ ନଜିର ଆମ ପାଇଁ ଛାଡ଼ି ଯାଇଛନ୍ତି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୁଦନ ଦାସ ଜଣେ ଜଣେ ପ୍ରଖ୍ୟାତ ଆଇନଜ୍ଞ ଥିଲେ । ଓକିଲାତି ଜୀବନର ନୈତିକତା ଓ ମାନବିକତା ଓ ନ୍ୟାୟ ପ୍ରଦାନ ପାଇଁ ତାର୍କିକତା (Argument) ହିଁ ଏହି ମହାପୁରୁଷ ମାନଙ୍କୁ ମହାନ ସମାଜସେବୀ, ସଂସ୍କାରକ ଓ ମନୁଷ୍ୟ ଜାତିର ଜନକ ଓ ଜନନାୟକ ରୂପେ ପ୍ରତିଷ୍ଠିତ କରାଇ ପାରିଛି । ଆମେରିକାର ୪୪ତମ ରଷ୍ଟ୍ରପତି ବାରାକ୍ ଓବାମା ଜଣେ ସଫଳ ଆଇନଜ୍ଞ ଥିଲେ । ରାଜନୈତିକ ଜୀବନ ଆରମ୍ଭ ପୂର୍ବରୁ Civil Rights Lawyer ରୂପେ ଓବାମାଙ୍କର ବହୁତ ଖ୍ୟାତିଥିଲା । ଓକିଲାତି ଜୀବନର ନୈତିକତା, ମାନବିକତା ଓ ସତ୍ୟାନୁସରଣର ଆଧାର ହିଁ ରାଷ୍ଟ୍ରପତି ଓବାମାଙ୍କକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ କରାଇ ପାରିଛି । ସେହିପରି ଭାରତର ପ୍ରଥମ ରାଷ୍ଟ୍ରପତି ଡ଼ ରାଜେନ୍ଦ୍ର ପ୍ରସାଦ ତଥା ବର୍ତ୍ତମାନର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଜଣେ ଜଣେ ପ୍ରତିଷ୍ଠିତ ଆଇନଜ୍ଞ ଭାବେ ସୁପରିଚିତ । ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରଥମ ଓଡ଼ିଆ ଓକିଲ ଭାବେ ଓଡ଼ିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ ଭାବେ ସୁପରିଚିତ । ତାଙ୍କର ଜନ୍ମ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ । ସେହି ଅନୁସାରେ ତାଙ୍କର ଜନ୍ମ ଦିନକୁ ଆଇନ୍ଜୀବୀ ଦିବସ ତଥା ସ୍ୱାଭିମାନ ଦିବସ ଭାବେ ପାଳିତ ହେଉଅଛି । ସେ ଥିଲେ ଓଡ଼ିଆ ସ୍ୱାଭିମାନର ମୁର୍ତ୍ତିମନ୍ତ ପ୍ରତୀକ ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନରେ ମଧୁସୂଦନ ଦାସ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ୧୮୭୦ ମସିହାରେ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍ ଭାବେ ବି.ଏ. ପାସ୍ କଲେ ୧୮୭୩ ମସିହାରେ ଏମ.ଏ. ଓ ବି.ଏଲ୍. ପାସ୍ କରି କିଛି ବର୍ଷ ପାଇଁ କଲିକତା ଉଚ୍ଚ ନ୍ୟାୟାଳୟରେ ଓଡ଼ିଆ ଅନୁବାଦକ ଭାବେ କାର୍ଯ୍ୟକରି ଥିଲେ । ମଧୁବାବୁ କଲିକତାର ଆଲିପୁର କୋର୍ଟରେ ତାଙ୍କର ଓକିଲାତି ଜୀବନ ଆରମ୍ଭ କରିଥିଲେ । କଲିକତାରେ ସେ ଥିଲେ ପ୍ରଥମ ଓଡ଼ିଆ ଓକିଲ । ତା ପରେ ୧୮୮୧ ମସିହାରେ କେତେ ଜଣ ବନ୍ଧୁଙ୍କ ଅନୁରୋଧକ୍ରମେ କଟକକୁ ଓକିଲାତି କରିବା ପାଇଁ ଆସିଲେ । ଓଡ଼ିଆ ଓକିଲ ଭାବେ ସେ ଓଡ଼ିଆ ଭାଷା ଭାଷୀ ଅଞ୍ଚଳର ଜମିଦାର ଓ ରାଜା ମାନଙ୍କ ନିକଟରେ ପରିଚିତ ହେଲେ । ଓକିଲାତି ଜୀବନରେ ସେ ବହୁ ଗରିବ ଲୋକଙ୍କ ପାଇଁ ବିନା ପାରିଶ୍ରମିକରେ ଲଢ଼ି ସେମାନଙ୍କୁ ଅତ୍ୟାଚାରୀ ଧନୀକ ମାନଙ୍କ କବଳରୁ ରକ୍ଷା କରିଥିଲେ । ତାଙ୍କର ଅସାଧାରଣ ଧୀଶକ୍ତି ପାଇଁ ସମ୍ମାନ ସ୍ୱରୁପ ଲୋକେ ତାଙ୍କୁ “ମଧୁ ବାରିିଷ୍ଟର” ବୋଲି କହୁଥିଲେ । ସେତେବେଳେ ଇଂରେଜ ସରକାର ଓଡ଼ିଶାର ଗଜପତି ରାଜାଙ୍କ ହାତରୁ ଚକ୍ରାନ୍ତ କରି ଜଗନ୍ନାଥ ମନ୍ଦିର ପରିଚାଳନା ଭାର କାଢ଼ି ନେବା ପାଇଁ ଆଇନ୍ କରିବାରୁ ମଧୁବାବୁ ସେହି ଆଇନ ରଦ୍ଦ ହେବା ପର୍ଯ୍ୟନ୍ତ ଲଢ଼େଇ କରି ଓଡ଼ିଶାର ସମ୍ମାନ ରକ୍ଷା କରିଥିଲେ । କେନ୍ଦୁଝର ରାଜାଙ୍କୁ ତାଙ୍କ ରାଜଗାଦି ଫେରାଇ ଦେବା ପାଇଁ ସେ ଚାର୍ଲସ ଇଲିଅଟ୍ ଙ୍କୁ ଦେଖାକରି ଏପରି ଭାବେ ପ୍ରଭାବିତ କଲେ ଯେ ଶେଷରେ ସେ କେନ୍ଦୁଝର ରାଜାଙ୍କୁ ତାଙ୍କ ରାଜ୍ୟ ଫେରାଇ ଦେଲେ । ଏହିପରି ଭାବେ ଆଇନ୍ ବ୍ୟବସାୟରେ ତାଙ୍କର ଖ୍ୟାତି ଓ ପ୍ରତିଷ୍ଠା ବୃଦ୍ଧି ପାଇଲା । ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନ ନିମନ୍ତେ ମଧୁବାବୁ ଏକାଧିକବାର ଲଣ୍ଡନ ଯାତ୍ରା କରି ସେଠାରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଯଥାର୍ଥତା ସଂପର୍କରେ ବିଲାତ ସରକାରଙ୍କ ନିକଟରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ । ବିଚ୍ଛିନ୍ନନାଞ୍ଚଳ ସମେତ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଏବଂ ଓଡ଼ିଶାରେ କୁଟୀର ଶିଳ୍ପର ବିକାଶ ତଥା କୃଷି, ବାଣିଜ୍ୟ, ଶିକ୍ଷା ଓ ସଂସ୍କୃତି କ୍ଷତ୍ରରେ ଏକ ନୂତନ ଜାଗରଣ ସୃଷ୍ଟି କରିବା ସକାଶେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଅହରହ ଉଦ୍ୟମ କରୁଥିଲେ । ସେ ଦୁଇ ଥର ଉତ୍କଳ ସମ୍ମିଳନୀର ସଭାପତି ହୋଇଥିଲେ । ୧୯୧୩ ମସିହାରେ ସେ ଓଡ଼ିଶାର ପ୍ରଜା ପ୍ରତିନିଧି ଭାବେ ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭାର ଏକ ମାତ୍ର ସଦସ୍ୟ ଭାବେ ମନୋନୀତ ହୋଇଥିଲେ ଏବଂ ସେହି ବର୍ଷ ଭାରତୀୟ ବିଧାନ ପରିିଷଦ (Imperial Council)କୁ ସର୍ବ ପ୍ରଥମ ଓଡ଼ିଆ ସଭ୍ୟ ଭାବେ ମନୋନୀତ ହୋଇଥିଲେ । ୧୯୨୦ ମସିହା ନଭେମ୍ବର ୩୦ ତାରିଖରେ ମଧୁବାବୁ ବିହାର- ଓଡ଼ିଶା ବ୍ୟବସ୍ଥାପକ ସଭାକୁ ନିର୍ବିାଚିତ ହୋଇ ୧୯୨୧ ମସିହା ଏପ୍ରିଲ ୨୨ ତାରିଖରେ ବିହାର- ଓଡ଼ିଶା ସରକାରରେ ସ୍ୱାୟତ୍ତ ଶାସନ ମନ୍ତ୍ରୀ ଭାବେ ଦାୟୀତ୍ୱ ଗ୍ରହଣ କଲେ । ତାଙ୍କ ମତରେ “ମନ୍ତ୍ରୀ ମାନେ ହେଲେ ଜନ ସାଧାରଣଙ୍କର ସେବକ, ଜନ ସେବା ପାଇଁ ମନ୍ତ୍ରୀ ମାନେ ଦରମା ନେବା ଅନୁଚିତ” । ସରକାର ମଧୁବାବୁଙ୍କ ଏହି ମତକୁ ଗ୍ରହଣ ନ କରିବାରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ମଧୁବାବୁଙ୍କ ରଚିତ କାବ୍ୟ କବିତା ଓଡ଼ିଆ ଜାତିକୁ ନୂତନ ଦିଗନ୍ତର ସନ୍ଧାନ ଦେବା ସହିତ ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ଭରି ଦେଇଥିଲା ଜାତୀୟତା ଓ ସ୍ୱାଭିମାନ ର ପ୍ରେମ ବହ୍ନି । ଜନନୀ ଜନ୍ମଭୂମି ପାଇଁ ଥିଲା ତାଙ୍କର ଆବେଗପୂର୍ଣ୍ଣ ଜାତୀୟତା ଭାବ ଯାହାକି ଆଜି ମଧ୍ୟ ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆ ପ୍ରାଣରେ ସ୍ପନ୍ଦନ ସୃଷ୍ଟି କରୁଛି । ଜାତି ପ୍ରତି ତାଙ୍କର ଆହ୍ୱାନର ଏକ ପଂକ୍ତି ଉଲ୍ଲେଖ ଯୋଗ୍ୟ
“ଜାତି ପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର
ସ୍ୱାର୍ଥକୁ ଦିଅ ଆହୁତି
ସ୍ୱାର୍ଥ ମେଧ ଯଜ୍ଞେ ଚାରିଆଡ଼େ ନାଚ
ଛାତିକୁ ମିଶାଇ ଛାତି ।”
“ମୁଁ ତ ଯାଉଚି ହେଲେ ମନେ ରଖିଥିବ କେହି ଜଣେ ଓଡ଼ିଆ ଥିଲା – ଏତିକି ଖାଲି ମନେ ରଖିଥିବ” – ଗୋଟେ ଜାତିର ଅଭ୍ୟୁଥାନ ପାଇଁ ଶେଷ ନିଶ୍ୱାସ ଯାଏଁ ସଂଗ୍ରାମ କରିଥିବା ମଧୁବାବୁଙ୍କୁ ସତରେ ଏ ଜାତି ଦେଇଚି କଣ?
ସବୁଥିରେ ପ୍ରଥମ ଓଡ଼ିଆ ବୋଲି ଯାହା ଖାଲି ପଢି ଦେଇ ଆମେ ଗର୍ବ କରୁ ଏଇୟା ତ !
ମଧୁବାବୁ ଜନ୍ମ ଜୟନ୍ତୀ
ତାଙ୍କ ପରେ ଓଡ଼ିଶାର ସ୍ୱାଭିମାନକୁ ଜାତୀୟ ସ୍ତରରେ ପ୍ରତିଷ୍ଠା କରିବାକୁ ଆଉ କୌଣସି ଓଡ଼ିଆ ଆନ୍ତରିକତାର ସହିତ ଉଦ୍ୟମ କରି ନାହାନ୍ତି । ତାଙ୍କ ପରେ ଓଡ଼ିଶାରେ ବହୁ ନେତା ଜନ୍ମ ନେଇଛନ୍ତି ସତ, ମାତ୍ର ତାଙ୍କପରି ଓଡ଼ିଆ ଜାତିକୁ କେହି ନେତୃତ୍ୱ ଦେବାକୁ ସମର୍ଥ ହୋଇପାରିନାହାନ୍ତି । ତାଙ୍କର ଜନ୍ମ ଦିନକୁ ସ୍ୱାଭିମାନ ଦିବସ ତଥା ଆଇନଜୀବୀ ଦିବସ ଭାବେ ପାଳନ କରି ତାଙ୍କର ଓଡ଼ିଆ ଜାତି ପାଇଁ ଆତ୍ମୀୟତାର ସ୍ମୃତି ଚାରଣ କରିବା ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆଙ୍କର କର୍ତ୍ତବ୍ୟ ।
କିଶୋର କୁମାର ନାୟକ
ଆଇନଜୀବୀ,
ଓଡ଼ିଶା ଉଚ୍ଚ ନ୍ୟାୟାଳୟ, କଟକ