ମନ ହେଉଛି ଚଞ୍ଚଳ, ରଙ୍ଗୀନ ଓ କଳ୍ପନା ବିଳାସୀ । ଯାହାର ବେଗ କ୍ଷିପ୍ର, ଉଦ୍ ବେଗପୂର୍ଣ୍ଣ ଓ ଉତ୍କଣ୍ଠାମୟ । ଯାହାର ଜାତକରେ ଅସମ୍ଭବ ଶବ୍ଦ ନଥାଏ । ମନ ଏକ କଳକଳ ଛଳଛଳ ଖିଆଲି ପାହାଡିଝରଣା । ଗିରି, ବନ, ସମତଳ, ବନ୍ଧୁର ଚଟାଣ ଦେଇ ବହିଯିବା ତାହାର ଧର୍ମ ଓ ଆଗକୁ ମାଡି ଚାଲିବା ବେଳେ ତା’କୁ ଜଣାନଥାଏ, ତା’ର ଗତି କେଉଁ ଦିଗରେ ଓ ତା’ର ଗନ୍ତବ୍ୟ ସ୍ଥଳର ପରିସମାପ୍ତି କେଉଁଠାରେ । ସେ ତାହାର ଲକ୍ଷ୍ୟ ପଥରେ ସାଗରକୁ ପାଇବ କି ନାହିଁ କିମ୍ବା ଖିଆଲି ମନ ନେଇ ବିପଥଗାମୀ ହୋଇ ତତଲା ଶୁଷ୍କ ମରୁଭୂମିରେ ସେ ତା’ର ସତ୍ତା ହଜାଇ ବସିବ । ସେତେବେଳେ ସେ ଦିଗହରା ହୋଇ ଫେରିବାର ରାସ୍ତା ନ ପାଇ ତା’ର ସ୍ୱପ୍ନ, ବାସ୍ତବତା, ଲକ୍ଷ୍ୟ ସବୁ ପାଣି ଫଟୋକା ସଦୃଶ ଉପ୍ତ ମରୁଭୂମିର ନିର୍ଜନତାରେ ନିଶ୍ଚିନ୍ନ ହୋଇଯିବ । ସେତେବେଳେ ବିବେକର କଷାଘାତରେ ତା’ର ବାସ୍ତବ ଧର୍ମର ଉଦୟ ହେଲା ବେଳକୁ ଆଉ କିଛି କରିବାର ନଥିବ । ବିବେକ ହେଉଛି, ମନ ରୂପକ ଖିଆଲି ଝରଣାର ମାର୍ଗଦର୍ଶକ ଓ ନିୟନ୍ତ୍ରକ । ସେ ମନକୁ ପ୍ରକୃତିସ୍ଥ କରି ଆୟତାଧିନ ଅବସ୍ଥାରେ ସଠିକ୍ ରାସ୍ତାରେ ଲକ୍ଷ୍ୟଗାମୀ ହେବା ପାଇଁ ରାସ୍ତା ଦେଖାଏ । ବିବେକ ହେଉଛି, ସଂଯତ, ନୀତିନିଷ୍ଠ, ବିଚାରବନ୍ତ, ଧୈର୍ଯ୍ୟଶୀଳ, ନିରପେକ୍ଷ, ବାସ୍ତବଧର୍ମୀ, ନିରପେକ୍ଷତାର ପ୍ରତୀକ । ବିପଥଗାମୀ ମନକୁ ନିୟନ୍ତ୍ରଣ କରିବାର ଅଙ୍କୁଶ ଓ ଚାବିକାଠି । ଲକ୍ଷ୍ୟ ମନକୁ ବିଚଳିତ କରୁଥିବା ବେଳେ ବିବେକ ଉଦ୍ଦେଶ୍ୟକୁ ମହତ ଓ ଚରିତାର୍ଥ କରିବା ପାଇଁ ଧୈର୍ଯ୍ୟ ଓ ସାହାସ ଯୋଗାଇ ସୁଗମ ରାସ୍ତା ଖୋଜି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାଇଁ ବାଟ କଢେଇ ନିଏ । ମନ ରୂପୀ ଖିଆଲି ବାଟବଣା ହୋଇ ନିଜର ସତ୍ତା ହରାଇବା ପୂର୍ବରୁ ବିବେକ ରୂପୀ ସାଗର ଧାଇଁ ଆସି ତା’ର ବିଶାଳ ହୃଦୟରେ ଆପଣାଇ ନିଏ । ବିବେକ ମନର ମାର୍ଗଦର୍ଶକ ଓ ତା’ଭାବନାର ପରିବାହକ । ଉତ୍ତମ ଚରିତ୍ର ଗଠନ କରିବାର ଓ ଲକ୍ଷ୍ୟ ଗାମୀ ହେବାର ଏକ ସଫଳ ଅସ୍ତ୍ର । ଆଜି ମୁଁ ଏହାର ଏକ ସୁନ୍ଦର ଦୃଷ୍ଟାନ୍ତର ଅବତାରଣା କରୁଛି । ସୁଦାମ ହେଉଛି, ଜଣେ ବେକାର ଯୁବକ । ସେ ନିଜ ପରିଶ୍ରମରେ କିଛି କରିବାକୁ ଚାହୁଁନଥିଲା । ରାତା ରାତି ସେ କିପରି ବଡ ଲୋକ ହୋଇଯିବ, ସେହି ସ୍ୱପ୍ନରେ ବିଭୋର ଥିଲା । ସେ ସବୁବେଳେ ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ଯେକୌଣସି ପନ୍ଥା ଆପଣାଇକୁ ପ୍ରସ୍ତୁତ ଥିଲା । ଦିନେ ତା’ର ବସରେ କମଳା ନାମରେ ଗୋଟିଏ ଝିଅ ସହିତ ଦେଖା ହୋଇଗଲା । ପାଖ ସିଟ୍ ରେ ଚାରି ଘଣ୍ଟାର ରାସ୍ତା ପାରି ହେବା ବେଳେ ତା’ସହିତ କଥା ହୋଇ ଜାଣିଲା ଯେ, ସେ ଅନାଥ । ରାସ୍ତା ଦୁର୍ଘଟଣାରେ ତା’ର ବାପା, ମାଆ ଚାଲି ଯାଇଛନ୍ତି । ସେତେବେଳେ ସେ ଭୁବନେଶ୍ୱରରେ ହଷ୍ଟେଲରେ ରହି ପାଠ ପଢୁଥିଲା । ବାପା ଜଣେ ବ୍ୟବସାୟୀ ଥିଲେ । ଅନେକ ଟଙ୍କା ବ୍ୟାଙ୍କରେ ରଖିଥିଲେ । ସେମାନଙ୍କ ମୃତ୍ୟୁରେ ଏକମାତ୍ର ସନ୍ତାନ ହିସାବରେ ସମସ୍ତ ସମ୍ପତ୍ତି ଓ ଟଙ୍କା ତା’ର ଥିଲା । ସୁଦାମ ଏଇ ସୁଯୋଗର ଫାଇଦା ଉଠାଇ ବହୁତ ସୁନ୍ଦର ଅଭିନୟ କରି କମଳାକୁ ସାହାଯ୍ୟ ସହାନୁଭୂତିର ହାତ ବଢାଇ ତା’ମନରେ ଗୋଟିଏ ଯାଗା ସୃଷ୍ଟି କଲା । କିଛି ଦିନ ପରେ ତାଙ୍କର ବନ୍ଧୁତ୍ବ ଭଲପାଇବାରେ ବଦଳିଗଲା ଓ ଏହାର ସୁଯୋଗ ନେଇ ଯଥା ଶୀଘ୍ର ସୁଦାମ କମଳାକୁ ବାହା ହୋଇ ଗଲା । ବ୍ୟବସାୟ କରି ସହରରେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ଭାବରେ ପରିଚିତ ହୋଇଗଲା । କମଳା ସହିତ ଚାରି ବର୍ଷ ପର୍ଯ୍ୟନ୍ତ ଭଲରେ ସଂସାର କଲା ଓ ତାହାର ଗୋଟିଏ ସୁନ୍ଦର ଝିଅଟିଏ ଜନ୍ମ ହେଲା । କମଳା ଖୁସିରେ ଫାଟି ପଡୁଥାଏ । ନିଜକୁ ବହୁତ ଭାଗ୍ୟବତୀ ମନେକରୁଥାଏ । କିନ୍ତୁ ସୁଦାମ ବଦଳି ଯାଇଥାଏ । କଥାରେ ଅଛି, ‘ମଣିଷ ପ୍ରକୃତି ମଲେ ତୁଟେ’ । ସେ ଆଗ ଭଳି ଆଉ କମଳାକୁ ଭଲ ପାଉନଥାଏ । ପ୍ରତି କଥାରେ କମଳାକୁ ଗାଳି ଦେଉଥାଏ । କମଳା ଏହାକୁ କାମର ବୋଝ ଭାବି ଏତେ ଗୁରୁତ୍ବ ଦେଉ ନଥାଏ । ତେଣେ ସୁଦାମ ନିଜ କମ୍ପାନୀରେ ଚାକିରି କରୁଥିବା ପ୍ରତିମା ସହିତ ସମ୍ପର୍କ ରଖିଥାଏ । କିଛି ଦିନ ପରେ ପ୍ରତିମା ସୁଦାମକୁ ବାହା ହେବା ପାଇଁ ଜିଦ୍ ଧରି ବସିବାରୁ ସୁଦାମ ଏ ସମସ୍ତ ସମ୍ପତ୍ତିର ପ୍ରକୃତ ମାଲିକାଣୀ କମଳା କହି ସମସ୍ତ ବୃତାନ୍ତ ବଖାଣିଲା । ଏହା ଶୁଣି ପ୍ରତିମା ମନରେ କୁବୁଦ୍ଧି ଯୁଟିଲା । ସେ ସୁଦାମକୁ ପରାମର୍ଶ ଦେଲା, ଆମେ ଯଦି କମଳା ଓ ତା’ଝିଅକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବା ତେବେ ଆମ ବାହାଘରର ପ୍ରତିବନ୍ଧକ ହେବ ନାହିଁ ଓ ତାହା ସହିତ ମଧ୍ୟ କମଳାର ବୀମା ପଇସା ମଧ୍ୟ ତୁମର ହୋଇଯିବ । ଏହା ଶୁଣି ସୁଦାମକୁ ସବୁ ସମସ୍ୟାର ସମାଧାନ ଓ କମଳା ନାମରେ ଥିବା ଅନେକ ବୀମା ଟଙ୍କା ଲୋଭରେ ସେ ନିଜ ରକ୍ତର ସନ୍ତାନକୁ ବି ରାସ୍ତାରୂ ହଟାଇବା ପାଇଁ ପଛ ଘୁଞ୍ଚା ଦେଲାନାହିଁ । ସମସ୍ତ ଯୋଜନା ମୁତାବକ ସେମାନେ ଗୋଟିଏ ସୁପାରୀ କିଲର ଠିକ୍ କଲେ । ଦଶ ଲକ୍ଷ ଟଙ୍କାର ଡ୍ରିଲ୍ କରାଇ ଘରର ନକ୍ସା ଓ ପ୍ରବେଶ ପଥ ଦର୍ଶାଇ ଦେଲେ । ଚୋରି ବାହାନାରେ ସେମାନଙ୍କୁ ମାରି ଦେବାଭଳି ପରିସ୍ଥିତି ସୃଷ୍ଟି କରିବା ପାଇଁ ସମସ୍ତ ପ୍ରମାଣ ଛାଡି ଆସିବାକୁ କହିଲେ । ଯେମିତି ସନ୍ଦେହ ସେମାନଙ୍କ ଉପରକୁ ନ ଆସେ । ଦିନ ସ୍ଥିର କରାଗଲା । ସେହି ଦିନ କମ୍ପାନୀ କାମର ବାହାନା କରି ଦୁହେଁ ମୁମ୍ବାଇ ଫ୍ଳାଇଟ୍ ଟିକେଟ୍ କରି ଚାଲିଗଲେ । ଯେଭଳିକି ସେମାନଙ୍କ ଉପରେ ସନ୍ଦେହ ନ ହୁଏ । ଗଲା ପୂର୍ବରୁ ସୁଦାମ ସ୍ତ୍ରୀ ଓ ଝିଅକୁ ବହୁତ ଭଲପାଇବାର ନାଟକ କରି ଶୀଘ୍ର ଫେରି ଆସିବାର ପ୍ରତିଶ୍ରୁତି ଦେଇ ଚାଲିଗଲା । ସରଳମତୀ କମଳାର ସ୍ୱାମୀ ଉପରେ ତିଳେ ହେଲେ ସନ୍ଦେହ ନଥିଲା । ସେହି ରାତିରେ ସୁପାରୀ କିଲର ନକ୍ସା ଅନୁସାରେ ଗୃହରେ ପ୍ରବେଶ କଲା । ଦେଖିଲା କମଳା ଶୋଇ ଯାଇଛି କିନ୍ତୁ କୁନି ଝିଅଟି କଣ୍ଢେଇଟି ଧରି ଖଟ ଉପରେ ଖେଳୁଛି । ସେ କୁନି ଝିଅଟି ଏତେ ସୁନ୍ଦର ଓ ନିରୀହ ଥିଲା ଯେ ସୁପାରୀ କିଲରର ପାଷାଣ ଓ ନିଷ୍ଠୁର ହୃଦୟକୁ ସେ ବରଫ ଭଳି ତରଳାଇ ଦେଇଥିଲା । ତା’ମନ ଓ ବିବେକ ମଧ୍ୟରେ ଦ୍ବନ୍ଦ ସୃଷ୍ଟି ହେଲା । ମନ ଟଙ୍କାର ଲୋଭରେ ମାରିବାକୁ ଉଦ୍ୟତ ହେଉଥିବା ବେଳେ ବିବେକ ଏକ ନିରୀହ କୋମଳମତି ସୁନ୍ଦର ପୁଷ୍ପ କଢି ସହିତ ଗୋଟିଏ ତ୍ୟାଗ ଓ ଆଦର୍ଶଧର୍ମୀ ସୁନ୍ଦର ପୁଷ୍ପକୁ ଧରଣୀର ବଗିଚାରୁ ଛିଣ୍ଡାଇବାକୁ ବାରଣ କରୁଥିଲା । ଶେଷରେ ମନ ବିବେକ ନିକଟରେ ହାର୍ ମାନିଲା । ଜୀବନରେ ଆଉ ଏଭଳି କୁକାର୍ଯ୍ୟ ନ କରି ସାମାଜିକ ସ୍ରୋତରେ ସୁସ୍ଥ ଜୀବନ ଯାପନ କରିବାର ନିଷ୍ପତ୍ତି ନେଇ କମଳା ପାଖକୁ ଯାଇ ଉଠାଇଲା । କମଳା ତାହାକୁ ଦେଖି ପାଟି କରିବାକୁ ଯାଆନ୍ତେ, ସେ ବହୁତ ନମ୍ରତାର ସହିତ ତା’କଥା ଶୁଣିବାକୁ ଅନୁରୋଧ କଲା ଓ ଶୁଣାଇଲା । କମଳାକୁ ବିଶ୍ୱାସ ନ ହେଉଥିଲେ ବି ସମସ୍ତ ପ୍ରମାଣକୁ ଦେଖି ସେ ବିଶ୍ୱାସ କରିବାକୁ ବାଧ୍ୟହେଲା । ସେହି ଛୋଟ ଝିଅଟି ତା’ର ନବ ଜନ୍ମର କାରଣ ଓ ରତ୍ନାକାରରୁ ବାଲ୍ମୀକିରେ ପରିଣତ ହେବାର ମୁଖ୍ୟ କାରଣ କହି ସେ କୋର୍ଟରେ ସାକ୍ଷ ଦେବା ପାଇଁ କହି ଚାଲି ଯାଇଥିଲା । ସେହି ସବୁ ପ୍ରମାଣକୁ ଆଧାର କରି କମଳା ଥାନାରେ ସୁଦାମ ନାମରେ ଏତଲା କରି ମୁମ୍ବାଇର ଏକ ହୋଟେଲରୁ ସୁଦାମ ଓ ପ୍ରତିମାକୁ ଗିରଫ କରାଇଲା ।
ବନଲତା ଜାଲି,
କୃଷ୍ଣ ପ୍ରସାଦ, ପୁରୀ