
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୧୩ତମ ତୋଷାଳୀ ଜାତୀୟ କ୍ରାଫ୍ଟସ ମେଳା । ଜନତା ମାଇଦାନରେ ୬ଦିନ ଧରି ଚାଲିଛି ଏହି ମେଳା । ବିଭିନ୍ନ ପ୍ରକାରର ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ ଠାରୁ ଆରମ୍ଭ କରି ବେତ କାମ, ବାଉଁଶ କାମ, ତାଳପତ୍ରରେ ଖୋଦେଇ ସାମଗ୍ରୀ, ଟଶରଚିତ୍ରକାମ, ପିତ୍ତଳ ସାମଗ୍ରୀ, ଟେରାକୋଟା, ସିଙ୍ଘକାମ, ପଶୁମୁଖା ଆଦି ଅନେକ ଘରସଜ୍ଜା ଓ ଦୈନନ୍ଦିନ ଜୀବନରେ ବ୍ୟବହୃତ ଜିନିଷ ଉପଲବ୍ଧ ହେଉଛି ଏହି ମେଳାରେ । ସିଧାସଳଖ କାରୀଗରଙ୍କ ଠାରୁ ହାତ ତିଆରି ମଜଭୁତ ଜିନିଷ ହାତ ପାଆନ୍ତାରେ ପାଉଥିବାରୁ ମେଳାରେ ଦିନକୁ ଦିନ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି । ଏହା ସହିତ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତିଦିନ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଲୋକମାନଙ୍କୁ ଆକୃଷ୍ଠ କରୁଛି । ତେବେ ରବିବାର ସନ୍ଧ୍ୟା ଲୋକଙ୍କ ପାଇଁ ଟିକେ ନିଆରା ଥିଲା । କାରଣ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସୁମଧୁର ସଂଗୀତରେ ମତୁଆଲା ହୋଇଥିଲେ ଦର୍ଶକ । ତେବେ ୧୭ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମେଳାରେ ୨୫ଟି ରାଜ୍ୟରୁ ୩୫୦ରୁ ଊର୍ଦ୍ଧ୍ୱ ବୁଣାକାର ଓ କାରିଗର ଯୋଗ ଦେଇଛନ୍ତି । ମେଳାରେ ୩୮୦ଟି ଷ୍ଟଲ ଖୋଲାଯାଇଛି । ତେବେ ଫୁଡ୍ ଷ୍ଟଲମାନଙ୍କରେ ଲୋକଙ୍କର ବେଶି ଭିଡ ଦେଖିବାକୁ ମିଳିଛି । ଲୋକେ ଷ୍ଟଲ ମାନଙ୍କରେ ଭେଳିକିଭେଳି ଚଟପଟା ଖାଦ୍ୟର ମଜା ନେଉଥିବା ସହ ବିଭନ୍ନ ପ୍ରକାରର ଚା’ ପିଇ ଶୀତୁଆ ସନ୍ଧ୍ୟାର ମଜା ନେଉଥିବା ଦେଖିବାକୁ ମିଳିଛି । ଆସନ୍ତା ୧୩ ତାରିଖରେ ଶେଷ ହେବାକୁ ଥିବା ଏହି ମେଳା ଗତମାସ ୨୮ ତାରିଖ ଠାରୁ ଆରମ୍ଭ ହୋଇଛି। ଆଜି ପର୍ଯ୍ୟନ୍ତ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ମେଳା ପରିଦର୍ଶନ କରିସାରିଛନ୍ତି । ଏହାସହ ଗତ ୫ ତାରିଖ ପର୍ଯ୍ୟନ୍ତ ୧୦ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ମିଳିଛି ।
ରିପୋର୍ଟ : ଆକାଶ ମିଶ୍ର










