ମନ୍ତ୍ରୀ ବିଭୁତି ଜେନାଙ୍କ ସିଧାସଳଖ ହସ୍ତକ୍ଷେପ ଯୋଗୁଁ ଆଜି ସନ୍ଧ୍ୟାରୁ ଆରମ୍ଭ ହେବାକୁ ଥିବା ବସ୍‌ ଧର୍ମଘଟ ପ୍ରତ୍ୟାହୃତ ହୋଇଛି

ବ୍ରହ୍ମପୁର(ସମୃଦ୍ଧଓଡିଶା) ମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ ଯୋଗୁଁ ଧର୍ମଘଟ ନିଷ୍ପତ୍ତିରୁ ଓହରିଲେ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ । ଆଜି ସନ୍ଧ୍ୟାରୁ ଆରମ୍ଭ ହେବାକୁ ଥିବା ବସ୍‌ ଧର୍ମଘଟ ଶେଷରେ ପ୍ରତ୍ୟାହୃତ ହୋଇଛି । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଗୋଳନ୍ଥରାସ୍ଥିତ ବାସଭବନରେ ଆଜି ବୈଠକ ଅନୁଷ୍ଠିତ ହୋଇଥିଲା  । ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଥା ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ AC ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା। ଲକ୍ଷ୍ମୀ ବସ୍‌ ଚଳାଚଳ ହେତୁ ସେମାନେ ବହୁ କ୍ଷତିର ସମ୍ମୁଖୀନ ହେଉଥିବାରୁ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଯାତାୟତ କରୁଥିବା ଟାୟାର-ଟୁ AC ବସ୍ ସେବାକୁ ବନ୍ଦ କରିବାକୁ ଦାବି କରିଥିଲେ। ସରକାର ଏନେଇ କୌଣସି ନିଷ୍ପତ୍ତି ନ ନେଲେ ଆଜିଠୁ ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ରଖିବାକୁ ଗତକାଲି ଚେତାବନୀ ଦେଇଥିଲେ ପଶ୍ଚିମାଞ୍ଚଳ ଏବଂ ଦକ୍ଷିଣାଞ୍ଚଳର ୨୪ଟି ଘରୋଇ ବସ୍ ମାଲିକ ସଂଘର ସଦସ୍ୟ । ଆଜି ସଂଧ୍ୟା ୬ଟାରୁ ୮ ତାରିଖ ସଂଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡ଼ିବନି ବୋଲି ସେମାନେ କହିଥିଲେ। ଏହାପରେ ଗତକାଲି ମନ୍ତ୍ରୀ ଆପୋଷ ଆଲୋଚନାରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ବୈଠକ ପାଇଁ ଆମନ୍ତ୍ରଣ କରିଥିଲେ। ଏହାପରେ ଆଜି ବ୍ରହ୍ମପୁରରେ ପରିବହନ ମନ୍ତ୍ରୀଙ୍କ ବାସଭବନରେ ସହ ସଂଘର କର୍ମକର୍ତ୍ତାଙ୍କ ବୈଠକ ହୋଇଥିଲା। ଦୀର୍ଘ ସମୟର ବୈଠକ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା କୁହାଯାଇଛି। ପରେ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ ଧର୍ମଘଟରୁ ଓହରିଥିବା କହିଛନ୍ତି। ବୈଠକ ପରେ ମନ୍ତ୍ରୀ କହିଛନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଆଲୋଚନା ଶେଷ ହୋଇଛି। ଲକ୍ଷ୍ମୀ ବସ୍‌ ଚଳାଚଳ ହେତୁ କ୍ଷତି ହେଉଥିବା ସେମାନେ ଦାବି ରଖିଥିଲେ। ସେମାନଙ୍କ ଦାବିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆମେ ଏବେ ଲକ୍ଷ୍ମୀ ବସ୍‌ର ଟାୟାର-ଟୁ AC ବସ୍ ଚଳାଚଳକୁ ସ୍ଥଗିତ ରଖୁଛୁ। ମାତ୍ର ଆମେ ନୂଆ ଲୋଗୋ, ନୂଆ ଅପରେସନ ଓ ନୂଆ ସ୍ୱରୂପରେ ଲକ୍ଷ୍ମୀ ବସ୍‌ର କାମ କରିବୁ । ଅତି ଶୀଘ୍ର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ତେଣୁ ଏବେ ଉଭୟ ସଂଘ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏନେଇ ବରଗଡ଼ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ କହିଛନ୍ତି, ଲକ୍ଷ୍ମୀ ବସ୍‌ର ଟାୟାର-୨ ପରିମିଟ୍‌ କିଛି ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ବାତିଲ କରିବାକୁ ଦାବି କରିଥିଲୁ। ଏବେ ଆଉ ନୂଆ ପରମିଟ୍‌ ଇସ୍ୟୁ ହେବନି ବୋଲି ମନ୍ତ୍ରୀ କହିଛନ୍ତି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ବସ୍‌ ନ ଚଳାଇବାକୁ ଦାବି କରିଥିଲୁ। କାରଣ ଏହାଦ୍ୱାରା ଆମର ପ୍ରଭୂତ କ୍ଷତି ଘଟୁଥିଲା। ସରକାର ଆମ ଦାବି ମାନି ନେଇଥିବାରୁ ଆମେ ଆଜି ଡାକରା ଦେଇଥିବା ଆନ୍ଦୋଳନ ପ୍ରତ୍ୟାହାର କରୁଛୁ।

ରିପୋର୍ଟ : ରଜତ ପଟ୍ଟନାୟକ 

 

Leave a Reply

Your email address will not be published. Required fields are marked *