


ଛତ୍ରପୁର (ସମୃଦ୍ଧ ଓଡିଶା) କାଞ୍ଚି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଛତ୍ରପୁର ଶଙ୍କରାଚାର୍ଯ୍ୟ ମଠକୁ ଗତକାଲି ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁଜୀ ତଥା ମହାନ ପ୍ରବଚକ ତ୍ୟାଗୀ କୋଟେଶ୍ୱର ରାଓ ପରିଦର୍ଶନ କରିଥିଲେ । ପ୍ରଥମ ଥର କରି ଛତ୍ରପୁର ସହରକୁ ଗୁରୁଜୀ ଆସିଥିବାରୁ ତାଙ୍କ କୃପା ତଥା ଆର୍ଶୀବାଦ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ବର୍ଗର ଭକ୍ତମାନଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଗୁରୁଜୀ କୋଟେଶ୍ୱର ରାଓ ଶଙ୍କର ମଠରେ ବିରାଜମାନ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ପୂଜା ଅର୍ଚନା କରିବା ସହ ଭକ୍ତମାନଙ୍କୁ ଭକ୍ତି ସ୍ୱରୂପ ପ୍ରବଚନ ପ୍ରଦାନ କରିଥିଲେ । ଗୁରୁଜୀଙ୍କୁ ମହିଳା ଭକ୍ତ ଗୋଷ୍ଠୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନର ଭକ୍ତମାନଙ୍କ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗୁରୁଜୀ ଶ୍ରୀ ରାଓଙ୍କ ସନାତନ ଧର୍ମର ପ୍ରବଚନର ବାର୍ତ୍ତା ୧୪୨ଟି ଦେଶରେ ପ୍ରସାରିତ ହେଉଥିବା ବେଳେ କାଞ୍ଚି ଶଙ୍କରାଚାର୍ଯ୍ୟ ଅନୁଷ୍ଠାନର ପ୍ରଶାସନିକ ପ୍ରବଚକ ଏବଂ ତିରୁପତି ଦେବ ସ୍ଥାନରେ ପ୍ରବଚନ ପ୍ରସାରିତ କରି ବହୁ ପ୍ରସିଦ୍ଧତା ଅର୍ଜନ କରିଛନ୍ତି । ଛତ୍ରପୁର ଠାରେ ତାଙ୍କରି ଆଗମନରେ ଟି.ଭେଙ୍କେଟା କ୍ରିଷ୍ଣେୟା, ଆଇନଜୀବୀ ବି.ଶ୍ରୀନିବାସ ରାଓ, ପି.ସୁରୀୟା ପ୍ରସାଦ, ଭି. ତ୍ରିନାଥ ରାଓ, କେ.ରାମବାବୁ, ଜେ.ହରିଗୋପାଳ ଶାସ୍ତ୍ରୀ, ଭି.ଏସ.ଆର. ମୂର୍ତ୍ତି, କେ.ଶ୍ରୀନିବାସ, ବିଶିଷ୍ଟ ଜ୍ୟୋର୍ତିବିଦ ଡ଼.ପ୍ରମୋଦ ପାତ୍ର, ଛତ୍ରପୁର ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡୀ, କେ.ବାସୁଦେବ ରାଓ, ପି.ସତ୍ୟନାରାୟଣ, ଏସ.ପ୍ରଭାକର ରାଓଙ୍କ ସମେତ ସହରର ବହୁ ବ୍ୟକ୍ତି ଶଙ୍କର ମଠରେ ଉପସ୍ଥିତ ହୋଇ ଗୁରୁଜୀଙ୍କ ଆର୍ଶୀବାଦ ଲାଭ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା








