ମହାନ ପ୍ରବାଦ ପୁରୁଷ ଡ. ଆମ୍ବେଦକରଙ୍କ ପାଇଁ ପଦେ…

ମଣିଷକୁ ଗୋଲାମ ବନେଇ ହଜାରେ ରାଜା ହୋଇଥାନ୍ତି କିନ୍ତୁ ପ୍ରବାଦ ପୁରୁଷ ଡ଼.ଭୀମରାଓ ରାମଜୀ ଆମ୍ବେଦକର ଗୋଲାମକୁ ମଣିଷ ବନେଇଛନ୍ତି । ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ଇନ୍ଦୋର ନିକଟସ୍ଥ ମାହୋ ନାମକ ଏକ ଛୋଟ ଗ୍ରାମରେ ଏହି ମହାନ ପୁରୁଷଙ୍କ ଜନ୍ମ ହୋଇଥିଲା । ମାତା ରାମବାଇ ଓ ପିତା ରାମଜୀ ମାଲୋଜୀ ସକପଲଙ୍କର ୧୪ତମ ତଥା ଅନ୍ତିମ ସନ୍ତାନ ଥିଲେ ଆମ୍ବେଦକର । ତାଙ୍କର ଏକ ଛୋଟ ମରାଠୀ ଅଛୁଆଁ ଶ୍ରେଣୀର ପରିବାରରେ ଜନ୍ମ ହୋଇଥିଲା । ଜାତି ପ୍ରଥାର ଶିକାର ହୋଇ ମଧ୍ୟ ଆମ୍ବେଦକର ତାଙ୍କ ଅସାଧାରଣ ଧୈର୍ଯ୍ୟ, ପରିଶ୍ରମ ଓ ଅକାତର ଅଧ୍ୟବସାୟ ବଳରେ ନିଜର ପୂର୍ଣ୍ଣାଙ୍ଗ ଶିକ୍ଷା ପ୍ରାପ୍ତ ହୋଇଥିଲେ । ସେ ଏକା ଧାରାରେ ଜଣେ ବାଗ୍ମୀ, ସମାଜ ସଂସ୍କାରକ, ଆଇନଜ୍ଞ ତଥା ରାଜନେତା ଥିଲେ । ଆମ୍ବେଦକର କହୁଥିଲେ ” I Like the Religion that teaches Liberty, Equality and fraternity” ଅର୍ଥାତ ମୁଁ ଏମିତି ଧର୍ମକୁ ବିଶ୍ୱାସ କରେ ଯାହା ସ୍ୱତନ୍ତ୍ରତା ସମାନତା ଓ ଭାଇଚାରା ଶିଖାଏ । ଆମ୍ବେଦକରଙ୍କ ତିନୋଟି ମୂଲ୍ୟବାନ ଉପଦେଶ ଥିଲା ଶିକ୍ଷା, ସଂଗ୍ରାମ ଓ ସଂଗଠନ । ରାଷ୍ଟ୍ରର ଜନସାଧାରଣଙ୍କର ମଙ୍ଗଳ ତାଙ୍କର ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା । ଭାରତ ସମ୍ବିଧାନର ପ୍ରଣେତା ହୋଇଛନ୍ତି ଆମ୍ବେଦକର । ୧୯୫୦ ଜାନୁଆରୀ ୨୬ ତାରିଖରେ ସେ ଭାରତରେ ନୂତନ ସମ୍ବିଧାନ ପ୍ରଣୟନ କରିଥିଲେ । ଆମ୍ବେଦକରଙ୍କୁ ମଧ୍ୟ ଦଳିତ ଜାତିର ମୁକ୍ତିଦାତା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ତାଙ୍କ ଯୋଗୁଁ ଦଳିତମାନଙ୍କ ଜୀବନ ଆକାଶରେ ଏକ ଦିପ୍ତୀମାନ ସୂର୍ଯ୍ୟର ଆବିର୍ଭାବ ହୋଇଥିଲା । ଏହି ବାଗ୍ମୀ, ଜ୍ଞାନୀ, ଦାର୍ଶନିକ, ଅର୍ଥଶାସ୍ତ୍ରବିତ, ସମାଜ ସଂସ୍କାରକ, ରାଜନୀତି, ବିଶାରଦ, ଆଇନଜ୍ଞ ତାଙ୍କର ମାନବ ପ୍ରେମ ଓ ଉଦାର ପୌରୁଷ ଯୋଗୁଁ ଚୀରଦିନ ପାଇଁ ଆମ ସ୍ମରଣରେ ଥିବେ ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଡ଼ଃ.ଆମ୍ବେଦକର ସମ୍ବିଧାନର ନିର୍ମାତା, ବିଶିଷ୍ଟ ଆଇନଜ୍ଞ, ବ୍ରିଟିଶ ପାର୍ଲ୍ୟାମେଣ୍ଟରେ ପ୍ରଶ୍ନ କରି ସମସ୍ତଙ୍କୁ ଚମକ ସୃଷ୍ଟି କରିଥିଲେ କିନ୍ତୁ ସେ କାହିଁକି ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ନ ଥିଲେ ସେଥିପାଇଁ ସ୍ୱାଧୀନତା ସଂଗ୍ରାମୀରେ ତାଙ୍କ ନାମ ରହିଲା ନାହିଁ । ଖୋଜି କି କହିଲେ ଭଲ ହୁଅନ୍ତା ।

ସ୍ମୃତିମଞ୍ଜରୀ ପ୍ରଧାନ, ଏମବିଏ ପ୍ରଥମ ବର୍ଷ ଛାତ୍ରୀ,
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ,
ସମ୍ବଲପୁର